News 18 Odia Digital
ଭୁବନେଶ୍ୱର: ଆଜି ବି ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଶିଝିଲା ସାରା ରାଜ୍ୟ । ବାରିପଦା (baripada) ପୁଣି ହେଲା ରାଜ୍ୟର ସବୁଠୁ ଉତ୍ପତ୍ତ ସହର, ଆଉ ବିଶ୍ବର ଚତୁର୍ଥ । ବାରିପଦାର ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ କରାଯାଇଛି, ଯାହା ରାଜ୍ୟର ସର୍ବାଧିକ । ଆଜି ରାଜ୍ୟର ୨୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବୌଦ୍ଧର ତାପମାତ୍ରା ୪୩.୫, ନୂଆପଡ଼ାରେ ୪୩.୫ ଓ ଝାରସୁଗୁଡ଼ାରେ ତାପମାତ୍ରା ୪୩.୪ ରହିଛି । ତାଳଚେର- ୪୩.୨, ସମ୍ବଲପୁର-୪୩.୨. ଟିଟିଲାଗଡ଼- ୪୩.୧, ବଲାଙ୍ଗିର- ୪୩.୦, ସୁନ୍ଦରଗଡ଼ ୪୨.୮, ଭବାନୀପାଟଣା ୪୨.୬, ରାଉରକେଲା ୪୨.୨, କଟକ ୪୧.୬ ଓ ଭୁବନେଶ୍ବରର ତାପମାତ୍ରା ୩୯.୯ ଡିଗ୍ରୀ ରେକର୍ଡ କରାଯାଇଛି ।
ଉପକୂଳରୁ ଉପାନ୍ତ, ପଶ୍ଚିମରୁ ଦକ୍ଷିଣ ସାରା ରାଜ୍ୟରେ ଗରମ ଅଣାୟତ୍ତ । ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ବା ତାଠାରୁ ଉପରେ ରହୁଛି । ଏଭଳି ସ୍ଥିତି ଆହୁରି ୪ ଦିନ ଅର୍ଥାତ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର (weather department) । ଆସନ୍ତା ୨୪ ଘଣ୍ଟାରେ ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ସମ୍ବଲପୁରର ଗୋଟିଏ ଦୁଇଟି ସ୍ଥାନରେ ହିଟ ୱେବ୍ (heat wave) ସ୍ଥିତି ରହିବ । ଯଦିଓ କାଳବୈଶାଖୀ ବର୍ଷା ଅପରାହ୍ନରେ କିଛି ସ୍ଥାନରେ ହେବ ହେଲେ ଅଧିକ ବର୍ଷା ହେବନାହିଁ । ଫଳରେ ତାପମାତ୍ରା ବିଶେଷ ହ୍ରାସ ପାଇବ ନାହିଁ । ୨୧ ତାରିଖ ପରେ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେବ ଏକ ଗୁରୁଚାପ ବଳୟ । ଯାହା ପ୍ରଭାବରେ ସାମୁଦ୍ରିକ ବାୟୁ ବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରିବ। ଫଳରେ ବର୍ଷାର ପରିମାଣ ବଢିବା ସହ ତାପମାତ୍ରା କିଛି ମାତ୍ରାରେ ହ୍ରାସ ପାଇବ । ବର୍ତ୍ତମାନ ଦକ୍ଷିଣ ଓ ଦକ୍ଷିଣ- ପଶ୍ଚିମ ଦିଗରୁ ପବନ ରାଜ୍ୟକୁ ପ୍ରବେଶ କରୁଛି । ଫଳରେ ତାପମାତ୍ରା ବୃଦ୍ଧି ପାଇଛି । ଏହାସହ ଉପକୂଳରେ ଆର୍ଦ୍ରତାର ପରିମାଣ ୪୦ ପ୍ରତିଶତ ରହୁଥିବାରୁ ଗରମ ସାଙ୍ଗକୁ ଗୁଳୁଗୁଳି ବ୍ୟତିବ୍ୟସ୍ତ କରୁଛି।
ସେପଟେ ବିଶେଷଜ୍ଞଙ୍କ ଆକଳନ ୨୦ ତାରିଖ ଯାଏ ପ୍ରବଳ ଖରା ହେବ । ଏମିତିକି ପଶ୍ଚିମ ଓଡ଼ିଶାରେ ତାପମାତ୍ରା (temperature) ୪୫ ଡିଗ୍ରୀ ଛୁଇଁପାରେ । ଦକ୍ଷିଣ ପଶ୍ଚିମ ଦିଗରୁ ଗରମ ବାୟୁ ପ୍ରବେଶ କରିବା ସହ ଜଳୀୟବାଷ୍ପ ବାୟୁମଣ୍ଡଳରେ କମ୍ ରହୁଛି । ଫଳରେ ଆଭ୍ୟନ୍ତରୀଣ ସହ ଉପକୂଳରେ ବି ଟାଣ ଖରା ସହ ଗରମ ଅନୁଭୂତ ହେଉଛି।
ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ମଙ୍ଗଳବାର ସକାଳ ସୁଦ୍ଧା ୬ ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି । ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଏହି ଖବର ପଢ଼ନ୍ତୁ -
ମଦ୍ୟପ ବ୍ୟକ୍ତିଙ୍କ କାରଣରୁ ମତେ ସିନେମା ଅଫର ମିଳୁନଥିଲା- କୋଏଲ ବାନାର୍ଜୀନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।