ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଜଳାଶୟ ପ୍ରଦୂଷିତ ମାମଲା; ୨୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଜଳ ସମ୍ପଦ ବିଭାଗର ମୁଖ ଶାସନ ସଚିବ

ଜଳାଶୟ ପ୍ରଦୂଷିତ ମାମଲା; ୨୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଜଳ ସମ୍ପଦ ବିଭାଗର ମୁଖ ଶାସନ ସଚିବ

ପ୍ରଦୂଷଣର କାରଣ ଖୋଜିଵା ସହିତ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ ୨୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପରିବେଶବିତ ସ୍ବାଗତ କରିଛନ୍ତି।

ଜଳାଶୟ ପ୍ରଦୂଷିତ ମାମଲା; ୨୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଜଳ ସମ୍ପଦ ବିଭାଗର ମୁଖ ଶାସନ ସଚିବ
୨୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଜଳ ସମ୍ପଦ ବିଭାଗର ମୁଖ ଶାସନ ସଚିବ
  • News18 Odia
  • Last Updated: November 12, 2021, 12:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଭାଗରେ ଥିବା ଛୋଟ ବଡ଼ ଜଳାଶୟର ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି । ଏପରି ୫୫ଟି ଜଳାଶୟ ଚିହ୍ନଟ କରାଯାଇଛି । ଏହି ତାଲିକାରେ ପୋଖରୀଠାରୁ ଆରମ୍ଭ କରି ବଡ଼ ବଡ଼ ଜଳ ଭଣ୍ଡାର ଓ ହ୍ରଦ ରହିଛି । ବିଶେଷ କରି ପ୍ରଦୂଷିତ ଚିହ୍ନଟ ହୋଇଥିବା ଜଳାଶୟ ମଧ୍ୟରେ କଟକ ଜିଲ୍ଲା ବାଙ୍କୀର ଅଂଶୁପା ଓ ଏସ୍ତିଆ ପଟା, ଗଞ୍ଜାମ ଜିଲ୍ଲାର ଟାମ୍ପରା ହ୍ରଦ ଓ ଦାହା, ଖୋର୍ଦ୍ଧାର କାଞ୍ଜିଆ ହ୍ରଦ ଓ ପୁରୀର ଚିଲିକା ହ୍ରଦ ମଧ୍ୟ ରହିଛି।

ଏଗୁଡିକରେ ପ୍ରଦୁଷଣ ମାତ୍ରା ବଢ଼ିବା ପରିବେଷ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା କରାଯାଉଥିବା ବେଳେ ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ପ୍ରତି ମଧ୍ୟ ବିପଦ ବଢ଼ାଉଛି । ଏନେଇ ଜାତୀୟ ଗ୍ରୀନ ଟ୍ରିବୁନାଲ ମଧ୍ୟ ଉଦବେଗ୍ ପ୍ରକାଶ କରିଛନ୍ତି।

ଏହି ସବୁ ଜଳାଶୟର ପ୍ରଦୂଷଣ କାରଣ ସହିତ ଏହାକୁ ବିଶୁଦ୍ଧ କରିବା ଲାଗି ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ଲାଗି ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ୨୩ଟି ଜିଲ୍ଲାର ଜିଲ୍ଲାପାଳ ଓ ୬ଟି ବିଭାଗକୁ ଚିଠି ଲେଖିଛନ୍ତି ।

ଜଳାଶୟ ପ୍ରଦୂଷିତ ମାମଲା


ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ କହିଛନ୍ତି, "ସରାକାରଙ୍କରର ଆକ୍ସନ ପ୍ଲାନ୍ ହେବା ଦରକାର । ଚିଲିକା ବହୁତ୍ ଦିନରୁ ପ୍ରଦୂଷିତ ହେଲାଣି। । ପ୍ରଦୂଷଣର ମୁଖ୍ୟ କାରଣ ରାସାୟନିକ ପ୍ରକ୍ରିୟାରେରେ ହେଉଥିବା ଚିଙ୍ଗୁଡ଼ି ଚାଷ । ସରକାର ଘେରି ଭାଙ୍ଗିବା କଥା କହୁଥିଲେ ହିଁ ତାର ସ୍ଥାୟୀ ସମାଧାନ ହେଇ ପାରୁନାହିଁ। ସରକାର ଯେଉଁ ଚିଠି ଲେଖିଛନ୍ତି ତାକୁ ମୁଁ ସ୍ଵାଗତ କରୁଛି । ସରକାର ଆକ୍ସନ ପ୍ଲାନ୍ କରିବା ସହ ସ୍ଥାୟୀ ନିରାକରଣ ପାଇଁ ବ୍ୟବସ୍ଥା କରନ୍ତୁ" ।

ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଚିଠିରେ ଦର୍ଶାଇଛନ୍ତି ଯେ, ଏହି ୫୫ଟି ଜଳାଶୟ ମଧ୍ୟରୁ ୧୪ଟି ଜଳ ସମ୍ପଦ ବିଭାଗ ଅଧିନରେ ରହିଛି । ଏହି ସବୁ ଜଳାଶୟଗୁଡ଼ିକୁ ବ୍ୟକ୍ତିଗତ ଭାବେ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ଲାଗି ଦାୟିତ୍ବରେ ଥିବା ମୁଖ୍ୟ ଯନ୍ତ୍ରୀ ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଉ । ଏହା ସହ ଆବଶ୍ୟକ ସ୍ଥଳେ ଜଳାଶୟଗୁଡ଼ିକର ପୁନରୁଦ୍ଧାର, ଜଳ ଉତ୍ସ ଓ ମାନ, ପ୍ରଦୂଷଣର କାରଣ, ବ୍ୟବହାର ଇତ୍ୟାଦି ଉପରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି।

ଏଥି ଲାଗି ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁଗୁଳ, ବାଲେଶ୍ବର, ବରଗଡ, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, କଟକ, ଦେଓଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୁରଭଞ୍ଜ, ନୟାଗଡ, ପୁରୀ, ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଅବସର ପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ରମେଶ ତ୍ରପାଠୀ କହିଛନ୍ତି ଯେ ପ୍ରଦୂଷଣ ବଢ଼ିବା ସତ୍ୟ । କିନ୍ତୁ କାହିଁକି ପ୍ରଦୂଷଣ ବଢୁଛି ତା'ର କାରଣ ଖୋଜିବା ସହିତ ତା'ର ନିରାକରଣ କରାଇବା ଦରକାର। ଏଥି ପାଇଁ ଫଣ୍ଡର ବ୍ୟଵସ୍ତା କରିବା ଦରକାର। ଏହା ସ୍ଵାଗତ ଯୋଗ୍ୟ ପଦକ୍ଷେପ। କେବଳ ଏତିକି ନୁହଁ ,ନଦୀ ଗୁଡ଼ିକ ମଧ୍ୟ ଯେଉଁ ଭାବରେ ପ୍ରଦୂଷଣ ହେଉଛି ତା'କୁ ମଧ୍ୟ ରୋକିବା ଦରକାର।

ସେହିଭଳି ଏହି ୫୫ଟି ଜଳାଶୟ ମଧ୍ୟରୁ ଅନ୍ୟ ୪୧ଟି ବିଭିନ୍ନ ବିଭାଗ ଅଧିନରେ ରହିଛି । ପରିବେଶ ସୁରକ୍ଷା ସମ୍ପର୍କିତ ସମସ୍ୟା ହୋଇଥିବାରୁ ସମ୍ପ୍ରୃକ୍ତ ବିଭାଗର ଅଧିକାରୀମାନଙ୍କୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାକୁ ବିଭାଗୀୟ ମୁଖ୍ୟମାନଙ୍କୁ କୁହାଯାଇଛି । ଏପରିକି ପ୍ରତି ଜଳାଶୟ ପାଇଁ ପୃଥକ ପୃଥକ ଆକ୍ସନ ପ୍ଲାନ ପ୍ରଦାନ କରିବା ପାଇଁ ଗର୍ଗ ଚିଠିରେ ଉଲ୍ଲେଖ କରିଛନ୍ତି ।
Published by: Lipina Das
First published: November 12, 2021, 12:50 PM IST