News 18 Odia Digital
ବାଲେଶ୍ୱର; ଡିଆରଡିଓ ଅଧୀନରେ ଥିବା ଚାନ୍ଦିପୁର ବେଳାଭୂମିର ୧୪ କିଲୋମିଟର ଅଞ୍ଚଳରେ ହେବ ପାଚେରୀ ନିର୍ମାଣ । ପଥର ବନ୍ଧ ଓ ପାଚେରୀ ସହିତ ଝାଉଁ ବଣ ସୃଷ୍ଟି କରାଯିବା ନେଇ ପଦକ୍ଷେପ ନେଇଛି ପ୍ରତିରକ୍ଷା ବିଭାଗ । ଏନେଇ ଡିଆରଡିଓ ବିଭାଗର ବରିଷ୍ଠ ଅଧିକାରୀ ସମୂଦ୍ର କୂଳବର୍ତ୍ତି ଅଞ୍ଚଳ ପରିଦର୍ଶନ କରି ସ୍ଥତି ପରଖିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ରେମୁଣା ବିଧାୟକ ଚିଠି ମାଧ୍ୟମରେ ଅନୁରୋଧ ପରେ ସ୍ଥତି ପରଖିଛି ଡିଆରଡିଓ ।

ସୂଚନା ଅନୁସାରେ ଚାନ୍ଦିପୁରଠାରୁ ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳପଦା ପର୍ଯ୍ୟନ୍ତ ପ୍ରାୟ ୧୪ କିମି. ସମୁଦ୍ର ଉପକୂଳବର୍ତ୍ତି ଅଞ୍ଚଳ ରହିଛି । ଡିଆରଡିଓ ଅଧୀନରେ ଆସୁଥିବା ଏହି ଉପକୂଳବର୍ତ୍ତୀ ଅଞ୍ଚଳ ବର୍ଦ୍ଧନପୁର, ଜୟଦେବକସବା, ତୁଣ୍ଡରା, ଇଞ୍ଚୁଡ଼ି, ରସୁଲପୁର ଏବଂ ତାଳପଦା ପଞ୍ଚାୟତରେ ୫୦ ହଜାରରୁ ଉର୍ଦ୍ଧ୍ଵ ଲୋକ ବସବାସ କରନ୍ତି । ଏଠାରେ ଏବେ ବଡ଼ ସମସ୍ୟା ହେଉଛି ଏହି ଅଞ୍ଚଳ ସମୁଦ୍ରର ଉଚ୍ଚ ଜୁଆର ଓ ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ନିଜକୁ ରକ୍ଷା କରିବା ପାଇଁ ଅତ୍ୟନ୍ତ ଦୁର୍ବଳ ହୋଇ ପଡିଛି । ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ବନଖଣ୍ଡ ସମେତ ଉଚ୍ଚ ପଥର ବନ୍ଧ କିମ୍ବା ପାଚେରୀ ନଥିବାରୁ ସାଇକ୍ଲୋନ ବା ଉଚ୍ଚ ଜୁଆର ସମୟରେ ଲୋକମାନେ ଅନେକ ଦୁଃଖ ଦୁର୍ଦ୍ଦଶାର ଶିକାର ହେଉଛନ୍ତି ଏବଂ ନିଜର ଜୀବନଜୀବିକା ହରାଉଛନ୍ତି । ଏହି ଅଞ୍ଚଳ ଡିଆରଡିଓ ଅଧୀନରେ ଅଛି । କିଛି ଦିନ ତଳେ ଦେଶର ମାନ୍ୟବର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ମହୋଦୟଙ୍କୁ ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ସମୁଦ୍ରତଟର ବିକାଶ ମୂଳକ କାର୍ଯ୍ୟ କରିବା ପାଇଁ ଏକ ପତ୍ର ମାଧ୍ୟମରେ ଅନୁରୋଧ କେଇଥିଲେ ସ୍ଥାନୀୟ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା । ପତ୍ର ପାଇବା ପରେ ପ୍ରତିରକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଡିଆରଡିଓର ଲେଫ୍ଟନାଣ୍ଟ କର୍ଣ୍ଣେଲ ଶ୍ରୀ ଧର୍ମେନ୍ଦ୍ର ସିଂହଙ୍କ ସହିତ ଏକ ଟିମ ବାଲେଶ୍ୱର ଆସି ସ୍ଥାନୀୟ ବିଧାୟକଙ୍କ ସହିତ ଉକ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେହିପରି ସେସବୁ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରିବା ଏବଂ ରାସ୍ତାଘାଟ, ଉଚ୍ଚ ବନ୍ଧ ନିର୍ମାଣ କରିବା ପାଇଁ ସ୍ଥାନ ପରିଦର୍ଶନ କରିଛନ୍ତି ଟିମ ।
ତେବେ ଏନେଇ ବିଧାୟକ ସିଧାଂଶୁ କହିଛନ୍ତି , ମୋ ଅନୁରୋଧ ରକ୍ଷା କରି ଏହି ଅଞ୍ଚଳର ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟି ଗୋଚର କରିଥିବାରୁ ମାନ୍ୟବର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ମହୋଦୟଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି । ଆଶା ଅଛି ଆଲୋଚନା ହୋଇଥିବା ବିସ୍ତୃତ୍ୱ ବିଷୟରେ ପ୍ରତିରକ୍ଷା ବିଭାଗ ଶୀଘ୍ର ପଦକ୍ଷେପ ନେବ ଏବଂ ଏହି ଅଞ୍ଚଳବାସୀଙ୍କ ଦୁଃଖ ଶୀଘ୍ର ଦୂର ହୋଇପାରିବ। "
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।