News18 Odia Digital
ଭୁବନେଶ୍ୱର: କ୍ରମଶଃ ବଳଶାଳୀ ହେଉଥିବା ଫାଇଭ୍ ଟି (5T) ବ୍ୟବସ୍ଥାକୁ ଆହୁରି ଫଳପ୍ରଦ କରିବା ଲକ୍ଷରେ ରାଜ୍ୟ ସରକାର ଭର୍ଚୁଆଲ ପୋଲିସ ଷ୍ଟେସନ ଆରମ୍ଭ କରିଛନ୍ତି, ଯାହା ଦ୍ୱାରା ବିଭିନ୍ନ ନାଗରିକ ସୁବିଧା ଏଣିକି ଅନଲାଇନ ପାଇହେବ । ଗାଡ଼ି ଚ଼ୋରି ହେଲେ ଏତଲା ଦାଖଲ କରିବାକୁ ଆଉ ଦୌଡ଼ିବାକୁ ପଡ଼ିବନି ଥାନାକୁ । ଦୁଷ୍କର୍ମ ଓ ହତ୍ୟା ପରି ମାମଲାରେ ଡ଼ାକ୍ତରୀ ମତାମତ ପାଇଁ ତଦନ୍ତକାରୀ ଅଧିକାରୀ ଅନଲାଇନରେ ଡ଼ାକ୍ତରଙ୍କୁ ଅନୁରୋଧ କରିପାରିବେ ।
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଶୁଭାରମ୍ଭ ହୋଇଥିବା ଭର୍ଚୁଆଲ ପୋଲିସ ଷ୍ଟେସନ ମାଧ୍ୟମରେ ମେଡ଼ିକୋ-ଲିଗାଲ ଓପିନିଅନ ସିଷ୍ଟମ ଓ ରୋଡ଼ ଆକ୍ସିଡ଼େଣ୍ଟ କେସ ଡ଼କ୍ୟୁମେଣ୍ଟ ମଡ଼୍ୟୁଲ ଭଳି ତିନିଟି ଉପକ୍ରମ ଆରମ୍ଭ ହୋଇଛି । ଏହି ନୂଆ ବ୍ୟବସ୍ଥା ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି । ଓଡ଼ିଶା ଅନଲାଇନ ଏଫଆଇଆର ବ୍ୟବସ୍ଥା ଆରମ୍ଭ କରିଥିବା ଦେଶର ଚତୁର୍ଥ ରାଜ୍ୟ ବୋଲି କହିଛନ୍ତି ପୋଲିସ ମହାନିର୍ଦେଶକ ଅଭୟ ।
‘‘ସାଧାରଣ ଲୋକଙ୍କୁ ଆଉ ଅଫିସ ଦୌଡ଼ିବାକୁ ପଡ଼ିବନି । ସିଧାସଳଖ ଅନଲାଇନରେ ସେମାନେ ଅଭିଯୋଗ କରିପାରିବେ,’’ ଲୋକସେବା ଭବନରେ ଭର୍ଚୁଆଲ ପୋଲିସ ଷ୍ଟେସନ ଶୁଭାରମ୍ଭ କରି କହିଛନ୍ତି ପଟ୍ଟନାୟକ ।
ଏଣିକି ଗାଡ଼ି ଚୋରି ହୋଇଗଲେ ମାମଲା ଦାୟର କରିବା ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି ଥାନାକୁ । ଯେକୌଣସି ସ୍ଥାନରୁ ବସି ସିଟିଜେନ ପୋର୍ଟାଲ ଏବଂ ସହାୟତା ଆପ୍ ମାଧ୍ୟମରେ ଅଭିଯୋଗ କରିପାରିବେ ଲୋକେ । ଅଭିଯୋଗ କରିବା ପରେ ଅଭିଯୋଗକାରୀଙ୍କ ମୋବାଇଲକୁ ଆସିଥିବା OTP ଯାଞ୍ଚ ହେବା ପରେ ପୋଲିସ ଦ୍ୱାରା ମାମଲା ଗ୍ରହଣ କରାଯିବ । ତଦନ୍ତ ପରେ ୨୧ ଦିନ ଭିତରେ ଚୂଡ଼ାନ୍ତ ଫର୍ମଟି CCTNSକୁ ଚାଲିଯିବ । CCTNS ଜରିଆରେ ଗାଡ଼ିର ଇନ୍ସୁରାନ୍ସ କ୍ଳେମ କରିହେବ ।
ଚ଼ୋରି ହୋଇଥିବା ଗାଡ଼ିଟି ଯଦି କୌଣସି ଆପରାଧିକ ମାମଲାରେ ସଂପୃକ୍ତ ଥିବ, ତାହେଲେ ଚ଼ୋରି ଏତାଲାଟି ଅଟୋମେଟିକାଲି ଆଗ୍ରାହ୍ୟ ହୋଇଯିବ। ପ୍ରଥମେ ଗାଡ଼ି ଚ଼ୋରି ଅଭିଯୋଗ ନେଇ ଅନଲାଇନ ବ୍ୟବସ୍ଥା କରାଯାଇଥିବା ବେଳେ ଆଗକୁ ଅନ୍ୟାନ୍ୟ ମାମଲାକୁ ଇ-ଏଫଆଇଆରର ଅନ୍ତର୍ଭୁକ୍ତ କରାଯିବ ବୋଲି କୁହାଯାଇଛି ।
