ଗଜପତି ଜିଲ୍ଲା ଗିରା ଗାଁରେ ପାଣି ସମସ୍ୟା; ପାଣି ପାଇଁ ୨ କିଲୋମିଟର ପାହାଡ଼ ଚଢୁଛନ୍ତି ମହିଳା

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ପଞ୍ଚାୟତର ଗିରା ଗାଁ। ଏଠାରେ ୬୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା ୩୦୦ରୁ ଅଧିକ। ଏମାନଙ୍କ ପାଇଁ ଗୋଟିଏ ନଳକୂପ ରହିଛି। ସେହିଭଳି ଗ୍ରାଭିଟି ଫ୍ଲୋ ମାଧ୍ୟମରେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଗଜପତି ଜିଲ୍ଲା ଗିରା ଗାଁରେ ପାଣି ସମସ୍ୟା

ଗଜପତି ଜିଲ୍ଲା ଗିରା ଗାଁରେ ପାଣି ସମସ୍ୟା

  • Share this:
News18 Odia Digital

ପାରଳାଖେମୁଣ୍ଡି: ପ୍ରତ୍ୟେକ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାର ପ୍ରତିଶୃତିବଦ୍ଧ। ଏଭଳି ଘୋଷଣା କରିବା ସହ ରାଜ୍ୟ ସରକାର ବସୁଧା ଯୋଜନା ଆରମ୍ଭ କରିଛନ୍ତି। ହେଲେ ଆଦିବାସୀ ଅଧ୍ୟୁସିତ ଗଜପତି ଜିଲ୍ଲାରେ ଏହି ଯୋଜନା ବାଟ ହୁଡୁଥିବା ଭଳି ମନେ ହେଉଛି। ଜିଲ୍ଲାର ଜଳ ଯୋଗାଣ କାର୍ଯ୍ୟାଳୟ ପରିସରରେ ଶହ ଶହ ନଳକୂପର ଯନ୍ତ୍ରାଂଶ ପଡ଼ି ଖତ ଖାଉଥିବା ବେଳେ ଗାଁରେ ଲୋକେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୁମ୍ମା ବ୍ଲକ ଗିରା ଗାଁରେ। ଏଠାରେ ଲୋକେ ପାଣି ଟୋପାଏ ପାଇଁ ଦୁଇ କିଲୋମିଟର ପାହାଡ ପାର କରୁଛନ୍ତି।

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ପଞ୍ଚାୟତର ଗିରା ଗାଁ। ଏଠାରେ ୬୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା ୩୦୦ରୁ ଅଧିକ। ଏମାନଙ୍କ ପାଇଁ ଗୋଟିଏ ନଳକୂପ ରହିଛି। ସେହିଭଳି ଗ୍ରାଭିଟି ଫ୍ଲୋ ମାଧ୍ୟମରେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ହେଲେ ବର୍ତ୍ତମାନ କେବଳ ପାଣିଟାଙ୍କି ରହିଛି, କିନ୍ତୁ ତାହା ଆଉ ଲୋକଙ୍କ କାମରେ ଆସୁନାହିଁ।

ଅନେକ ସ୍ଥାନରେ ପାଇପ ଫାଟି ଯାଇଥିବାରୁ ପାଣି ଆସିବା ସମ୍ଭବ ହେଉନାହିଁ। ଗାଁରେ ଥିବା ଏକମାତ୍ର ନଳକୂପରେ ଦୁଇ ବାଲତି ବାହାରିଲେ ବଡ଼ କଥା। ତାହା ବି କଳଙ୍କି ପାଣି। ଯାହା ବ୍ୟବହାର ଉପଯୋଗୀ ନୁହେଁ। ତେଣୁ ଏଠାକାର ଲୋକେ ପାଣି ଟୋପାଏ ପାଇଁ ପ୍ରତିଦିନ ଦୁଇ କିଲୋମିଟର ପାହାଡ଼ ଚଢ଼ି ଯିବା ପରେ ବହିଯାଉଥିବା ଝରଣା ପାଣିକୁ କଦଳୀ ପଟ ସହାୟତାରେ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି। ଏହି ଚିତ୍ରକୁ ନଦେଖିଲେ କେହି ବିଶ୍ବାସ କରିପାରିବେ ନାହିଁ। ଉପରେ କୁକୁର ପାଣି ପିଉଥିବା ବେଳେ ତଳେ ସେହି ପାଣିକୁ ଆଦିବାସୀମାନେ ସଂଗ୍ରହ କରି ବ୍ୟବହାର କରୁଛନ୍ତି। ଲୋକେ ବାଧ୍ୟ ହୋଇ ଏହି ପାଣି ପିଉଛନ୍ତି। ଫଳରେ ଲୋକେ ବିଭିନ୍ନ ପ୍ରକାର ରୋଗରେ ପଡ଼ି ହସନ୍ତସନ୍ତ ହେଉଛନ୍ତି।

“ପାଣି ପାଇଁ ଗାଁ ଠାରୁ ଦୁଇ କିଲୋମିଟର ପାହଡ଼ ଚଢ଼ି ଯିବାକୁ ପଡୁଥିବାରୁ ଗାଁ ସାରା ଲୋକେ ଏକତ୍ରିତ ହୋଇ ସଂଗ୍ରହ କରିବା ପାଇଁ ଯାଇଥାନ୍ତି। ପିଲା ଠାରୁ ବୃଦ୍ଧା ଯାଏଁ ସବୁ ମହିଳା ମିଶି ପାଣି ଆଣିବା ପାଇଁ ଯାଉଛନ୍ତି। ସେହି ପାଣି ମଧ୍ୟ ସମସ୍ତଙ୍କୁ ମିଳିବାରେ କଷ୍ଟ ହେଉଛି। ପ୍ରବଳ ମାତ୍ରାରେ ଖରାକୁ ଦୁଇ କିଲୋମିଟରର ଚାଲି ବହୁତ କଷ୍ଟ ହେଉଛି ପାଣି ଆଣିବା ପାଇଁ। ଏହି ସମସ୍ୟାର ସମାଧାନ ପାଇଁ ଲୋକେ ବିଭିନ୍ନ ସ୍ତରରେ ବାରମ୍ବାର ଗୁହାରି କରିଆସୁଛନ୍ତି। ହେଲେ କେହି ବି ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି,” କହିଛନ୍ତି ଗାଁର ସୁରତୀ ମଣ୍ଡଳ।

“ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାର ଆରମ୍ଭ କରିଥିବା ବସୁଧା ଯୋଜନା ଏ ପର୍ଯ୍ୟନ୍ତ ଗାଁରେ ପହଁଚି ପାରିନାହିଁ। ଆମ ଗାଁରେ ଗ୍ରାଭିଡି ୱାଟର ସଂଯୋଗ ଅଛି ମାତ୍ର ତାର ପାଇପ ଗୁଡାକ ନଷ୍ଟ ହୋଇଯାଇଥଇବାରୁ ସେଥରେ ପାଣି ଆସୁନାହିଁ। ବାରମ୍ବାର ସରପଞ୍ଚ ଠାରୁ ବିଡିଓ ସମସ୍ତଙ୍କୁ ଗୁହାରି କରିଲେ ମଧ୍ୟ କେହି ହେଲେ ଶୁଣୁନାହଁନ୍ତି। କେବଳ ବିଶୁଦ୍ଧ ପାନୀୟ ଜଳ ନୁହେଁ, ଆଦିବାସୀଙ୍କ ବିକାଶ ପାଇଁ ମଧ୍ୟ ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଆମ ଗାଁରେ ଏପର୍ଯ୍ୟନ୍ତ କିଛି ହେଲେ ହୋଇନାହିଁ,’’ କହିଛନ୍ତି ଗାଁରେ ମାନୁଆଲ ମଣ୍ଡଳ।

ବିଭାଗୀୟ ଅଧିକାରୀ ତାଙ୍କ ନିକଟରେ କିଛି ଖବର ନଥିବା ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ତାଙ୍କ ନିକଟରେ କୌଣସି ଅଭିଯୋଗ ପହଞ୍ଚିନାହିଁ। ଏବେ ହିଁ ଏହି ଖବର ସେ ଶୁଣିଛନ୍ତି। ତେଣୁ ଏହି ସ୍ଥିତିରେ ସୁଧାର ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦାଶ କହିଛନ୍ତି।

ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଓ ଆଦିବାସୀଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୁମ୍ଭୀର କାନ୍ଧଣା କାନ୍ଦୁଛନ୍ତି। ହେଲେ ପ୍ରତିବର୍ଷ ଏଥିପାଇଁ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କା କେଉଁ ଆଡ଼େ ଯାଉଛି ତାହା ତଦନ୍ତ ସାପେକ୍ଷ।
Published by:Lipina Das
First published: