ଭିସୁଟର ପାଇଁ ୨ ହଜାର କୋଟିର ଅନୁଦାନ; CMଙ୍କୁ କୃତଜ୍ଞତା ଜଣାଇଲା ଆଲୁମିନି ଆସୋସିଏସନ

ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ବା ଭିସୁଟର ରୂପାନ୍ତରଣ ପାଇଁ ୨ ହଜାର କୋଟି ଟଙ୍କା ଅନୁଦାନ ଓ ୧୦୦ ଏକର ଜମି ଘୋଷଣାକୁ ସ୍ୱାଗତ କରିଛି ଭିସୁଟ ଆଲୁମିନି ଆସୋସିଏସନ।

ଭିସୁଟର ପାଇଁ ୨ ହଜାର କୋଟିର ଅନୁଦାନ

ଭିସୁଟର ପାଇଁ ୨ ହଜାର କୋଟିର ଅନୁଦାନ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଭିସୁଟର ଉନ୍ନତି ପାଇଁ ରାଜ୍ୟ ସରକାର ୨ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା ସହ ଶହେ ଏକର ଜମି ପାଇଁ ଘୋଷଣା କରିଥିବାରୁ ଏହାକୁ ସ୍ୱାଗତ କରିଛି ଭିସୁଟ୍ ଆଲୁମିନି ଆସୋସିଏସନ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଏକ ଐତିହାସିକ ପ୍ରତିଶ୍ରୁତି ବୋଲି ଆଲୁମିନି ଆସୋସିଏସନ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ଆଲୁମିନି ଆସୋସିଏସନ ପକ୍ଷରୁ ଆହୁରି କୁହାଯାଇଛି, ‘‘୧୯୫୬ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଅନୁଷ୍ଠାନ ଆରମ୍ଭ ସମୟରେ ଏକାଡ଼େମୀକ୍ ବିଲ୍ଡିଂ ସହିତ ୪ଟି ହଷ୍ଟେଲ ନିର୍ମାଣ କରାଯାଇଥିଲା, ଯାହା ୩୦୦ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ପରବର୍ତ୍ତୀ ସମୟରେ ଗତ ୭ ଦଶନ୍ଧି ଭିତରେ ଏହି ଅନୁଷ୍ଠାନର ଭିତିଭୂମି ଓ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ଅନୁଷ୍ଠାନକୁ ବିଶ୍ୱସ୍ତରୀୟ କରିବା ପାଇଁ ଅନେକ ଉଦ୍ୟମର ଆବଶ୍ୟକତା ଥିଲା । ୧୯୮୧ ଓ ୧୯୮୭ ମସିହାରେ ଅଡ଼ିଟୋରିୟମ ନିର୍ମାଣ ସହିତ ଶିକ୍ଷାନୁଷ୍ଠାନର ୫ମ ହଷ୍ଟେଲ ନିର୍ମାଣ ପାଇଁ ବ୍ୟବସ୍ଥା ହୋଇଥିଲା। ପରେ ପରେ ଲାବ୍ରୋଟୋରି, ଲାଇବ୍ରେରୀ ଓ ଶିକ୍ଷାନୁଷ୍ଠାନର ମାନିଫ୍ୟାକ୍‌ଚରିଂ ସାଇନ୍ସ ଓ କମ୍ପ୍ୟୁଟର ସାଇନ୍ସ ପାଇଁ ୧୯୯୪ ମସିହାରେ ଅନ୍ୟ ଦୁଇଟି ହଷ୍ଟେଲ ମଧ୍ୟ ନିର୍ମାଣ କରାଯାଇଥିଲା। ତେବେ ୨୦୦୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସୁଟ୍ ଶିକ୍ଷାନୁଷ୍ଠାନର ଉନ୍ନତିକରଣ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ।’’

ଧୀରେ ଧୀରେ ଶିକ୍ଷାନୁଷ୍ଠାନର କଳେବର ବଢ଼ିବା ସହିତ ୨୦୦୯ ମସିହାରେ ଏହା ଏକ ଷ୍ଟେଟ୍ ୟୁନିଟାରୀ ୟୁନିଭର୍ସିଟିର ମାନ୍ୟତା ପାଇଥିଲା, ଯାହା ଭିସୁଟ୍ ଭାବେ ପରିଚିତ ହେଲା। ଏ ସଂକ୍ରାନ୍ତୀୟ ସହମତି ପ୍ରସ୍ତାବ ରାଜ୍ୟ ବିଧାନସଭାରେ ପ୍ରାରିତ ହୋଇଥିଲା। ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫ ହଜାର ଟପିଥିଲେ ମଧ୍ୟ ନୂଆ ଶ୍ରେଣୀଗୃହ, ଲାବ୍ରୋଟୋରୀ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଆରମ୍ଭରୁ ମାତ୍ର ୩୦୦ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଏହି ଅନୁଷ୍ଠାନରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଥିଲେ ମଧ୍ୟ ସେହି ଅନୁସାରେ ଆନୁସଙ୍ଗିକ ବ୍ୟବସ୍ଥା ହୋଇପାରିନଥିଲା।

