ରାଜଧାନୀରେ ରହୁଥିବା ପଶ୍ଚିମ ଓଡ଼ିଶାବାସୀ ପାଳିଲେ ନୂଆ ରୂପରେ 'ନୂଆଖାଇ ପର୍ବ'

''ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଓ ଏଥିରେ ସମସ୍ତେ ସାମିଲ ହୋଇଥାନ୍ତି । ଆନନ୍ଦର ସହ ନୂଆଖାଇ ଭେଟଘାଟର ଆସର ଜମିଥାଏ । କିନ୍ତୁ କରୋନା ମହାମାରୀ ପାଇଁ ପ୍ରଭାବିତ ହୋଇଛି ଏହି ଗଣପର୍ବ ।''

ରାଜଧାନୀରେ ରହୁଥିବା ପଶ୍ଚିମ ଓଡ଼ିଶାବାସୀ ପାଳିଲେ ନୂଆ ରୂପରେ 'ନୂଆଖାଇ ପର୍ବ'
ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ
  • News18 Odia
  • Last Updated: August 23, 2020, 6:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ରାଜଧାନୀରେ ନୂଆଖାଇର ନୂଆ ରୂପରେ ଝଲକ ଦେଖିବାକୁ ମିଳିଛି । ନୂଆଖାଇ ପରମ୍ପରା ଅନୁଯାୟୀ ଲଗ୍ନ ସମୟରେ ନୂଆ ଖାଇଛନ୍ତି ଭୁବନେଶ୍ୱରରେ ରହିଥିବା ପଶ୍ଚିମ ଓଡିଶା ବାସିନ୍ଦା । ନୂଆ ଖାଇଛନ୍ତି ସତ କିନ୍ତୁ କରୋନା କଟକଣା ଯୋଗୁଁ ଭେଟଘାଟ ହୋଇ ପାରିନଥିଲା । କରୋନା କଟକଣା ପାଇଁ କେବଳ ପରିବାରର ଚାରି ପାଞ୍ଚ ଜଣଙ୍କ ଭିତରେ ପରମ୍ପରା ପାଳନ ହୋଇଛି । ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ଦିନ କୁହା ଯାଉଥିବା ଏହି ଦିନରେ ଯିଏ ଯେଉଁଠି ଥିଲେ ବି ଦିନ ସମସ୍ତେ ଏକାଠି ହୋଇଥାନ୍ତି । ଏବଂ ଏହି ମିଳାମିଶା ସମୟରେ ନୂଆ ଖାଇବା ସହ ଉତ୍ସବର ଆସର ଜମିଥାଏ କିନ୍ତୁ କରୋନା ମହାମରୀ ଯୋଗୁଁ ଏଥର ସବୁ କିଛି ଫିକା ପଡିଛି ।

କୋଭିଡ଼ କଟକଣା ଓ କୋରନା ଠାରୁ ଦୂରରେ ରହିବା ପାଇଁ ନୂଆଖାଇ ଭିନ୍ନ ତରିକାରେ ପାଳନ ହୋଇଛି । ରାଜଧାନୀରେ ରହୁଥିବା ପଶ୍ଚିମ ଓଡ଼ିଶାର କିଛି ବାସିନ୍ଦା ଯାଇ ପାରିନାହାନ୍ତି ନିଜ ନିଜ ଗାଁ କୁ। ଅନେକ ବି ବ୍ୟସ୍ତ ବହୁଳତା ଭିତରେ ଭୁବନେଶ୍ୱରରେ ରହି ଏଠାରେ ପାଳନ ନୂଆଖାଇ କରିଛନ୍ତି । ଏହା ଗଣ ପର୍ବ ହୋଇଥିବାରୁ କୋଭିଡ଼ ନିୟମକୁ ମାନି ପରିବାର ଭିତରେ ସୀମିତ ହୋଇଛି ଆଜିର ନୂଆଖାଇ ପର୍ବ।

ଟଙ୍କପାଣି ନିକଟ ରଙ୍ଗ ବଜାରରେ ରହୁଥିବା ସମାଜ ମଙ୍ଗଳ ବୋର୍ଡ଼ର ପୂର୍ବତନ ଅଧ୍ୟକ୍ଷା ମଧ୍ୟ ନିଜ ପରିବାର ସହିତ ନୂଆଖାଇ ପାଳନ କରିଛନ୍ତି । ପ୍ରଥମେ ଠାକୁରଙ୍କ ପାଖରେ ଧୂପ, ଦୀପ, ନୈବେଦ୍ୟ ଦେଇ ପରେ ନବାନ୍ନ ଲାଗି କରିଥିଲେ । ମା ସମେଲେଶ୍ୱରୀ, ଇଷ୍ଟ ଦେବୀ, କାଳିଆ ଠାକୁରଙ୍କ ପାଖରେ ଚାଉଳ ଖିରି ଓ ପିଠା ଭୋଗ ବି ହୋଇଥିଲା। ସମସ୍ତେ ପିନ୍ଧିଥିଲେ ନୂଆ ପୋଷାକ, ଘରର ମୁରବୀଙ୍କ ଠାରୁ ମଧ୍ୟ ଆଶିର୍ବାଦ ନେବା ସହ ପରସ୍ପରକୁ ଶୁଭେଚ୍ଛା ବି ଜଣାଇଥିଲେ। ତା ପରେ ଲାଗି ହୋଇଥିବା ଭୋଗକୁ ସମସ୍ତେ ଖାଇଥିଲେ ।

