କଟକ ସୁନା ଲୁଟ୍ କାଣ୍ଡରେ ଲାଲା ସହ ସାମିଲ୍ ଥିଲେ ଯୁବତୀ; ସେ ବି ଗିରଫ ହେଲେ; ସୁନା ଜବତ

ଡକାୟତି ଘଟଣାର ମୁଖ୍ୟ କାର୍ପଟଦାର ଲାଲା ଅମ୍ରିତ ରାୟଙ୍କ ପରି ନୀଳିମା ଲେଙ୍କା ବି IIFL ବ୍ୟାଙ୍କରେ ମୂଲ୍ୟାୟନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ସେ ବି ଏହି ଡକାୟତି ଯୋଜନା ପ୍ରସ୍ତୁତ କରିବା ଓ କାର୍ଯ୍ୟକାରୀ କରିବାରେ ଲାଲା ସହିତ ଜଡ଼ିତ ଥିଲେ ବୋଲି କହିଛି ପୋଲିସ ।

କଟକ ସୁନା ଲୁଟ୍ କାଣ୍ଡରେ ଲାଲା ସହ ସାମିଲ୍ ଥିଲେ ଯୁବତୀ; ସେ ବି ଗିରଫ ହେଲେ; ସୁନା ଜବତ
(ବାମରୁ ଡାହାଣ) ନୀଳିମା ଲେଙ୍କା, ଜବତ ସୁନା ଓ ଲାଲା ଅମ୍ରିତ ରାୟ
  • News18 Odia
  • Last Updated: November 25, 2020, 11:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକ ଆଇଆଇଏଫଏଲ ବ୍ୟାଙ୍କରୁ ଡକାୟତି ଘଟଣାରେ ଗିରଫ ହୋଇଥିବା ସବୁ ସାତ ଜଣ ଅଭିଯୁକ୍ତଙ୍କୁ ବୁଧବାର ଦିନ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ଯୁବତୀ ଅଛନ୍ତି – ନୀଳିମା ଲେଙ୍କା । ପୋଲିସ ରେଡ଼ ସମୟରେ ତାଙ୍କ ଘରୁ ମଧ୍ୟ ୨୫୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି ।

ଡକାୟତି ଘଟଣାର ମୁଖ୍ୟ କାର୍ପଟଦାର ଲାଲା ଅମ୍ରିତ ରାୟଙ୍କ ପରି ନୀଳିମା ବି ଆଇଆଇଏଫଏଲ ବ୍ୟାଙ୍କରେ ମୂଲ୍ୟାୟନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ସେ ବି ଏହି ଡକାୟତି ଯୋଜନା ପ୍ରସ୍ତୁତ କରିବା ଓ ଏହାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଲାଲା ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ ବୋଲି ପୋଲିସ ଜାଣିପାରିଛି । କଟକ ଭଗତପୁର ବାସିନ୍ଦା ନୀଳିମାଙ୍କର କିଛି ଦିନ ତଳେ ନିର୍ବନ୍ଧ ହୋଇଥିଲା । ଆସନ୍ତା ଜାନୁଆରି ମାସରେ ତାଙ୍କର ବାହାଘର ହେବାର ଥିଲା ।

ଏହା ବି ପଢ଼ନ୍ତୁ | ପୁରୁଷ ଭାବରେ ଲାଳିତ ପାଳିତ ହୋଇ ବଡ଼ ହୋଇଥିବା ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଗର୍ଭବତୀ ହେଲେ; ତାଙ୍କର ଗର୍ଭାଶୟ ମିଳିଲା

ସବୁ ସାତ ଜଣ ଅଭିଯୁକ୍ତଙ୍କ ନାଁରେ ଆଇପିସିର ଧାରା ୩୯୫, ୪୦୬, ୪୦୯, ୪୫୪, ୨୦୧, ୧୨୦(ଖ) ଏବଂ ୨୫ ଓ ୨୭ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ବଳରେ ମାମଲା ରୁଜୁ ହୋଇଛି । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ପରେ ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ ମଧ୍ୟ ପୋଲିସ କୋର୍ଟରେ ପ୍ରାର୍ଥନା କରିଛି ।

କଟକ ଡିସିପି ପ୍ରତୀକ ସିଂ


ଏହି ଡକାୟତି ଘଟଣାର ମୁଖ୍ୟ କାର୍ପଟଦାର ଲାଲା ଅମ୍ରିତ ରାୟ ବାବଦରେ ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ । ଆଇଆଇଏଫଏଲ ବ୍ୟାଙ୍କରେ ଆସିଷ୍ଟାଣ୍ଡ ମ୍ୟାନେଜରର ପଦବୀରେ ଚାକିରି କରିଥିବା ଲାଲା ସେହି ବ୍ୟାଙ୍କରେ ବନ୍ଧକ ଥିବା ସୁନାର ଏକ ସିଂହ ଭାଗକୁ ଅତି ଚତୁରତାର ସହ ସେଠାରୁ ବାହର କରି ମର୍ଣ୍ଣାପୁରମ୍‌ ଭଳି ଅନ୍ୟ ଅର୍ଥ ଲଗାଣକାରୀ ସଂସ୍ଥାରେ ବିଭିନ୍ନ ଜାଲି ନାଁରେ ବନ୍ଧକ ରଖିଥିଲା । ସେଥି ମଧ୍ୟରୁ କିଛି ସୁନାକୁ ସେ ବିକ୍ରି ମଧ୍ୟ କରି ଦେଇଥିଲା । ସୁନା ବନ୍ଧକ ରଖି ଋଣରେ ଆଣିଥିବା କୋଟି କୋଟି ଟଙ୍କାରେ ସେ ବିଳାସପୂର୍ଣ୍ଣ ଜୀବନ ଶୈଳୀ ବଞ୍ଚୁଥିଲା ।

ଏହା ବି ପଢ଼ନ୍ତୁ | Video: ନ୍ୟୁ ୟର୍କରେ ପୋଲିସ ଅଫିସରଙ୍କ ମୁହଁକୁ ଛେପ ପକାଇ ଗିରଫ ହେଲେ ଭାରତୀୟ ଯୁବତୀ

ଦାମି ଗାଡ଼ି ଚଢିବା, ବଡ଼ ବଡ଼ ହୋଟେଲକୁ ଯିବା ଏବଂ ବିଭିନ୍ନ ସ୍ଥାନ ଭ୍ରମଣ କରିବା ଥିଲା ଲାଲାର ମୁଖ୍ୟ ସଉକ । ସେ ଚଳାଉଥିବା ଏକ ଅଡ଼ି କାର୍‌ ଓ ବୁଲେଟ୍‌ ମୋଟର ସାଇକେଲ୍‌ ବି ପୋଲିସ ଜବତ କରିଛି । ଲାଲା ନାଁରେ ବିଭିନ୍ନ ବ୍ୟାଙ୍କରେ ୧୦ଟି ଆକାଉଣ୍ଟ ଠାବ ହୋଇଛି । ସେହି ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା ଥିବା ପୋଲିସ ସନ୍ଦେହ କରୁଛି ।

ଏହି ଘଟଣାର ତଦନ୍ତ କରୁଥିବା କଟକ କମିଶନରେଟ ପୋଲିସ ବୁଧବାର ଦିନ ପ୍ରଥମ ପର୍ଯ୍ୟାୟରେ ଲୁଟ ହୋଇଥିବା ୩ କେଜି ସୁନା ଓ ୫ ଲକ୍ଷ ଟଙ୍କା ସହ ଲୁଟ ସମୟରେ ବ୍ୟବାହାର ହୋଇଥିବା ଖେଳନା ବନ୍ଧୁକ ଓ ବାଇକଗୁଡ଼ିକୁ ଜବତ କରିଛି । ବନ୍ଧକ ସୁନାକୁ ପୁଣି ଥରେ ବନ୍ଧକ ରଖିବାର ଏହି ଖେଳରେ ଆଇଆଇଏଫଏଲ ବ୍ୟାଙ୍କର ସେହି ଶାଖାର ଅନ୍ୟ କର୍ମଚାରୀଙ୍କ ସହ ମୁଖ୍ୟ କାର୍ଯ୍ୟାଳୟର କିଛି ଅସାଧୁ ଅଧିକାରୀମାନେ ମଧ୍ୟ ସାମିଲ ଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି । ପୂର୍ବରୁ ଅଡିଟରେ ଆସି ଏହି କାରବାର ବିଷୟରେ ଜାଣି ମଧ୍ୟ ଏହାକୁ ଉଜାଗର ନ କରିଥିବାରୁ ତିନିଟି ଅଡିଟ୍ ଟିମର ନଅ ଜଣ ସଦସ୍ୟ ବି ପୋଲିସର ସ୍କାନରେ ରହିଛନ୍ତି ।

ତଦନ୍ତ ଟିମରେ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ଡିଜିପି ଅଭୟ (ଡାହାଣ)।


‘‘ବଡ଼ ଚତୁରତାର ସହ ଏହି ବ୍ୟାଙ୍କ ଲୁଟର ଯୋଜନା ପ୍ରସ୍ତୁତ କରାଯାଇଥିଲା । ଆମେ ବ୍ୟାଙ୍କ ଲୁଟ ସହିତ ସେଠାରେ ବେଆଇନ ଭାବେ ଚାଲିଥିବା ବନ୍ଧକ ସୁନାକୁ ପୁଣି ଥରେ ବନ୍ଧକ ରଖିବା କାରବାରର ତଦନ୍ତ କରୁଛୁ । ଏହା ଏକ ବଡ଼ ଧରଣ ଅର୍ଥ କାରବାର ହୋଇଥିବାରୁ ଏହାର ମୂଳ ପର୍ଯ୍ୟନ୍ତ ଯିବା ପାଇଁ ଆମେ ବ୍ୟାଙ୍କର ପୂରା କାରବାର ବିଷୟରେ ଜାଣିବା ପାଇଁ ଏହାର ଅଡ଼ିଟ କରିବୁ । ଏଥି ପାଇଁ ଚାଟାର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ନିୟୋଜିତ କରାଯିବ । ଏବେ ତ ସାତ ଜଣକୁ ଗିରଫ କରାଯାଇଛି । ଆଗକୁ ଆହୁରି ଗିରଫଦାରି ହୋଇପାରେ,’’ କହିଛନ୍ତି କଟକ ଡିସିପି ପ୍ରତୀକ ସିଂ ।

ଏହା ବି ପଢ଼ନ୍ତୁ | ତୁର୍କୀରେ ଚମତ୍କାର: ଭୂମିକମ୍ପର ୬୫ ଘଣ୍ଟା ପରେ ବର୍ଷର କୁନି ଝିଅକୁ ଜୀବନ୍ତ ଉଦ୍ଧାର କରାଗଲା

କୋର୍ଟ ଚାଲାଣ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଲାଲାକୁ ନିଜ ସାଥିରେ ନେଇ କଟକ ବଜ୍ରକବାଟି ରୋଡ଼ରେ ଥିବା ମର୍ଣ୍ଣାପୁରମ୍‌ ସଂସ୍ଥାରେ ପହଞ୍ଚିଥିଲା ପୋଲିସ । ସେଇଠି ଆଇଆଇଏଫଏଲ ବ୍ୟାଙ୍କର ସୁନାକୁ ଲାଲା ବନ୍ଧକ ରଖି ଥିଲା । ଲାଲା ମର୍ଣ୍ଣାପୁରମ୍‌ ସଂସ୍ଥାରେ ପ୍ରାୟ ସାତ କେଜି ସୁନା ରଖିଥିବା ପୋଲିସ ପକ୍ଷରୁ କୁହାଯାଇଛି ।



ଓଡ଼ିଶା ଇତିହାସର ଏହି ଚର୍ଚ୍ଚିତ ତଥା ବଡ଼ ଡକାୟତି ଏବଂ ସୁନା ହେରଫେର ଘଟଣାର ସଫଳତାର ସହିତ ତଦନ୍ତ କରିଥିବାରୁ ଏହି ମାମଲାର ତଦନ୍ତ କରୁଥିବା ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଡିଜିପି ଅଭୟ । ବୁଧବାର ଅପରାହ୍ଣରେ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସବୁ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି ଡିଜିପି ଅଭୟ।
Published by: Anand Shankar Thankur Das
First published: November 25, 2020, 11:53 PM IST
corona virus btn
corona virus btn
Loading