News18 Odia Digital
ଭୁବନେଶ୍ୱର: ବିବାହରୁ ଆରମ୍ଭ ହେଉଥିବା ଜୀବନର ଦ୍ୱିତୀୟ ପର୍ଯ୍ୟାୟର ପ୍ରସ୍ତୁତି ପାଇଁ ମନରେ କେତେ ଆଶା ବାନ୍ଧି ସାନ ଭାଇ ସହିତ ଗାଁକୁ ଯିବାକୁ ଟ୍ରେନ୍ ଚ଼ଢ଼ୁଥିଲେ ଅଧ୍ୟାପିକା ନିବେଦିତା ସାହୁ । ଅସାବଧାନତା ଯୋଗୁଁ ଚ଼ଳନ୍ତା ଟ୍ରେନରୁ ଗୋଡ଼ ଖସିଯିବାରୁ ତଳକୁ ଖସି ପଡ଼ିଲେ ସେ । କିନ୍ତୁ ସେଠି ଥିବା ଜଣେ ଆର୍.ପି.ଏଫ୍. (RPF) କନଷ୍ଟେବଲ୍ ଦୌଡ଼ି ଆସି ତାଙ୍କୁ ଟାଣି ବାହାର କଲେ ଆଉ ତାଙ୍କୁ ଏକ ନୂଆ ଜୀବନ ଦେଲେ ।
ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଘଟିଥିବା ଏହି ଘଟଣା ଏକ ସିନେମାର କାହାଣୀ ପରି ଲାଗିପାରେ । ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଉଠିବାର କିଛି ମିନିଟ ପରେ ଆର୍.ପି.ଏଫ୍. ଥାନାରେ ବସି ତାଙ୍କ ସହ କଣ୍ ଘଟିଛି ହଠାତ୍ ବିଶ୍ୱାସ କରିପାରୁ ନ ଥିଲେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଆଇ.ଟି. ବିଭାଗର ଏହି ଯୁବା ଅଧ୍ୟାପିକା । ହାତରେ ତାଙ୍କର ଚ଼ମକୁଥିଲା ମେହେନ୍ଦୀର ଲାଲିମା, ଆଉ ହୃଦୟରେ ଥିଲା ଭଗବାନ ଓ ଆର୍.ପି.ଏଫ୍. କନଷ୍ଟେବଲ୍ ସୁବ୍ରତ କୁମାର ମହାରଣାଙ୍କ ପ୍ରତି ଅସୁମାରୀ କୃତଜ୍ଞତା ।
‘‘ରେଳ ଷ୍ଟେଶନରେ ଆମେ ପହଞ୍ଚିବା ବେଳକୁ ବିଳମ୍ବ ହୋଇଯାଇଥିଲା । ୧ ନମ୍ବର ପ୍ଲାଟଫର୍ମରୁ ଛାଡି ସାରିଥିଲା ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ୍ । କାଲି ସକାଳେ ଗାଁରେ ମୋ’ ନିର୍ବନ୍ଧ । ଟ୍ରେନ୍ ଫେଲ୍ ହେବା ଡରରେ ଚଳନ୍ତା ଟ୍ରେନରେ ଚଢିଯାଇଥିଲୁ ଆମେ । ସାନ ଭାଇଟି ଚ଼ଢ଼ି ସାରିଥିଲା । ମୋ’ ଗୋଡ଼ ଛନ୍ଦି ହୋଇଯିବାରୁ ମୁଁ ଖସିପଡିଥିଲି ତଳକୁ,’’ କହିଛନ୍ତି ଜିନ୍ସ୍ ଟ୍ରାଉଜର୍ସ୍ ଓ ଶାର୍ଟ୍ ପିନ୍ଧିଥିବା ନିବେଦିତା ।