ମୋଟର ଯାନ ଦୁର୍ଘଟଣା ମାମଲାରେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ଦ୍ୱାରା ବୀମା କମ୍ପାନୀକୁ ଅନଲାଇନରେ କାଗଜ ପତ୍ର ପ୍ରଦାନ ନେଇ ବ୍ୟବସ୍ଥା ମଧ୍ୟ ଆରମ୍ଭ କରିଛନ୍ତି ମୁଖ୍ୟ ମନ୍ତ୍ରୀ । ଏହି ବ୍ୟବସ୍ଥା ମାଧ୍ୟମରେ କ୍ଷତିଗ୍ରସ୍ତ ବ୍ୟକ୍ତି ଓ ବୀମା କମ୍ପାନୀଙ୍କୁ ଏଫଆଇଆର କପି, ଡ଼୍ରାଇଭିଂ ଲାଇସେନ୍ସ,ରେଜିଷ୍ଟ୍ରେସନ ସାଟିଫିକେଟ, ଆରଟିଓ ରିପୋର୍ଟ ଭଳି ଆବଶ୍ୟକୀୟ କାଗଜପତ୍ର ଅନଲାଇନରେ ମିଳିପାରିବ ।
ତଦନ୍ତକାରୀ ଅଧିକାରୀ ଏହି ସମସ୍ତ ଦସ୍ତାବେଜକୁ CCTNSରେ ଅପଲୋଡ଼ କରିବେ । ଏହା ଦ୍ବାରା ସଂପୃକ୍ତ ନାଗରିକ ଓ ବୀମା କର୍ପାନୀଗୁଡ଼ିକ ଅନଲାଇନରୁ ସେସବୁ ଡ଼ାଉନଲୋଡ଼ କରିପାରିବେ । ଏ ବ୍ୟବସ୍ଥା ବୀମା ସଂକ୍ରାନ୍ତୀୟ ମାମଲାଗୁଡ଼ିକର ତ୍ୱରିତ ସମାଧାନରେ ସାହାଯ୍ୟ କରିବ ।
ସେହି ପରି ଯୌନ ନିର୍ଯାତନା, ଦୁଷ୍କର୍ମ ଓ ହତ୍ୟା ଭଳି ମାମଲାରେ ଡ଼ାକ୍ତରୀ ମତାମତ ପାଇଁ ଆରମ୍ଭ କରାଯାଇଥିବା ଭର୍ଚ଼ୁଆଲ ମେଡ଼ିକୋ-ଲିଗାଲ ବ୍ୟବସ୍ଥା ମାଧ୍ୟମରେ ତଦନ୍ତକାରୀ ଅଧିକାରୀ ମେଡ଼ିକାଲ ସମ୍ବନ୍ଧୀୟ ମତାମତ ପାଇଁ ଅନଲାଇନରେ ଡ଼ାକ୍ତରଙ୍କୁ ଅନୁରୋଧ କରିବା ସହ ଡ଼ାକ୍ତର ମଧ୍ୟ ନିଜ ମତାମତ ସିଧା ଅପଲୋଡ଼ କରିପାରିବେ । ଏହା ଦ୍ବାରା ଡ଼ାକ୍ତରୀ ମତାମତରେ ଅଧିକ ସ୍ବଚ୍ଛତା ଆସି ପାରିବ ।
‘‘ସରକାରଙ୍କ 5T ବ୍ୟବସ୍ଥାରେ ଏହା ଏକ ବଡ଼ ସଂସ୍କାର । ଏହା ଦ୍ବାରା ଲୋକଙ୍କ ସମୟ ବଞ୍ଚିବା ସହିତ ବାହ୍ୟ ଲୋକଙ୍କ ହସ୍ତକ୍ଷେପକୁ ବି ରୋକାଯାଇ ପାରିବ । ଏହା ଦ୍ବାରା ପୋଲିସ ବିଭାଗରେ ଅଧିକ ସ୍ୱଚ୍ଛତା ଆସିପାରିବ । ଆଗକୁ କିପରି ପୋଲିସ ବିଭାଗ ଆହୁରି ଲୋକାଭୀମୁଖୀ ହୋଇପାରିବ, ତାହା ଉପରେ ଗୁରୁତ୍ବ ଦିଆଯାଉଛି,’’ କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ପୋଲିସ ମହାନିର୍ଦେଶକ ଅଭୟ କହିଛନ୍ତି ଏଇ ସବୁ ନୂଆ ବ୍ୟବସ୍ଥା ଫଳରେ ଲୋକଙ୍କ ସମୟ ବଞ୍ଚିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।