News 18 Odia Digital
ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି ଅସହ୍ୟ ତାତି (heat wave)। ଆକାଶରୁ ଅଗ୍ନିବର୍ଷା ହେବାପରି ଲାଗୁଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର (weather department) କହିଛି, ଆଗାମୀ ୪ ଦିନ ଆହୁରି ୩ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା (temperature) । ୧୩ରୁ ୧୫ ତାରିଖ ଯାଏ ରାଜ୍ୟରେ ପ୍ରବଳ ତାତି ହେବ । ଆଜି ଭୁବନେଶ୍ବର ସମେତ ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ୪୧.୬ ଡିଗ୍ରୀ ସହ ବାରିପଦା ପାଲଟିଛି ରାଜ୍ୟର ଉତ୍ତପ୍ତ ସହର । ସେପଟେ ହିଟ୍ ୱେଭ୍କୁ ନେଇ ସତର୍କତା (alert) ଜାରି କରାଯାଇଛି । ଦିନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
ଆସନ୍ତା ୪ ଦିନ ଯାଏ ପ୍ରବଳ ତାତି ଅନୁଭୂତ ହେବ । ୧୩, ୧୪ ଏବଂ ୧୫ ତାରିଖରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏଥିପାଇଁ ହିଟ୍ ୱେଭ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୩ ତାରିଖରେ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ପାଇଁ ହିଟୱେଭ ୱାର୍ଣ୍ଣିଂ ଜାରି କରିଯାଇଛି । ୧୪ ତାରିଖ ପାଇଁ ୬ ଜିଲ୍ଲା ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରକୁ ଜାରି ହୋଇଛି ହିଟ୍ ୱେଭ୍ । ସେହିପରି ୧୫ ତାରିଖ ପାଇଁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର ଅନୁଗୁଳ, ବୌଦ୍ଧ ଓ ଦେବଗଡ଼ ଜିଲ୍ଲାକୁ ହିଟୱେଭ ସତର୍କତା ଜାରି କରାଯାଇଛି । ଏଥିସହ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ରହିଛି ୪୦.୪ ଡିଗ୍ରୀ । ସେହିପରି ଲଗାତର ଦ୍ବିତୀୟ ଦିନ ପାଇଁ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଝାରସୁଗୁଡ଼ାର ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସମ୍ବଲପୁର ୪୦.୬ ଏବଂ ଭୁବନେଶ୍ବରର ତାପମାତ୍ରା ୪୦.୪ ଡିଗ୍ରୀ ରହିଛି ।
ଅସହ୍ୟ ତାତିରେ ସିଝୁଛି ସାରା ଓଡ଼ିଶା । ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ଶୁସ୍କ ବାୟୁ ପ୍ରବାହିତ ହେଉଥିବାରୁ ଆଗାମୀ ଦିନରେ ୩ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ନିହାତି ଜରୁରୀ ନଥିଲେ ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ବାହାରକୁ ଗଲେ ସାଙ୍ଗରେ ଛତା, ପାଣି ବୋତଲ ନେବା ସହ ଜୋତା ପିନ୍ଧିବାକୁ କୁହାଯାଇଛି । ଏଥିସହ ପ୍ରଚୁର ପରିମାଣରେ ପାଣି ପିଇବା ସହ ଓଆରଏସ, ତୋରାଣି, ଲେମ୍ବୁ ପାଣି, ଦହି, ପଇଡ଼ ପିଇବାକୁ ପରାମର୍ଶ ଦିଆଯାଇଛି । ବିଶେଷ କରି ଛୋଟ ଛୁଆ ଓ ବୟସ୍କ ବ୍ୟକ୍ତିଙ୍କ ଉପରେ ସ୍ବତନ୍ତ୍ର ନଜର ରଖିବାକୁ କୁହାଯାଇଛି ।
ଏପ୍ରିଲ ଦ୍ବିତୀୟ ସପ୍ତାହରୁ ରାଜ୍ୟରେ ଅସହ୍ୟ ହେଲାଣି ତାତି । ଉପକୂଳରୁ ଆଭ୍ୟନ୍ତରୀଣ ସବୁଠି ଗ୍ରୀଷ୍ମର ପ୍ରକୋପ ଦେଖିବାକୁ ମିଳିଛି । ଦିନ ୧୦ଟା ପରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡିଛି ।
ଏହି ଖବର ପଢ଼ନ୍ତୁ -
ଶବ ଖୋଜୁଛି ଠିକଣା... ଧୋକାଦେଲା କୋରିୟର ସଂସ୍ଥା !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।