News18 Odia Digital
ଭୁବନେଶ୍ୱର: ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଭୁବନେଶ୍ୱରର ଯୁବ ସ୍ୱେଚ୍ଛାସେବୀ ଓ ପ୍ରେରଣାଦାୟୀ ବକ୍ତା ଆଦିତ୍ୟ ଦାଶଙ୍କ (Aditya Dash) କଥିତ ସୁଇସାଇଡ ନୋଟକୁ ଷ୍ଟେଟ ଫରେନ୍ସିକ ଲ୍ୟାବରେ ଥିବା ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପରୀକ୍ଷା ପାଇଁ ପଠେଇଛି ସରକାରୀ ରେଳବାଇ ଥାନା (GRP) । ତାଙ୍କ ମୃତ୍ୟୁର ତିନି ଦିନ ପରେ ମିଳିଥିବା ଏହି ଚାରି ପୃଷ୍ଠାର କଥିତ ସୁଇସାଇଡ୍ ନୋଟ୍ ସେ ନିଜ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଲେଖିଥିଲେ ବୋଲି କୁହାଯାଉଛି ।
ଏହି ନୋଟ୍ ଆଦିତ୍ୟ ନିଜେ ଲେଖିଥିଲେ, ଅର୍ଥାତ ଏହା ତାଙ୍କ ହାତ ଲେଖା ବା ଆଉ କାହାର, ତାହା ସ୍ପଷ୍ଟ ହେବ ହ୍ୟାଣ୍ଡରାଇଟିଂ ବ୍ୟୁରୋର ସାତଜଣିଆ ବିଶେଷଜ୍ଞଙ୍କ ଟିମର ରିପୋର୍ଟ ଆସିଲେ । ଏହି ନୋଟରେ ଆଦିତ୍ୟ ଦେଶ ସେବା ପାଇଁ ଦେଖିଥିବା ସ୍ୱପ୍ନର ବିଫଳତା ବିଷୟରେ ଲେଖିଛନ୍ତି ।
ଯଦିଓ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଆଦିତ୍ୟ ଉଲ୍ଲେଖ କରିଛନ୍ତି, ସୁଇସାଇଡ ନୋଟରେ ସେ ଲେଖିଯାଇଥିବା କେତେକ କଥାରୁ ସ୍ପଷ୍ଟ ବାରି ହେଉଛି ଯେ ସେ ହୁଏତ ଏକ ବା ଏକାଧିକ ଶକ୍ତିଶାଳୀ ବ୍ୟକ୍ତିଙ୍କ ବିରୋଧରେ ଠିଆ ହୋଇ ଯାତନା ଭୋଗୁଥିଲେ । ହୁଏତ ତା’ର ପରିଣାମ ସ୍ୱରୂପ ସେ ନିଜ ଜୀବନ ନିଜ ହାତରେ ନେବା (Aditya Dash suicide) ଉଚିତ ମନେ କଲେ ।

ଆଦିତ୍ୟ ଦାଶଙ୍କ ସୁଇସାଇଡ୍ ନୋଟର ଏକ ଅଂଶ
ମାତ୍ର ମାସକ ତଳେ ପ୍ରେମ ବିବାହ କରିଥିବା ଆଦିତ୍ୟ ନିଜ ପତ୍ନୀ ବିଦ୍ୟାଶ୍ରୀଙ୍କୁ ବହୁତ ଭଲ ପାଆନ୍ତି ବୋଲି ଲେଖିଯାଇଛନ୍ତି ଏହି ସୁଇସାଇଡ ନୋଟରେ । ମଦ ଓ ନିଶା ବିରୋଧରେ ଅଭିଯାନ ଚଳାଉଥିବା ଭୁବନେଶ୍ୱରର ଏହି ଯୁବ ସ୍ୱେଚ୍ଛାସେବୀ ନିଜ ସୁଇସାଇଡ୍ ନୋଟର (Aditya Dash suicide note) ଶେଷ ଧାଡ଼ିରେ ଲେଖିଛନ୍ତି ଯେ ‘‘ଓଡ଼ିଶାରୁ ମଦ ବନ୍ଦ ହୋଇଗଲେ ମୋ’ ଆତ୍ମାକୁ ଚିର ଶାନ୍ତି ମିଳିବ’’ ।
‘‘ବହୁତ କିଛି ଦେଶ ପାଇଁ କରିବାର ଇଚ୍ଛା ଇଚ୍ଛାରେ ହିଁ ରହିଗଲା । ଏ ଦେଶର ଯୁବକମାନଙ୍କୁ କହିବି Govt ସହ ପଙ୍ଗା ନେବା ପୂର୍ବରୁ ନିଜକୁ ସବୁ କ୍ଷେତ୍ରରେ strong କରି ଗଢ଼ି ତୋଳ । ନହେଲେ ସେ ତୁମର ବଞ୍ଚିବା ମୁସ୍କିଲ୍ କରିଦେବେ । ଓଡ଼ିଶାରୁ ମଦ ବନ୍ଦ ହୋଇଗଲେ ମୋ’ ଆତ୍ମାକୁ ଚିର ଶାନ୍ତି ମିଳିବ ।’’ ଆଦିତ୍ୟଙ୍କ ସୁଇସାଇଡ୍ ନୋଟର (suicide note) ଏହି ଚାରିଟି ବାକ୍ୟ ତଦନ୍ତରେ ଗଭୀରତାର ଆବଶ୍ୟକତାକୁ ବଢ଼େଇଦେଇଛି ବୋଲି କହିଛନ୍ତି ତାଙ୍କର ଅନେକ ସହକର୍ମୀ ଓ ପ୍ରଶଂସକ ।

ପ୍ରେମିକାରୁ ପତ୍ନୀ ହେଇଥିବା ବିଦ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ ଆଦିତ୍ୟ ଲେଖିଥିବା ଶବ୍ଦ
ଆଦିତ୍ୟ ‘ପିପୁଲ୍ ଫର୍ ସେବା’ (People for Seva, PFS) ନାଆଁରେ ଏକ ସମାଜ ସେବା ସଙ୍ଗଠନ ଚଳାଉଥିଲେ ଓ ଏହା ଅଧୀନରେ ତ୍ରିଲୋଚନ ନଗରରେ ଏକ ବୃଦ୍ଧାଶ୍ରମ ଚଳାଉଥିଲେ । ସେହି ସଙ୍ଗଠନ ଓ ବୃଦ୍ଧାଶ୍ରମ ପାଇଁ ତାଙ୍କର ନିଷ୍ଠା ଓ ସ୍ୱପ୍ନ ତାଙ୍କ ସୁଇସାଇଡ ନୋଟର ପ୍ରତି ପୃଷ୍ଠାରେ ଝଲକୁଛି ।
‘‘ମୋ’ର ଶେଷ ଇଚ୍ଛା ଯେମିତି ହେଲେ ପୂରଣ କରିବ । ଆଶ୍ରମ ପାଇଁ (ବୃଦ୍ଧାଶ୍ରମ ପାଇଁ) ନିଜ ଜମି କିଣି ଘରଟେ କରିବ,’’ ଗୋଟିଏ ଜାଗାରେ ଲେଖିଛନ୍ତି ଆଦିତ୍ୟ । ଆଉ ଏକ ସ୍ଥାନରେ ଲେଖିଛନ୍ତି: ‘‘ବହୁତ ଆଶା ଥିଲା ବୃଦ୍ଧାଶ୍ରମ ପାଇଁ ନିଜର ଗୋଟେ ଘର କରିବି ବୋଲି । କିନ୍ତୁ ଭଗବାନ ବୋଧେ ଚାହୁଁ ନ ଥିଲେ । ସେ ଯାହା ବି ହେଉ, ମୁଁ ଗଲା ପରେ ତୋତେ (ପପୁ ନାମକ ସହଯୋଗୀ) ଆଉ ବିକାଶକୁ ଏବଂ PFSର (‘ପିପୁଲ୍ ଫର୍ ସେବା’ ସଙ୍ଗଠନର) ଅନ୍ୟ ସଦସ୍ୟମାନଙ୍କୁ ଆଶ୍ରମର ଦାୟିତ୍ୱ ଲାଗିଲା । ମୁଁ ଚେକରେ ସାଇନ୍ କରିଦେଇଛି । ଟଙ୍କା ଉଠାଇ ଆଶ୍ରମ ଚଳାଉଥିବ ।’’

ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟଙ୍କର ଗଲା ଜୁନ୍ ୯ ତାରିଖରେ ବିବାହ ହୋଇଥିଲା ।
ଜୁଲାଇ ୬, ୨୦୨୦ ତାରିଖ ବହନ କରୁଥିବା ଏହି କଥିତ ସୁଇସାଇଡ ନୋଟ୍ ଏମିତି ଆରମ୍ଭ ହୋଇଛି: ‘‘ପ୍ରିୟ ପପୁ, ବିକାଶ ଏବଂ ‘ପିପୁଲ୍ ଫର୍ ସେବା’ର ଅନ୍ୟ ସଦସ୍ୟମାନେ । ମୃତ୍ୟୁ କେତେ ବେଳେ କୋଉ ବାଟରେ ଆସି କାହା ପାଖରେ ପହଞ୍ଚିଯାଏ ସେ କଥା କେହି ବି ଜାଣିନାହାନ୍ତି । ଆଜି ଠିକ୍ ସେମିତି ମୋ’ ପାଖରେ ଆସି ମୃତ୍ୟୁ ଉପସ୍ଥିତ । କହନ୍ତି କି ଯିଏ ଯେତେ ଦିନ ପାଇଁ ଏ ଦୁନିଆକୁ ଆସିଛି ସେତେ ଦିନ ହିଁ ରହିବ । ମୋ’ର ବି ବୋଧେ ଶେଷ ସମୟ ଆସିଯାଇଛି ।
