News 18 Odia Digital
ଭୁବନେଶ୍ୱର; ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ୫ ଟି ସଚିବଙ୍କୁ ଭେଟିଲେ କୁଲତା ସମାଜ । ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ରେ ରହୁଥିବା କୁଲତା ସମାଜ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । କୁଲତା ସମାଜ ମା' ରାମଚଣ୍ଡୀଙ୍କ ଭକ୍ତ ହୋଇଥିବାରୁ ପୁରୀରେ ଉକ୍ତ ସମାଜ ପାଇଁ କଲ୍ୟାଣ ମଣ୍ଡପ ଓ ଧର୍ମଶାଳା ନିର୍ମାଣ ପାଇଁ ୨ ଏକର ଜାଗା ମାଗିଛନ୍ତି । ଏନେଇ ଲିଖିତ ଭାବରେ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଅବଗତ କରାଇଛନ୍ତି । ଦାବି ପତ୍ର ଗ୍ରହଣ କରିବା ସହିତ ଖୁବ୍ ଜଲଦି ଏନେଇ ସବୁ ପ୍ରକାର ବନ୍ଦୋବସ୍ତ କରାଯିବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କୁଲତା ସମାଜ କହିଛି ।
ଅଭିଭକ୍ତ ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ସୁନ୍ଦରଗଡ଼ ଓ ବୌଦ୍ଧ ଜିଲ୍ଲାର କିଛି ନିର୍ବାଚିତ ପ୍ରତିନିଧି ଓ ବୁଦ୍ଧିଜୀବୀ ଆଜି ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଭେଟିଛନ୍ତି । ଯେଉଁମାନେ ରାମଚଣ୍ଡୀ ଓ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆସିବେ ସେମାନେ ଏଠାରେ ରାତ୍ରି ରହଣି ସହିତ ସବୁ ପ୍ରକାର ସୁବିଧା ଆଗାମୀ ଦିନରେ ପାଇପାରିବେ । କେବଳ ସେତିକି ନୁହେଁ ଅନ୍ୟାନ୍ୟ ସାମାଜିକ ଓ ସାଂସ୍କୃତିକ କାର୍ଯକ୍ରମ ଏଠାରେ ହୋଇପାରିବ । ପଶ୍ଚିମ ଓଡ଼ିଶା , ଛତିଶଗଡ଼ ଓ ଝାଡ଼ଖଣ୍ଡରେ ରହୁଥିବା ମେହେର ସମାଜ ସଭାପତି ଓ କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି ।
ଏହା ସହିତ ଭୁବନେଶ୍ବରରେ ଗଙ୍ଗାଧର ମେହେରଙ୍କ ଏକ ପ୍ରତିମୂର୍ତ୍ତି ଓ ଭବନ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛି ମେହେର ସମାଜ । ସେଠାରେ ଗଙ୍ଗାଧରଙ୍କ ସ୍ମାରକୀ ସହିତ ପାଠାଗାର ରହିବ । ଭୁବନେଶ୍ବରରେ ୫୦ ଏକର ଜମି ଦେବା ପାଇଁ ଦାବି ପତ୍ରରେ ଉଲ୍ଲେଖ ହୋଇଛି । ଭବନ ନିର୍ମାଣ ଦ୍ୱାରା ଭୁବନେଶ୍ୱର ଆସୁଥିବା ମେହେର ସମାଜର ଲୋକେମାନେ ସେଠାରେ ସୁବିଧାରେ ରହିପାରିବେ । ବିଶେଷ କରି ଯେଉଁମାନେ ମେଡିକାଲ୍ କାମରେ ଆସୁଛନ୍ତି ସେମାନେ ସୁବିଧାରେ ରହିପାରିବେ । ସେମାନଙ୍କ ଦାବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସ୍ବଭାବ କବି ଗଙ୍ଗାଧର ମେହେର ଓଡିଆ ଜାତିର ଗର୍ବ ଓ ଗୌରବ । ତାଙ୍କର ଅନନ୍ୟ ସାରସ୍ବତ ପ୍ରତିଭା ଓଡିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଛି । ତାଙ୍କର କାଳଜୟୀ କୃତି କେବଳ ଓଡ଼ିଆ ନୂହେଁ ଭାରତୀୟ ସାହିତ୍ୟ ଜଗତରେ ଅକ୍ଷୟ କୀର୍ତ୍ତିମାନ ସ୍ଥାପନ କରିଛି । ଏହି ମହାନ କବିଙ୍କର ଶ୍ରାଦ୍ଧ ଶତବାର୍ଷିକୀ ଉପଯୁକ୍ତ ଭାବରେ ଆୟୋଜନ କରାଯିବା ସଂପର୍କରେ ନିଖିଳ ଓଡିଶା ମେହେର (ଭୁଲିଆ) ସମାଜର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଥିଲେ ।
ସ୍ବଭାବ କବିଙ୍କର ସ୍ମୃତିରେ ଭୁବନେଶ୍ବରରେ ଏକ ଭବ୍ୟ ଭବନ ନିର୍ମାଣ କରାଯିବା ସହିତ କବିଙ୍କର ଶ୍ରାଦ୍ଧ ଶତବାର୍ଷିକୀ ଓ ମହାସଭା ୨୦୨୪ରେ ଉପଯୁକ୍ତ ଭାବରେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିନିଧି ଦଳଙ୍କୁ ପ୍ରତିଶୃତି ଦେଇଥିଲେ । ଏଥିନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ ଯେ ୧୯୨୪ ମସିହାରେ ସ୍ବଭାବ କବି ମେହେର ସମାଜ (ଭୁଲିଆ)କୁ ସଂଗଠିତ କରି ବରପାଲିଠାରେ ଏକ ମହାସଭାର ଆୟୋଜନ କରିଥିଲେ । ଏହି ଭୁଲିଆ ସମାଜ ପରବର୍ତ୍ତୀ ସମୟରେ ନିଖିଳ ଓଡିଶା ମେହେର(ଭୁଲିଆ) ସମାଜରେ ପରିଣତ ହୋଇଥିଲା । ଓଡିଆ ଜାତିର ପ୍ରାତଃ ସ୍ମରଣୀୟ କବି ଗଙ୍ଗାଧର ମେହେରଙ୍କ ସ୍ମୃତି ରକ୍ଷା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜଧାନୀ ଭୁବନେଶ୍ବରର କଳିଙ୍ଗ ହସ୍ପିଟାଲ ଛକ, ବ୍ରହ୍ମପୁର ଓ ସମ୍ବଲପୁରରେ ମଧ୍ୟ କବିଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଇଛି । ଏତ୍ଦବ୍ୟତୀତ କବି ଗଙ୍ଗାଧର ମେହେରଙ୍କ ନାମରେ ୨୦୯୦ କୋଟି ଟଙ୍କାର Ganagadhar Meher Lift Canal system ଜଳସେଚନ ଯୋଜନାର କାମ ଚାଲିଛି ଏବଂ ଏହା ୨୦୨୩ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ।
ସେହିପରି ସମ୍ବଲପୁର ଗଙ୍ଗାଧର ମେହେର କଲେଜକୁ ୨୦୧୫ ମସିହାରୁ ଏକକ ବିଶ୍ବବିଦ୍ୟାଳୟର ମାନ୍ୟତା ଦିଆଯାଇଛି । ଶିକ୍ଷାର ପ୍ରସାର ନିମନ୍ତେ ୪୩୦ କୋଟି ଟଙ୍କାର Odisha Gangadhar Mehera Sikhya Manak Brudhi Yojana କାର୍ଯ୍ୟକାରୀ କରାଯାଉଛି । କବି ଗଙ୍ଗାଧର ମେହେରଙ୍କର ଅମ୍ଲାନ ସ୍ମୃତିକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଗତ ୨୦ ବର୍ଷ ମଧ୍ୟରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ପାଇଁ ପ୍ରତିନିଧି ଦଳ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।