ଗଞ୍ଜେଇ ବ୍ୟବହାର ଡିକ୍ରିମିନାଲାଇଜ୍ଡ ବା ଅପରାଧ ଶ୍ରେଣୀ ବହିର୍ଭୁକ୍ତ ହେବ ?

ଭାରତରେ ଏହାର ବ୍ୟବହାର କେତେ ଆବଶ୍ୟକ ? ଏ ଦୁଇଟି ପ୍ରଶ୍ନର ଉତ୍ତର ଭିତରେ ଲୁଚି ରହିଛି ଅନେକ ରହସ୍ୟ।

ଗଞ୍ଜେଇ ବ୍ୟବହାର ଡିକ୍ରିମିନାଲାଇଜ୍ଡ ବା ଅପରାଧ ଶ୍ରେଣୀ ବହିର୍ଭୁକ୍ତ ହେବ ?

ଗଞ୍ଜେଇ ବ୍ୟବହାର ଡିକ୍ରିମିନାଲାଇଜ୍ଡ ବା ଅପରାଧ ଶ୍ରେଣୀ ବହିର୍ଭୁକ୍ତ ହେବ ?

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଗଞ୍ଜେଇ ଚାଷ ଓ ବ୍ୟବହାରକୁ ଅପରାଧ ଶ୍ରେଣୀ ବହିର୍ଭୁକ୍ତ ବା ଡିକ୍ରିମିନାଲାଇଜ୍ଡ  (Decriminalized) କରିବା କେତେ ଜରୁରୀ ? ଭାରତରେ ଏହାର ବ୍ୟବହାର କେତେ ଆବଶ୍ୟକ ? ଏ ଦୁଇଟି ପ୍ରଶ୍ନର ଉତ୍ତର ଭିତରେ ଲୁଚି ରହିଛି ଅନେକ ରହସ୍ୟ। ବର୍ତ୍ତମାନ ଭାରତର ବିଭିନ୍ନ କୋର୍ଟରେ ଅନେକ ପିଟିସନ (Petition) ଦାଏର ହୋଇଛି। ଆମ ଦେଶରେ ଏହାକୁ ବୈଧ କରାଯାଉ କିମ୍ବା କେତେକ କ୍ଷେତ୍ରରେ ବ୍ୟବହାର (use) କରିବାକୁ ଅନୁମତି ପ୍ରଦାନ କରାଯାଉ।

‘ପଞ୍ଚ ରାଜ୍ୟାନୀ ବିରୁଦ୍ଧାଂ ସୋମଶ୍ରେଷ୍ଠାନୀ ବ୍ରୁମଃ
ଦର୍ଭେ ଭଙ୍ଗୋ ୟବଃ ସହସ୍ତେ ନୋ ମୁଞ୍ଚନ୍ତ୍ୱ ଅଂହସଃ'