ତେବେ ଏହି ବାକ୍ୟ ‘‘ଆଜି ଠିକ୍ ସେମିତି ମୋ’ ପାଖରେ ଆସି ମୃତ୍ୟୁ ଉପସ୍ଥିତ’’ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । କ’ଣ ସେହି କାରଣ ଯାହା ମୃତ୍ୟୁ ହୋଇ ତାଙ୍କ ପାଖରେ ଉପସ୍ଥିତ ହୋଇଥିଲା? ସେ କାରଣ ଯେ ଅନ୍ତତଃ ପାରିବାରିକ ନୁହେଁ ତାହା ଏହି ସୁଇସାଇଡ୍ ନୋଟରୁ ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ଏହି ନୋଟ୍ ଦେଖିଥିବା କେତେକ ବୁଦ୍ଧିଜୀବୀ ।

ଆଦିତ୍ୟ ଚଳାଉଥିବା ଜରାଶ୍ରମର ଜଣେ ଅନ୍ତେବାସୀ ଭୋ ଭୋ ହୋଇ କାନ୍ଦୁଛନ୍ତି ।
‘‘ବଞ୍ଚି ଥାଉ ଥାଉ ଯାହା କରିପାରିଲି ନାହିଁ, ହୁଏତ ମୁଁ ଗଲା ପରେ ଲୋକଙ୍କ ସହାନୁଭୁତିରେ ମୋ’ର ଶେଷ ଇଚ୍ଛାଟି ପୂରଣ ହୋଇପାରିବ । ଆଶ୍ରମ ପାଇଁ ଜମି ଖଣ୍ଡେ କିଣି ଘର ଗୋଟେ ବନେଇବ । ବଡ଼ ନ ହେଉ ପଛକେ, ଛୋଟ ହେଲେ ବି ଉପରୁ ଦେଖି ମୋ’ ଆତ୍ମା ଶାନ୍ତି ପାଇବ,’’ ଲେଖିଛନ୍ତି ଆଦିତ୍ୟ ନିଜ ସୁଇସାଇଡ୍ ନୋଟରେ ।
ନିଜ ପତ୍ନୀ ବିଦ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ ଆଦିତ୍ୟ ଲେଖିଛନ୍ତି ଏହି ଚାରିଟି ବାକ୍ୟ: ‘‘ବୋଧ ହୁଏ ଏତିକି ଦିନ ହିଁ ମୋ’ର ଆୟୁଷ ଥିଲା । ଶ୍ରୀ ତୁମେ ବହୁତ ଭଲ । ତୁମକୁ ମୋ’ର ବହୁତ ଭଲପାଇବା । ଉପରେ ରହି ମୁଁ ତୁମକୁ ବହୁତ ମିସ୍ କରିବି ।’’
‘‘କାଲି ସକାଳେ ସେ (ତାଙ୍କ ବାପା ଓ ମା) ଆସି ପହଞ୍ଚିବେ । ତା’ ପୂର୍ବରୁ ହୁଏତ ମୁଁ ଦୁନିଆରେ ନ ଥିବି । ମୋ’ର ମୃତ୍ୟୁ ପାଇଁ କେହି ବି ଦାୟୀ ନୁହଁନ୍ତି,’’ ସେ ଲେଖିଛନ୍ତି । ‘‘ବିକାଶ, ମୋ’ ବାପା ମା’ ତୋତେ ଲାଗିଲେ । ତାଙ୍କ କଥା ବୁଝୁଥିବୁ,’’ ଆଉ ଜାଗେ ଲେଖିଛନ୍ତି ସେ ।
ଏହା ବି ପଢ଼ନ୍ତୁ:
ବାଲେଶ୍ୱର: ସ୍ତ୍ରୀର ଆଖି ଆଗରେ NH ଉପରେ ଟ୍ରକ୍ ଚକ ତଳେ ଚାପି ହୋଇ ସ୍ୱାମୀର ଜୀବନ ଗଲାଏହା ବି ପଢ଼ନ୍ତୁ:
ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍ ହେଲେ; ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛିନିଜର ଦୁଇ ଘନିଷ୍ଠ ସହଯୋଗୀଙ୍କ ଉଦ୍ଦେଶ୍ୟରେ ସେ ଲେଖିଯାଇଛନ୍ତି: ‘‘ପପୁ ତୁ ଚେୟାରମ୍ୟାନ ଓ ବିକାଶ ତୁ ଟ୍ରେଜରର୍ ପଦରେ ରହି PFS ଅନୁଷ୍ଠାନକୁ ଚଳାଇବ । ମୋ’ ଫୋନ୍ ରହିଲା । ସେଥିରେ ସବୁ ନମ୍ବର ଅଛି । ମୁଁ ଗଲା ପରେ ମଧ୍ୟ କିଛି ଅସୁବିଧା ହେବ ନାହିଁ ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।