ମୋକିମ ଯିବେ କୁଆଡ଼େ? ହାତରେ ରହିବେ ନା ହାତରେ ଝାଡୁ ଧରିବେ

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଗତି କୁଆଡେ? ରାଜ୍ୟପାଳଙ୍କ ସହିତ ଭେଟ ଘାଟରେ ଚର୍ଚ୍ଚା ହେଉଥିଲା ବିଜେପିକୁ ଯିବେ, ତାହା ମିଛ। ତେଣୁ ଆପକୁ ଯାଇପାଇନ୍ତି ।

ମହମ୍ମଦ ମୋକିମ (ପ୍ରତୀକାତ୍ମକ ଛବି)

ମହମ୍ମଦ ମୋକିମ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପିସିସି ସଭାପତି ପାଇଁ ଅଶା ଥିଲା। ଶୁଣିଲେନି ହାଇ କମାଣ୍ଡ। ଶରତ ପଟ୍ଟନାୟକ ପିନ୍ଧିଲେ ପିସିସି ମୁକୁଟ। ସେବେଠୁ ଖପ୍ପା ମୋକିମ। ହାତ ବିରୋଧରେ ରଖୁଛନ୍ତି ମତ। ଶରତଙ୍କୁ କରୁନାହାଁନ୍ତି ସହଯୋଗ। ଏପରିକି ନିଜ ଲୋକଙ୍କ ଦ୍ୱାରା ଶରତଙ୍କ ନେତୃତ୍ୱକୁ ଖୋଲା ଖୋଲି ଚ୍ୟାଲେଞ୍ଜ କରୁଛନ୍ତି। ତେବେ ଆଗକୁ ଅଛି ୨୪ ନିର୍ବାଚନ। କଣ ହେବ ମୋକିମାଙ୍କ ଭାଗ୍ୟ? କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଗତି କୁଆଡେ? କଂଗ୍ରେସରେ ରହିବେ ନା ବାଏ ବାଏ କରିବେ? ଯଦି କଂଗ୍ରେସ ଛାଡ଼ିବେ ତେବେ କେଉଁ ଦଳକୁ ଯିବେ ଏହି ଯୁବ ବିଧାୟକ? ବିଜେଡି-ବିଜେପି ନା ବିକଳ୍ପ ରାଜନୀତି କଥା ଚିନ୍ତା କରିଛନ୍ତି ମୋକିମ?

ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ବେଳେ ଏହି ୪ଟି ଘଟଣା କ୍ରମ ଉପରେ ନଜର ପକାନ୍ତୁ, ଯାହାକୁ ଦେଖିଲେ ମନେ ହେଉଛି କଂଗ୍ରେସ ଠାରୁ ମୋକିମ ଦୂରେଇ ଯାଉଛନ୍ତି। ୧: ଦଳୀୟ ନିଷ୍ପତି ବିରୋଧରେ ଏନ୍ ଡି ଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ୨: ମୋକିମଙ୍କ ବାସଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ସହିତ ଭେଟ ଘାଟ ୩: କଂଗ୍ରେସର ରାଜନୈତିକ କାର୍ଯ୍ୟକ୍ରମ ଠାରୁ ନିଜକୁ ଦୂରେଇ ରଖିବା ୪: ମୋକିମଙ୍କ ଇସାରରରେ କଟକ ଜିଲ୍ଲା କଂଗ୍ରେସରୁ ବହୁ ନେତା କଂଗ୍ରେସ ଦଳରୁ ଇସ୍ତଫା ଦେବା।

ଏଭଳି ସ୍ଥିତିରେ କଂଗ୍ରେସ କାର୍ଯ୍ୟକ୍ରମରୁ କର ଛଡା ଦେଉଥିବା କଟକ ବାରବାଟି ବିଧାୟକ ମୋକିମଙ୍କ ଲାଗି ବିକଳ୍ପ କଣ ? ବିଜେଡି-ବିଜେପି ନା ଆଉ କିଛି ରହିଛି। ରାଜନୀତି ସମୀକ୍ଷକ ରବି ଦାସଙ୍କ କହିବା କଥା ହେଉଛି "ମୁର୍ମୁକୁ ଭୋଟଠୁ ଜଣା ପଡ଼ିଛି କଂଗ୍ରେସ କ୍ଲଜରେ ନାହାନ୍ତି ଇଞ୍ଜିନିୟର ମହମ୍ମଦ। ରାଜ୍ୟପାଳଙ୍କ ସହିତ ଭେଟ ଘାଟରେ ଚର୍ଚ୍ଚା ହେଉଥିଲା ବିଜେପିକୁ ଯିବେ, ତାହା ମିଛ। ତେଣୁ ଆପକୁ ଯାଇପାରନ୍ତି ମହମ୍ମଦ ମୋକିମ, ନଚେତ୍ ବିକଳ୍ପ ରାଜନୀତି କଥା ଚିନ୍ତା କରୁଛନ୍ତି।

"ଶରତ ପଟ୍ଟନାୟକ ପିସିସି ସଭାପତି ଭାବରେ ଦାୟିତ୍ଵ ଗ୍ରହଣ କରିବା ଦିନଠୁ ଅସହଯୋଗ କରୁଛନ୍ତି ମୋକିମ୍। ନା ବିଧାୟକ ଦଳ ନା ଦଳୀୟ କାହାରି ନିଷ୍ପତ୍ତି ସହିତ ଏକମତ ନୁହଁନ୍ତି। ନବ ସଂକଳ୍ପ ଶିବିର, ସଂକଳ୍ପ ପଦଯାତ୍ରା, କ୍ରାନ୍ତି ପଦଯାତ୍ରାଠୁ ଦୂରେଇ ରହିଛନ୍ତି। କ୍ରାନ୍ତି ଦିବସ ୯ ତାରିଖରେ କଂଗ୍ରେସ ପକ୍ଷରୁ ପଦଯାତ୍ରା କରାଯାଉଥିବା ବେଳେ କଟକ ଜିଲ୍ଲା କଂଗ୍ରେସର ନେତା ଭୁବନେଶ୍ଵରରେ କଂଗ୍ରେସ ଛାଡ ନେଇ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଯେଉଁମାନେ କି ସମସ୍ତେ ମୋକିମଙ୍କ ସମର୍ଥନରେ ମତ ରଖିବା ସହିତ ଶରତଙ୍କୁ ଚ୍ୟାଲେଞ୍ଜ କରିଥିଲେ।  ଯାହାକୁ ନେଇ କଂଗ୍ରେସ ମହଲରେ ପ୍ରକାଶ ପାଇଛି ଭିନ୍ନ ଭିନ୍ନ ମତ।

ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି,"କଂଗ୍ରେସ ହିମାଳୟ ଭଳି ଦଳ। କେତେ କିଏ ଯିବେ, କେତେ କିଏ ଆସିବେ। ପୂର୍ବରୁ ବହୁ ନେତା କଂଗ୍ରେସରୁ ଯାଇଛନ୍ତି। ଏବେ କିଏ ଗଲେ ବି କିଛି ଫରକ ପଡିବ ନାହିଁ"।

ଶରତ କହିଛନ୍ତି,"କଂଗ୍ରେସ ଦଳରେ ଆଗକୁ ଭବିଷ୍ୟତ ଅଛି, ଆଗାମୀ ୨୪ ନିର୍ବାଚନରେ ଓଡ଼ିଶାରୁ ବିଜେପି ଓ ବିଜେଡିକୁ ହରାଇବା ପାଇଁ ହେଲେ କଂଗ୍ରେସକୁ ଶକ୍ତିଶାଳୀ ହେବାକୁ ପଡିବ। ଏଥିପାଇଁ କଂଗ୍ରେସର କର୍ମୀ ଠାରୁ ଆରମ୍ଭ କରି ନେତା ଓ ବିଧାୟକ ସମସ୍ତେ ଏକଜୁଟ ହେବାର ସମୟ ଆସିଛି"।
Published by:Soumya Das
First published: