ଜଗନ୍ନାଥ ଦର୍ଶନ ତ ହେଲା ନାହିଁ, ଏବେ ଘର ଠୁଁ ଦୂର ଖୋଲା ଆକାଶ ତଳେ କଟୁଛି ଜୀବନ

ଅଢ଼େଇ ବର୍ଷର ପୁଅର ମାନସିକ ପୂରଣ ପାଇଁ ପଶ୍ଚିମ ବଙ୍ଗର ମେଦିନୀପୁରରୁ ଜଗନ୍ନାଥ ଧାମ ପୁରୀ ବାହାରିଥିବା ଏହି ପରିବାରର ଦଶ ଜଣ ଲୋକ ଏବେ ଭୁବନେଶ୍ୱର ରେଳ ଷ୍ଟେସନ ପରିସରରେ କାଳ କାଟୁଛନ୍ତି ।

ଜଗନ୍ନାଥ ଦର୍ଶନ ତ ହେଲା ନାହିଁ, ଏବେ ଘର ଠୁଁ ଦୂର ଖୋଲା ଆକାଶ ତଳେ କଟୁଛି ଜୀବନ
ମାହାଲି ପରିବାରର ସଦସ୍ୟମାନେ ଲକଡାଉନ୍ ଖୋଲିବାକୁ ଚାହିଁ ରହିଛନ୍ତି ।
  • News18 Odia
  • Last Updated: April 17, 2020, 7:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡାଉନ ଯୋଗୁଁ ଅଧା ରାସ୍ତାରେ ଅଟକିଛି ଜଗା ଦର୍ଶନ l ଅଢେଇ ବର୍ଷର ପୁଅ ପାଇଁ ବାପାମା କରିଥିଲେ ମାନସିକ l ପୁରୀ ଯାଇ ଜଗା ଦର୍ଶନ କରିବେ, ପୁଅର ଜନ୍ମ ଚୁଟି ପକାଇବେ l ସେଥିପାଇଁ ପଶ୍ଚିମ ବଙ୍ଗ ମେଦିନୀପୁରରୁ ପୁଅକୁ ନେଇ ଜଗା ପାଖକୁ ଆସୁଥିଲେ l ହେଲେ ଲକଡାଉନ ଯୋଗୁ ଅଧାରେ ଅଟକି ରହିଛି ଜଗା ଦର୍ଶନ l ଭୋକ ଉପବାସରେ ଭୁବନେଶ୍ଵର ରେଳ ଷ୍ଟେସନ ପରିସରରେ କଟୁଛି ସେମାନଙ୍କ ଜୀବନ l

ଲକଡାଉନ ଯୋଗୁଁ ସାରା ଦେଶରେ ବନ୍ଦ ରହିଛି  ବସ, ଟ୍ରେନ ଓ ବିମାନ ଯାତ୍ରା l ଯିଏ, ଯେମିତି ଓ ଯେଉଠି ଅଛି ସେଇଠୁ ଆଉ ଆଗକୁ ବଢି ପାରୁନି l ଅଖ ବନ୍ଦ ଚକ ବନ୍ଦ l ଯାହାର ପ୍ରଭାବ ଏବେ କିଛି ଯାତ୍ରୀଙ୍କ ଉପରେ ପଡିଛି l

ପଶ୍ଚିମ ବଙ୍ଗ ମେଦିନୀପୁର ଜିଲ୍ଲାର ମହିଧରା ଗ୍ରାମର ଏହି ପରିବାରର ୧୦ ଜଣ ସଦସ୍ୟ ଏବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ନ ପାରି ଅଧl ରାସ୍ତାରେ କଲବଲ ହେଉଛନ୍ତି l ଅଢେଇ ବର୍ଷର ପୁଅ ସନ୍ଦିପ ମହାଲିକର ମାନସିକ ପୂରଣ ପାଇଁ ଜଗନ୍ନାଥ ଧାମ ବାହାରିଥିଲେ ବାପା ମା l ସାଙ୍ଗରେ ବଡ ବାପା, ବଡ ମା ଏବଂ ସେମାନଙ୍କ ପୁଅ ଝିଅ l ଲକ ଡାଉନ ପୂର୍ବଦିନ ପରିବାରର ୧୦ ଜଣ ସଦସ୍ୟ ପୁରୀ ଅଭିମୁଖେ ବାହାରିଥିଲେ l ମେଦିନୀପୁରରୁ ବସିଥିଲେ ସିଆଲଦା-ପୁରୀ ଏକ୍ସପ୍ରେସ ଟ୍ରେନରେ l ମନରେ ଆଶା ରଖିଥିଲେ ଜଗା ଦର୍ଶନ କରି ପୁଅର ମାନସିକ  ପୂରଣ ହେବ l ହେଲେ କରୋନା ଭାଇରସ ସଂକ୍ରମଣ ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରିବା ପରେ ଟ୍ରେନ ଆସି ଅଟକିଯାଇଥିଲା ଭୁବନେଶ୍ଵର ଷ୍ଟେସନରେ l ଆଉ ଆଗକୁ ବଢି ନଥିଲା ଟ୍ରେନ l

