News18 Odia Digital
ବାଲେଶ୍ବର: ଗ୍ୟାଙ୍ଗଷ୍ଟର ହାଇଦର ଏନକାଉଣ୍ଟରକୁ ନେଇ ପୁଣି ନୂଆ ଖବର ସାମ୍ନାକୁ ଆସିଛି । ଏନକାଉଣ୍ଟରକୁ ନେଇ ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ । ବରିଷ୍ଠ ପୋଲିସ ଅଧିକାରୀ ତାଙ୍କୁ ଟଙ୍କା ମାଗିଥିଲେ । ଏଭଳି କି ଟଙ୍କା ନ ଦେଲେ ମାରି ଦେବାର ଧମକ ମଧ୍ୟ ଦିଆଯାଉଥିଲା । ସ୍ବାମୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ସିମୁଳିଆ ଥାନାରେ ପତ୍ନୀ ହସିନା ଏଫ.ଆଇ.ଆର. ମାଧ୍ୟମରେ ଅଭିଯୋଗ କରିଛନ୍ତି । ଏଭଳି କି ଏସସିବିରୁ ହାଇଦର ଫେରାର ଘଟଣାକୁ ନେଇ ପୋଲିସ ହାଇଦରଙ୍କୁ ତେଲେଙ୍ଗାନାରେ ଏନକାଉଣ୍ଟର କରିବାକୁ ନେଇଯାଇଥିବା ଯୋଜନା କରିଥିଲା ବୋଲି ସେ ଏତଲାରେ ଦର୍ଶାଇଛନ୍ତି ।
ହାଇଦର ଏନକାଉଣ୍ଟର ତିନି ମାସ ପରେ ପୋଲିସଙ୍କ ନାମରେ ଥାନାରେ ମାମଲା ହୋଇଛି । ଏନକାଉଣ୍ଟର ତିନି ମାସ ପରେ ପୋଲିସଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣି ଅଭିଯୋଗ କରିଛନ୍ତି ଗ୍ୟାଙ୍ଗଷ୍ଟାର ହାଇଦରଙ୍କ ପତ୍ନୀ ହସିନା ବିବି ।
ବରିଷ୍ଠ ପୋଲିସ ଅଧିକାରୀ ତାଙ୍କୁ ଟଙ୍କା ମାଗିଥିଲେ । ଏଭଳି କି ଟଙ୍କା ନ ଦେଲେ ମାରି ଦେବାର ଧମକ ମଧ୍ୟ ଦିଆଯାଉଥିଲା । ସ୍ବାମୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ସିମୁଳିଆ ଥାନାରେ ପତ୍ନୀ ହାସିନା ଏକ ମାମଲା ରୁଜୁ କରିଛନ୍ତି।

DCP ସମେତ ୧୦ ଜଣ ପୋଲିସ ଅଧିକାରୀଙ୍କ ନାମରେ ଅଭିଯୋଗ ଆଣିଲେ ହାଇଦରଙ୍କ ପତ୍ନୀ
ହାଇଦର ଏନକାଉଣ୍ଟର ନେଇ କଟକ ଡି.ସି.ପି.ଙ୍କ ସମେତ ୧୦ ଜଣରୁ ଉର୍ଦ୍ଧ୍ବ ପୋଲିସ ଅଫିସରଙ୍କ ନାମରେ ଏତଲା ହାଇଦର ପତ୍ନୀ ପକ୍ଷରୁ ଦିଆଯାଇଛି । ଏନକାଉଣ୍ଟର ଘଟଣାସ୍ଥଳକୁ ଯାଇ ବୁଲି ଦେଖିବା ସହିତ ଏହା ପରେ ହାସିନା ବିବି ଏହି ଏତଲା ସିମୁଳିଆ ଥାନାରେ ଦେଇଛନ୍ତି । ହାଇଦରର ପତ୍ନୀ ସିମୁଳିଆ ଥାନାରେ ପହଞ୍ଚି କଟକ ଡି.ସି.ପି.ଙ୍କ ସମେତ ତାପସ ପ୍ରଧାନ, ଗଙ୍ଗାଧର ଶାସିନୀ, ଅଜୟ ଦାସ, ବିରଞ୍ଚି ନାରାୟଣ ପତି, ଅସିତ ଜେନା, ଚୌଦ୍ବାର ଜେଲ ସୁପରିଟେଣ୍ଡେଣ୍ଟ, ଜେଲର, ବାରିପଦା ଜେଲ ସୁପରିଟେଣ୍ଡେଣ୍ଟ ଆଦିଙ୍କ ସମେତ ୧୦ରୁ ଉର୍ଦ୍ଧ୍ବ ପୋଲିସଙ୍କ ନାମରେ ଏତଲା ଦେଇଛନ୍ତି ।
ଏ ନେଇ ହସିନା ବିବି କହିଛନ୍ତି, ‘‘ମୁସଲମାନ ପରମ୍ପରା ଅନୁସାରେ ସ୍ବାମୀ ମୃତ୍ୟୁର ତିନି ମାସ ଯାଏଁ ପୁରୁଷ ମୁହଁ ନଚାହିଁବା ନିୟମ ଥିବାରୁ ଥିବାରୁ ଏତଲା ଦେବାରେ ବିଳମ୍ବ ହୋଇଛି । ମୋର ସ୍ୱାମୀକୁ ପୋଲିସ ଅଧିକାରୀ ମାନେ ମାରି ଦେବାକୁ ବହୁତ ପୂର୍ବରୁ ଯୋଜନା କରୁଥିଲେ । ସେ କେଉଁ ଆଡ଼େ ପଳେଇ ଯିବାକୁ ଉଦ୍ୟମ କରୁନଥିଲେ।"
ତେବେ ଗତ ଜୁଲାଇ ୨୪ ତାରିଖରେ ହାଇଦରକୁ ଚୌଦ୍ବାରରୁ ବାରିପଦା ଜେଲକୁ ସ୍ଥାନାନ୍ତରି ବେଳେ ସିମୁଳିଆ ଥାନାରୁ ୧୦୦ ମିଟର ଦୂରରେ ଜାତୀୟ ରାଜପଥ କଡ଼ରେ ପରିଶ୍ରା ବାହାନାରେ ତଳକୁ ଆସି ପୋଲିସ ନିକଟରୁ ବନ୍ଧୁକ ଛଡ଼ାଇ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାଙ୍କୁ ଏନକାଉଣ୍ଟର କରିଥିଲା । ଏବେ ଘଟଣାର ତିନି ମାସ ପରେ ବୁଧବାର ଦିନ ସିମୁଳିଆ ଥାନାରେ ହାଇଦର ସ୍ତ୍ରୀ ହସିନା ବିବି ପହଞ୍ଚି ସିମୁଳିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସିମୁଳିଆ ଥାନାରେ ପତ୍ନୀ ହସିନା ଏଫ.ଆଇ.ଆର. ମାଧ୍ୟମରେ ଅଭିଯୋଗ କରିଛନ୍ତି
ସେତେବେଳେ ଏନକାଉଣ୍ଟର ପରେ ସିମୁଳିଆ ପୋଲିସ ମଧ୍ୟ ଘଟଣାସ୍ଥଳରୁ ଫୁଟନ୍ତା ଗୁଳିର ଖୋକା, ବନ୍ଧୁକ ଓ ଲୁଗା, ଘଟଣାସ୍ଥଳରୁ ରକ୍ତ ଭିଜା ମାଟି ଜବତ କରି ରାଜ୍ୟ ଫରେନ୍ସିକ ଲ୍ୟାବକୁ ପଠାଇଥିବା ବେଳେ ସିମୁଳିଆ ଥାନା କେସ ନଂ ୧୬୮/୨୧ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ହାଇଦର ପତ୍ନୀ କହିଛନ୍ତି ଯେ ମୃତ୍ୟୁ ପୂର୍ବରୁ ହାଇଦର କଟକ ଏସସିବି ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ପୋଲିସ ଅଧିକାରୀ ଟଙ୍କା ମାଗିବା ସହ ଟଙ୍କା ନଦେଲେ ହତ୍ୟା କରିବାର ଧମକ ଦେଇଆସୁଥିବା ବେଳେ ଯୋଜନା ବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଛି । ଏଭଳି କି ପୂର୍ବରୁ ହାଇଦର ଏସସିବି ମେଡ଼ିକାଲରୁ ଫେରାର ହୋଇ ନାହାଁନ୍ତି ବରଂ ପୋଲିସ ତାଙ୍କ ସ୍ବାମୀଙ୍କୁ ତେଲଙ୍ଗାନା ରାଜ୍ୟକୁ ମାରିବା ପାଇଁ ନେଇ ଯାଇଥିଲା । ମେଡ଼ିକାଲରୁ ଫେରାର ହୋଇଛି କହି ପରିବାରର ଅନ୍ୟ ସଦସ୍ୟମାନଙ୍କୁ ମିଥ୍ୟା ମକଦ୍ଦମାରେ ଫସାଇ ଦେବାର ଧମକ ଦେଉଥିଲା ପୋଲିସ ବୋଲି ପତ୍ନୀ ହସିନା ବିବି କହିଛନ୍ତ ।
ସିମୁଳିଆ ଥାନା ଅଧିକାରୀ ଜୟନ୍ତ ବେହେରା କହିଛନ୍ତି, ‘‘ପୂର୍ବରୁ ୧୬୮/୨୧ରେ ମାମଲା ହୋଇଥିଲା ଓ ଏହାର ତଦନ୍ତ ଚାଲୁଛି ଏବେ ହାଇଦର ସ୍ତ୍ରୀ ଦେଇଥିବା ଏଫଆଇଆର ମଧ୍ୟ ଆମେ ଗ୍ରହଣ କରିଛୁ ।"
" ଶେଖ ହାଇଦର ସ୍ତ୍ରୀ ହସିନା ବିବି ଆଜି ସିମୁଳିଆ ଥାନାରେ ଏକ ମାମଲା କରିଛନ୍ତି । ମୁଖ୍ୟତଃ ହାଇଦର ଏନକାଉଣ୍ଟର ପଛରେ ଥିବା ସତ୍ୟତା ସମ୍ପର୍କରେ ଏହି ମାମଲାରେ ଦର୍ଶାଯାଇଛି। ଏନେଇ ପୋଲିସ ୧୬୮/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଏବେ ଆମେ ଦେଇଥିବା ମାମଲା ମଧ୍ୟ ଗ୍ରହଣ କରିଛନ୍ତି ସିମୁଳିଆ ଥାନା ଅଧିକାରୀ । ତେବେ ଆମ ଏତାଲରେ ବିହିତ ପଦକ୍ଷେପ ନେବେ ବୋଲି ମଧ୍ୟ ଥାନା ଅଧିକାରୀ କହିଛନ୍ତି,’’ ହାଇଦରର ଓକିଲ ଆଇନଜୀବୀ ବିଶ୍ୱଜିତ ତ୍ରିପାଠୀ କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।