News 18 Odia Digital
ଯାଜପୁର: ପତ୍ନୀଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକଲେ ସ୍ୱାମୀ (husband) । ବିବାହର ୩୦ବର୍ଷ ପରେ ସାକାର ହୋଇଛି ପତ୍ନୀଙ୍କ ସ୍ୱପ୍ନ (dream) । ପତ୍ନୀ ସନ୍ତୋଷୀ ମାଆଙ୍କ (santoshi maa) ଭକ୍ତ ହୋଇଥିବାରୁ ଗ୍ରାମରେ ମନ୍ଦିର ତିଆରି କରିବାର ସ୍ୱପ୍ନ ଦେଖିଥିଲେ । ନିଜ ପତ୍ନୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ତାହାକୁ ସାକାର କରିଛନ୍ତି ଶିଳ୍ପପତି ସ୍ୱାମୀ । ପ୍ରାୟ ୭କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ସନ୍ତୋଷୀ ମାଆଙ୍କ ଭବ୍ୟମନ୍ଦିର (temple) ।
ଯାଜପୁର ଜିଲ୍ଲା ବିଂଝାରପୁର (binjharpur) ବ୍ଲକ୍ ଚିକ୍କଣା ଗ୍ରାମରେ ନିର୍ମିତ ହୋଇଛି ଏହି ବିଶାଳକାୟ ମାଆ ସନ୍ତୋଷୀ ମାଆଙ୍କ ମନ୍ଦିର । ଉଭୟ ଦମ୍ପତି ହାଇଦ୍ରାବାଦରେ (Hyderabad) ରହୁଥିବା ବେଳେ ପତ୍ନୀଙ୍କୁ ତାଙ୍କ ଗ୍ରାମରେ ମନ୍ଦିର କରିଦେବାକୁ ପ୍ରତିଶୃତି ଦେଇଥିଲେ ସ୍ୱାମୀ । ଦକ୍ଷିଣ ଭାରତ (south indian) ଶୈଳୀରେ ମନ୍ଦିରଟିକୁ ନିର୍ମାଣ କରି ପତ୍ନୀଙ୍କୁ ଉପହାର ଦେଇଛନ୍ତି ସ୍ୱାମୀ କ୍ଷେତ୍ରବାସୀ ଲେଙ୍କା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ପତ୍ନୀଙ୍କୁ ବିବାହ ସମୟରେ ମାଆ ସନ୍ତୋଷୀଙ୍କ ମନ୍ଦିର ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲି ଆଜି ସେ ସ୍ୱପ୍ନକୁ ପୂରଣ କରିପାରିଛି । ସେଥିପାଇଁ ନିଜକୁ ଧନ୍ୟ ମଣୁଛି । ମନ୍ଦିର ନିର୍ମାଣ ପରେ ଏହା ଗ୍ରାମବାସୀଙ୍କୁ ଭେଟି ଦେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ମାଆ ସନ୍ତୋଷୀଙ୍କର ଏହି ମନ୍ଦିରର ମୁଖଶାଳା ୮୬ ଫୁଟ ହୋଇଥିବା ବେଳେ ମନ୍ଦିରର ଉଚ୍ଚତା ଅନ୍ୟୁନ ୬୫ ଫୁଟ୍ ହେବ । ମନ୍ଦିରରେ ସନ୍ତୋଷୀ ମାଆଙ୍କ ସହ ଶିବ, ଗଣେଷ, ହନୁମାନ ଓ ନବଗ୍ରହ ଆଦି ପୂଜା ପାଇବେ । ୨୦୦୮ ମସିହାରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୀର୍ଘ ୧୫ ବର୍ଷ ପରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏଥିରେ ଖୁସି ହୋଇ ପତ୍ନୀ ବୈଜୟନ୍ତୀ କହିଛନ୍ତି "ମୋର ସ୍ୱାମୀ ମୋତେ ବହୁ ବଡ଼ ଉପହାରଟିଏ ଦେଇଛନ୍ତି । ଯାହାକୁ ଭାଷାରେ କହିପରିବିନି ।" ସ୍ୱାମୀ କ୍ଷେତ୍ରବାସୀ କହିଛନ୍ତି ଯେ, ମାଆଙ୍କ ଆଶୀର୍ବାଦରୁ ଏହା କେବଳ ସମ୍ଭବ ହୋଇପାରିଛି ।
୧୯୯୨ ମସିହାରେ କ୍ଷେତ୍ରବାସୀ ଲେଙ୍କା ଓ ବୈଜୟନ୍ତି ଲେଙ୍କାଙ୍କ ମଧ୍ୟରେ ବିବାହ ହୋଇଥିଲା । ବିବାହ ପୂର୍ବରୁ ପତ୍ନୀ ସନ୍ତୋଷୀ ମାଆଙ୍କୁ ପୂଜା କରୁଥିଲେ କିନ୍ତୁ ଉକ୍ତ ସମୟରେ ନିଜ ଗାଁ କିମ୍ୱା ଆଖପାଖରେ ସନ୍ତୋଷୀ ମାଆଙ୍କର କୌଣସି ମନ୍ଦିର ନଥିଲା । ଗ୍ରାମରେ ଛୋଟିଆ ମନ୍ଦିର ନିର୍ମାଣ ଲାଗି ପତ୍ନୀଙ୍କ ଇଚ୍ଛା ଥିବାରୁ ୩୦ଲକ୍ଷ ବଜେଟରେ ମନ୍ଦିର ନିର୍ମାଣ ଲାଗି ୨୦୦୮ ମସିହାରେ ମନ୍ଦିର ଭୂମିପୂଜନ କରିଥିଲେ । କିନ୍ତୁ ୨୦୨୩ରେ ଅର୍ଥାତ୍ ଏହାର ଦୀର୍ଘ ୧୫ ବର୍ଷ ପରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ମନ୍ଦିର କାର୍ଯ୍ୟ ଶେଷ ହେବାବେଳକୁ ତାହା ବଜେଟ୍ ବଢି ବଢି ୭କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ସବୁ ସେଇ ମାଆଙ୍କ ଇଚ୍ଛା ବୋଲି ଦମ୍ପତ୍ତି କହିଛନ୍ତି । ସେପଟେ ଗ୍ରାମବାସୀଙ୍କ ସହ ନିଜ ପତ୍ନୀଙ୍କୁ ଦେଇଥିବା ମନ୍ଦିର ଉପହାର ବିଂଝାରପୁର ଚିକ୍କଣା ଗ୍ରାମ ଲାଗି ଏକ ଇତିହାସ ହୋଇଥିବା ଗ୍ରାମବାସୀ କହିଛନ୍ତି । ତେବେ କ୍ଷେତ୍ରବାସୀ ଲେଙ୍କା ନିଷ୍ଠାର ସହ ଦୀର୍ଘ ୧୫ ବର୍ଷ ହେବ ମନ୍ଦିରର ନିର୍ମରେ ଲାଗିପଡିଥିବା କହିଛନ୍ତି ବୈଜୟନ୍ତିଙ୍କ ଭାଇ । ଏହା ସହ ସେ ଆହୁରୀ କହିଛନ୍ତି ଯେ, ଭିଣୋଇ ଚାହିଁଥିଲେ ଅନ୍ୟ କିଛିରେ ଅର୍ଥ ଖର୍ଚ୍ଚ କରିପାରିଥାନ୍ତେ କିନ୍ତୁ ତାହା ନକରି ଇତିହାସର ତାଜମହଲ ଭଳି ଭଉଣୀର ସ୍ୱପ୍ନ ପୂରଣ ଲାଗି ମନ୍ଦିରଟିଏ ଉପହାର ଦେଇପାରିଛନ୍ତି । ଯାହା ତାଙ୍କ ବଡପଣକୁ ଦର୍ଶାଉଛି ।
ଏହି ଖବର ପଢ଼ନ୍ତୁ -
http://ମିଛି ମିଛିକା ବାହାଘର ହେଇଗଲା ସତ; ସାତଜନ୍ମର ସାଥୀ ହେବାପାଇଁ ଧରିଲେ ହାତଆସନ୍ତା ୨୮ ତାରିଖରେ ଏହି ମନ୍ଦିର ବହୁ ଆଡମ୍ବରରେ ପ୍ରତିଷ୍ଠା ହେବାକୁ ଯାଉଥିବା ସୂଚନା ମିଳିଛି । ଏ କ୍ଷେତ୍ରରେ ପତ୍ନୀର ଇଚ୍ଛା ପୁରଣ କରି ପାରିଥିବା ଶିଳ୍ପପତି ସ୍ୱାମୀ ଯେତିକି ଖୁସି, ପତ୍ନୀ ବି ଏପରି ଏକ ଉପହାର ପାଇ ଆନନ୍ଦିତ । ପ୍ରତିଷ୍ଠା ପରେ ଏହା ଗ୍ରାମବାସୀ ଓ ଶ୍ରଦ୍ଦାଳୁଙ୍କ ଲାଗି ଉତ୍ସର୍ଗୀକୃତ ହେବ ବୋଲି କହିଛନ୍ତି ଶିଳ୍ପପତି ସ୍ୱାମୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।