ରାଜ୍ୟରୁ ଫେରିଲା ମୌସୁମୀ; ଏଣିକି କମିବ ତାପମାତ୍ରା; ନଭେମ୍ବରରେ ହୋଇପାରେ ଅଳ୍ପ ବର୍ଷା

ରାଜ୍ୟରୁ ମୌସୁମୀ ଫେରିବା ଯୋଗୁଁ ଏଣିକି ତାପମାତ୍ରା କମିବ। ସେପଟେ ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ନଭେମ୍ବର ପହିଲାରେ ସାମ୍ଭାବ୍ୟ ଲଘୁଚାପ ଯୋଗୁଁ ଉପକୂଳରେ ବର୍ଷା ସମ୍ଭାବନା ରହିଛି।

ନଭେମ୍ବର ପହିଲାରେ ସାମାନ୍ୟ ବର୍ଷା ହୋଇପାରେ (ପ୍ରତୀକାତ୍ମକ ଛବି)

ନଭେମ୍ବର ପହିଲାରେ ସାମାନ୍ୟ ବର୍ଷା ହୋଇପାରେ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରୁ ମୌସୁମୀ ଫେରିବା ଯୋଗୁଁ ଏଣିକି ତାପମାତ୍ରା କମିବ। ସେପଟେ ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ନଭେମ୍ବର ପହିଲାରେ ସାମ୍ଭାବ୍ୟ ଲଘୁଚାପ ଯୋଗୁଁ ଉପକୂଳରେ ବର୍ଷା ସମ୍ଭାବନା ରହିଛି।

ଶୁକ୍ରବାର ସାରା ରାଜ୍ୟରୁ ବିଦାୟ ନେଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୧୦% କମ ବର୍ଷା ସହ ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇଛି। ସାରା ଦେଶରୁ ଆସନ୍ତା ୨୬ ତାରିଖରେ ଫେରିଯିବ ମୌସୁମୀ ବାୟୁ। ପୂର୍ବ ଆକଳନ ଅନୁଯାୟୀ ଚଳିତବର୍ଷ ରାଜ୍ୟରେ ସ୍ୱାଭାବିକ ବର୍ଷା ହୋଇଛି। ବର୍ତ୍ତମାନ ପଶ୍ଚିମ ଦିଗରୁ ଶୁଷ୍କ ପବନ ପ୍ରବାହିତ ହେବା କାରଣରୁ ରାତିର ତାପମାତ୍ରା କମୁଛି।

ସାଧାରଣତଃ ଅକ୍ଟୋବର ମଧ୍ୟଭାଗରେ ମୌସୁମୀ ଓଡିଶା ରୁ ଫେରିଥାଏ। ହେଲେ ଚଳିତବର୍ଷ ଏଥିରେ ବିଳମ୍ବ ହୋଇ ଅକ୍ଟୋବର ୨୩ରେ ଫେରିଛି ମୌସୁମୀ। ଚଳିତବର୍ଷ ରାଜ୍ୟରେ ୧୦% କମ ମୌସୁମୀ ବର୍ଷା ହୋଇଛି। ଆଜି ସୁଦ୍ଧା ରାଜ୍ୟରେ ୧୨୪୩.୮ମିମି ବର୍ଷା ହେବା କଥା କିନ୍ତୁ ହେଇଚି ୧୧୨୨.୫ ମିମି ବର୍ଷା। ଯାହା ସ୍ବଭାବିକଠାରୁ ୧୦% କମ। ତେବେ ଚଳିତବର୍ଷ ଅଗଷ୍ଟ ମାସରେ ସବୁଠାରୁ କମ ଅର୍ଥାତ ୪୪%ରୁ କମ ବର୍ଷା ହୋଇରହିବାବେଳେ ସେପ୍ଟେମ୍ବର ମାସରେ ସବୁଠାରୁ ଅଧିକ ଅର୍ଥାତ ୭୦%ବର୍ଷା ହୋଇଛି।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଅନୁଯାୟୀ ଚଳିତବର୍ଷ ସ୍ବଭାବିକ ବର୍ଷା ହୋଇଛି। ବର୍ତ୍ତମାନ ବର୍ଷାର ସମ୍ଭାବନା ନ ଥିବାବେଳେ ରାତିର ତାପମାତ୍ରା ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

"ଶୁକ୍ରବାର ସାରା ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତନ କରିଛି। ଏଥରି ସାମାନ୍ୟ ବିଳମ୍ବ ହୋଇଛି। ଚଳିତବର୍ଷ ସ୍ୱାଭାବିକ ମୌସୁମୀ ବର୍ଷା ହୋଇଛି। ସବୁଠାରୁ କମ ବର୍ଷା ଅଗଷ୍ଟ ଓ ସେପ୍ଟେମ୍ବର ରେ ରେକର୍ଡ ବ୍ରେକ ବର୍ଷା ହୋଇଛି। ପୁରୀରେ ୮୭ ବର୍ଷର ରେକର୍ଡ ଭାଙ୍ଗିଛି ସେପ୍ଟେମ୍ବର ମାସ ବର୍ଷା। ଏଣିକି ପଶ୍ଚିମା ଶୁଷ୍କ ପବନ ଯୋଗୁଁ ତାପମାତ୍ରା କମିବ," କହିଛନ୍ତି ପାଣିପାଗ ବିଭାଗ ବୈଜ୍ଞାନିକ ଉମାଶଙ୍କର ଦାଶ।

ରାଜ୍ୟରେ ବର୍ତ୍ତମାନ ରାତିର ତାପମାତ୍ରା ହ୍ରାସ ପାଉଛି। ରାଜ୍ୟରେ ୧ ରୁ ୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା କମିଛି। ୨୭ ତାରିଖରୁ ଦକ୍ଷିଣ ଓ ଆଭ୍ୟନ୍ତିରଣ ଓଡିଶାରେ ତାପମାତ୍ରା ୨ ଡିଗ୍ରୀ କମିବ। ୨୯ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହୁଛି। ଯାହା ପ୍ରଭାବରେ ଉପକୂଳର ୩ ତାପମାତ୍ରା କମିବ ନାହିଁ। ନଭେମ୍ବର ୧ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଏହା ପରେ  ତାପମାତ୍ରା କମିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

"ବର୍ତ୍ତମାନ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବିଶେଷ କମିବ ନାହିଁ। ୨୯ ତାରିଖ ପରେ ପାଗ ମେଘୁଆ ରହିବା ଯୋଗୁଁ ତାପମାତ୍ରା ବୃଦ୍ଧି ପାଇପାରେ। ଏହା ସହ ନଭେମ୍ବର ୧ ବେଳକୁ ସାମ୍ଭାବ୍ୟ ଲଘୁଚାପ ଫଳରେ ଉପକୂଳ ଓଡିଶାରେ ବର୍ଷା ହୋଇପାରେ," ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ।

ବର୍ତ୍ତମାନ ଦିନର ତାପମାତ୍ରାରେ ବିଶେଷ ପରିବର୍ତନ ହେବନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ୧୭ରୁ ୧୯ ଡିଗ୍ରୀ ଓ ଉପକୂଳରେ ୨୧ ରୁ ୨୩ ଡିଗ୍ରୀ ମଧ୍ୟରେ ରହିବ ତାପମାତ୍ରା। ପାଗ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶୁଖିଲା ରହିବ।
Published by:Soumya Das
First published: