କଟକ ବିଶ୍ୱବିଦ୍ୟାଳୟରେ ଧଳା ଜହର କାରବାର ; ଛାତ୍ରଙ୍କୁ କରାଯାଉଛି ଟାର୍ଗେଟ୍
News 18 Odia Digital
କଟକ; ଧଳା ଜହର କବଳରେ କଟକର ଏକ ବିଶ୍ୱ ବିଦ୍ୟାଳୟ । ଏହି କାରବାର ପଛର କାର୍ପଟଦାର ତଥା ଡେଲିଭରି ବଏକୁ ଜିଲ୍ଲା ଅବକାରୀ ବିଭାଗ ଗିରଫ କରିବାପରେ ଏହିଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପୋଲିସ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ବାରଙ୍ଗ ବେଣ୍ଟକାରର ଅନନ୍ତ ଦାସ(୨୮) । ଅନନ୍ତ ପ୍ରଥମେ ମଦ ଡେଲିଭରି କରୁଥିଲା । ଏବେ ଦୁଇ ମାସ ହେବ ସେ ବ୍ରାଉନସୁଗାର ଡେଲିଭରି ଆରମ୍ଭ କରିଥିଲା । ଦିନକୁ ୨୦ ଟି ପାଉଚ ବିକ୍ରି କରୁଥିବା ବେଳେ ଗୋଟାଏକୁ ୫୦୦ ରୁ ୬୦୦ ଟଙ୍କା ନେଉଥିଲା । ତେବେ ତା ପଛରେ ଜଣେ ମାଷ୍ଟର ମାଇଣ୍ଡ କାମ କରୁଛି ବୋଲି ପୋଲିସ ଜାଣିବାକୁ ପାଇଛି । ଯିଏ କଟକରେ ଅନନ୍ତ ଭଳି ନିଶା ଡେଲିଭରି ବୟ ପାଖରେ ବ୍ରାଉନ ସୁଗାର ପହଞ୍ଚାଉଛି । ପୋଲିସ ପଚରାଉଚରା ବେଳେ ତଦନ୍ତରୁ ଏକଥା ଜାଣିବାକୁ ପାଇଛି । ସଂପୃକ୍ତ ବ୍ୟକ୍ତି ଅନନ୍ତ ସମେତ ଆହୁରି ୫ ରୁ ୬ ଜଣଙ୍କୁ ବ୍ରାଉନ ସୁଗର ଯୋଗାଉଥିଲା ।
ଯୁବକ ମାନଙ୍କୁ ଏମାନେ ବିଶେଷ ଭାବରେ ଟାର୍ଗେଟ କରିଥାନ୍ତି । ପୋଲିସ ଖବର ପାଇବା ପରେ ଏବେ ଜୋରଦାର ଖୋଳତାଡ଼ କରୁଛି । ବିଶ୍ବବିଦ୍ୟାଳୟକୁ ଆଉ କେଉଁମାନେ ବ୍ରାଉନସୁଗର୍ ପହଞ୍ଚଉଥିଲେ ସେମାନଙ୍କୁ ପୋଲିସ ଧରିବାକୁ ଯୋଜନା ଚଳାଇଛି । ପୋଲିସ ଏକଥା ମଧ୍ୟ ଜାଣିବାକୁ ପାଇଛି ଯେ ଏହି ଧଳା ଜହର ବାଲେଶ୍ବରରୁ ଆମଦାନୀ କରାଯାଉଛି । ଅନ୍ୟପଟେ ବିଶ୍ବବିଦ୍ୟାଳୟର ଯେଉଁ ଯୁବ ଗ୍ରାହକଙ୍କୁ ଅନନ୍ତ ବ୍ରାଉନସୁଗାର ଯୋଗାଣ କରୁଥିଲା, ସେମାନଙ୍କ ତାଲିକା ମଧ୍ୟ ଅବକାରୀ ବିଭାଗ ହାତରେ ଲାଗିଛି । ଗୋଡ଼ିସାହିରେ ଅବକାରୀ ବିଭାଗ ଚଢ଼ଉ କରି ଅନନ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ମାନଙ୍କୁ ବି ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।
ଚିନ୍ତାର ବିଷୟ ହେଉଛି କି ଦୀର୍ଘ ଦିନ ହେବ ରାଜ୍ୟରେ ବ୍ରାଉନ ସୁଗାର ମାଫିଆ ମାତିଥିବା ବେଳେ ପୋଲିସ କିନ୍ତୁ ମାଷ୍ଟର ମାଇଣ୍ଡ ନିକଟରେ ପହଞ୍ଚିବା ପାଇଁ ବିଫଳ ହେଉଛି । ବାଲେଶ୍ଵରରୁ ବ୍ରାଉନ ସୁଗାର୍ ଆମଦାନୀ ହେଉଥିବା ବେଳେ ପୋଲିସ ହାତରେ କିନ୍ତୁ କୌଣସି ପ୍ରମାଣ ଲାଗୁନି । ଛୋଟ ଛୋଟ ବ୍ରାଉନ ସୁଗାର୍ ପୁଡ଼ିଆ ଯୋଗାଉଥିବା ବ୍ୟକ୍ତିଙ୍କୁ ଧରି ପୋଲିସ ହାତ ବାନ୍ଧି ବସିଯାଉଛି । ଯେଉଁଥିପାଇଁ ସାରା ରାଜ୍ୟରେ ଏମାନେ ନିର୍ଭୟର ବ୍ରାଉନ ସୁଗାର୍ ପହଞ୍ଚାଉଛନ୍ତି । ପୋଲିସ ଓ ଅବକାରୀ ବିଭାଗ କିମ୍ବା ସ୍ଵତନ୍ତ୍ର ସ୍କ୍ୱାର୍ଡ ଯଦି ମିଳିତ ଅଭିଯାନ ଆରମ୍ଭ କରନ୍ତେ ଏବଂ ମୂଳ ବ୍ୟକ୍ତିଙ୍କୁ ଗିରଫ କରନ୍ତେ ତେବେ ଏହି କାରବାର ବନ୍ଦ ହେବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।