୨୦୧୮ ମସିହାରେ ଏହି ଶିକ୍ଷାନୁଷ୍ଠାନ ହିରକ ଜୟନ୍ତୀ ପାଳନ କରିଥିବା ବେଳେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ସେ ସମୟରେ ଭିସୁଟ୍ ଆଲୁମିନି ଆସୋସିଏସନ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମଧ୍ୟ ଏହାର ଉନ୍ନତିକରଣ ଓ ଭିତିଭୂମିର ବିକାଶ ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଖୁସିର କଥା ହେଲା ଯେ କୋଭିଡ଼ କାରଣରୁ ପ୍ରତିଶ୍ରୁତି ପାଳନ କରିବାରେ ସାମାନ୍ୟ ବିଳମ୍ବ ଘଟିଥିଲେ ବି ଗତ ଅଗଷ୍ଟ ୨୫ ତାରିଖରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଭିସୁଟ୍ କ୍ୟାମ୍ପସ ପରିଦର୍ଶନ କରିଥିଲେ। ଏହା ପରେ ରାଜ୍ୟ ସରକାର ଭିସୁଟ୍‌ର ଉନ୍ନତି ପାଇଁ ୨ ହଜାର କୋଟି ଟଙ୍କା ସହିତ ଅଧିକ ଶହେ ଏକର ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି, ଯାହା ସମସ୍ତଙ୍କୁ ଉତ୍ସାହିତ କରିଛି ବୋଲି ଭିସିୁଟ୍ ଆଲୁମିନି ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭିସୁଟ୍ ଆଲୁମିନି ଆସୋସିଏସନ ଭୁବନେଶ୍ୱର ଚାପ୍ଟର ସଭାପତି ବ୍ରହ୍ମା ମିଶ୍ର କହିଛନ୍ତି, ‘‘ଏହା ରାଜ୍ୟ ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି। କୋଭିଡ଼ କାରଣରୁ ସ୍ଥିତିରେ ସାମାନ୍ୟ ବିଳମ୍ବ ଘଟିଥିଲେ ମଧ୍ୟ ଭିସୁଟ୍ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଯେତେ ପ୍ରଶଂସା କଲେ ବି କମ ହେବ। ଏହି ଉଦ୍ୟମ କେବଳ ଭିସୁଟ୍‌ର ବିକାଶ ପାଇଁ ନୁହେଁ ବରଂ ପୂରା ପଶ୍ଚିମ ଓଡ଼ିଶା ପାଇଁ ଏକ ଅବର୍ଣ୍ଣନୀୟ। ଏ ନିଷ୍ପତ୍ତି ଆଲୁମିନି ଆସୋସିଏସନର ସମସ୍ତଙ୍କୁ ଉତ୍ସାହିତ କରିଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।’’

ଆଗକୁ ରାଜ୍ୟ ସରକାରଙ୍କ ଏହି ଉଦ୍ୟମ ଭିସୁଟ୍‌ର କଳେବରକୁ ବିଶ୍ୱସ୍ତରୀୟ କରିବାରେ ସକ୍ଷମ ହେବ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭିସୁଟ୍ ଆଲୁମିନି ଆସୋସିଏସନର ରାଜ୍ୟ ସଭାପତି ଆଶିଷ ପାଢ଼ୀ କହିଛନ୍ତି, ‘‘ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ଭିସୁଟ୍‌କୁ ବିଶ୍ୱସ୍ତରୀୟ କରିବା ପାଇଁ ଆମେ ଯୋଜନା ଆରମ୍ଭ କରିଛୁ। ଏହି ଯୋଜନା ଭିତରେ ଭିସୁଟ୍ ପରିସରରେ ୨୭ଟି ସେଣ୍ଟର ଅଫ ଏକ୍ସିଲେନ୍ସ ରହିବ।
ଏହା ସହିତ ୭ଟି ସ୍କୁଲ ରହିବ। ୨୪ଟି ଅଣ୍ଡର ଗ୍ରାଜୁଏଟ୍ ପାଠ୍ୟକ୍ରମ ରହିବ। ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦ ହଜାରକୁ ବୃଦ୍ଧି କରାଯିବା ସହିତ ସେ ଭିତରେ ପ୍ରାୟ ୩,୫୦୦ ଛାତ୍ରୀଙ୍କୁ ପଢ଼ିବାକୁ ସୁଯୋଗ ମିଳିବ। ମୋଟ ଉପରେ ଆଇଆଇଟି ଓ ଏନଆଇଟି ଭଳି ଶିକ୍ଷାନୁଷ୍ଠାନକୁ ଟକ୍କର ଦେଇପାରିବ ଏହି ଅନୁଷ୍ଠାନ।’’

ସେହିଭଳି ଭିସୁଟର କୁଳପତି ପ୍ରଫେସର ବି. ମାଝି କହିଛନ୍ତି ଯେ ଭିସୁଟ୍‌ରେ ଆଗକୁ ଗବେଷଣାତ୍ମକ ପାଠ୍ୟକ୍ରମ ଉପରେ ଗୁରୁତ୍ୱ ରହିବ।
Published by:Lipina Das
First published: