ମହାନଗର ଦଖଲ କଲା ବିଜେଡ଼ି; ପ୍ରାର୍ଥୀ ଦେଖି ଭୋଟ ଦେଇଛନ୍ତି ସହରୀ ଭୋଟର!

ପଞ୍ଚାୟତ ପରି ପୌର ନିର୍ବାଚନ ଏକତରଫା ହୋଇନଥିଲେ ବି ଭୋଟର ବିଜେଡ଼ି ଉପରେ ଭରସା କରିଛନ୍ତି। ପଞ୍ଚାୟତ ତୁଳନାରେ ସହରୀ ଭୋଟର ଦଳ ଅପେକ୍ଷା ପ୍ରାର୍ଥୀଙ୍କୁ ବାଛିଥିବା ପରି ଫଳାଫଳରୁ ମନେ ହେଉଛି।

ମହାନଗର ଦଖଲ କଲା ବିଜେଡ଼ି (ପ୍ରତୀକାତ୍ମକ ଛବି)

ମହାନଗର ଦଖଲ କଲା ବିଜେଡ଼ି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପୌର ନିର୍ବାଚନ ଫଳାଫଳ ଆସିଛି। ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ବି ବିଜେଡ଼ିକୁ ବାଛିଛନ୍ତି ଭୋଟର। ୩ଟି ମହାନଗର ନିଗମ ସହ ୭୬ଟି ପୌର ପରିଷଦ ବିଜେଡ଼ି ଖାତାକୁ ଯାଇଛି। ସେହିପରି ୧୨୮୯ କର୍ପୋରେଟର ଓ କାଉନସିଲର ବି ବିଜେଡ଼ି ଖାତାକୁ ଯାଇଛି।

ପଞ୍ଚାୟତ ପରି ପୌର ନିର୍ବାଚନ ଏକତରଫା ହୋଇନଥିଲେ ବି ଭୋଟର ବିଜେଡ଼ି ଉପରେ ଭରସା କରିଛନ୍ତି। ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦ ବିଜେଡ଼ି ଖାତାକୁ ଯାଇଥିଲେ ବି ପୌର ପରିଷଦରେ କିନ୍ତୁ ଶତ ପ୍ରତିଶତ ହୋଇନାହିଁ। ୨୦୧୩-୧୪ ପୌର ନିର୍ବାଚନ ତୁଳନାରେ ବିଜେଡ଼ି ଅଧିକ ସଫଳତା ପାଇଥିଲେ ବି କଂଗ୍ରେସକୁ ଜୋରଦାର ଝଟକା ଲାଗିଛି। ବିଜେପି ପୌର ପରିଷଦରେ ଗତ ଥର ଅପେକ୍ଷା ଭଲ କରିଛି। ୨୦୧୩-୧୪ ପୌର ନିର୍ବାଚନରେ କର୍ପୋରେଟର ଓ କାଉନସିଲର ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହୋଇଥିବା ବେଳେ ମେୟର ଓ ପୌର ପରିଷଦ ପାଇଁ ପରୋକ୍ଷ ନିର୍ବାଚନ ହୋଇଥିଲା। ଏଥର କିନ୍ତୁ ସବୁ ପ୍ରତ୍ୟକ୍ଷ ନିର୍ବାଚନ ହୋଇଥିବାରୁ ଫଳାଫଳ ବି କିଛି ଭିନ୍ନ ରହିଛି।

ଭୁବନେଶ୍ୱର ମହାନଗର ନିଗମରେ ବିଜେଡି ଓ ବିଜେପି ମେୟର ପାର୍ଥିଙ୍କ ମଧ୍ୟରେ ଆରମ୍ଭରୁ କଡ଼ା ଟକ୍କର ହୋଇଥିବା ବେଳେ ଶେଷରେ ବିଜେଡ଼ି ପ୍ରାର୍ଥୀନୀ ସୁଲୋଚନା ଦାସ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀନୀ ବହୁ ପଛରେ ପଡ଼ି ଯାଇଥିଲେ।  ସେହିପରି କଟକ ମହାନଗର ନିଗମରେ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଟକ୍କର ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ସୁବାସ ସିଂ ବାଜିମାତ କରିଥିଲେ। ବ୍ରହ୍ମପୁର ମହାନଗର ନିଗମରେ ବିଜେଡ଼ି ଓ ବିଜେପି ମଧ୍ୟରେ ଟକ୍କର ହୋଇଥିବା ବେଳେ ବିଜେଡି ପାର୍ଥିନି ସଂଘମିତ୍ରା ଦଳେଇ ବାଜିମାତ କରିଥିଲେ। ପଞ୍ଚାୟତ ତୁଳନାରେ ସହରୀ ଭୋଟର ଦଳ ଅପେକ୍ଷା ପ୍ରାର୍ଥୀଙ୍କୁ ବାଛିଥିବା ପରି ଫଳାଫଳରୁ ମନେ ହେଉଛି।

ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡ଼ି ପ୍ରାୟ ୯୦ ପ୍ରତିଶତ ସିଟ ହାତେଇବାରେ ସକ୍ଷମ ହୋଇଥିଲେ। ମୋଟ ୮୫୨ରୁ ୭୬୬ ଟିରେ ବିଜେଡ଼ି ବାଜିମାତ କରିଥିଲା। ପୋର ନିର୍ବାଚନ ରେ ମୋଟ ୧୮୮୪ କର୍ପୋରେଟର/କାଉନସିଲର ସିଟ ରୁ  ବିଜେଡି ୧୨୮୯ ଟିରେ ବାଜିମାତ କରିଛନ୍ତି। ସେହିପରି ଜିଲ୍ଲା ପରିଷଦ ନିର୍ବାଚନ ରେ ବିଜେପି ୮୫୨ରୁ ୪୨ଟି ଜିତିଥିବା ବେଳେ ପୋର ନିର୍ବାଚନରେ ମୋଟ ୧୮୮୪ କର୍ପୋରେଟର/କାଉନସିଲର ସିଟରୁ ୩୧୨ରେ ଜିତିଛି। କଂଗ୍ରେସ ୮୫୨ରୁ  ୩୭ଟି ଜିତିଥିବା ବେଳେ ପୋର ନିର୍ବାଚନରେ ମୋଟ ୧୮୮୪ କର୍ପୋରେଟର/କାଉନସିଲର ସିଟରୁ ୧୪୪ରେ ଜିତିଛି। 

ସେହିପରି ଅନ୍ୟାନ୍ୟ ୮୫୨ରୁ ୭ଟି ଜିତିଥିବା ବେଳେ ପୋର ନିର୍ବାଚନରେ ମୋଟ ୧୮୮୪ କର୍ପୋରେଟର/କାଉନସିଲର ସିଟରୁ ୧୩୮ରେ ଜିତିଛନ୍ତି। ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ପୌର ପରିଷଦ ଅଧ୍ୟକ୍ଷ ମଧ୍ୟରେ ତୁଳନା କଲେ ଜିଲ୍ଲା ପରିଷରେ ୩୦ରୁ ୩୦ ଜିତି ଶତ ପ୍ରତିଶତ ହାତେଇଥିଲା ବିଜେଡ଼ି। କିନ୍ତୁ ପୌର ପରିଷଦ ଅଧ୍ୟକ୍ଷରେ ୧୦୮ଟିରୁ ୭୬ ଟି ହାତେଇଛି।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ପରୋକ୍ଷ ନିର୍ବାଚନ ହେଉଥିବାରୁ ବିଜେପି,କଂଗ୍ରେସ ଓ ଅନ୍ୟାନ୍ୟ ସଂଖ୍ୟା ଦୃଷ୍ଟିରୁ ଖାତା ଖୋଲି ପାରିନଥିଲେ। କିନ୍ତୁ ପୌର ପରିଷଦ ଅଧ୍ୟକ୍ଷରେ ବିଜେପି ୧୦୮ରୁ ୧୬, କଂଗ୍ରେସ ୧୦୮ ରୁ ୭ ଓ ଅନ୍ୟାନ୍ୟ ୧୦୮ ରୁ ୯ଟିରେ ଜିତିବାକୁ ସକ୍ଷମ ହୋଇଛନ୍ତି।
Published by:Soumya Das
First published: