News18 Odia Digital
ଭୁବନେଶ୍ୱର: ଏଥର ବିଳମ୍ବରେ ଫେରିବ ମୌସୁମୀ। ବିଳମ୍ବରେ ଆସିବ ଶୀତ। ଡିସେମ୍ବର ମାସ ଯାଏଁ ଲାଗି ରହିବ ବର୍ଷା । ଅକ୍ଟୋବର ମାସରେ ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ଯୋଗୁଁ ସ୍ବଭାବିକ ଠାରୁ ହେବ ଅଧିକ ବର୍ଷା।
ଏଥର ବର୍ଷା ଅଧିକ ଶୀତ କମ। ଚଳିତ ବର୍ଷ ରାଜ୍ୟରେ ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ସ୍ବଭାବିକ ଠାରୁ ଅଧିକ ବର୍ଷା ହୋଇଛି। ଅକ୍ଟୋବର ମାସ ଆରମ୍ଭରୁ ଲଘୁଚାପ ପ୍ରଭାବରେ ଏବେ ବି ବର୍ଷା ଲାଗି ରହିଛି। ସେପଟେ ଆସନ୍ତା ୯ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ସୃଷ୍ଟି ହେବ। ଫଳରେ ଉପକୂଳ ଓଡିଶାରେ ପୁଣି ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। କୁମାର ପୂର୍ଣ୍ଣିମାରେ ଭିଜିବ ଉପକୂଳ ଓ ଦକ୍ଷିଣ ଓଡିଶା।
୯ ତାରିଖରେ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତିରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଥିବା ବେଳେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, କଟକରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଅକ୍ଟୋବର ମାସରେ ସ୍ବଭାବିକ ଠାରୁ ଅଧିକ ବର୍ଷା ହେବା ସହ ଡିସେମ୍ବର ମାସ ପର୍ଯ୍ୟନ୍ତ ବର୍ଷା ରହିବ। ଫଳରେ ଶୀତ କମ ଅନୁଭୂତ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ବର୍ତ୍ତମାନ ଉତ୍ତର ପଶ୍ଚିମ ଭାରତରେ ଥିବା ଟ୍ରପ ଲାଇନ ଯୋଗୁଁ ଦକ୍ଷିଣ ପୂର୍ବ ଦିଗରୁ ରାଜ୍ୟକୁ ବାୟୁ ପ୍ରବାହିତ ହେଉଛି। ଯାହା ବଙ୍ଗୋପସାଗରରୁ ଜଳୀୟବାଷ୍ପ ନେଇ ଆସୁଛି। ଏଣୁ ବର୍ତ୍ତମାନ ବର୍ଷା ଅଧିକ ହେଉଛି। ଏହିଭଳି ବର୍ଷା ୧୨ତାରିଖ ପର୍ଯ୍ୟନ୍ତ ରହିବ। ୧୩ ତାରିଖରୁ ବର୍ଷାର ପରିମାଣ ହ୍ରାସ ପାଇବ। ଏଣୁ ୧୫ ପରେ ମୋସୁମୀ ଫେରିବା ନେଇ ପାଗ ଅନୁକୂଳ ହେବ। ଯଦିଓ ମୌସୁମୀ ଫେରିବ କିନ୍ତୁ ଏହା ପରେ ମଧ୍ୟ ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ସିଷ୍ଟମ ରହିବ। ଯାହା ଡିସେମ୍ବର ମାସ ପର୍ଯ୍ୟନ୍ତ ବର୍ଷା କରାଇବ। ଫଳରେ ଉତ୍ତର ଦିଗରୁ ପବନ ଆସିବାରେ ବାଧା ସୃଷ୍ଟି ହେବ। ଏଣୁ ଶୀତ ବିଳମ୍ବ ହେବା ସହ କମ ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।
ଅକ୍ଟୋବର ମାସରେ ସ୍ବଭାବିକ ଠାରୁ ୮୦% ଅଧିକ ବର୍ଷା ହୋଇଛି। ଆଗକୁ ଘୁର୍ଣ୍ଣିବଳୟ ସହ ଶେଷ ସପ୍ତାହରେ ଆଉ ଏକ ସିଷ୍ଟମ ନେଇ ଆକଳନ ହେଉଛି। ଯାହା ରାଜ୍ୟକୁ ଭଲ ବର୍ଷା ଦେବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।