ଅଥର୍ବ ବେଦରେ ଏହି ଶ୍ଲୋକ ଅଛି। ପତ୍ର, କାଣ୍ଡ, ଫୁଲ-ଫଳ ଏବଂ ମୂଳାତ୍ମକ ପାଞ୍ଚଟି ରାଜ୍ୟଯୁକ୍ତ ଔଷଧୀୟ ମଧ୍ୟରୁ ସୋମଲତା ସର୍ବଶ୍ରେଷ୍ଠ । ତନ୍ମଧ୍ୟରୁ ଭାଙ୍ଗ, ଧାନ, ଯଅ ଆଦି ଆମ କୁକର୍ମକୁ କାଟିବାରେ ସମର୍ଥ। କିଛି ବର୍ଷ ପୂର୍ବେ ଓଡ଼ିଶାରେ ଗଞ୍ଜେଇ (Cannabis) ଚାଷକୁ ଅନୁମତି ଦେବା ପାଇଁ ଏକ ପ୍ରସ୍ତାବ ଆସିଥିଲା। ଏହାକୁ ନେଇ ରାଜ୍ୟ ସରକାର (state govt) ଏକ ସ୍ୱତନ୍ତ୍ର ବୈଠକ ମଧ୍ୟ ଡାକିଥିଲେ। ଏଥିରେ ଗଞ୍ଜେଇ ଚାଷକୁ ଅନୁମତି ଦେବାକୁ ରାଜ୍ୟ ସରକାର ମନା କରି ଦେଇଥିଲେ । ଗଞ୍ଜେଇରେ ଭରପୂର ଔଷଧୀୟ ଗୁଣ ଥିବା ହେତୁ ଏହାକୁ ଅନୁମତି ଦେବାକୁ ଅନେକ ଶିଳ୍ପ ସଂସ୍ଥା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ରାଜ୍ୟ ସରକାର ସେହି ପ୍ରସ୍ତାବକୁ ଖାରଜ କରି ଦେଇଥିଲେ। ଏହି ପ୍ରସ୍ତାବକୁ ରାଜ୍ୟ ସରକାର ମନା କରି ଦେବା ପରେ ଏହା ସପକ୍ଷରେ ବାହାରିଥିଲେ ପୂର୍ବତନ ସାଂସଦ ତଥାଗତ ସତପଥୀ। ଏହା ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିହୀନତା ବୋଲି ସେ କହିବା ସହ ଏହାର ଔଷଧୀୟ ଗୁଣ ବିଷୟରେ କହିଥିଲେ ସେ । ତେବେ ଏହାକୁ ଔଷଧୀୟ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଅନୁମତି ଦେବା କେତେ ଜରୁରୀ ?

ଉତ୍ତରାଖଣ୍ଡ ସରକାର ଗଞ୍ଜେଇ ଚାଷକୁ ଅନୁମତି ଦେଇଛନ୍ତି। ଏହାପରେ ସେଠାରେ ଶିଳ୍ପଭିତ୍ତିକ ଉଦ୍ଦେଶ୍ୟରେ ଭରପୁର ଗଞ୍ଜେଇ ଚାଷ କରାଯାଉଛି। ଉତ୍ତର ପ୍ରଦେଶ ଓ ଗୁଜରାଟ ସରକାର ମଧ୍ୟ ଆଂଶିକ ଭାବେ ଏହି ଚାଷକୁ ଅନୁମତି ଦେଇଛନ୍ତି। ସେହିପରି ତେଲଙ୍ଗାନା ସରକାର ମଧ୍ୟ ଏହାକୁ ଅନୁମତି ଦେବାକୁ କେବେଠାରୁ ଚିନ୍ତା କରୁଛନ୍ତି।

ଗଞ୍ଜେଇର ଔଷଧୀୟ ଗୁଣ

ଗଞ୍ଜେଇର ଅନେକ ଔଷଧୀୟ ଗୁଣ ଅଛି । ଆୟୁର୍ବେଦ ଶାସ୍ତ୍ରରେ ଏ ବିଷୟରେ ଲେଖାଯିବା ସହ ଶୁଶ୍ରୁତ ସଂହିତାରେ ବି ଏ ବିଷୟରେ ଲେଖା ହୋଇଛି । ଡାଇରିଆ, କଫ, ଶ୍ଲେଷ୍ମା ଆଦି ରୋଗରୁ ଗଞ୍ଜେଇ ବା ଭାଙ୍ଗ ମୁକ୍ତି ଦେଇଥାଏ ବୋଲି ଶୁଶ୍ରୁତ ସଂହିତାରେ ଉଲ୍ଲେଖ ଅଛି। ସେହିପରି କର୍କଟ (cancer), କୁଷ୍ଠ ଆଦି ରୋଗ ମଧ୍ୟ ଗଞ୍ଜେଇ ଦ୍ୱାରା ଭଲ ହୋଇଥାଏ ବୋଲି ବିଶେଷଜ୍ଞମାନେ କୁହନ୍ତି। ସେହିପରି ଦୁନିଆର ପ୍ରଥମ କପଡ଼ା ଓ ପ୍ରଥମ କାଗଜ ଗଞ୍ଜେଇ ଗଛରୁ ହିଁ ପ୍ରସ୍ତୁତ ହୋଇଥିଲା ବୋଲି କେତେକ ବିଶେଷଜ୍ଞ କୁହନ୍ତି। ଜାନୁଆରୀ ୨୦୧୯ରେ ପୋର୍ସ କମ୍ପାନୀ (company) ନିଜର ଏକ ମଡେଲକୁ ଗଞ୍ଜେଇ (ହେମ୍ପ୍)ରେ ପ୍ରସ୍ତୁତ କରି ବଜାରକୁ ଛାଡ଼ିଥିଲା । ସେହିପରି ୧୯୪୧ ମସିହାରେ ଫୋର୍ଡ କମ୍ପାନୀ ମଧ୍ୟ ଗଞ୍ଜେଇ ଗଛରୁ ଏକ ଗାଡ଼ି ନିର୍ମାଣ କରିଥିଲା। ସେହିପରି ଗଞ୍ଜେଇରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ। ଘରକରଣା ଜିନିଷଠୁ ଆରମ୍ଭ କରି ପୋଷାକ, ବାୟୋ ଫୁଏଲ୍, ବାୟୋ ଡିଗ୍ରେଡେବୁଲ୍ ପ୍ଲାଷ୍ଟିକ୍ ଆଦି ପ୍ରସ୍ତୁତ ହୋଇଥାଏ।

