News18 Odia Digital
ବାଲେଶ୍ଵର: ବାଲେଶ୍ବର ଚିଟଫଣ୍ଡ ଅଦାଲତ ପକ୍ଷରୁ ୱାଇଜମ୍ୟାନ ରିସୋର୍ସେସ ଲିମିଟେଡ ସଂସ୍ଥା ପକ୍ଷରୁ ଠକେଇ ଅଭିଯୋଗ ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି । ଠକେଇ ଅଭିଯୋଗ ମାମଲାରେ ଚିଟଫଣ୍ଡ ଅଦାଲତର ବିଚାରପତିଙ୍କ ପକ୍ଷରୁ ଠକ ସଂସ୍ଥାର ଏମଡି ଓ ଜଣେ ନିର୍ଦ୍ଦେଶକଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ୫ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡର ରାୟ ଶୁଣାଣି ହୋଇଛି।
ସୂଚନା ଅନୁସାରେ ବାଲେଶ୍ବରରେ ଏକାଧିକ ଜମାକାରୀଙ୍କୁ ଲୋଭନୀୟ ସ୍କିମ ଜରିଆରେ ଏହି ୱାଇଜମ୍ୟାନ ରିସୋର୍ସେସ ଲିମିଟେଡ ଠକ ସଂସ୍ଥା ବାଲେଶ୍ବରରୁ ବିପୁଳ ଅର୍ଥ ସଂଗ୍ରହ କରିଥିଲା । ୨୦୧୨ରେ ଶିଳ୍ପାଞ୍ଚଳ ଥାନା ଅଧୀନ ବାମପଦା ଗ୍ରାମର ରବିନାରାୟଣ ସାହୁଙ୍କୁ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ତଥା ସିଂଲା ଥାନା ଅଧିନ ବଢାଣ ଗ୍ରାମର ଅନୀଲ କୁମାର ପାତ୍ର ଏବଂ ସହଯୋଗୀ ଏମଆଇଏସ ସ୍କିମରେ ଅଧିକ ସୁଧ କହିବାରୁ ରବି ନାରାୟଣ ୨ଲକ୍ଷ ଟଙ୍କା ଜମା କରିଥିଲେ। ମାତ୍ର ୯ ମାସ ମାସିକ ୫ହଜାର ୮୪୦ ଟଙ୍କା ଲେଖାଏଁ ରବିଙ୍କ ଆକାଉଣ୍ଟକୁ ସୁଧ ଯାଇଥିଲା। ହେଲେ ପରେ ସେ ନପାଇବାରୁ ଆସି ଦେଖିଲା ବେଳକୁ କମ୍ପାନୀର କାର୍ଯ୍ୟାଳୟ ବନ୍ଦହୋଇଯାଇଥିଲା । ତେବେ ଟଙ୍କା ପାଇଁ ସେ ଦୌଡି ଦୌଡ଼ି ନିରାଶ ହୋଇ ସହଦେବଖୁଣ୍ଟା ଥାନାରେ ୱାଇଜମ୍ୟାନର ମ୍ୟାନେଜିଙ୍ଗ ଡାଇରେକ୍ଟର ଅନୀଲ କୁମାର ପାତ୍ର ଓ ସହଯୋଗୀଙ୍କ ନାମରେ ଅଭିଯୋଗ କରିଥିଲେ ।
ଏନେଇ ଥାନା ପକ୍ଷରୁ ଏ ବାବଦରେଧାରା ୪୨୦, ୪୦୬, ୪୬୮, ୪୦୮,୧୨୦(ବି), ୩୪, ୪, ୫୬ ପ୍ରଇଜ ଚିଟିଆଣ୍ଡ ମନି ସର୍କୁଲେସନ ବ୍ୟାଟିଂ ଆକ୍ଟସମେତ ଓପିଆଇଡିର ୬ଧାରା ମାମଲା ରୁଜୁ ହୋଇଥିଲା। ଥାନା ପକ୍ଷରୁ ମ୍ୟାନେଜିଙ୍ଗ ଡାଇରେକ୍ଟର ଅନୀଲ କୁମାର ପାତ୍ର, ନିର୍ଦ୍ଦେଶକ ତଥା ସିଂଲା ଥାନା ଅଧିନ ନିଶନ୍ତପୁର ଗ୍ରାମର ପ୍ରଭାସ ଚନ୍ଦ୍ର ଜେନା, ଯାଜପୁର ଜିଲ୍ଲା ଡୋଭବିଲ ଗ୍ରାମର ଦିଲ୍ଲୀପ କର, ବରହମପୁର ଥାନା ଅଧୀନ ବାଲିସାହି ଗ୍ରାମର ରମେଶ କୁମାର ପାତ୍ର, ପଣହା ଗ୍ରାମର ପ୍ରଭାସ ଦତ୍ତ, ନୀଳଗିରି ଥାନା ଅଧୂନ ପୁରୁଣାଗାଁ ଗ୍ରାମର ସତ୍ୟାନନ୍ଦ ପାତ୍ର, ବସ୍ତା ଥାନା ଅଧୁନ ଦୁଣ୍ଡ ଗ୍ରାମର ରବୀନ୍ଦ୍ର ବିଶ୍ବାଳ, ଶକୁନ୍ତଳା ବିଶ୍ବାଳଙ୍କ ନାମରେ ୨୦୬/୨,୬,୧୪ ରେ ସହଦେବଖୁଣ୍ଟା ଥାନାରେ ମାମଲା ହୋଇଥିଲା। ଥାନାରେ ରୁଜୁ ଏହି ମାମଲା ବାଲେଶ୍ବର ସ୍ଥିତ ଚିଟଫଣ୍ଡ ଅଦାଲତରେ ବିଚାରଧୀନ ଥିଲା। ଥାନା ମାମଲା ୨୦୬/୧୪ ଓ ଚିଟଫଣ୍ଡ ଅଦାଲତ ମାମଲା ନଂ ୭ (ସି) ୨୦୧୪ର ବିଚାରକରି ବିଚାରପତି ସଦାଶିବ ଜେନା ଦୁଇ ଅଭିଯୁକ୍ତ ତଥା ୱାଇଜମ୍ୟାନ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅନୀଲ କୁମାର ପାତ୍ର ଓ ଅନ୍ୟତମ ନିର୍ଦ୍ଦେଶକ ପ୍ରଭାସ ଚନ୍ଦ୍ର ଜେନାଙ୍କୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ଲେଖାଏଁ ଜେଲଦଣ୍ଡ ସହ ୪୦ହଜାର ଟଙ୍କା ଲେଖାଏଁ ଜରିମାନା ରାୟ ଶୁଣାଶି କରିଛନ୍ତି। ତତ ସହ ଜରିମାନା ଅନାଦେୟରେ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାର ରାୟ ଦେଇଛନ୍ତି ।
ଏହି ମାମଲାରେ ୧୦ଜଣଙ୍କ ବୟାନ ଓ ୧୯ ଦସ୍ତାବିଜକୁ ନେଇ ବିଚାରପତି ରାୟ ଶୁଣାଣି କରି ଦୁଇ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଅନ୍ୟ ୬ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।
ସରକାରଙ୍କ ପକ୍ଷରୁ ଏହି ଠକେଇ ମାମଲାକୁ ବରିଷ୍ଠ ଆଇନଜୀବୀ ତଥା ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବକୁମାର ପଣ୍ଡା ମୋକଦ୍ଦମା ପରିଚାଳନା କରିଥିଲେ। ବାଲେଶ୍ବର ଚିଟଫଣ୍ଡ ଅଦାଲତ ପକ୍ଷରୁ ପ୍ରଥମ ରାୟ ପ୍ରକାଶ ପାଇବା ଓ ଠକ ସଂସ୍ଥାର ଦୁଇ ପ୍ରମୁଖଙ୍କୁ ୫ବର୍ଷ ଲେଖାଏଁ ଜେଲଦଣ୍ଡର ରାୟ ପ୍ରକାଶ ପରେ ବିଚାର ଚାଲୁଥିବା ଅନ୍ୟ ଚିଟଫଣ୍ଡ ମାମଲାର ଅଭିଯୁକ୍ତଙ୍କ ମଧ୍ୟରେ ବେଶ ଛନକା ପଶିଲାଣି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।