News18 Odia Digital
ଢେଙ୍କାନାଳ: ଏସିଆ ମହାଦେଶର ସବୁଠାରୁ ବଡ଼ ଗାଁରେ ବଡ଼ ଅଜବ ପରମ୍ପରା। ଏଠିକାର ଲୋକ ନା କେବେ ଆମୀଷ ଖାଆନ୍ତି ନା ଗାଁ ଭିତରକୁ କୌଣସି ବ୍ୟକ୍ତିକୁ ଆମୀଷ ପ୍ରବେଶ କରିବାକୁ ଦିଅନ୍ତି। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବେଣ୍ଟଶାଳିଆ ଗାଁରେ ଏମିତି ଏକ ଅଜବ ପରମ୍ପରା କାହିଁ କେଉଁ ଆବାହମାନ କାଳରୁ ଚାଲି ଆସୁଛି। ଏଠାରେ ବସବାସ କରୁଥିବା ପ୍ରାୟ ୬୦ ପରିବାରର କୌଣସି ବି ସଦସ୍ୟ ଆମୀଷ ଖାଆନ୍ତି ନାହିଁ ବୋଲି ଜଣାପଡ଼ିଛି।
ଏହି ଗାଁର ପୂର୍ବ ପୁରୁଷମାନେ ମଧ୍ୟ ଆମୀଷ ଖାଉ ନଥିଲେ। ଗୋଖର ସାପ କାମୁଡ଼ିବା ଭୟରେ ଏହି ଗାଁ ଭିତରକୁ କୌଣସି ଆମୀଷ ବ୍ୟବସାୟୀ ମଧ୍ୟ ପ୍ରବେଶ କରି ନଥାନ୍ତି। ଏକଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ୍ୟ ଘଟଣା ବୋଲି କହିଛନ୍ତି ଗ୍ରାମବାସୀ।
ବହୁ ବର୍ଷ ପୂର୍ବେ ଥରେ ଜଣେ ଆମୀଷ ବିକ୍ରି କରିବାକୁ ଆସିଥିବା ବ୍ୟବସାୟୀ ଗାଁ ଭିତରକୁ ପ୍ରବେଶ କରି ଆସିଥିଲେ। ସମସ୍ତଙ୍କ ବାରଣ ସତ୍ତ୍ବେ ସେ ଗାଁ ରାସ୍ତା ଦେଇ ଚାଲି ଯିବାରୁ ତାଙ୍କୁ ଓସ୍ତ ଗଛରୁ ଏକ ଗୋଖର ସାପ ଆସି କାମୁଡ଼ି ଦେଇଥିଲା। ପରେ ତାଙ୍କୁ ଗ୍ରାମର ଦେବୀ ସୁନାଝରୀଙ୍କ ପାଖକୁ ନିଆଯାଇ ଅଧିଆ ପଡ଼ିବାରୁ ସେ ପୁନର୍ଜନ୍ମ ପାଇଥିଲେ। ଆଉ ସେହି ଦିନଠାରୁ ଏହି ଗାଁ ଭିତରେ କେବେ ବି କେହି ଆମୀଷ ଭକ୍ଷଣ କରନ୍ତିନି।

ଗ୍ରାମର ଦେବୀ ସୁନାଝରୀ
ଏହି ବେଣ୍ଟଶାଳିଆ ଗାଁର ମଣିଷ ତ ମଣିଷ ଏଠାରେ ରହୁଥିବା କୁକୁର ବିଲେଇ ମଧ୍ୟ ଆମୀଷ ଖାଆନ୍ତି ନାହିଁ ବୋଲି ଗ୍ରାମବାସୀ କୁହନ୍ତି। ଖାସ୍ ସେଥିପାଇଁ ଏହି ଗାଁର ଲୋକ କେବଳ ଗୋମାତା ରଖି ପୂଜା କରିଥାନ୍ତି। କୁକୁଡା ଛେଳି ମେଣ୍ଢା ଆଦି ମଧ୍ୟ ରଖନ୍ତି ନାହିଁ।
ବାହାଘର ବ୍ରତଘର କିମ୍ବା କୌଣସି ଯାନିଯାତ୍ରା ହେଲେ ସମ୍ପୁର୍ଣ୍ଣ ନିରାମିଷ ଭୋଜି ସର୍ବ ସାଧାରଣ ଲୋକଙ୍କୁ ଦିଆ ଯାଇଥାଏ। କାର୍ତ୍ତିକ ମାସରେ ଏଠିକାର ବାସିନ୍ଦା ପିଆଜ ରସୁଣ ମଧ୍ୟ ଖାଆନ୍ତି ନାହିଁ। ଗାଁରେ ଥିବା ଏକମାତ୍ର ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ଅଣ୍ଡା ବଦଳରେ କଦଳୀ ଓ ଅନ୍ୟ କିଛି ଫଳ ଦେବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇବା ପରେ ଏବେ କେବଳ ଫଳମୂଳ ମଧ୍ୟ ଦିଆଯାଉଛି।
ଯେହେତୁ ଏହି ଗାଁର ଲୋକ ନିଜେ ଆମୀଷ ଖାଆନ୍ତି ନାହିଁ ତେଣୁ ସେମାନେ ନିଜ ଝିଅ ବାହାଘର ମଧ୍ୟ ଆମୀଷ ଖାଉ ନଥିବା ବୈଷ୍ଣବ ଜାତିର ଲୋକଙ୍କ ଘରେ ହିଁ କରାଇଥାନ୍ତି। କେବେ ବି ଆମୀଷ ଖାଇ ନଥିବା ଲୋକଙ୍କୁ ଘରୁ ବୋହୁ କରି ଗାଁକୁ ଆଣିଥାନ୍ତି।
"କାହିଁ କେଉଁ କାଳରୁ ବେଣ୍ଟଶାଳିଆ ଗାଁରେ ଏଭଳି ପ୍ରଥା ଚାଲି ଆସୁଛି। ଆଉ ପ୍ରଥା ଅନୁସାରେ ପିଢ଼ି ପରେ ପିଢ଼ି ସମସ୍ତେ ଏହାକୁ ମାନି ଆସୁଛନ୍ତି। ଯଦି କେହି ଆମୀଷ ଖାଆନ୍ତି ତେବେ ସେମାନଙ୍କ ଆଖି ଫୁଟିଯାଏ କିମ୍ବା ଜଟିଳ ରୋଗର ଶିକାର ହୁଅନ୍ତି,’’ କହିଛନ୍ତି ଗ୍ରାମର ବାସିନ୍ଦା ଭ୍ରମରବର ସାହୁ।
ଆମୀଷ ଖାଇବା ତ ଦୂରର କଥା ଏହାକୁ ଦେଖିଲେ ମଧ୍ୟ ଗାଁର ଲୋକ ଆଖି ବୁଲାଇ ଚାଲିଯାଆନ୍ତି। ଆମୀଷ ଖାଇଲେ ଗ୍ରାମଦେବୀ ମା' ସୁନାଝରୀ ମଧ୍ୟ କୋପଦୃଷ୍ଟି ପକାନ୍ତି ଆଉ ଖାଇଥିବା ଲୋକର କ୍ଷତି କରନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଆଗାମୀ ଭବିଷ୍ୟତରେ ମଧ୍ୟ ଏହି ଗ୍ରାମରେ ବସବାସ କରୁଥିବା କେହି ବି ଆମୀଷ ଖାଇବେ ନାହିଁ ବୋଲି ଦୃଢ଼ତାର ସହିତ କହିଛନ୍ତି ଗ୍ରାମବାସୀ ଜନାର୍ଦ୍ଦନ ଦାସ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।