ଢେଙ୍କାନାଳ ଜିଲ୍ଲା ମୋଟାଙ୍ଗ ଥାନାର ମେରାମଣ୍ଡଳୀ ବଜାରର ବାସିନ୍ଦା ନିବେଦିତା ପୁଣି କହିଛନ୍ତି: ‘‘ମୁଁ ଓ ମୋ’ ପୂରା ପରିବାର ସେହି ଆର୍.ପି.ଏଫ୍. କନଷ୍ଟେବଲଙ୍କ ପ୍ରତି ଚ଼ିର ଋଣୀ ରହିଲୁ । ମୁଁ ଯେତେ ଧନ୍ୟବାଦ ଦେଲେ ବି କମ୍ ହେବ’’ ।

ଦେବଦୂତ ସାଜିଥିବା ଆର୍.ପି.ଏଫ୍. କନେଷ୍ଟେବଲ୍ ସୁବ୍ରତ କୁମାର ମହାରଣା
ସନ୍ଧ୍ୟା ସାଢେ ୫ଟାରେ ଭାଇ ଓ ଭଉଣୀ ପ୍ଲାଟଫର୍ମ ନମ୍ବର ୧ ରେ ପହଞ୍ଚିଥିଲେ । ସେତେବେଳକୁ ପ୍ଲାଟଫର୍ମରୁ ଛାଡି ସାରିଥିଲା ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ୍ । ଗାଡ଼ି ଧୀର ଗତିରେ ଚ଼ାଲୁଥିବା ଦେଖି ନିବେଦିତା ଓ ତାଙ୍କ ଭାଇ ଚଢ଼ିଯାଇଥିଲେ ଟ୍ରେନରେ । ହେଲେ ଗୋଡ଼ ଛନ୍ଦି ହୋଇଯିବାରୁ ଟ୍ରେନରୁ ତଳକୁ ଖସିପଡ଼ିଥିଲେ ନିବେଦିତା । ଠିକ୍ ସେତିକି ବେଳେ ସେହି ଦିଗରେ ଆସୁଥିବା ପ୍ଲାଟଫର୍ମରେ କାର୍ଯ୍ୟରତ ଆର୍.ପି.ଏଫ୍. କନେଷ୍ଟେବଲ୍ ସୁବ୍ରତ କୁମାର ମହାରଣା ତ୍ରାଣକର୍ତ୍ତା ସାଜିଥିଲେ । ନିଜ ହାତରେ ଧରିଥିବା ୱାକି-ଟକି ଓ କାଗଜ ଫିଙ୍ଗି ଦେଇ ସେ ଦଉଡ଼ି ଆସିଥିଲେ ଓ ତତ୍କ୍ଷଣାତ୍ ଟ୍ରେନ୍ ତଳୁ ବାହାରକୁ ଟାଣି ଆଣଥିଲେ ଅଧ୍ୟାପିକାଙ୍କୁ । କାହାକୁ କିଛି ନ କହି ଅବିଳମ୍ବେ ସେଠୁ ଦୂରକୁ ଚ଼ାଲିଯାଇଥିଲା ମୃତ୍ୟୁ ।
‘‘ଆର୍.ପି.ଏଫ୍. କନଷ୍ଟେବଲ୍ ସୁବ୍ରତ ମହାରଣାଙ୍କ ପାଇଁ ମୁଁ ନୂଆ ଜୀବନ ପାଇଛି । ସେଥିପାଇଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଭବିଷ୍ୟତରେ କେବେ ଆଉ ଏଭଳି ଭୁଲ୍ ହେବନି । ତରବରିଆ ହୋଇ ଟ୍ରେନ ଆଉ ଚ଼ଢିବା ଆଦୌ ଠିକ୍ ନୁହେଁ । ଏମିତି ଦୁର୍ଘଟଣା କେବେ ଆଉ କାହା ସହ ନ ହେଉ,’’ କହିଛନ୍ତି ନିବେଦିତା ।

ଉଦ୍ଧାର ହେବା ପରେ ଆର୍.ପି.ଏଫ୍. ଥାନା ଅଧିକାରୀ କାଳୁ ସେଠୀଙ୍କ ସହ ନିବେଦିତା
ତାଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଥିବା କନଷ୍ଟେବଲ୍ ସୁବ୍ରତ କୁମାର ମହାରଣା କହିଛନ୍ତି: ‘‘ମୁଁ ମୋ’ ଦାୟିତ୍ବ କରିଛି । ଟ୍ରେନରେ ଚ଼ଢିବାକୁ ଯାଉଥିବାବେଳେ ତାଙ୍କୁ (ନିବେଦିତାଙ୍କୁ) ଆମେ ବାରଣ କରିଥିଲୁ । ହେଲେ ସେ ଆମ କଥା ଶୁଣି ପାରି ନ ଥିଲେ । ଟ୍ରେନ ଫେଲ ହୋଇଯିବା ଦେଖି ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ହଠାତ୍ ଖସି ପଡ଼ିଥିଲେ । ଯଦି ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନ ଥାନ୍ତା ତେବେ ସେ ନିଶ୍ଚୟ ଚ଼କ ତଳକୁ ଖସି ପଡ଼ିଥାଆନ୍ତେ’’ ।
କନଷ୍ଟେବଲ୍ ସୁବ୍ରତ କୁମାର ମହାରଣାଙ୍କ ଏଭଳି ସାହସିକତା ଓ କର୍ତ୍ତବ୍ୟନିଷ୍ଠତା ପାଇଁ ଆଜି ଜଣେ ଅଧ୍ୟାପିକାଙ୍କ ଜୀବନ ବଞ୍ଚିଯାଇଛି । ତାଙ୍କୁ ସାବାସି ଦେଇଛନ୍ତି ଆର୍.ପି.ଏଫ୍. ଥାନା ଅଧିକାରୀ କାଳୁ ସେଠୀ । ସେ କହିଛନ୍ତି: ‘‘ଯାତ୍ରୀଙ୍କ ସୁରକ୍ଷା ପାଇଁ ଆର୍.ପି.ଏଫ୍. ସବୁବେଳେ ପ୍ରସ୍ତୁତ ରହିଛି । ସୁବ୍ରତଙ୍କ ଏଭଳି ସାହାସିକତା ପାଇଁ ରେଲୱେ ବୋର୍ଡ ପକ୍ଷରୁ ତାଙ୍କୁ ପୁରସ୍କାର ପ୍ରଦାନ କରିବା ପାଇଁ ମୁଁ ତାଙ୍କ ନାମ ପ୍ରସ୍ତାବ କରିବାକୁ ଉଚ୍ଚ ଅଧିକାରୀଙ୍କୁ ଅନୁରୋଧ କରିବି ।’’

‘‘ତରବରିଆ ହୋଇ ଟ୍ରେନ୍ ଚ଼ଢିବା ଆଦୌ ଠିକ୍ ନୁହେଁ,’’ କହିଛନ୍ତି ନିବେଦିତା ।
ଜଣେ ଉଚ୍ଚଶିକ୍ଷିତା ଯୁବତୀ ଚଳନ୍ତା ଟ୍ରେନରୁ ଖସି ପଡ଼ିବା ଓ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିବା ଘଟଣାର ଟିକିନିକି ଦୃଶ୍ୟ ରେକର୍ଡ଼ ହୋଇଥିଲା ସିସିଟିଭି କ୍ୟାମେରାରେ । ଉଚ୍ଚଶିକ୍ଷିତା ହୋଇ ବି କେମିତି ଚଳନ୍ତା ଟ୍ରେନରେ ଚଢୁଥିଲେ ସେ ଓ ଟ୍ରେନ୍ ଫେଲ୍ ହୋଇଯାଇଥିଲେ କ’ଣ ଆଉ ଟ୍ରେନ୍ ନ ଥିଲା ବୋଲି ଚ଼ାଲିଛି ଚ଼ର୍ଚ୍ଚା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।