କିଏ ହେବ ବ୍ରହ୍ମପୁର ମହାନଗର ନିଗମର ଡ଼େପୁଟି ମେୟର? ରେସରେ ରହିଛନ୍ତି ୩ ଜଣ ଆଶାୟୀ ପ୍ରାର୍ଥୀ

ଆସନ୍ତା ୮ ତାରିଖରେ ହେବ ବ୍ରହ୍ମପୁର ମହାନଗର ନିଗମର ଡ଼େପୁଟି ମେୟର ନିର୍ବାଚନ। ଡ଼େପୁଟି ମେୟର ନିର୍ବାଚନକୁ ନେଇ ଏବେ ସହରରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି ।

କିଏ ହେବ ବ୍ରହ୍ମପୁର ମହାନଗର ନିଗମର ଡ଼େପୁଟି ମେୟର?

କିଏ ହେବ ବ୍ରହ୍ମପୁର ମହାନଗର ନିଗମର ଡ଼େପୁଟି ମେୟର?

  • Share this:
News18 Odia Digital

ବ୍ରହ୍ମପୁର: କିଏ ହେବ ବ୍ରହ୍ମପୁର ମହାନଗର ନିଗମର ଡ଼େପୁଟି ମେୟର। ଏହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା। ଡ଼େପୁଟି ମେୟର ରେସରେ ରହିଛନ୍ତି ତିନି ଜଣ ଆଶାୟୀ ପ୍ରାର୍ଥୀ। ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରୁ ଦୁଇ ଜଣ ପ୍ରାର୍ଥୀ ରହିଥିବା ବେଳେ ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ଜଣେ ପ୍ରାର୍ଥୀ ଡ଼େପୁଟି ମେୟର ପାଇଁ ଆଶାୟୀ ରହିଛନ୍ତି।

ବର୍ତ୍ତମାନ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଦାୟିତ୍ବ ମୁଖ୍ୟ ମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ ନେଇଥିବା ବେଳେ ୪ଟି ୱାର୍ଡ଼ କେଉଁ କର୍ପୋରେଟରଙ୍କ ନାଁକୁ ଡ଼େପୁଟି ମେୟର ପାଇଁ ପ୍ରାଧାନ୍ୟ ଦେଉଛନ୍ତି ନା ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ରହୁଥିବା ୩୬ଟି ୱାର୍ଡ଼ରୁ ଜଣେ କର୍ପୋରଟର ଚୟନ କରାଯିବ ତାହାକୁ ନେଇ ଏବେ ଅଙ୍କକଷା ଆରମ୍ଭ ହୋଇଯାଇଛି।

ଆସନ୍ତା ୮ ତାରିଖରେ ହେବ ବ୍ରହ୍ମପୁର ମହାନଗର ନିଗମର ଡ଼େପୁଟି ମେୟର ନିର୍ବାଚନ। ଡ଼େପୁଟି ମେୟର ନିର୍ବାଚନକୁ ନେଇ ଏବେ ସହରରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । କାରଣ ମେୟର ପ୍ରାର୍ଥୀନୀ ମହିଳା ହେବା ପରେ ଏବେ ଡ଼େପୁଟି ମେୟର ପ୍ରାର୍ଥୀ ମହିଳା ନା ପୁରୁଷ ତାହାକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଛି।

ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ବିଜେଡ଼ି ୪୨ଟି ୱାର୍ଡ଼ରୁ ୩୦ଟି ୱାର୍ଡ଼ରେ ବିଜୟ ଲାଭ କରି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ୩୦ ଜଣ କର୍ପୋରେଟର ମଧ୍ୟରୁ ୧୫ ଜଣ ମହିଳା ଓ ୧୫ ଜଣ ପୁରୁଷ ରହିଛନ୍ତି। ଯେହେତୁ ମେୟର ପଦ ମହିଳା ପାଇଁ ସଂରକ୍ଷିତ ରହିଥିବା ଯୋଗୁଁ ବ୍ରହ୍ମପୁର ମେୟର ମହିଳା ହୋଇଛନ୍ତି। ତେଣୁ ଡ଼େପୁଟି ମେୟର ପୁରୁଷ ହେବା ନେଇ ଚର୍ଚ୍ଚା ଜୋର ଧରିଛି।

