ଖସିଯିବାକୁ ଉଦ୍ୟମ କରୁଥିଲେ; ୪ ଗଞ୍ଜେଇ ଚାଲାଣକାରୀଙ୍କୁ ମାଡିବସିଲା ପୋଲିସ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ପୋଲିସ ଓ ଗଞ୍ଜେଇ ଚାଲାଣକାରୀଙ୍କ ମଧ୍ୟରେ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ତମାଣ୍ଡୋ ଥାନା ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ପୋଲିସକୁ ଦେଖି ବେଆଇନ ଗଞ୍ଜେଇ ଚାଲାଣକାରୀ ଗାଡ଼ିର ବେଗ ବଢାଇଥିଲେ । ଗାଡିର ବେଗ ବଢିବା ଦେଖି ପୋଲିସ ମନରେ ସନ୍ଦେହ ଉପୁଜିଥିଲା । ଏକ ଧଳା ରଙ୍ଗର ଫିଆଟ ଲିନେଆ କାରରେ ୨ଜଣ ମହିଳା ଏବଂ ୨ଜଣ ପୁରୁଷ ଖୋର୍ଦ୍ଧା ପଟୁ ଖଣ୍ଡଗିରି ଯାଉଥିବା ସମୟରେ ପୋଲିସ ଗାଡିକୁ ପିଛା କରି ତମାଣ୍ଡୋ ନିକଟ ହୁଣ୍ଡାଇ ଶୋରୁମ ନିକଟରେ ଅଟକାଇଥିଲେ ।
ପୂର୍ବରୁ ସନ୍ଦେହ ହୋଇଥିବାରୁ ପୋଲିସ ଟିମ ତୁରନ୍ତ କାରଟିକୁ ତଲାସି କରିଥିଲେ । ତଲାସି ସମୟରେ କାରରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା । ପରେ କାରରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରିଥିଲା । ପୋଲିସକୁ ଗଞ୍ଜେଇ ଚାଲାଣକାରୀମାନେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଫଳରେ ପୋଲିସ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ଜବତ ହୋଇଥିବା ଗଞ୍ଜେଇ କେଉଁଠୁ ଆସିଲା ଏବଂ କେଉଁ ସ୍ଥାନକୁ ଯାଉଥିଲା ସେନେଇ ତଦନ୍ତ ହୋଇଥିଲା । କନ୍ଧମାଳରୁ ଗଞ୍ଜେଇ ଆଣି ଭୁବନେଶ୍ୱରରେ ବିକ୍ରି କରୁଥିଲେ ଗିରଫ ହୋଇଥିବା ଅଭିଯୁକ୍ତ । ବିପୁଳ ଅର୍ଥ ଲାଭ ଲୋଭରେ ଏପରି କରୁଥିବା ଅଭିଯୁକ୍ତମାନେ ଦୋଷ ସ୍ୱୀକାର କରିଛନ୍ତି । ଜବତ ହୋଇଥିବା ଗଞ୍ଜେଇର ଓଜନ ପ୍ରାୟ ୫୧କେଜି । ଏଥିସହ ନଗଦ ୫ ହଜାର ଟଙ୍କା ସହ ୨ଟି ମୋବାଇଲକୁ ଜବତ କରିଛି ପୋଲିସ ।
ଜନସାଧାରଣମାନେ ମୋବାଇଲ, ଗାଡି, ସୁନା/ରୂପା ଗହଣା ଚୋରୀ, ଛିନତାଇ ତଥା ବେଆଇନ ନିଶା କାରବାର ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ନିମନ୍ତେ, ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।