ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା: ଜାତୀୟ ରାଜନୀତିକୁ ପ୍ରଭାବିତ କରିବାର ସମ୍ଭାବନା ?

ମମତାଙ୍କ ସହ ନବୀନଙ୍କ ଭେଟ, ସଂଘୀୟ ବ୍ୟବସ୍ଥା ଓ ଗଣତାନ୍ତ୍ରିକ ଅଧିକାର ଉପରେ ଆଲୋଚନା କେନ୍ଦ୍ର ବିରୋଧରେ ଏକ କଡ଼ା ଅଭିମୁଖ୍ୟର ଇଶାରା ଦେଉଛି ।

ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନାକୁ ନେଇ ଚର୍ଚ୍ଚା: ମୋଦିଙ୍କ ଆଡ଼କୁ ଇଶାରା !

ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନାକୁ ନେଇ ଚର୍ଚ୍ଚା: ମୋଦିଙ୍କ ଆଡ଼କୁ ଇଶାରା !

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (cm naveen patnaik) ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ରାଜନୈତିକ ସମୀକରଣ ଦୃଷ୍ଟିରୁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ଆଲୋଚନା କରାଯାଉଛି । ଏକ ସୌହାର୍ଦପୂର୍ଣ୍ଣ ଆଲୋଚନା ପରେ ନବୀନ କହିଛନ୍ତି ମମତା ଓଡ଼ିଶା ଆସିଥିବାରୁ ସେ ଖୁସି ଏବଂ ପଡ଼ୋଶୀ ରାଜ୍ୟ ଭାବେ ଖୁବ ଭଲ ସଂପର୍କ (relation) ରହିଛି । କିନ୍ତୁ ରାଜନୈତିକ ସମୀକରଣ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ନବୀନ କହିଥିଲେ ସଂଘୀୟ ବ୍ୟବସ୍ଥା ସ୍ଥିର ରହିବା ଦରକାର ଏବଂ ସୁଦୃଢ଼ ରହିବା ଦରକାର । ନବୀନଙ୍କ ଏହି ମନ୍ତବ୍ୟକୁ ରାଜନୈତିକ ଦୃଷ୍ଟି କୋଣରୁ ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ବୋଲି ବିଚାର କରାଯାଉଛି । ସେପଟେ ମମତା କହିଛନ୍ତି ଅନ୍ୟାନ୍ୟ ପ୍ରସଙ୍ଗ ସହ ଗଣତାନ୍ତ୍ରିକ ଅଧିକାର ଉପରେ ଆଲୋଚନା ହୋଇଛି । ଦୁଇ ଗୁରୁତ୍ବପୂର୍ଣ୍ଣ ରାଜ୍ୟର ଦୁଇ ଶୀର୍ଷ ନେତାଙ୍କ ଏହି ମନ୍ତବ୍ୟ, ଜାତୀୟ ରାଜନୀତିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।

ନବୀନ ନିବାସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ଦୁଇ ଅପ୍ରତିଦ୍ବନ୍ଦୀ ନେତାଙ୍କ ଭିତରେ ଏହି ଆଲୋଚନା କେବଳ ରାଜ୍ୟ ନୁହେଁ ଜାତୀୟ ରାଜନୀତି (politics) ଉପରେ ବି ପ୍ରଭାବ ପକାଇବ । କାରଣ ନିର୍ବାଚନ ପାଖେଇ ଆସୁଛି ଏବଂ ମୋଦିଙ୍କ ବିରୋଧରେ ଲଢ଼ିବା ପାଇଁ ମମତା ବାନାର୍ଜୀ ଉଦ୍ୟମ ଆରମ୍ଭ କରିଛନ୍ତି । କିଛି ଦିନ ଆଗରୁ ସମଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ଭେଟିବା ପରେ ଏବେ ନବୀନଙ୍କ ସହ ଆଲୋଚନା । ସମସ୍ତଙ୍କ ନଜର ଥିଲା ଏହି ଦୁଇ ନେତା କ'ଣ ଆଲୋଚନା କରିବେ । କିଛି ସମୟ ପରେ ଉଭୟ ବାହାରକୁ ଆସିଥିଲେ ଏବଂ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ।

ପ୍ରଥମେ ନବୀନ ପଶ୍ଚିମବଙ୍ଗ ସହ ଓଡ଼ିଶାର ସଂପର୍କ ଏବଂ ଆତିଥ୍ୟ ଉପରେ କହିବା ପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ନବୀନ କହିଥିଲେ ଦେଶର ସଂଘୀୟ ବ୍ୟବସ୍ଥା ସ୍ଥିର ଏବଂ ସୁଦୃଢ଼ ରହିବା ଦରକାର । ଅର୍ଥାତ କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କ ମଧ୍ୟରେ ତାଳମେଳ ଓ ପରିଚାଳନା ଠିକ୍ ରହିବା ଦରକାର ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବୟାନ ବେଶ ଗୁରୁତ୍ବ ରଖୁଥିବା ବେଳେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । ମମତା କହିଛନ୍ତି ଜାତୀୟ ନିରାପତ୍ତା, ନାଗରିକ ସୁରକ୍ଷା ଓ ଗଣତାନ୍ତ୍ରିକ ଅଧିକାର ଉପରେ ଆଲୋଚନା ହେଲା ।

ମମତାଙ୍କ ରାଜନୈତିକ ଆଭିମୁଖ୍ୟକୁ ବିଶ୍ଳେଷଣ କଲେ ଜଣାପଡ଼େ ସେ ହେଉଛନ୍ତି ଜଣେ କଟ୍ଟର ମୋଦି ବିରୋଧୀ ନେତ୍ରୀ । ସାରା ଦେଶରେ ମମତା, ମୋଦିଙ୍କ ବିରୋଧରେ ମୋର୍ଚ୍ଚା ଖୋଲିବା ପାଇଁ ଉଦ୍ୟମ ଚଳାଇଛନ୍ତି । ନବୀନଙ୍କ ସହ ଆଲୋଚନା ବେଳେ ମଧ୍ୟ ଯେଉଁ ଗଣତାନ୍ତ୍ରିକ ଅଧିକାର ଓ ସଂଘୀୟ ବ୍ୟବସ୍ଥା କଥା ଉଠିଛି ତାହା ମୋଦିଙ୍କ ଆଡ଼କୁ ଇଶାରା କରୁଛି ।

ଏପଟେ ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଯୋରଦାର ବାକ୍‌ଯୁଦ୍ଧ ଚାଲିଛି । ଏଭଳି ସ୍ଥିତିରେ ମମତାଙ୍କ ସହ ନବୀନଙ୍କ ଭେଟ, ସଂଘୀୟ ବ୍ୟବସ୍ଥା ଓ ଗଣତାନ୍ତ୍ରିକ ଅଧିକାର ଉପରେ ଆଲୋଚନା କେନ୍ଦ୍ର ବିରୋଧରେ ଏକ କଡ଼ା ଅଭିମୁଖ୍ୟର ଇଶାରା ଦେଉଛି ।

https://www.youtube.com/watch?v=kuDt86xrwJw
Published by:Soubhagya Mishra
First published: