ଦାରିଦ୍ର୍ୟ ଯୋଗୁଁ ଭୁବନେଶ୍ୱରରେ ମା’ ‘ବିକି ଦେଲା’ ୧୯ ଦିନର କଅଁଳା ଛୁଆକୁ; ୨ ଦଲାଲ ସମେତ ୪ ଗିରଫ

ମିନି ଦାସଙ୍କ ସ୍ବାମୀ ଦିଲୁ ଦାସ ମୂଲ ଖଟିବାକୁ ମଝିରେ ମଝିରେ ବାହାରକୁ ଯାଆନ୍ତି । ସେହି ବସ୍ତିରେ ତାଙ୍କର ଦ୍ବିତୀୟ ପତ୍ନୀ ବି ରୁହନ୍ତି । ପ୍ରଥମ ପତ୍ନୀ ମିନିଙ୍କର ଆଗରୁ ଚ଼ାରିଟି ପୁଅ ଥିବା ବେଳେ ୧୯ ଦିନ ତଳେ ସେ ଆଉ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ।

ଦାରିଦ୍ର୍ୟ ଯୋଗୁଁ ଭୁବନେଶ୍ୱରରେ ମା’ ‘ବିକି ଦେଲା’ ୧୯ ଦିନର କଅଁଳା ଛୁଆକୁ; ୨ ଦଲାଲ ସମେତ ୪ ଗିରଫ
ଶିଶୁଟି ସହ ହସ୍ପିଟାଲରେ ତା’ ମାଆ ଓ ଅନ୍ୟମାନେ
  • News18 Odia
  • Last Updated: February 28, 2020, 2:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ନିଜ ଗର୍ଭରେ ନଅ ମାସ ରଖି ଜନ୍ମ କରିବାର ୧୯ ଦିନ ପରେ ଦାରିଦ୍ର୍ୟର ତାଡ଼ନା ସମ୍ଭାଳି ନ ପାରି ଜଣେ ମହିଳା ତାଙ୍କ କଅଁଳା ଶିଶୁ ପୁତ୍ରକୁ ବିକ୍ରି କରିଦେଇଥିବା ପରି ହୃଦୟବିଦାରକ ଘଟଣା ସାମନାକୁ ଆସିଛି । ଦେଢ଼ ଲକ୍ଷ ଟଙ୍କାର ସୌଦା ହେବା ପରେ ମାଆଙ୍କୁ ପ୍ରଥମ କିସ୍ତିରେ ମାତ୍ର ଦଶ ହଜାର ଟଙ୍କା ମିଳିଥିବା ସୂଚ଼ନା ମିଳିଛି, ହେଲେ ଶିଶୁକୁ ବିକ୍ରି କରି ନ ଥିବା କହିଛନ୍ତି ତା’ର ମାଆ ।

ରାଜଧାନୀର ଭରତପୁର ବସ୍ତିରେ ରହୁଥିବା ମିନି ଦାସ ତାଙ୍କ କଅଁଳା ଶିଶୁ ପୁତ୍ରକୁ ରଙ୍ଗମାଟିଆର ପ୍ରଶାନ୍ତ କୁମାର ଗୋଚ୍ଛାୟତଙ୍କୁ ବିକ୍ରି କରି ଦେଇଥିବା ଖବର ପାଇବା ପରେ ଗୁରୁବାର ଦିନ ଭୁବନେଶ୍ବର ଚାଇଲ୍ଡ ଲାଇନର ସଦସ୍ୟମାନେ ସକ୍ରିୟ ହୋଇଯାଇଥିଲେ । ସେମାନେ ପୋଲିସକୁ ଖବର ଦେଇଥିଲେ ଓ ସନ୍ଧ୍ୟା ୭ଟାରେ ଶିଶୁଟିକୁ ତାକୁ କିଣିଥିବା ପ୍ରଶାନ୍ତଙ୍କ ରଙ୍ଗମାଟିଆ ଘରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶିଶୁ ୱାର୍ଡରେ ଶିଶୁଟିର ଅବସ୍ଥା ଭଲ ଅଛି ବୋଲି ଡାକ୍ତର କହିଛନ୍ତି । ତା’ପରେ ଛୁଆଟିକୁ ତା’ ମାଆକୁ ହସ୍ତାନ୍ତର କରାଯାଇଛି ।

‘‘ମୁଁ ପୁଅକୁ ବିକ୍ରି କରିନାହିଁ । ଘରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ପାଞ୍ଚ ପାଞ୍ଚଟି ଛୁଆଙ୍କ ପେଟରେ ଦାନା ଦେବା ମୋ’ ପକ୍ଷେ କଷ୍ଟକର ହେଉଛି । ତେଣୁ ଛୁଆ ଭଲ ପାଠ ପଢିବ ଓ ମଣିଷ ହେବ ବୋଲି ବାବୁଙ୍କୁ ଦାନ କରିଦେଇଛି,’’ ନ୍ୟୁଜ ୧୮ ଓଡ଼ିଆ ଡିଜିଟାଲକୁ କହିଛନ୍ତି ଛୁଆର ମାଆ ମିନି ଦାସ । ‘‘ମୋ’ ଦେହ ଭଲ ନଥିବାରୁ ପ୍ରଶାନ୍ତ ଗୋଚ୍ଛାୟତଙ୍କ ଠାରୁ ଅଗ୍ରୀମ ୧୦ ହଜାର ଟଙ୍କା ଆଣିଛି,’’ ସେ କହିଛନ୍ତି ।

ମିନି ଦାସଙ୍କ ସ୍ବାମୀ ଦିଲୁ ଦାସ ମୂଲ ଖଟିବାକୁ ମଝିରେ ମଝିରେ ବାହାରକୁ ଯାଆନ୍ତି । ସେହି ବସ୍ତିରେ ତାଙ୍କର ଦ୍ବିତୀୟ ପତ୍ନୀ ବି ରୁହନ୍ତି । ପ୍ରଥମ ପତ୍ନୀ ମିନିଙ୍କର ଆଗରୁ ଚ଼ାରିଟି ପୁଅ ଥିବା ବେଳେ ଫେବୃୟାରୀ ୮ ତାରିଖରେ ତାଙ୍କର ଆଉ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ପାଞ୍ଚଟି ଛୁଆକୁ ଏକକାଳୀନ ଲାଳନ ପାଳନ କରିବା ମିନିଙ୍କ ପକ୍ଷେ ସମ୍ଭବ ନଥିଲା । ତେଣୁ ଜନ୍ମିତ ଛୁଆକୁ କେମିତି ବଡ କରିବେ ଏବଂ ମଣିଷ କେମିତି କରିବେ ସେ ନେଇ ସେ ଚିନ୍ତାରେ ଥିଲେ ।

ପୁଅଟିକୁ କେହି ଯଦି ନେବାକୁ ଚ଼ାହିଁବେ ତେବେ ତା’ ହାତରେ ଟେକି ଦେବେ ବୋଲି ମିନି କିଛି ଲୋକଙ୍କୁ କହିଥିଲେ । ଏହି ସୂଚନା ପାଇ ରଙ୍ଗମାଟିଆର ପ୍ରଶାନ୍ତ କୁମାର ଗୋଚ୍ଛାୟତ ପହଞ୍ଚିଥିଲେ ଭରତପୁର ବସ୍ତିରେ । ପ୍ରଶାନ୍ତଙ୍କ ଘରେ କୌଣସି ସନ୍ତାନ ନଥିବାରୁ ୧୯ ଦିନର ଛୁଆଟିକୁ ନିଜ କୋଳକୁ ନେଇଥିଲେ । ଛୁଆଟିକୁ ପାଇ ପ୍ରଶାନ୍ତ ଏବଂ ତାଙ୍କ ପତ୍ନୀ ଖୁସିରେ ଆତ୍ମହରା ହୋଇଯାଇଥିଲେ ।

‘‘ଛୁଆ ବିକ୍ରି ସୂଚନା ପାଇବା ପରେ ଆମେ ତଦନ୍ତ ଆରମ୍ଭ କରିଥିଲୁ । ଛୁଆ ବିକ୍ରି ପାଇଁ ମିନି ଦାସ ଏବଂ ପ୍ରଶାନ୍ତ ଗୋଚ୍ଛାୟତଙ୍କ ମଧ୍ୟରେ ଦେଢ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ମିନିକୁ ୧୦ ହଜାର ଟଙ୍କା ଦେଇ ବାକି ଟଙ୍କା ପରେ ଦେବେ ବୋଲି କହିଥିଲେ ପ୍ରଶାନ୍ତ । ଛୁଆ କିଣାବିକା ନେଇ ଉଭୟ ପକ୍ଷରୁ କୋର୍ଟ ପେରରେ ଦସ୍ତଖତ ବି ହୋଇଥିଲା,’’ କହିଛନ୍ତି ଭୁବନେଶ୍ବର ଚାଇଲ୍ଡ ଲାଇନର ସଦସ୍ୟା ହରପ୍ରିୟା ପତି ।

ଶିଶୁ ବିକ୍ରି ଅଭିଯୋଗ ନେଇ ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ପ୍ରଶାନ୍ତ ଗୋଚ୍ଛାୟତଙ୍କୁ ଥାନାରେ ଅଟକ ରଖି ପଚ଼ରାଉଚ଼ରା କରିବା ପରେ ତାଙ୍କୁ, ଶିଶୁର ବାପା ଦିଲୁ ଦାସ ଓ ଦୁଇ କଥିତ ମହିଳା ଦଲାଲଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ ।

‘‘ଉଦ୍ଧାର ହୋଇଥିବା ଛୁଆଟି କେମିତି ବଡ ହେବ ଓ ତା’ର ଯତ୍ନ କିଏ ନେବ ତାହା ଉପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିଷ୍ପତ୍ତି ନେବ,’’ କହିଛନ୍ତି ଶିଶୁ ମଙ୍ଗଳ କମିଟିର ସଦସ୍ୟ ବେଣୁଧର ସେନାପତି । ଶିଶୁର ଥାଇଥାନ ପାଇଁ ଜିଲ୍ଲା ଶିଶୁ ମଙ୍ଗଳ ଅଧକାରୀ ଆଜି (ଶୁକ୍ରବାର) ବୈଠକ କରିବେ ।
First published: February 28, 2020, 2:03 PM IST
corona virus btn
corona virus btn
Loading