"ବର୍ଷସାରା ଏହି ଦିନକୁ ଅପେକ୍ଷା ଥାଏ । ଯିଏ ଯେଉଁଠି ଥିଲେ ବି ନୂଆଖାଇ ଦିନ ଏକାଠି ହୋଇଥାଉ। ମିଳିମିଶି ପୂଜାର୍ଚ୍ଚନା ସହ ନୂଆ ଖାଇଥାଉ। ହେଲେ ଏଥର ଆଉ ଏକାଠି ହେବାର ସ୍ଥିତି ନାହିଁ। କରୋନା ପାଇଁ କଟକଣା ରହିଛି। ସୁରକ୍ଷା ଦୃଷ୍ଟିରୁ ଆମେ ତାକୁ ମାନି ଘରେ ରହି ନୂଆଖାଇ ପାଳନ କରୁଛୁ," କହିଛନ୍ତି ସମାଜ ମଙ୍ଗଳ ବୋର୍ଡ଼ର ପୂର୍ବତନ ଅଧ୍ୟକ୍ଷା ନିବେଦିତା ନାୟକ ।

"ସମସ୍ତଙ୍କୁ ଗୋଟିର ଡୋରିରେ ବାନ୍ଧି ରଖେ ଏହି ଗଣାପର୍ବ ନୂଆଖାଇ । ମାସେ ଆଗରୁ ପ୍ରସ୍ତୁତି ଆରମ୍ଭ ହୁଏ । ଜଙ୍ଗଲରୁ ଶାଳ ପତ୍ର ଆସେ । ନୂଆ ଖାଇବା ଅପେକ୍ଷା ବେଶୀ ଆନନ୍ଦ ଉତ୍ସବକୁ ନେଇ କୀର୍ତ୍ତନ ଚାଲେ, ପାରପମ୍ପରିକ ଖେଳ ହୁଏ । ବହୁ ବିବାଦର ସମାଧାନ ହେଇଯାଏ ଏହି ଗଣପର୍ବରେ । ଏହି ଦିନ ୭ ତିଅଣ ୯ ଭଜା ହୁଏ," କହିଛନ୍ତି ସିନେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି, ''ପୂର୍ବ ରାତିରୁ ଘରର ବୋହୁମାନେ ରାତି ସାରା ଅନିଦ୍ରା ରହି ପିଠାପଣା କରନ୍ତି । ଲଗ୍ନ ସମୟରେ ସମସ୍ତେ ମିଶିକି ପ୍ରଥମେ ନୂଆ ଖାଆନ୍ତି । ତା ପରେ ଠାକୁରଙ୍କ ଆଶୀର୍ବାଦ ନେବା ସହ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ନିଅନ୍ତି । ଏବେ ଖାଲି ବିଧି ପାଳନ ହେଉଛି । କିନ୍ତୁ ସେ ଆନନ୍ଦ କେଉଁଠି ହଜି ଯାଇଛି । ତେବେ ବିପତ୍ତି ପଡ଼ିଛି, ସମସ୍ତଙ୍କୁ ମାନିବାକୁ ପଡ଼ିବ''।

"ଦୁଃଖ ଲାଗୁଛି ଏଥର । କରୁଣା ହୀନ କରୋନା ସବୁ ଖୁସି ସାରିଦେଇଛି । କେହି ପାଖରେ ନାହାନ୍ତି । ନୂଆ ଚାଉଳ ଆଣି ରାନ୍ଧିକି ଖାଇଲୁ । କୁଆଡେ ଯାଇ ପାରିଲୁନି କି କେହି ବି ଆସି ପାରିଲେନି," କହିଛନ୍ତି ସବ୍ୟସାଚୀ ମହାପାତ୍ରଙ୍କ ପତ୍ନୀ ଶ୍ୱେତପଦ୍ମା ମହାପାତ୍ର ।

ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଓ ଏଥିରେ ସମସ୍ତେ ସାମିଲ ହୋଇଥାନ୍ତି । ଆନନ୍ଦର ସହ ନୂଆଖାଇ ଭେଟଘାଟର ଆସର ଜମିଥାଏ । କିନ୍ତୁ କରୋନା ମହାମାରୀ ପାଇଁ ପ୍ରଭାବିତ ହୋଇଛି ଏହି ଗଣପର୍ବ ।
Published by: Jagdish Barik
First published: August 23, 2020, 6:50 PM IST
corona virus btn
corona virus btn
Loading