News 18 Odia Digital
ବୌଦ୍ଧ: ବୁଣାକାର ହାଟ (Weaver Hut) । ନାଁଟା ଜାଣିବା ପରେ ଆପଣ ଠିକ ଅନୁମାନ କରିପାରୁ ନ ଥିବେ ଏହି ହାଟର ରୂପରେଖ । ପ୍ରକୃତରେ ବୁଣାକାର ହାଟ ହେଲା ଯେଉଁ ହାଟରେ ବୁଣାକାରମାନେ ସେମାନଙ୍କ ହାତ ତିଆରି ଶାଢ଼ି ଆଣି ବିକନ୍ତି । ଗତ ୫ ମାସ ହେଲାଣି ବୌଦ୍ଧରେ ବସୁଛି ବୁଣାକାର ହାଟ । ୨୦୨୨, ନଭେମ୍ବରରେ ଏହି ହାଟକୁ ଲୋକାର୍ପିତ କରିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ ଅମାତ (mla pradeep amat) । ଏହି ହାଟ ବୁଣାକାରମାନଙ୍କ ହସ୍ତତନ୍ତ ସାମଗ୍ରୀ ବିକ୍ରିବଟା ପାଇଁ ବଡ଼ କ୍ଷେତ୍ର ସୃଷ୍ଟି କରିବା ସହ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ଯଥେଷ୍ଟ ସହାୟକ ହୋଇଛି ।
ପ୍ରତି ରବିବାର ବୌଦ୍ଧରେ ବସୁଛି ଏହି ବୁଣାକାର ହାଟ । ରାଜ୍ୟର ଦ୍ବିତୀୟ ସର୍ବବୃହତ ଏହି ବୁଣାକାର ହାଟରେ ବିକ୍ରି ହୁଏ ବୁଣାକାରଙ୍କ ହାତ ତିଆରି ଭଳିକି ଭଳି ବସ୍ତ୍ର । କେବଳ ବୌଦ୍ଧ ନୁହଁନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ୫୦୦ରୁ ଅଧିକ ବୁଣାକାର ବ୍ୟବସାୟୀ ଏହି ହାଟକୁ ଆସି ସେମାନଙ୍କ ପସରା ମେଲାଇ ଥାଆନ୍ତି । ବିଶେଷ କରି ଏହି ବୁଣାକାର ହାଟକୁ ଲୋକମାନେ ସମ୍ବଲପୁରୀ ଓ ଖଣ୍ଡୁଆ ପାଟ କିଣିବାକୁ ଅଧିକ ଆଗ୍ରହ ଦେଖାଇ ଥାଆନ୍ତି । ଶାଢ଼ିର ଦାମ ଅତି କମ୍ରେ ୧୫ ଶହ ଟଙ୍କାରୁ ଆରମ୍ଭ କରି ୨୦, ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ବୁଣାକାରଙ୍କ ହାତ ତିଆରି ଶାଢ଼ି ସହ ବୌଦ୍ଧ ମନମୁଣ୍ଡାର ପ୍ରସିଦ୍ଧ ବୋଉଦିଆ ଗାମୁଛା ମଧ୍ୟ ଏହି ହାଟରେ ମିଳେ । ହାତ ପାଆନ୍ତାରେ ଉଚ୍ଚ ମାନର ହସ୍ତତନ୍ତ ସାମଗ୍ରୀ ମିଳୁ ଥିବାରୁ ଗ୍ରାହକମାନେ ବୁଣାକାର ହାଟରେ ପ୍ରବଳ ଭିଡ଼ ଲଗାନ୍ତି ।
ବୌଦ୍ଧ ଜିଲ୍ଲାରେ ମୋଟ ୩୧ଟି ବୁଣାକାର ସୋସାଇଟି ରହିଛି । ଯେଉଁଥିରେ ୮ ହଜାର ୭୭୩ ଜଣ ବୁଣାକାର ପଞ୍ଜୀକୃତ ରହିଛନ୍ତି । ବୁଣାକାରମାନଙ୍କୁ ବଜାର ସୁବିଧା ଯୋଗାଇବା ଲକ୍ଷ୍ୟ ନେଇ ବୌଦ୍ଧ ସହରରେ ଥିବା ବିଜୁ ପଟ୍ଟନାୟକ ଆଦର୍ଶ କୃଷି ବଜାର ପରିସରରେ ଏହି ବୁଣାକାର ହାଟ ବସାଯାଉଛି । ଏହି ହାଟ ପ୍ରତି ରବିବାର ସକାଳ ୬ଟାରୁ ଅପରାହ୍ନ ୩ଟା ଯାଏଁ ବସେ । ଏପଯ୍ୟନ୍ତ ଏଠାରେ ପ୍ରାୟ ୧୭୩୭ ଜଣ ବୁଣାକାର ୩ ଲକ୍ଷ ୫ ହଜାର ୬୪୨ ଟଙ୍କା ବ୍ୟବସାୟ କରିସାରିଥିବା ଏକ ହିସାବରୁ ଜଣାପଡ଼ିଛି । ଏହି ହାଟରୁ ବର୍ତ୍ତମାନ ସୁଦ୍ଧା ୧୯ ହଜାର ୫୫୦ ଜଣ ଗ୍ରାହକ ବସ୍ତ୍ର କିଣି ନେଇଛନ୍ତି । ଏହି ବଜାର ଦ୍ଵାରା ବୁଣାକାର ଓ ଗ୍ରାହକଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଭାବେ ବ୍ୟବସାୟ ହେଉଥିବାରୁ ଠକାମିର ସମ୍ଭାବନା ଆଦୌ ନାହିଁ କହିଲେ ଚଳେ ।
ଏହି ଖବର ପଢ଼ନ୍ତୁ -
http://Happy holi: ନିଶା ମହାରଣାଙ୍କ ସହ ରଙ୍ଗ ଖେଳିଲେ ସୁର ରାଉତରାୟବରଗଡ଼ର ବାଲଜୁରୀରେ ରହିଛି ରାଜ୍ୟର ପ୍ରଥମ ବୁଣାକାର ହାଟ । ପାଖାପାଖି ୨୫ ବର୍ଷ ଧରି ଚାଲୁଥିବା ସେହି ବୁଣାକାର ହାଟରେ କୋଟି କୋଟି ଟଙ୍କାର ବ୍ୟବସାୟ ହେଉଛି । ରାଜ୍ୟର ଦ୍ବିତୀୟ ବୁଣାକାର ହାଟ ଭାବେ ବୌଦ୍ଧର ଏହି ସାପ୍ତାହିକ ହାଟ ବୁଣାକାରମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ଏକ ବଡ଼ ଭୂମିକା ତୁଲାଇ ଆସୁଛି ।
ରିପୋର୍ଟ- ଶାଶ୍ବତ ଦାଶ
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।