‘‘୨୦୧୩ ବ୍ରହ୍ମପୁର ନିର୍ବାଚନରେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ମଧ୍ୟରୁ କେ.ମାଧବୀ ମେୟର ହୋଇଥିବା ବେଳେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ମଧ୍ୟରେ ଜୋତ୍ସ୍ନା ନାୟକ ଡ଼େପୁଟି ମେୟର ହୋଇଥିଲେ। ତେବେ ଚଳିତ ଥର ଏହି ଫର୍ମୁଲ ବ୍ୟବହାର ହେବା ନେଇ ମଧ୍ୟ ଆଶଙ୍କା ରହିଛି। କାରଣ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ରହିଥିବା ୬ଟି ୱାର୍ଡ଼ରୁ ୪ଟି ୱାର୍ଡ଼ରେ ବିଜେଡ଼ି ବିଜୟ ଲାଭ କରିଥିବା ବେଳେ ଗୋପାଳପୁର ବିଧାୟକ ଡ଼.ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିସ୍କାର କରାଯାଇଛି। ତେଣୁ ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ଯେ କୌଣସି ପ୍ରାର୍ଥୀଙ୍କୁ ଡ଼େପୁଟି ମେୟର ପଦ ଦିଆଯିବାର ସମ୍ଭାବନା ରହିଛି। ଲୋକ ସମର୍ଥନ, ଦକ୍ଷତା, ନିର୍ବାଚନରେ ଭୋଟ ହାର ଭଳି ବିଭିନ୍ନ ଯୋଗ୍ୟତାକୁ ଦୃଷ୍ଟିରେ ରଖି ଉପଯୁକ୍ତ ଡ଼େପୁଟି ମେୟରପ୍ରାର୍ଥୀକୁ ମୁଖ୍ୟମନ୍ତ୍ରୀ ଚିହ୍ନଟ କରିବେ,’’ କହିଛନ୍ତି ବିଜେଡ଼ିର ରାଜ୍ୟ ସମ୍ପାଦକ ସୁବାଷ ମହାରଣା।

ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ବିଜେଡ଼ିର ମୋଟ ୪ଟି ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ ସବୁଠାରୁ ଚର୍ଚ୍ଚାରେ ଅଛନ୍ତି ୪୦ ନମ୍ବର ୱାର୍ଡ଼ରୁ ବିଜୟୀ ହୋଇଥିବା ଭାଗିରଥୀ ମହାରଣା। ଭାଗିରଥୀ ମହାରଣା ବିଡ଼ିଏ ଅଧ୍ୟକ୍ଷ ସୁବାଷ ମହାରଣାଙ୍କ ଭାଇ ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ସେ ବିଜେଡ଼ି ସହ ରହି ଆସିଛନ୍ତି।

‘‘ଚଳିତ ନିର୍ବାଚନରେ ନିକଟସ୍ଥ ପ୍ରତିଦ୍ବନ୍ଦିଙ୍କ ଠାରୁ ୧୭୦୦ରୁ ଅଧିକ ଭୋଟରେ ବିଜୟ ଲାଭ ମଧ୍ୟ କରିଛନ୍ତି ଭାଗିରଥୀ ମହାରଣା। ବର୍ତ୍ତମାନ ୱାର୍ଡ଼ ବାସିନ୍ଦା ଭୋଟ ଦେଇ କର୍ପୋରେଟର ପ୍ରାର୍ଥୀ ଭାବେ ବିଜୟ କରିଥିବା ବେଳେ ଆଗାମୀ ଦିନରେ ଯଦି ମୁଖ୍ୟ ମନ୍ତ୍ରୀ ଡ଼େପୁଟି ମେୟର ଭାବେ ମନୋନୀତ କରନ୍ତି ତେବେ ଯେଉଁ ସବୁ ଦାୟିତ୍ବ ମିଳିବ ତାହାକୁ ସଠିକ୍ ଭାବେ ସମ୍ପାଦନ କରିବି,’’ କହିଛନ୍ତି ୪୦ ନମ୍ବର ୱାର୍ଡ଼ର କର୍ପୋରେଟର ଭାଗିରଥୀ ମହାରଣା।

ସେହିପରି ୨୯ ନମ୍ବର ଓ୍ବାର୍ଡ଼ର କର୍ପୋରେଟର ସଞ୍ଜିତ ପାଣିଗ୍ରାହୀ ମଧ୍ୟ ଲବି ରହିଛନ୍ତି। ସଞ୍ଜିତ ପ୍ରଥମେ ନିଜର ପତ୍ନୀଙ୍କ ପାଇଁ ମେୟର ପଦ ପାଇବା ଆଶାରେ ରହିଥିବା ବେଳେ ସେଥିରୁ ବଞ୍ଚିତ ହୋଇଥିବା ବେଳେ ଏବେ ସେ ଡ଼େପୁଟି ମେୟର ହେବା ନେଇ ଆଶା ରଖିଥିବା ସହରରେ ଚର୍ଚ୍ଚା ଜୋର ଧରିଛି।

ଏହାସହିତ ସହରର ୭ ନମ୍ବର ୱାର୍ଡ଼ ଟି.କିଶୋର ପାତ୍ର ମଧ୍ୟ ଡ଼େପୁଟି ମେୟର ହେବାନେଇ ସେ ଆଶାବାଦୀ ଅଛନ୍ତି। କାରଣ ସହରର ୧ ୱାର୍ଡ଼ରୁ ୨୦ ୱାର୍ଡ଼ ମଧ୍ୟରେ ସେଭଳି କୌଣସି ବିଜେଡ଼ିର ଟାଣୁଆ ନେତା ତଥା ପଦରେ ରହିଥିବା ନେତା ନାହାଁନ୍ତି।

ସେ ଜଣେ ଉଚ୍ଚଶିକ୍ଷିତା ହୋଇଥିବା ବେଳେ ତାଙ୍କ ଭାଇ ପୂର୍ବତନ କାଉନସିଲର ରହିଆସଛନ୍ତି । ଯାହାଫଳରେ ତାଙ୍କ ପରିବାର ବିଜେଡ଼ି ସହିତ ଦୀର୍ଘ ୪୦ ବର୍ଷ ଧରି ସମ୍ପର୍କ ରହିଛି। ତେଣୁ ସେ ଡ଼େପୁଟି ମେୟର ପଦ ନିମନ୍ତେ ଆଶାବାଦୀ ରହିଥିବା ବେଳେ ଦଳ ଯାହା ନିଷ୍ପତ୍ତି ନେବ ସେଥିରେ ଏକମତ ରହିଥିବା ନେଇ ବୋଲି କହିଛନ୍ତି ୭ ନମ୍ବର ୱାର୍ଡ଼ର କର୍ପୋରେଟର ଟି.କିଶୋର ପାତ୍ର।

ଡ଼େପୁଟି ମେୟର ପଦ ପାଇବା ପାଇଁ ସହରରେ ଅନେକ କର୍ପୋରେଟର ଆଶାୟୀ ରହିଥିବା ବେଳେ କିଏ ପାଉଛି ମେୟର ପଦ ତାହା ଡ଼େପୁଟି ମେୟର ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଦଳ ପକ୍ଷରୁ ଘୋଷଣା ହେବା ନେଇ ସୂଚନା ମିଳିଛି।
Published by:Lipina Das
First published: