News18 Odia Digital
ଭୁବନେଶ୍ୱର: ଯୁବ ବନ ଅଧିକାରୀ (ଏ.ସି.ଏଫ୍.) ସୌମ୍ୟରଞ୍ଜନ ମହାପାତ୍ରଙ୍କର ପାରଳାଖେମୁଣ୍ଡିର ସରକାରୀ ବାସଭବନରେ ନିଜ ପତ୍ନୀଙ୍କ ଉପସ୍ଥିତିରେ ନିଆଁରେ ଜଳିରହସ୍ୟଜନକ ଭାବେ ହୋଇଥିବା ମୃତ୍ୟୁ ଘଟଣାର ତଦନ୍ତକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି । ଘଟଣାକୁ ୨୫ରୁ ଅଧିକ ଦିନ ବିତିବା ପରେ ଏ ଥର ପାରଳାଖେମୁଣି ବିଧାୟକ କେ. ନାରାୟଣ ରାଓ ପୋଲିସର ତଦନ୍ତ ପ୍ରତି ନିଷ୍ଠା ଓ ସତ୍ୟ ସାମନାକୁ ଆଣିବାରେ ଆଗ୍ରହ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଗୌଡଗାଁରେ ପହଞ୍ଚି ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ଦୁଇ ଥର ଜେରା କରିବା ପରେ ବି ତଦନ୍ତ ସରିବା ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି କହୁଥିବା ଘଟଣାକୁ ନାପସନ୍ଦ କରିଛନ୍ତି ରାଓ। ମାମଲାରେ ଜଡି଼ତ ଥିବା ଅଭିଯୁକ୍ତମାନଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରିବା ତ ଦୂରର କଥା, ସେମାନଙ୍କୁ ଥାନାକୁ ଡାକି କାହିଁକି ପଚରାଉଚୁରା କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ କେ. ନାରାୟଣ ରାଓ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | VIDEO: ‘‘ବିଶ୍ୱାସ କର, ମୁଁ କିଛି ବି ପିନ୍ଧିନି’: ଇନଷ୍ଟା LIVEରେ ନଗ୍ନ ହୋଇ ଲୋକଙ୍କୁ କହିଲେ ଗେହନା ବଶିଷ୍ଟ
‘‘ବନ ଅଧିକାରୀଙ୍କ ବଡ଼ ସନ୍ଦେହଜନକ ଢଙ୍ଗରେ ମୃତ୍ୟୁ ଘଟଣାକୁ ୨୫ ଦିନ ବିତିବା ପରେ ଆମେ ଦେଖୁଛୁ ଯେ ଜିଲ୍ଲା ପ୍ରଶାସନ, ପୋଲିସ ଓ ସରକାର ପୂରା ଫେଲ୍ ହୋଇଛନ୍ତି । ବଡ଼ ଆଶ୍ଚର୍ଯ୍ୟର କଥା ଯେ ଘଟଣା ଘଟିଛି ଗଜପତି ଜିଲ୍ଲାରେ, କିନ୍ତୁ ତଦନ୍ତ ଚାଲିଛି ମୟୂରଭଞ୍ଜ, ବାଲେଶ୍ୱର ଓ ବଲାଙ୍ଗିର ଜିଲ୍ଲାରେ । ଏଇଟା ଠିକ୍ ନୁହେଁ ବୋଲି ମୁଁ ଭାବୁଛି । ଜଣେ ୩୨ ବର୍ଷୀୟ ଅଧିକାରୀଙ୍କ ଏମିତି ମୃତ୍ୟୁ ପଛର ରହସ୍ୟ ବାହାର କରି ଦୋଷୀକୁ ଦଣ୍ଡ ଦେବା ବ୍ୟବସ୍ଥା ପୋଲିସ ନିଷ୍ଠାର ସହ କରିବା ଉଚିତ,’’ କହିଛନ୍ତି ରାଓ ।

ଏହି ମାମଲାରେ ପୋଲିସଠାରୁ କ୍ଲିନ୍ ଚିଟ୍ ପାଇଥିବା ଡି.ଏଫ୍.ଓ., ରୋଷେଇଆ ଓ ଥାନାଧିକାରିଣୀ ମମତା ପଣ୍ଡା
ଏହା ବି ପଢ଼ନ୍ତୁ | ‘ଦେଶର ତଦନ୍ତକାରୀ ସଂସ୍ଥାମାନେ କୋର୍ଟକୁ ସହଯୋଗ କରୁନାହାନ୍ତି’: ଖପ୍ପା ହୋଇ କହିଲେ ସୁପ୍ରିମ କୋର୍ଟ୍
ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ପାରଳାଖେମୁଣ୍ଡିର ଡି.ଏଫ.ଓ. ସଂଗ୍ରାମ କେଶରୀ ବେହେରାଙ୍କୁ ସରକାର ‘‘ନିଲମ୍ବନ ନ କରି କାହିଁକି ସୁରକ୍ଷା ଦେଉଛନ୍ତି’’ ବୋଲି ବି ସେ ପ୍ରଶ୍ନ କରିଛନ୍ତି । ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ଆଶଙ୍କା ଥିବାରୁ ତାଙ୍କୁ ତୁରନ୍ତ ବଦଳି କରିବାକୁ ଦାବୀ କରିଛନ୍ତି କେ. ନାରାୟଣ ରାଓ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପଛରେ ଥିଲା ଏକ ବାଳକର କାର୍ଯ୍ୟ ଓ କୋର୍ଟର ନିଷ୍ପତ୍ତି
ପାରଳା ରାଜାଙ୍କ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ରଙ୍କ ଭାଇ ଅମୂଲ୍ୟ ପାତ୍ର ମଧ୍ୟ ତଦନ୍ତ କରି ସତ୍ୟ ସାମନାକୁ ଆଣିବାରେ ଗଜପତି ପୋଲିସର ନିଷ୍ଠା ଉପରେ ପ୍ରଶ୍ନ ଉଠାଇଛନ୍ତି । ଦୀର୍ଘ ପାଞ୍ଚ ବର୍ଷ ତଳେ ସାରା ଓଡି଼ଶାରେ ଚର୍ଚ୍ଚାର ବିଷୟ ପାଲଟିଥିବା ପାରଳା ଗଣ ଆତ୍ମହତ୍ୟାର ତଦନ୍ତ ଏବେ ବି ସରିନି ବୋଲି କହି ସେ କ୍ଷୋଭ ପ୍ରକାଶ କରିଛନ୍ତି ଓ କହିଛନ୍ତି ଯେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା ମଧ୍ୟ ଠିକ୍ ସେମିତି ହୋଇ କେଉଁଠି ଲୁପ୍ତ ହୋଇଯାଇପାରେ ।
ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ କମିଲା; ପୁଣି ଥରେ ଆସିଲା ସୁନା କିଣିବା ସୁଯୋଗ; ରୂପା ଦାମ୍ ବି କମିଛି
୨୦୧୬ ମସିହାରେ ଘଟିଥିବା ପାରଳା ରାଜାଙ୍କ ମ୍ୟାନେଜର ଅନଙ୍ଗ ମଞ୍ଜରୀ ପାତ୍ର ଓ ତାଙ୍କ ଚାରି ଭାଇ ଭଉଣୀଙ୍କ ରହସ୍ୟଜନକ ଆତ୍ମହତ୍ୟା ଘଟଣାର କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତ ଏ ପର୍ଯ୍ୟନ୍ତ ଚାଲିଛି ଓ ସେଥିରୁ କୌଣସ ନିର୍ଯାସ ଆସିନି । ଅନଙ୍ଗମଞ୍ଜରୀଙ୍କ ଭାଇ ଅମୂଲ୍ୟ କହିଛନ୍ତି ଯେ ତାଙ୍କ ପରିବାର ଯେମିତି ନ୍ୟାୟରୁ ବଞ୍ଚିତ ହୋଇଛି ସୌମ୍ୟରଞ୍ଜନଙ୍କ ପରିବାର ମଧ୍ୟ ହୁଏତ ସେମିତି ନ୍ୟାୟ ପାଇବେ ନାହିଁ ।
‘‘ସେହି ମାମଲାରେ ଗଜପତି ପୋଲିସ ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଫଳ ଏ ପର୍ଯ୍ୟନ୍ତ ଶୂନ । ଆମକୁ ଏ ପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ । ଆମେ ଆଶା ବି ଛାଡ଼ି ଦେଇଛୁ । ଆମକୁ ଲାଗୁଛି ଠିକ୍ ସେମିତି ସୌମ୍ୟରଞ୍ଜନ ମହାପାତ୍ରଙ୍କ ପରିବାରକୁ ମଧ୍ୟ ନ୍ୟାୟ ମିଳିବନି,’’ କହିଛନ୍ତି ଅମୂଲ୍ୟ ପାତ୍ର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।