News18 Odia Digital
କଟକ: ବାରବାଟୀ ଷ୍ଟାଡିୟମରେ ଚ଼ାଲିଥିବା ଟି-20 ମହିଳା ଚାଲେଞ୍ଜର ଟ୍ରଫିର ଶୁକ୍ରବାର ହେଉଛି ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ଼। ଏହା ଫାଇନାଲ ମ୍ୟାଚ଼ ହୋଇ ଥିବାରୁ ଏହି ମ୍ୟାଚ଼କୁ ଜିତିବା ଉଭୟ ଟିମ୍ ପାଇଁ ସମ୍ମାନର ପ୍ରସଙ୍ଗ ହୋଇଛି। ଭାରତୀୟ ଜାତୀୟ ମହିଳା କ୍ରିକେଟ ଟିମ୍ର ଦୁଇ ପ୍ରମୁଖ ଖେଳାଳି ସ୍ମୃତି ମନ୍ଧାନା ଓ ଭେଦା କୃଷ୍ଣମୂର୍ତୀ ଉଭୟ ଟିମର ନେତୃତ୍ୱ ନେଉଛନ୍ତି।
ବାରବାଟି କିଏ ଦଖଲ କରିବ – ଭାରତ ବି' ନା ଭାରତ ସି' – ତାହାରି ଉପରେ ସମସ୍ତଙ୍କ ନଜର । ଉଭୟ ଟିମରେ ଅନେକ ପ୍ରତିଭାଶାଳୀ ଖେଳାଳି ଥିବାରୁ ମ୍ୟାଚର ପୂର୍ବାନୁମାନ କରିବା ସହଜ ହେଉନାହିଁ। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟଟରେ ଟିମ ବି'ର ପ୍ରଦର୍ଶନ ଭଲ ଥିବାରୁ ଫାଇନାଲ ମ୍ୟାଚ ମଧ୍ୟ ବି' ସପକ୍ଷରେ ଢଳି ପରେ ବୋଲି ଆଶା କରାଯାଉଛି।
ଦୁଇଟି ଯାକ ଟିମରେ ରହିଛନ୍ତି ଭାରତୀୟ ଜାତୀୟ ମହିଳା ଟିମର ଅନେକ ସଦସ୍ୟ । ଭାରତ ସି' ଟିମର ନେତୃତ୍ୱ ନେଉଛନ୍ତି ଭେଦା କ୍ରୀଷ୍ଣମୂର୍ତି । ଜାତୀୟ ମହିଳା କ୍ରିକେଟ୍ର ଷ୍ଟାର କ୍ରିକେଟର୍ ଭାବେ ପରିଚିତ ଭେଦାଙ୍କ ପାଖରେ ରହିଛି ୪୯ ଟି T-୨୦ ଓ ୨୬ ଟି ଏକଦିବସୀୟ ମ୍ୟାଚ ଖେଳିବାର ଅଭିଜ୍ଞତା। ତାଙ୍କ ଟିମରେ ରହିଛନ୍ତି ସେଫାଳି ବର୍ମା ଓ ମୋନିକା ବର୍ମାଙ୍କ ଭଳି ବ୍ୟାଟର ଏବଂ ଭେଦାଙ୍କ ଟିମରେ ଅଛନ୍ତି ଓଡ଼ିଆ ଖେଳାଳି ମାଧୁରୀ ମେହେତା । ଏମାନେ ଯେ କୌଣସି ମୁହୂର୍ତ୍ତରେ ମ୍ୟାଚର ଦିଗ ବଦଳେଇବାରେ ସିଦ୍ଧହସ୍ତ।

ଲେଗ୍ ସ୍ପିନର ପୁନମ ଯାଦବ
ସେହି ପରି ସ୍ମୃତି ମନ୍ଧ୍ୟାନାଙ୍କ ନେତୃତ୍ୟାଧୀନ ଭାରତ ବି’ ଟିମ ରେ ଉଚ୍ଚ କୋଟି ର ଖେଳାଳିଙ୍କ ସଂଖ୍ୟା ମଧ୍ୟ କମ ନାହିଁ। ନିଜେ ଅଧିନାୟିକାଙ୍କ ପାଖରେ ମୋଟ ୪୯ଟି ଅନ୍ତଜାତିକ ମ୍ୟାଚ ଖେଳିବାର ଅନୁଭୂତି ରହିଛି। ତାଙ୍କ ଟିମରେ ରିଚା ଘୋଷଙ୍କ ଭଳି ବ୍ୟାଟର ଓ ଜାତୀୟ ଟିମର ସଦସ୍ୟ ତଥା ଲେଗ୍ ସ୍ପିନର ପୁନମ ଯାଦବଙ୍କ ଭଳି ବୋଲର ମଧ୍ୟ ରହିଛନ୍ତି। ସ୍ମୃତି ଙ୍କ ଟିମ ରେ ଖେଳୁଛନ୍ତି ଓଡ଼ିଆ ଖେଳାଳି ସୁଶ୍ରୀ ଦିବ୍ୟଦର୍ଶନୀ।
ଏହି ଟୁର୍ଣ୍ଣାମେଣ୍ଟ୍ରେ ଦୁଇ ଟିମ ପରସ୍ପରକୁ ଦୁଇ ଥର ଭେଟିଥିବା ବେଳେ ଦୁଇଟି ଯାକ ମ୍ୟାଚ ରେ ଟିମ ବି' ହିଁ ବିଜୟ ଲାଭ କରିଛି । ଶୁକ୍ରବାର ସକାଳ ୧୧ ଟାରୁ ବାରବାଟୀ ଷ୍ଟାଡିୟମରେ ଏହି ଫାଇନାଲ ମୁକାବିଲା ଆରମ୍ଭ ହୋଇଯାଇଛି ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।