ହାତୀ ନରସିଂହା ମରିଗଲା ନା ତାକୁ ମାରିଦିଆଗଲା? ବନ ବିଭାଗକୁ ଦାୟୀ କରିଛନ୍ତି ବିଶେଷଜ୍ଞମାନେ

ଗୋଡରେ ଘା’ ହେବା ଯୋଗୁଁ ସଂକ୍ରମଣ ସହିତ ସେଫ୍ଟିସେମିଆ ହାତୀର ମୃତ୍ୟୁର କାରଣ ବୋଲି ବନ ବିଭାଗ କହିଛି । ହେଲେ ନଅ ଜଣ ମାହୁନ୍ତ, ଫରେଷ୍ଟର ଓ ରେଞ୍ଜରଙ୍କ ଯତ୍ନ ସତ୍ତ୍ୱେ ସୁସ୍ଥ ହାତୀଟିର ଅକାଳ ମୃତ୍ୟୁ ବନ ବିଭାଗର ଅପାରଗତାକୁ ପଦାରେ ପକେଇ ଦେଇଛି ।

ହାତୀ ନରସିଂହା ମରିଗଲା ନା ତାକୁ ମାରିଦିଆଗଲା? ବନ ବିଭାଗକୁ ଦାୟୀ କରିଛନ୍ତି ବିଶେଷଜ୍ଞମାନେ
ଚ଼ନ୍ଦକାରେ ଶିକୁଳିରେ ବନ୍ଧା ହୋଇ ରହିଥିଲା ଦନ୍ତା ହାତୀ ନରସିଂହା ।
  • News18 Odia
  • Last Updated: March 12, 2020, 3:04 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଯାଜପୁରର ସୁସ୍ଥ ଦନ୍ତା ହାତୀ ନରସିଂହା ଚନ୍ଦକା ଅଭୟାରଣ୍ୟର କୁମାରଖୁଣ୍ଟିକୁ ଆସି ବନ ବିଭାଗର ଅଧିକାରୀ ଓ କର୍ମଚ଼ାରୀଙ୍କ ହେଫାଜତରେ ୪୦ ଦିନ ରହି ମରିଯିବାର ୨୪ ଘଣ୍ଟା ପରେ ମୃତ୍ୟୁର କାରଣ ବିଷୟରେ ମୁହଁ ଖୋଲିଛି ବନ ବିଭାଗ । ଏହି ହାତୀର ମୃତ୍ୟୁ ପାଇଁ ବନ ବିଭାଗ ଦାୟୀ ନୁହେଁ ବୋଲି ଖୋଦ୍‌ ପି.ସି.ସି.ଏଫ୍‌. ଦୃଢ଼ୋକ୍ତି କରିଥିବା ବେଳେ ଏହା ଉପରେ ଅସହମତିର ତୀବ୍ର ସ୍ୱର ଉଠେଇ ପରିବେଶବିଦ୍‌ ଓ ବନ୍ୟ ପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି ଯେ ବନ ବିଭାଗ ସତ ଲୁଚାଇବାକୁ ଚେଷ୍ଟା କରୁଛି ।

ମାର୍ଚ୍ଚ ୯ ତାରିଖ ସକାଳେ ନରସିଂହା ମରିଯିବା ପରେ ସନ୍ଧ୍ୟା ସୁଦ୍ଧା ଓ.ୟୁ.ଏ.ଟି. ଓ ନନ୍ଦନ କାନନନର ପ୍ରାଣୀ ବିଶେଷଜ୍ଞମାନେ ହାତୀର ପୋଷ୍ଟମର୍ଟମ କରିଥିଲେ । ଗୋଡରେ ଘା’ ହେବା ଯୋଗୁଁ ସଂକ୍ରମଣ ସହିତ ସେଫ୍ଟିସେମିଆ ହିଁ ତା’ ମୃତ୍ୟୁର କାରଣ ବୋଲି ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟ କହୁଛି । ହେଲେ ନଅ ଜଣ ମାହୁନ୍ତ, ଫରେଷ୍ଟର ଓ ରେଞ୍ଜରଙ୍କ ନଜର ଓ ନିଘା ସତ୍ତ୍ୱେ ସୁସ୍ଥ ଭାବେ ଚନ୍ଦକା ଆସିଥିବା  ହାତୀଟିର ଅକାଳ ମୃତ୍ୟୁ ତା’ର ଦେଖାରେଖା କରିବାରେ ବନ ବିଭାଗର ଅପାରଗତାକୁ ପଦାରେ ପକେଇ ଦେଇଛି ।

‘‘ଆମେ ହାତୀଟିକୁ ବଞ୍ଚାଇବାକୁ ସବୁ ଚେଷ୍ଟା କରିଥିଲୁ । ସବୁ କର୍ମଚାରୀ ତା’ ଉପରେ ନଜର ବି ରଖିଥିଲୁ । କିନ୍ତୁ ହାତୀ ସହଯୋଗ କଲା ନାହିଁ,’’ ସଫେଇ ଦେଇ କହିଥିଲେ ଚନ୍ଦକା ଡିଏଫଓ କେଦାର ସ୍ବାଇଁ । ତା’ ପରେ ପି.ସି.ସି.ଏଫ. ହରିଶଙ୍କର ଉପାଧ୍ୟାୟ କହିଥିଲେ: ‘‘ସେଫ୍ଟିସେମିଆ ହେବା ପରେ ହାତୀଟିର ମଲ୍ଟି ଅର୍ଗାନ ଫେଲୁଅର୍‌ ହେଲା । ହାତୀ ଠିକଠାକ ଥିଲା, ଖାଉଥିଲା, ପାଣି ପିଉଥିଲା, ଶୋଉଥିଲା, କିନ୍ତୁ ହଠାତ ମରିଗଲା । ତା’ର ମରିଯିବା ପାଇଁ ବନ ବିଭାଗ ଦାୟୀ ନୁହେଁ ।’’

‘‘ହାତୀ ସହଯୋଗ କଲା ନାହିଁ,’’ କହିଥିଲେ ଚନ୍ଦକା ଡିଏଫଓ କେଦାର ସ୍ବାଇଁ ।


ନିଜ ବିଭାଗର ଦୋଷୀ ଅଧିକାରୀମାନଙ୍କୁ ବଞ୍ଚାଇବାକୁ ଯାଇ ସେ ଏଭଳି କହିଛନ୍ତି ବୋଲି ଦାବି କରିଛନ୍ତି ଜାତୀୟ ବନ୍ୟପ୍ରାଣୀ ନିୟୋଗର ପୂର୍ବତନ ସଦସ୍ୟ ବିଶ୍ବଜିତ୍ ମହାନ୍ତି । ‘‘ନରସିଂହାର ମୃତ୍ୟୁ ପାଇଁ ପୂରା ବନ ବିଭାଗ ହିଁ ଶତପ୍ରତିଶତ ଦାୟୀ । ସାଧାରଣ କିମ୍ବା ସ୍ବାଭାବିକ ହାତୀ ନ ଥିଲା ନରସିଂହା । ଯାଜପୁର ଜିଲ୍ଲାରେ ଚ଼ାରି ଜଣ ଲୋକଙ୍କ ପ୍ରାଣ ନେବା ପରେ ସେ ଅତ୍ୟନ୍ତ ଉଗ୍ର ହୋଇ ଉଠିଥିଲା । ତେଣୁ ସେଭଳି ହାତୀର ସର୍ବାଧିକ ଯତ୍ନ ନିଆଯିବା କଥା । ନରସିଂହାକୁ ଚନ୍ଦକା ଅଭୟାରଣ୍ୟରେ ଚେନ୍‌ରେ ବାନ୍ଧି ରଖିବା ପରିବର୍ତ୍ତେ ଘଞ୍ଚ ଜଙ୍ଗଲରେ ଛାଡ଼ି ଦେବା ପାଇଁ ଦୁଇ ଦୁଇ ଥର ବନ ବିଭାଗକୁ ଲିଖିତ ଭାବେ ଅନୁରୋଧ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଶୁଣି ନ ଥିଲେ ।’’

ଜାତୀୟ ବନ୍ୟପ୍ରାଣୀ ନିୟୋଗର ପୂର୍ବତନ ସଦସ୍ୟ ବିଶ୍ବଜିତ୍ ମହାନ୍ତି


‘‘ମାତ୍ରାଧିକ ଟ୍ରାଙ୍କୁଲାଇଜର୍‌ ବ୍ୟବହାର ହୋଇଥିବାରୁ ହାତୀର ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକରେ ହାନି ପହଞ୍ଚିଥିଲା । ତା’ ଗୋଡରେ ଲୁହା ଶିକୁଳି ବନ୍ଧାଯାଇଥିବା ଯୋଗୁଁ ଘା’ ହୋଇ ସଂକ୍ରମିତ ହୋଇଥିଲା । ଫଳରେ ହାତୀ ଧୀରେ ଧୀରେ ଦୁର୍ବଳ ହୋଇ ଶେଷରେ ଆଖି ବୁଜିଥିଲା । ତା’ର ଯତ୍ନ ନେବାରେ ନିଶ୍ଚିତ କମି ରହିଗଲା,’’ କହିଛନ୍ତି ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀ ।

ନରସିଂହାର ମୃତ ଦେହକୁ ପୋଷ୍ଟମର୍ଟମ କରିଥିବା ଜଣେ ଡାକ୍ତର ନିଜ ନାମ ଗୋପନ ରଖି କହିଛନ୍ତ: ‘‘ଦୀର୍ଘ ଦିନ ଲୁହା ଶିକୁଳିରେ ବନ୍ଧା ହୋଇ ରହିବା ଯୋଗୁଁ ହାତୀର ଗୋଡ଼ରେ ଘା’ ହେଲା ଓ ତାହା ସଂକ୍ରମିତ ହେଲା । ତା’ର ସ୍ବାବ୍‌, ରକ୍ତ ଓ ଟିସୁର ନମୂନା ପରୀକ୍ଷା କରାଯାଉଛି । ରିପୋର୍ଟ ଆସିଲେ ଜଣାପଡ଼ିବ ମୃତ୍ୟୁର ଅସଲ କାରଣ । ବନ ବିଭାଗ ହାତୀକୁ ଦେଖେରେଖା କରିବାରେ ବଡ ଅବେହଳା କରିଛି ।’’
First published: March 12, 2020, 3:04 AM IST
corona virus btn
corona virus btn
Loading