News 18 Odia Digital
ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ନବ କିଶୋର ଦାସଙ୍କ (Naba kishor das) ହତ୍ୟା ଘଟଣାକୁ ୭ ଦିନ ବିତିଗଲାଣି କିନ୍ତୁ ହତ୍ୟାକାଣ୍ଡ (Murder case) ଉପରୁ ଏପର୍ଯ୍ୟନ୍ତ ଉଠିପାରୁନି ପରଦା । ଅଭିଯୁକ୍ତ ଗୋପାଳ ଦାସ କାହିଁକି ନବ ଦାସଙ୍କୁ ଗୁଳି କଲା ସେ ପ୍ରଶ୍ନ ଏବେ ବି ପ୍ରଶ୍ନବାଚୀ ହୋଇ ରହିଛି । ଏହା ମଧ୍ୟରେ ଆଉ ଏକ ସୂଚନା ସାମ୍ନାକୁ ଆସିଛି । କୁହାଯାଉଛି ଗୋପାଳ ବ୍ୟବହାର କରୁଥିବା ଗାଡିରୁ ଜବତ ହୋଇଛି କିଛି କାଗଜପତ୍ର ଓ ଡାଏରୀରେ ଥାଇପାରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।
ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳ ବ୍ୟବହାର କରୁଥିବା ଗାଡି ପାଖାପାଖି ୧୦ବର୍ଷରୁ ଉର୍ଦ୍ଧ ବୋଲି ସୂଚନା ମିଳିଛି । ତେବେ ଉକ୍ତ ଗାଡିରୁ କ୍ରାଇମବ୍ରାଞ୍ଚ ଯେଉଁ କାଗଜପତ୍ର ଜବତ କରିଛି ତାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା । ସେ ଡାଏରୀ ଏବଂ କାଗଜପତ୍ରରେ କଣ ଲେଖାହୋଇଛି ତାହା ସାମ୍ନାକୁ ଆସିନାହିଁ । କିନ୍ତୁ କୁହାଯାଉଛି ହୁଏ ତ ଗୋପାଳ କିଛି ଗୁରୁତ୍ୱପୂର୍ଣ୍ଣ କଥାକୁ ସେ ଡାଏରୀରେ ଲେଖିଥାଇପାରେ । ହତ୍ୟା ଷଡଯନ୍ତ୍ର ରହସ୍ୟ ତଥା ବ୍ଲୁ ପ୍ରିଣ୍ଟ ରହିଛି କି ସେ ଡାଏରୀରେ ? ଏ ପ୍ରଶ୍ନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅଭିଯୁକ୍ତ ତଥା ପୂର୍ବତନ ପୋଲିସ ଏଏସଆଇ ଗୋପାଳ ଦାସଙ୍କ ପରିବାରକୁ କ୍ରାଇମବ୍ରାଞ୍ଚ ଲଗାତାର ଭାବରେ ପଚରାଉଚରା କରୁଛି । ବିଭିନ୍ନ ତଥ୍ୟ ମଧ୍ୟ ସଂଗ୍ରହ କରାଯାଇଛି ଗୋପାଳଙ୍କ ପରିବାର ସଦସ୍ୟଙ୍କଠାରୁ । ଗୋପାଳଙ୍କ ଭାଇ, ପୁତୁରା, ଓ ପତ୍ନୀଙ୍କୁ କ୍ରାଇମବ୍ରାଞ୍ଚ ଲଗାତାର ଭାବରେ ପଚରାଉଚରା କରୁଛି । ଏଥିସହ ଘରର ସଦସ୍ୟ ଯେଉଁ ବସରେ ଗୋପାଳଙ୍କୁ ମେଡିସିନ ପଠାଉଥିଲେ ସେ ବସର କର୍ମଚାରୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି ବୋଲି ସୂଚନା ରହିଛି ।
ହତ୍ୟା ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ ତାହା ଷଡଯନ୍ତ୍ର, ପୂର୍ବ ଶତୃତା , ବ୍ୟବସାୟିକ ନା ରାଜନୈତିକ ଶତୃତା ତାହା ଏପର୍ଯ୍ୟନ୍ତ ସାମ୍ନାକୁ ଆସିପାରିନାହିଁ । ଏବେ ବି କ୍ରାଇମବ୍ରାଞ୍ଚ ଘଟଣାର ଛାନଭିନ କରୁଛି । ଗୋପାଳଙ୍କ ପଡୋଶୀଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଥିବାବେଳେ ଗୋପାଳ ଜଣେ ଶାନ୍ତ ପିଲା ବୋଲି ପ୍ରତିକ୍ରିୟା ଆସିଛି । ତେବେ ଯଦି ଗୋପାଳ ଶାନ୍ତ ପିଲା ତେବେ କାହିଁକି ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୁଳିକଲା ସେ ପ୍ରଶ୍ନ ଏବେ କ୍ରାଇବବ୍ରାଞ୍ଚ ପାଇଁ ଅଡୁଆ ସୁତାର ଖିଅ ହୋଇଛି ।
ଘଟଣାକୁ ନେଇ ରାଜନୈତିକ ଯୁଦ୍ଧ ମଧ୍ୟ ଲାଗି ରହିଛି । ରାଜ୍ୟର ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପିର ନେତା ଓ ମୁଖପାତ୍ରମାନେ ଘଟଣାର ଏସଆଇଟି କିମ୍ୱା ସିବିଆଇ ତଦନ୍ତ ଦାବି କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷୁଥିବା ଦେଖିବାକୁ ମିଳିଛି । ଶାସକ ଦଳର ନେତା ଓ ମୁଖ୍ୟପାତ୍ର ମଧ୍ୟ ବିରୋଧୀଙ୍କ ପ୍ରଶ୍ନର ସମସ୍ତ ଉତ୍ତର ରଖୁଛନ୍ତି । ଘଟଣାର ତଦନ୍ତର କୌଣସି ସ୍ପଷ୍ଟତା ଆସିନଥିବାବେଳେ ଆସନ୍ତା ବିଧାନସଭା ଅଧିବେସନରେ ଏନେଇ ଅଧିକ ବିରୋଧି ସ୍ୱର ଉଠାଇବେ ବୋଲି ଚର୍ଚ୍ଚା ହେଉଛି ।
ଏହି ଖବର ପଢ଼ନ୍ତୁ -
http://'ଡେଲିଭରୀ ବୟ' ଟ୍ରେଲର ରିଲିଜ୍; ମାର୍ଚ୍ଚରେ ପରଦାକୁ ଆସିବ ସିନେମା !Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।