‘‘ଟ୍ରେନ ଚଳାଚଳ ଠପ୍ ହେବା ଯୋଗୁଁ ଲକଡାଉନ ଆରମ୍ଭ ହେବା ଦିନ ଠାରୁ ଏହି ବସ ଷ୍ଟାଣ୍ଡରେ କଟୁଛି ଆମ ଜୀବନ l ପାଖରେ ଥିବା କିଛି ଅର୍ଥ ଖର୍ଚ୍ଚ ହୋଇଗଲାଣି l ଏଠି ୪୧ ଡିଗ୍ରୀ ତାପମାତ୍ରାରେ ଖୋଲା ଆକାଶ ତଳେ ସାନ ପିଲାଙ୍କୁ ନେଇ ଅତି କଷ୍ଟରେ ସମୟ କଟୁଛି,’’ କହିଛନ୍ତି ସନ୍ଦୀପର ମାଆ ସାଞ୍ଚାଳି ମାହାଲି l

ସନ୍ଦୀପକୁ ଧରିଛନ୍ତି ତା’ ବଡ଼ବାପା ରାଜେଶ ମାହାଲି l


ଲକଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ଥିବାରୁ ପିଲାଙ୍କ ପେଟରେ ଦାନl ଦେବା ସମ୍ଭବ ହେଉନି l କେବଳ ଦିନକୁ ଦୁଇ ଓଳି ବିଏମସି କିମ୍ବା କିଛି ସ୍ଵେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବଣ୍ଟାଯାଉଥିବା ରନ୍ଧା ଖାଦ୍ୟରେ ପେଟ ପୁରୁଛି l ଭୋକର ଜ୍ବାଳା ଭିତରେ କେମିତି ସଫାସୁତୁରା ରହିବେ, କେମିତି ସାମାଜିକ ଦୂରତା ପାଳନ କରିବେ ତାହା ସମ୍ଭବ ହେଉନି l ନା ପାଖରେ ହାତ ଧୋଇବାକୁ ସାବୁନ ଅଛି ନା ସାନିଟାଇଜର ନା ମାସ୍କ l

ଗୋଟେ ପଟେ ମହିମାରୀ କରୋନା ଭୟ, ଅନ୍ୟ ପଟେ ଭୋକରେ ଆଉଟୁ ପାଉଟୁ ପରିବାର l ଏହାରି ଭିତରେ ଜଗା ଦର୍ଶନର ଆଶା ମଉଳିନି ତାଙ୍କ ମନରୁ l

‘‘ଲକଡାଉନ ସରିବା ପରେ ଆମେ ପୁରୀ ଯିବୁ । ଜଗନ୍ନାଥଙ୍କ ଦର୍ଶନ କରି ପୁଅର ଜନ୍ମ ଚୁଟି ପକାଇବୁ । ଆମ ମନରେ ଦୃଢ ଆଶା ଅଛି,’’ କହିଛନ୍ତି ସନ୍ଦୀପର ବଡ଼ବାପା ରାଜେଶ ମାହାଲି l

ମାହାଲି ପରିବାର ଭଳି ଆହୁରି ଅନେକ ଲୋକ ଭୋକ ଉପବାସରେ ଖୋଲା ଆକାଶ ତଳେ ପଡି ରହିଛନ୍ତି ବସ ଷ୍ଟାଣ୍ଡରେ l ସେମାନେ ଚାହିଁ ରହିଛନ୍ତି ଲକଡାଉନ ପରେ କେବେ ଚାଲିବ ଟ୍ରେନ ଓ ବସ ସେବା ଆଉ ସେମାନେ ଫେରିବେ ନିଜ ନିଜ ଭିଟାମାଟିକୁ l
First published: April 17, 2020, 7:09 PM IST
corona virus btn
corona virus btn
Loading