କେଉଁ କେଉଁ ଦେଶରେ ଗଞ୍ଜେଇ ବୈଧ ?

ବିଶ୍ବର ପ୍ରଥମ ଦେଶ ଭାବେ ଉରୁଗୁଏ ୨୦୧୩ ମସିହାରେ ଗଞ୍ଜେଇକୁ ଲିଗାଲାଇଜ୍ ବା ବୈଧ କରିଥିଲା । ଉରୁଗୁଏ ଆଇ ଅନୁସାରେ, ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କାନାବିସ୍ କ୍ଲବ୍‌ରୁ କିମ୍ବା ଦୋକାନରୁ ଗଞ୍ଜେଇ କିଣି ପାରିବେ। ମାସକୁ ଜଣେ ବ୍ୟକ୍ତି ୪୦ ଗ୍ରାମର ଗଞ୍ଜେଇ କିଣିପାରିବ। ଔଷଧିୟ ଗୁଣ ପାଇଁ ଏହାକୁ ଏହି ଦେଶରେ ବୈଧ କରାଯାଇଛି। ସେହିପରି ଦକ୍ଷିଣ ଆଫ୍ରିକାରେ କୈଶରମାନଙ୍କୁ ଗଞ୍ଜେଇ କିଣିବା, ଚାଷ କରିବା ଏବଂ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରାଯାଇଛି। କିନ୍ତୁ ସର୍ବସାଧାରଣରେ ଏହାର ବିକ୍ରି କିମ୍ବା ବ୍ୟବହାର ଏବେ ବି ସେଠାରେ ବେଆଇନ ଭାବେ ପରିଗଣିତ ହେଉଛି। ଆମେରିକାର ୱାସିଂଟନ, କୋଲୋରାଡୋ, ଆଲାସ୍କା, ଓରିଗାଓଁ, କାଲିଫର୍ଣ୍ଣିଆ, ମସ୍ସାଚୁସେଟ୍‌, ମିଚିଗାନ, ନେଭାଡା, ଭରମଟ୍, ଗୁଆମ୍, ଇଲିନୋଇସ୍, ଆରିଜୋନା, ମୋଣ୍ଟାନା, ନ୍ୟୁଜର୍ସି, ନ୍ୟୁୟର୍କ, ଭର୍ଜିନିୟା, ନ୍ୟୁ ମେକ୍ସିକୋ, କନେକ୍‌ଟିକଟ୍ ଓ ହୋଡେ ଆଇସଲାଣ୍ଡରେ ଗଞ୍ଜେଇକୁ ବୈଧ କରାଯାଇଛି। ଔଧଷୀୟ ପାଇଁ ବ୍ୟବହାର କରିବାକୁ ଏହିସବୁ ରାଜ୍ୟଗୁଡ଼ିକରେ ଗଞ୍ଜେଇକୁ ଲିଗାଲାଇଡଜ୍‌ଡ କରାଯାଇଛି।

କେଉଁ କେଉଁ ଦେଶରେ ଗଞ୍ଜେଇ ଡିକ୍ରିମିନାଲାଇଜ୍‌ଡ୍‌ ?

ଅନେକ ଦେଶରେ ଗଞ୍ଜେଇକୁ ବୈଧ କରାଯାଇ ନ ଥିଲେ ବି ଡିକ୍ରିମିନାଲାଇଜ୍ଡ୍ କରାଯାଇଛି। ନେଦରଲ୍ୟାଣ୍ଡ୍‌ସ, କଲୋମ୍ବିୟା, ଇକ୍ୟୁଏଡର, ପେରୁ, ବ୍ରାଜିଲ, ବୋଲିଭିୟା, ଚିଲି, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଇଟାଲୀ, ପର୍ତ୍ତୃଗାଲ, ସ୍ବିଜରଲ୍ୟାଣ୍ଡ, ଚେକ୍ ରିପବ୍ଲିକ, ବେଲଜିୟମ୍, ଏଷ୍ଟୋନିୟା ଏବଂ ମୋଲଡୋଭାରେ ଗଞ୍ଜେଇକୁ ଡିକ୍ରିମିନାଲାଇଜ୍‌ଡ୍‌ କରାଯାଇଛି। ପ୍ରଥମ ଏସିଆ ଦେଶ ଭାବେ ଥାଇଲାଣ୍ଡ ଏହାକୁ ଡିକ୍ରିମିନାଲାଇଜ୍‌ଡ କରିଛି ସତ କିନ୍ତୁ ଭ୍ରମଣ କଲାବେଳେ ଏହାକୁ ବ୍ୟବହାର କରାଯାଇ ପାରିବନି।

ଲିଗାଲ ଓ ଡିକ୍ରିମିନାଲାଇଜ୍‌ ମଧ୍ୟରେ ପାର୍ଥକ୍ୟ କ’ଣ ?

ଡିକ୍ରିମିନାଲାଇଜେସନ ହେଲେ, ଗଞ୍ଜେଇ ବ୍ୟବହାରରେ କୌଣସି ଆପରାଧିକ ମାମଲା ଲାଗିବ ନାହିଁ। କେତେକ ଦେଶରେ ଏହାର ବ୍ୟବହାର ଅପରାଧ ଶ୍ରେଣୀରେ ତାଲିକାଭୁକ୍ତ ନୁହେଁ। କିନ୍ତୁ ସେଠାରେ ଏହାକୁ ବୈଧ କରାଯାଇ ନାହିଁ। ଅର୍ଥାତ୍ ଏହାର ବ୍ୟବହାର କଲେ, ଆପଣଙ୍କୁ ଜେଲ୍ ଯିବାକୁ ପଡ଼ିବ ନାହିଁ। କେବଳ ଆପଣଙ୍କୁ ଜରିମାନା (fine) ଦେବାକୁ ପଡ଼ିବ। ସେହିପରେ ଯେଉଁ ଦେଶଗୁଡ଼ିକରେ ଏହାକୁ ବୈଧ କିମ୍ବା ଡିକ୍ରିମିନାଲାଇଜ୍ଡ୍‌ କରାଯାଇଛି, ସେହି ଦେଶଗୁଡ଼ିକରେ କେବଳ ସରକାରୀ ଅନୁମତିପ୍ରାପ୍ତ ଦୋକାନରେ ହିଁ ଏହା ଉପଲବ୍ଧ ରହିଥାଏ।

ଭାରତରେ କ’ଣ ରହିଛି ଆଇନ ?

ନାର୍କୋଟିକ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବ୍‌ଷ୍ଟାନ୍‌ସେସ୍‌ (NDPS) ଆକ୍ଟ ଅଧୀନରେ ଭାରତରେ ଗଞ୍ଜେଇ ବେଆଇନ। ଏହାର ବ୍ୟବହାରକୁ ଅପ୍ରାସଙ୍ଗିକ କୁହାଯିବା ସହ ପରିମାଣ ଅନୁସାରେ ଦଣ୍ଡବିଧାନ ରହିଛି। ଏହାସତ୍ତ୍ବେ ଗଞ୍ଜେଇ ଟାଣିବାକୁ ନେଇ ଭାରତର କେତେକ ରାଜ୍ୟ ନିଜ ନିଜର ଆଇନ ବ୍ୟବସ୍ଥା କରିଛନ୍ତି । ଉଦାହରଣସ୍ବରୁପ ବାରାଣସୀ, ଜୟପୁର ଓ ଓଡ଼ିଶାରେ ଗଞ୍ଜେଇ କିଣିବା ପାଇଁ ସରକାରୀ ସ୍ବୀକୃତିପ୍ରାପ୍ତ ଦୋକାନ ରହିଛି। NDPS ଆକ୍ଟ ଅନୁସାରେ ଭାରତରେ ଗଞ୍ଜେଇ ବ୍ୟବହାର ଓ ଉତ୍ପାଦନ ସମ୍ପୂର୍ଣ୍ଣ ଭାବେ ବେଆଇନ। କିନ୍ତୁ ଫୁଲ ବ୍ୟତୀତ ପତ୍ର ଓ ମଞ୍ଜିକୁ ନେଇ କେତେକ ରାଜ୍ୟର ନିଜସ୍ବ ଆଇନ ଅଛି।

ଗଞ୍ଜେଇର ଇତିହାସ

ଭାରତରେ ୧୯୬୫ ମସିହା ପର୍ଯ୍ୟନ୍ତ ଏହାକୁ ନେଇ ନାନା ମତ ପ୍ରକାଶ ପାଉଥିଲା । ଗରିବ ଲୋକମାନେ ଏହି ଚାଷ କରି ଧନୀ ହୋଇଯିବେ ବୋଲି ଦେଶରେ ତର୍କ ବିତର୍କ ହେଉଥିଲା । ସେହି ସମୟରେ ଗଞ୍ଜେଇକୁ ନେଇ ଆମେରିକା ଏବଂ ଜର୍ମାନୀ ଭଳି ରାଷ୍ଟ୍ର ଗୁଡ଼ିକରେ ବିପ୍ଳବ ଆରମ୍ଭ ହୋଇଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଲୋକମାନଙ୍କୁ ଗଞ୍ଜେଇ ଚାଷ କରିବାକୁ ବାଧ୍ୟ କରୁଥିଲା । ଏଥିରୁ କପଡ଼ା, ଔଷଧ ଆଦି ପ୍ରସ୍ତୁତ ହେଉଥିବା ହେତୁ ଏହାକୁ ଚାଷ କରିବାକୁ ଆମେରିକା ଲୋକମାନଙ୍କୁ ଅନୁମତି ପ୍ରଦାନ କରିଥିଲା।
ସେହିପରି ଏହାକୁ ଅନୁମତି ମିଳିଲେ ରାଜ୍ୟର ତଥା ଦେଶର ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ହେବ । ସମ୍ପୂର୍ଣ୍ଣ ଭାବେ ଏହାକୁ ଅନୁମତି ପ୍ରଦାନ ନ କଲେ ମଧ୍ୟ ଔଷଧୀୟ ଗୁଣ ଦୃଷ୍ଟିରୁ ଏହାକୁ ଅନୁମତି ପ୍ରଦାନ କରାଯିବା ନିହାତି ଜରୁରୀ । ଆବ୍ରାହମ୍ ଲିଙ୍କନ, ଟେରେନ୍ସ ମେକିନା, ଆଇନଷ୍ଟାଇନ, କାଲ୍ ସାଗିନ୍ ଆଷ୍ଟ୍ରୋ ଫିଜିସିଷ୍ଟ୍ ପ୍ରମୁଖ ଗଞ୍ଜେଇକୁ ଅନୁମତି ଦେବା ସପକ୍ଷରେ ଥିଲେ। ଏହାକୁ ଇଣ୍ଡଷ୍ଟ୍ରିଆଲ୍ ଟେକ୍ସଟାଇଲ୍ସ, ପେପର ଶିଳ୍ପ, ବିଲ୍ଡିଂ ମ୍ୟାଟେରିଆଲ୍, ଶିଳ୍ପ ଉତ୍ପାଦ, କଞ୍ଜୁମର୍ ଟେକ୍ସଟାଇଲ୍ସ, ଏଗ୍ରିକଲଚରାଲ୍ ବେନିଫିଟ୍ ଆଦିରେ ବ୍ୟବହାର କରାଯାଇଥାଏ। ନେପାଳ ମଧ୍ୟ ଏହା ସପକ୍ଷରେ ଅଛି। ସେଠାରେ ତ ଗଞ୍ଜେଇକୁ ନେଇ ମନ୍ତ୍ରାଳୟ ମଧ୍ୟ ଅଛି।

ଖ୍ରୀଷ୍ଟପୂର୍ବ ୬୦୦୦ରୁ ଖ୍ରୀଷ୍ଟପୂର୍ବ୧୦୦ ମଧ୍ୟରେ ଚାଇନାରେ ଗଞ୍ଜେଇକୁ ବିଭିନ୍ନ ସାମଗ୍ରୀର ମୂଳ ଉତ୍ପାଦ ଭାବେ ବ୍ୟବହାର କରାଯାଉଥିଲା । ଏଥିରୁ ବସ୍ତ୍ର, ଖାଦ୍ୟ, ଔଷଧ, ଫାଇବର ଆଦି ପ୍ରସ୍ତୁତ ହେଉଥିଲା। ଖ୍ରୀଷ୍ଟପୂର୍ବ ୨୭୨୭ରେ ଚୀନ ଶାସକ ସେନ୍ ନୁଙ୍ଗ୍ ପ୍ରଥମେ ଏହାକୁ ଚାଇନାରେ ବ୍ୟବହାର କରିଥିବା ଇତିହାସ କୁହେ । ସେହିପରି ଗ୍ରୀକ୍ ଓ ରୋମ୍‌ରେ ମଧ୍ୟ ଗଞ୍ଜେଇକୁ ବ୍ୟବହାର କରାଯାଉଥିଲା। ୟୁନାନ, ଚୀନ, ମିଶର ଆଦି ପ୍ରାଚୀନ ସଭ୍ୟତା ଏବଂ ଇହୁଦୀ, ତାଓ, ବୌଦ୍ଧ, ଶିଖ ଓ ଇସଲାମ ଭଳି ଧର୍ମରେ ମଧ୍ୟ ଗଞ୍ଜେଇର ବିଶେଷ ମହତ୍ୱ ରହିଛି। ଏହି ସବୁ ଧର୍ମରେ ଗଞ୍ଜେଇକୁ ଔଷଧୀୟ ଗୁଣବତ୍ତା ବିଶିଷ୍ଟ ପଦାର୍ଥ ଭାବେ ବ୍ୟବହାର କରାଯାଇଥାଏ । ଏସବୁ ପରେ ବି ଗଞ୍ଜେଇ ବା ଭାଙ୍ଗକୁ ନେଇ ସର୍ବପୁରାତନ ଆଲେଖ୍ୟ ଭାରତରେ ହିଁ ମିଳିଥାଏ। ସନାତନ ଧର୍ମରେ ଗଞ୍ଜେଇକୁ ବିଶେଷ ଧ୍ୟାନ ଦିଆଯାଉଥିଲା ।

ଭାରତୀୟ ରାଜନୀତିରେ ଗଞ୍ଜେଇ

ବହୁ ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ସଂସଦରେ ଆଲୋଚନା ହୋଇଥିଲା। ମାନେକା ଗାନ୍ଧି ଏହାକୁ ଔଷଧୀୟ ଗୁଣ ଭାବେ ବ୍ୟବହାର କରିବାକୁ ଅନୁମତି ଦେବାକୁ ଏକ ପ୍ରସ୍ତାବ ଦେଇଥିଲେ। ସେହିପରି ପୂର୍ବତନ ସାଂସଦ ତଥାଗତ ସତପଥୀ ମଧ୍ୟ ଏହି ପ୍ରସଙ୍ଗରେ ସଂସଦରେ ପ୍ରସ୍ତାବ ଦେଇଥିଲେ। ଏହାକୁ ଔଷଧୀୟ ଗୁଣ ଭାବେ ବ୍ୟବହାର ନ କରି ପ୍ରତିଦିନ ଗ୍ରହଣ କଲେ ସ୍ୱାସ୍ଥ୍ୟ ଖରାପ ହେବା ସ୍ୱାଭାବିକ।

ଗଞ୍ଜେଇ ସେବନ ଯୋଗୁ ଉଚ୍ଚ ରକ୍ତଚାପ!

ପ୍ରତିବର୍ଷ ଗଞ୍ଜେଇ ସେବନଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ କେତେକାଂଶରେ ଘଟିଥାଏ। ଅତ୍ୟଧିକ ଗଞ୍ଜେଇ ସେବନ ଯୋଗୁ ଉଚ୍ଚ ରକ୍ତଚାପର ଆଶଙ୍କା ରହିଥାଏ। ୨୦୧୧ ମସିହାରେ ନ୍ୟାସନାଲ ସେଣ୍ଟର ଫର୍ ହେଲଥ ଷ୍ଟାଟିସଟିକ୍ସ ତରଫରୁ ୧,୨୧୩ ଜଣଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ସେମାନଙ୍କ ଭିତରୁ ୩୪ ପ୍ରତିଶତ ଗଞ୍ଜେଇ କିମ୍ବା ସିଗାରେଟ ସେବନ କରୁ ନ ଥିଲେ। ୨୧ ପ୍ରତିଶତ କେବଳ ଗଞ୍ଜେଇ ସେବନ କରୁଥିଲେ। ୨୦ ପ୍ରତିଶତ ଉଭୟ ଗଞ୍ଜେଇ ଓ ସିଗାରେଟ ସେବନ କରୁଥିଲେ। ୧୬ ପ୍ରତିଶତ ପୂର୍ବରୁ ଗଞ୍ଜେଇ ସେବନ କରୁଥିଲେ। ୫ପ୍ରତିଶତ ପୂର୍ବରୁ ଧୂମ୍ରପାନ କରୁଥିଲେ। ଆଉ ୪ ପ୍ରତିଶତ କେବଳ ସିଗାରେଟ୍ ସେବନ କରୁଥିଲେ। ତନ୍ମଧ୍ୟରୁ ଗଞ୍ଜେଇ ସେବନର ହାରାହାରି ଅବଧି ଥିଲା ସାଢ଼େ ୧୧ବର୍ଷ।

ଭାରତରେ ଗଞ୍ଜେଇକୁ ବୈଧ ନ କଲେ ବି ଅନ୍ତତଃ ଡିକ୍ରିମିନାଲାଇଜ୍‌ ବା ‘ଅପରାଧ ନୁହେଁ’ ଶ୍ରେଣୀଭୁକ୍ତ କରିବାକୁ ଅନେକ ସଂଗଠନ ଓ ବଡ଼ବଡ଼ ବିଶେଷଜ୍ଞ ଦାବି କରୁଛନ୍ତି। ଏହାର ଔଷଧୀୟ ଗୁଣ ନେଇ ଏ ଦିଗରେ ଅନେକ ଗବେଷଣା ମଧ୍ୟ ଜାରି ରହିଛି। ଏ କ୍ଷେତ୍ରରେ ଭାରତ ସରକାର କ’ଣ ପଦକ୍ଷେପ ନେଉଛନ୍ତି, ତାହାକୁ ଅପେକ୍ଷା।

ରିପୋର୍ଟ- ଚାରୁ ଚନ୍ଦନ ଦାଶ
Published by:Soubhagya Mishra
First published: