News18 Odia Digital
ଭୁବନେଶ୍ବର: ଭୁବନେଶ୍ବରରେ ବିଜେପିର ଆନ୍ଦୋଳନ ବେଳେ ପୋଲିସ ସହ ଧସ୍ତାଧସ୍ତି ଘଟଣାକୁ ନେଇ ଜୋର୍ ଧରିଛି ରାଜନୀତି । ବିଜେଡି-ବିଜେପି ଭିତରେ ତୀବ୍ର ହୋଇଛି ବାକଯୁଦ୍ଧ । ଟୁଇଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଗତକାଲି ଆମ ଦଳର ଯୁବ ମୋର୍ଚ୍ଚା ଆନ୍ଦୋଳନ ବେଳେ ପୋଲିସ ଯେମିତି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଛି, ତାହା ଅତ୍ୟନ୍ତ ନିନ୍ଦନୀୟ । ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି । ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ହେଉଛନ୍ତି ଏକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା । ମାତ୍ର ପୋଲିସ ସେମାନଙ୍କୁ ରାଜନୈତିକ କାର୍ଯ୍ୟକର୍ତ୍ତା ଭାବରେ ନୁହେଁ ବରଂ ଅପରାଧୀ ଭାବରେ ଅମାନୁଷିକ ଭାବେ ଆକ୍ରମଣ କରିଛି, ତାହା ଚିନ୍ତାଜନକ ।
ଓଡ଼ିଶାର ପୋଲିସ ପ୍ରଶାସନ ଶାସକ ଦଳର ହିତରେ କାର୍ଯ୍ୟ କରିବା ପାଇଁ ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି । କିଛି ପୋଲିସ ଅଧିକାରୀ ଯେଉଁଭଳି ଭାବେ ଏକପାଖିଆ ନିଷ୍ପତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ଏହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ । ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ଅପରାଧୀ ଭାବି ପୋଲିସ ଆକ୍ରମଣ କରିବା ଚିନ୍ତାଜନକ ବୋଲି ଟ୍ବିଟ୍ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଗଣତନ୍ତ୍ରରେ ପ୍ରତିବାଦ କରିବା ସମସ୍ତଙ୍କ ଅଧିକାର । ଏହା ସହ ସେ ପ୍ରଶ୍ନ କରିଛନ୍ତି କର୍ମୀଙ୍କ ମଧ୍ୟରେ ଆକ୍ରମଣକାରୀ ବିଜେଡି ଗୁଣ୍ଡା ନୁହେଁ ତ ? ଆନ୍ଦୋଳନରେ ଧଳା ପୋଷାକ ପିନ୍ଧିଥିବା ଯୁବକ କିଏ ? ଏହା ସହ ପୋଲିସ ଉପରେ BJP ଆକ୍ରମଣ କରିନାହିଁ ବୋଲି କହିଛନ୍ତି ସମୀର ।
ବିଜେପିର ଆନ୍ଦୋଳନକୁ ନେଇ ବର୍ଷିଛି ବିଜେଡି। ଆନ୍ଦୋଳନ ନାଁରେ ଗୁଣ୍ଡାରାଜ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ଲକ୍ଷ୍ମଣରେଖା ଅତିକ୍ରମ କରିଛି ବିଜେପି । ସେମାନେ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି । ଏପରି କାମ ଯୁବ ମୋର୍ଚ୍ଚା କର୍ମୀ ଯୋଜନାବଦ୍ଧ ଭାବେ କରି କରିଛନ୍ତି । କୌଣସି ନେତାଙ୍କ ଇଙ୍ଗିତରେ ଏହାକୁ ଯୋଜନାଵଦ୍ଧ ଭାବେ କରିଛି ବିଜେପି ଯୁବମୋର୍ଚ୍ଚା । ଏହାକୁ ସାଢେ ଚାରି କୋଟି ଓଡ଼ିଆ ନିନ୍ଦା କରିଛନ୍ତି । ଆଇନ ଶୃଂଖଳା ପରିସ୍ଥିତି ସୃଷ୍ଟି କରିବା ତାଙ୍କର ଉଦେଶ୍ୟ ଥିଲା ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ପ୍ୟାନେଲିଷ୍ଟ ସ୍ବୟମ ପ୍ରକାଶ ମହାପାତ୍ର କହିଛନ୍ତି। ଧର୍ମେନ୍ଦ୍ରଙ୍କ ଟୁଇଟର ଜବାବ ରଖିଛନ୍ତି ବରିଷ୍ଠ ବିଜେଡି ନେତା ଅରୁଣ ସାହୁ । ଯଦି ରାଜନୈତିକ ବ୍ୟକ୍ତିମାନେ ମାରଣାସ୍ତ୍ର ନେଇ ଆନ୍ଦୋଳନ କରିବେ, ତାଙ୍କୁ କଣ କ୍ଷମା କରାଯିବ କି ବୋଲି ପ୍ରଶ୍ନ କରିଛନ୍ତି ଅରୁଣ ।
ଆନ୍ଦୋଳନକାରୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଜେପି ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ବିଧ୍ୟୟକମାନେ ବାଚସ୍ପତିଙ୍କ ପୋଡ଼଼ିୟମ ପାଖକୁ ଆସି ନାରାବାଜି କରିଥିଲେ। ଖବର କାଗଜ କୋଟି ଦେଖାଇଥିଲେ । ଫଳରେ ଗୃହକାର୍ଯ୍ୟ ବାରମ୍ବାର ମୁଲତବୀ କରାଯାଇଥିଲା । ସେପଟେ ତବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ବେଳେ ଗଣ୍ଡଗୋଳ ଘଟଣା । ପୋଲିସକୁ ଆକ୍ରମଣ ଘଟଣାରେ ୨୨ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଆନ୍ଦୋଳନକାରୀମାନେ ପୋଲିସ ଉପରକୁ ଟେକା ମାଡ଼଼ କରିବା ସହିତ ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେବାକୁ ଉଦ୍ୟମ କରିଥିଲେ । ଆହତ ପୋଲିସ କର୍ମଚାରୀଙ୍କ ଚିକିତ୍ସା ଚାଲିଛି । ଗୁରୁତର ଥିବା କେତେକ ପୋଲିସ କର୍ମଚାରୀଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।...
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।