News 18 Odia Digital
ଭୁବନେଶ୍ୱର: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ (rahul gandhi) ବେଳା ଏବେ ଭଲ ନାହିଁ ! ବ୍ରିଟେନ୍ ବୟାନକୁ ନେଇ ବ୍ୟାକଫୁଟରେ ଥିବା ରାହୁଲ ଏବେ ୪ ବର୍ଷ ତଳର ଏକ ବୟାନରେ ଫସିଛନ୍ତି । ସୁରତ ଅଦଲାତ ରାହୁଲଙ୍କୁ ୨ ବର୍ଷ ଜେଲ୍ (jail) ଦଣ୍ଡାଦେଶ ଶୁଣାଇଛନ୍ତି । ହେଲେ ଜେଲ୍ ପରେ ବେଲ୍ ମିଳିଥିବା ବେଳେ, ରାୟକୁ ଚ୍ୟାଲେଞ୍ଜ କରିବାକୁ ୩୦ ଦିନ ମହଲତ ଦେଇଛନ୍ତି କୋର୍ଟ । ଅଦାଲତଙ୍କ ରାୟ ପରେ ସଂସଦରୁ ସଡ଼କ, କଂଗ୍ରେସ (congress) କରିଛି ସଂଗ୍ରାମ । ଦଳୀୟ ନେତାଏ ବିଜେପି (bjp)କୁ ସମାଲୋଚନା କରିବା ସହ ରାହୁଲଙ୍କ ସାଥ୍ ଦେଇଛନ୍ତି । ବିଜେପି ସାଂସଦ ରବିଶଙ୍କର ପ୍ରସାଦ ପ୍ରେସମିଟ୍ କରି ରାହୁଲଙ୍କୁ କରିଛନ୍ତି ଟାର୍ଗେଟ୍ । ଏହାରି ମଧ୍ୟରେ ପ୍ରଶ୍ନ ଉଠୁଛି କଣ ରଦ୍ଦ ହୋଇଯିବ କି ରାହୁଲଙ୍କ ଲୋକସଭା ସଦସ୍ୟତା... କଣ ୨୦୨୪ ନିର୍ବାଚନ ଲଢ଼ିପାରିବେନି ରାହୁଲ ଗାନ୍ଧି !
୨୦୧୯ରେ କର୍ଣ୍ଣାଟକର ଏକ ନିର୍ବାଚନୀ ସଭାରେ ମୋଦି ନାମ ନେଇ କଟାକ୍ଷ କରିଥିଲେ ସେତେବେଳେର କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଏବେକାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । କହିଥିଲେ, ନିରବ ମୋଦି, ଲଳିତ ମୋଦି ଓ ନରେନ୍ଦ୍ର ମୋଦିଙ୍କ ସରନେମ୍ କଣ ପାଇଁ ସମାନ । ରାହୁଲଙ୍କ ଏହି ବୟାନକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଗୁଜରାଟର ସେତେବେଳର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି । ଯେଉଁ ମାମଲାର ରାୟ ଶୁଣାଇଛନ୍ତି ସୁରତ କୋର୍ଟ । ମାନହାନୀ ମାମଲାରେ ରାହୁଲ ଗାନ୍ଧିଙ୍କୁ ମିଳିଛି ୨ ବର୍ଷ ଜେଲ୍ ଦଣ୍ଡାଦେଶ । ହେଲେ ଜେଲ୍ ପରେ ପରେ ଜାମିନ ପ୍ରଦାନ କରିଛନ୍ତି ଅଦାଲତ । ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ରାହୁଲ ଗାନ୍ଧିଙ୍କୁ ମିଳିଛି ଜାମିନ୍ । ରାୟ ବିରୋଧରେ ଉପର କୋର୍ଟକୁ ଯିବାକୁ ରାହୁଲଙ୍କୁ ୩୦ ଦିନ ମହଲତ ଦେଇଛନ୍ତି ଅଦାଲତ । IPC ଧାରା ୪୯୯ ଓ ୫୦୦ରେ ରାହୁଲଙ୍କ ବିରୋଧରେ ରୁଜୁ ହୋଇଥିଲା ମାନହାନୀ ମକଦ୍ଦମା । ୨୦୨୧ ଅକ୍ଟୋବରରେ ରାହୁଲ ଗାନ୍ଧି ଅଦାଲତରେ ହାଜର ହୋଇ ତାଙ୍କ ପକ୍ଷ ରଖିଥିଲେ । ଅଦାଲତ ଦୁଇ ପକ୍ଷକୁ ଶୁଣିବା ପରେ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ହେଲେ ପରେ ତାଙ୍କୁ ତୁରନ୍ତ ଜାମିନ୍ ପ୍ରଦାନ କରାଯାଇଛି । ଶୁଣାଣି ବେଳେ କୋର୍ଟରେ ଉପସ୍ଥିତ ଥିଲେ ରାହୁଲ ଗାନ୍ଧି । ଆବେଦନକାରୀଙ୍କ ଓକିଲ କହିଥିଲେ, ରାହୁଲ ଗାନ୍ଧି ଜଣେ ସାଂସଦ । ଯେଉଁଠୁ ଆଇନ୍ ପ୍ରଣୟନ ହେଉଛି, ଜଣେ ସାଂସଦ ହୋଇ ବାରମ୍ବାର ସେ ଆଇନ୍ ଭାଙ୍ଗୁଛନ୍ତି । ସେ ଏଥି ପାଇଁ କ୍ଷମା ପ୍ରାର୍ଥନା କରିବା ଉଚିତ୍ । ହେଲେ ରାହୁଲଙ୍କ ଓକିଲ କହିଥିଲେ, ଆମକୁ କାହାର ଦୟା ଦରକାର ନାହିଁ । ଆବେଦନକାରୀଙ୍କ ଓକିଲଙ୍କ ଅପିଲ୍ ପରେ କୋର୍ଟ, ୨ ବର୍ଷର ଜେଲ୍ ଦଣ୍ଡ ଶୁଣାଇଛନ୍ତି ।
ଅଦାଲତଙ୍କ ରାୟ ପରେ ଟ୍ବିଟ୍ କରିଥିଲେ ରାହୁଲ ଗାନ୍ଧି । କହିଥିଲେ, ମୋର ଧର୍ମ ସତ୍ୟ ଓ ଅହିଂସା ଉପରେ ଆଧାରିତ । ସତ୍ୟ ମୋର ଭଗବାନ, ଅହିଂସା ପାଇବା ପାଇଁ ଏହା ସାଧନ । ନିଜର ଟ୍ବିଟରେ ମହାତ୍ମା ଗାନ୍ଧିଙ୍କୁ ଯୋଡ଼ିଥିଲେ ରାହୁଲ ଗାନ୍ଧି । ରାହୁଲ ସୁରତରେ ଥିଲେ, ହେଲେ ସାରା ଦେଶରେ ତାଙ୍କ ସପକ୍ଷରେ ବାହାରିଥିଲା କଂଗ୍ରେସ । ଆକଟିଭ୍ ହୋଇଯାଇଥିଲା କଂଗ୍ରେସର ଟ୍ବିଟର୍ ହ୍ୟାଣ୍ଡଲ୍ । ଟ୍ବିଟ୍ ଆସିଥିଲା ‘ଗାନ୍ଧି ଡରତା ନେହିଁ’ । ସେହିଭଳି ଜଣକ ପରେ ଜଣେ କଂଗ୍ରେସ ନେତା ଟ୍ବିଟ୍ କରି ସରକାରଙ୍କୁ ସମାଲୋଚନା କରିବା ସହ ରାହୁଲଙ୍କ ସାଥ୍ ଦେଇଥିଲେ ।
ସୁରତ୍ କୋର୍ଟ ରାୟ ଦେବା ପରେ ପରେ ସଂସଦରୁ ସଡ଼଼କ ଦେଖିବାକୁ ମିଳିଥିଲା କଂଗ୍ରେସ ଶୋ' । ସଂସଦ ବାହାରେ କଂଗ୍ରେସ ରାଷ୍ଚ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ବରେ ରାହୁଲ ଗାନ୍ଧିଙ୍କ ସପକ୍ଷରେ ବାହାରିଥିଲା କଂଗ୍ରେସ । ଦଳୀୟ ସାଂସଦ ରାହୁଲଙ୍କ ସପକ୍ଷରେ ମତ ରଖିବା ସହ ବିଜେପିକୁ କରିଥିଲେ ସମାଲୋଚନା । ଖଡ଼଼ଗେ କହିଥିଲେ, ଆମକୁ ଜଣାଥିଲା ଏଭଳି କିଛି ହେବ । ଏଥିପାଇଁ ବାରମ୍ବାର ଓକିଲ ବଦଳା ଯାଉଥିଲା । ହେଲେ ତଳ କୋର୍ଟ ଦେଇଥିବା ରାୟ ବିରୋଧରେ ଆମେ ହାଇକୋର୍ଟ ଯିବୁ । କଂଗ୍ରେସର କହିବା କଥା, ଯଦି ମୋଦି ନାମ ନେଇ କାହାକୁ ଜେଲ୍ ହେଉଛି ତେବେ ଦେଶର ଗଣତନ୍ତ୍ର ପ୍ରତି ବିପଦ ବଢି ବଢି ଚାଲିଛି, ଏଥିରେ କୌଣସି ସନ୍ଦେହ ନାହିଁ । କେବଳ କଂଗ୍ରେସ ନୁହେଁ ରାହୁଲଙ୍କ ସପକ୍ଷରେ ବାହାରିଛି ଆମ ଆଦମୀ ପାର୍ଟି । ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ୍ କହିଛନ୍ତି, ରାହୁଲଙ୍କ ପ୍ରତି ଅନ୍ୟାୟ ହୋଇଛି । କେବଳ ବିରୋଧୀଙ୍କୁ ହିଁ ଏଭଳି ଟାର୍ଗେଟ୍ କରାଯାଉଛି । ଏହା ଠିକ୍ ନୁହେଁ ।
କେବଳ କଂଗ୍ରେସର ବରିଷ୍ଠ ନେତା ନୁହଁନ୍ତି ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଥିଲେ କଂଗ୍ରେସ କର୍ମୀ । ଦିଲ୍ଲୀରୁ ରାଜସ୍ଥାନ, ଚେନ୍ନାଇରୁ ଡେରାଡୁନ୍ ସଡ଼କରେ ସଂଗ୍ରାମ ଆରମ୍ଭ କରିଥିଲେ କଂଗ୍ରେସ କର୍ମୀ । ରାହୁଲ ଗାନ୍ଧି ଜିନ୍ଦାବାଦ ନାରା ଦେବା ସହ ସତ୍ୟର ଜୟ ହେବ ବୋଲି କହିଥିଲେ କଂଗ୍ରେସ ନେତାଏ । ଅନେକ କଂଗ୍ରେସ ନେତା ଓ କର୍ମୀ ହାତରେ ପ୍ଲା କାର୍ଡ ଧରି ବିଜେପିକୁ ସମାଲୋଚନା କରିଥିଲେ ।
କୋର୍ଟଙ୍କ ରାୟ ପରେ ଫ୍ରଣ୍ଟଫୁଟକୁ ଆସିଥିଲା ବିଜେପି । ପ୍ରେସମିଟ୍ କରି ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଥିଲେ ଦଳର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ । କଣ ସତ୍ୟ ଓ ଅହିଂସା ଉପରେ ବିଶ୍ବାସ କରୁଥିବା ଲୋକେ, ଲୋକଙ୍କୁ ଅପମାନିତ କରନ୍ତି ! ଯଦି ରାହୁଲ ଗାନ୍ଧି ନିଜ ଜିଦରେ ଅଟଳି ରହି ଲୋକଙ୍କୁ ଏଭଳି ଅପମାନିତ କରନ୍ତି, ତେବେ ତାଙ୍କର ଗାଳି ପାଇଁ ପୀଡ଼ିତ ଲୋକଙ୍କୁ ମାନହାନି କେସ୍ କରିବାର ଅଧିକାର ରହିଛି । କଂଗ୍ରେସ କେବେ ବି ନ୍ୟାୟପାଳିକା ଉପରେ ଭରସା ରଖେନାହିଁ, ଯାହା ଆଜି ପୁଣି ଥରେ ଖଡ଼େଗଙ୍କ ବୟାନରୁ ପ୍ରମାଣିତ ହୋଇଛି । ପୂର୍ବରୁ ରାଫେଲ୍ ମାମଲାରେ ରାହୁଲ ଗାନ୍ଧି କୋର୍ଟଙ୍କ ରାୟ ଉପରେ ପ୍ରଶ୍ନ ଉଠାଇବା ସହ କ୍ଷମା ମାଗି ସାରିଛନ୍ତି । ଆଲୋଚନାକୁ ଆମେ ସମ୍ମାନ କରୁଛୁ, ହେଲେ ରାହୁଲ ଗାନ୍ଧି ଆଲୋଚନା ନୁହେଁ, ଦେଶକୁ ବଦନାମ କରୁଥିବା କହିଛନ୍ତି ରବିଶଙ୍କର ପ୍ରସାଦ । ସେହିଭଳି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ରାହୁଲ ଗାନ୍ଧି ନିଜ ବୟାନକୁ ନେଇ ସଚେତନ ହେବା ସହ ଶିକ୍ଷା ଲାଭ କରିବା ଉଚିତ୍ । କୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି ବିହାର ବିଜେପି ସାଂସଦ ସୁଶୀଲ୍ ମୋଦି ।
କୋର୍ଟଙ୍କ ରାୟ ପରେ ରାହୁଲ ଗାନ୍ଧିଙ୍କ ପାଖରେ କ'ଣ ରହିଛି ବିକଳ୍ପ ? କ'ଣ ରଦ୍ଦ ହୋଇଯିବ ରାହୁଲଙ୍କ ସଦସ୍ୟତା ? ନିର୍ବାଚନ ଲଢ଼ିପାରିବେ ତ ରାହୁଲ ଗାନ୍ଧି ? ସୁରତ ଅଦାଲତ ରାହୁଲଙ୍କୁ ଜେଲ୍ ପରେ ବେଲ୍ ଦେବା ସହ ୩୦ ଦିନର ସମୟ ଦେଇଛନ୍ତି । ଏହି ସମୟରେ ପ୍ରଥମେ ତଳ କୋର୍ଟ ଯିବେ ରାହୁଲ ଗାନ୍ଧି । ଯଦି ରାୟ ରାହୁଲଙ୍କ ବିପକ୍ଷରେ ଯାଏ ତେବେ ସେ ଏହାକୁ ଉପରେ କୋର୍ଟରେ ଚ୍ୟାଲେଞ୍ଜ କରିପାରିବେ । ଅର୍ଥାତ ହାଇକୋର୍ଟ ଯାଇପାରିବେ ରାହୁଲ ଗାନ୍ଧି । ଯଦି ହାଇକୋର୍ଟ ରାହୁଲଙ୍କ ବିରୋଧରେ ରାୟ ଦେବେ, ତେବେ ସେ ସୁପ୍ରିମକୋର୍ଟ ଯାଇପାରିବେ । ଯଦି ସର୍ବୋଚ୍ଚ କୋର୍ଟରୁ ରାହୁଲ ନିରାଶ ହୁଅନ୍ତି , ତେବେ ତାଙ୍କର ସଦସ୍ୟତା ରଦ୍ଦ ହେବାର ସମ୍ଭାବନା ରହିଛି । ଏପରିକି ୬ ବର୍ଷ ପାଇଁ ନିର୍ବାଚନ ଲଢି ପାରିବେନି ସେ ।
ଏହି ଖବର ପଢ଼ନ୍ତୁ -
ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା: ଜାତୀୟ ରାଜନୀତିକୁ ପ୍ରଭାବିତ କରିବାର ସମ୍ଭାବନା ?ଗୋଟିଏ ପରେ ଗୋଟିଏ ବୟାନ ଦେଇ ଅଡୁଆରେ ପଡୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ବ୍ରିଟେନ୍ ବୟାନ ପରେ ପରେ ଏବେ କର୍ଣ୍ଣାଟକରେ ଦେଇଥିବା ୪ ବର୍ଷତଳର ବୟାନ ସୃଷ୍ଟି କରିଛି ଆଉ ଏକ ଅଡୁଆ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।