ସମୁଦ୍ର ଗର୍ଭରେ ୫୦ରୁ ଅଧିକ ଘର: ୧୦୦ରୁ ଅଧିକ ଘରେ ପଡ଼ିଛି ତାଲା; ଗାଁ ଛାଡୁଛନ୍ତି ଲୋକେ

ସମୁଦ୍ରର କରାଳ ରୂପ ଗାଁକୁ କଲା ଜନଶୂନ୍ୟ। ପୋଡ଼ମପେଟା ଗାଁରେ ୧୦୦ରୁ ଅଧିକ ଘର ଅଛି ସତ କିନ୍ତୁ ସବୁ ଘରେ ଝୁଲୁଛି ତାଲା ।

ସମୁଦ୍ର ମୁହଁରେ ଗାଁ

ସମୁଦ୍ର ମୁହଁରେ ଗାଁ

  • Share this:
News18 Odia Digital

ବ୍ରହ୍ମପୁର: ସମୁଦ୍ର ଜୁଆର ଯୋଗୁଁ ଜନଶୂନ୍ୟ ହୋଇଗଲା ପୁରା ଗାଁ । ଗାଁରେ ରହିଛି ବର୍ତ୍ତମାନ ପ୍ରାୟ ୧୦୦ରୁ ଅଧିକ ଘର । କିନ୍ତୁ ସମୁଦ୍ର ଭୟରେ ନିଜ ଘରକୁ ଛାଡ଼ି ଗାଁରୁ ଅନ୍ୟ ଏକ ଗାଁକୁ ଚାଲିଯାଇଛନ୍ତି ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଳକର ପୋଡ଼ମପେଟା ଗାଁରେ । ଦିନକୁ ଦିନ ସମୁଦ୍ର କୂଳ ଖାଇବା ପରେ ଗତ ଦୁଇ ମାସ ମଧ୍ୟରେ ପ୍ରାୟ ୧୦ରୁ ଅଧିକ ଘର ସମୁଦ୍ରରେ ଲୀନ ହୋଇଯାଇଥିଲା । ଯାହାଫଳରେ ସମୁଦ୍ରରେ ଏଭଳି କରାଳ ରୂପକୁ ଆଉ ସହିନ ପାରି ବାଧ୍ୟ ହୋଇ ଗାଁ ଛାଡ଼ିଲେ ଗ୍ରାମବାସୀ ।

ସମୁଦ୍ରର କରାଳ ରୂପ


ବର୍ତ୍ତମାନ ପୋଡ଼ମପେଟା ଗାଁ ଏବେ ଖାଁ ଖାଁ ହୋଇପଡ଼ିଛି । ନିଜ ଗାଁକୁ ଛାଡ଼ି ଅନ୍ୟ ଏକ ଗାଁରେ ରହିଥିଲେ ସୁଦ୍ଧା ସେଠାରେ ଗ୍ରାମବାସୀଙ୍କ ନିମନ୍ତେ ସେଭଳି କୌଣସି ସୁବିଧା ନଥିବା ସତ୍ୱେ ମଧ୍ୟ ସେଠି ରହିବାକୁ ସେମାନେ ବାଧ୍ୟ ହେଉଛନ୍ତି । ତେଣୁ ତୁରନ୍ତ ସମୁଦ୍ର ନିକଟରେ ଯଦିି ସିମେଣ୍ଟ ବନ୍ଧ ନ ବନ୍ଧା ହୁଏ ତେବେ ଗାଁ ଉପରେ ରହିଛି ବଡ଼ ବିପଦ ।

ଗଞ୍ଜାମ ବ୍ଳକର ପୋଡ଼ମପେଟା ଗାଁରେ ବସବାସ କରନ୍ତି ପ୍ରାୟ ୫୦୦ରୁ ଅଧିକ ଗ୍ରାମବାସୀ । ଦିନ ଥିଲା ଗାଁରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ରହିଥିଲା ସମୁଦ୍ର । କିନ୍ତୁ ସମୁଦ୍ରର ଅଶାନ୍ତ ହେବା ଫଳରେ ଧିରେ ଧିରେ ଗାଁ ମୁହାଁ ହେଲା ।

ପୂର୍ବରୁ ପ୍ରାୟ ୩ଟି ସାହିର ୩୦ରୁ ଅଧିକ ଘର ସମୁଦ୍ରର ଉଚ୍ଚ ଜୁଆରରେ ଭାସି ଯାଇ ନଷ୍ଟ ହୋଇଯାଇଥିଲା । ବର୍ତ୍ତମାନ ଗତ ଦୁଇ ମାସ ମଧ୍ୟରେ ଗାଁର ଆଉ ଦୁଇଟି ସାହିରେ ଥିବା ଘର ସମୁଦ୍ର ଜୁଆରରେ ଭାଙ୍ଗି ନଷ୍ଟ ହୋଇଯାଇଛି । ଯାହାଫଳରେ ଘରେ ରହିଥିବା ଅନେକ ଅସବାବପତ୍ର ମଧ୍ୟ ସମୁଦ୍ରରେ ଭାସିଯାଇଛି ।

ସମୁଦ୍ର ଗର୍ଭରେ ଗାଁ ଲୀନ


ଗ୍ରାମବାସୀ ମାନେ ମତ୍ସ୍ୟଜୀବୀ ହେଉଥିବା ଯୋଗୁଁ ସମୁଦ୍ର କୂଳରେ ରହି ମାଛ ମାରି ନିଜର ଜୀବନ ଅତିବାହିତ କରୁଥିଲେ । ‘ଦିନ ଥିଲା ଏହି ଆଖପାଖ ଅଞ୍ଚଳର ଲୋକେ ଏହି ଗାଁକୁ ଆସି ମାଛ ବ୍ୟବସାୟ କରୁଥିଲେ । ଗାଁରେ ରହିଥିବା ମତ୍ସ୍ୟଜୀବୀ ମାନେ ମାଛ ଧରି ଆସିଲେ ଏହି ଗାଁରୁ ହିଁ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ମାଛ ବିକ୍ରି ନିମନ୍ତେ ଯାଇଥାଏ । ମାଛ ବ୍ୟବସାୟ ଯୋଗୁଁ ପ୍ରତିଦିନ ଭୋରରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମାଛ କିଣାବିକା ନିମନ୍ତେ ଭିଡ଼ ଦେଖିବାକୁ ମିଳୁଥିଲା ଗାଁରେ । ବର୍ତ୍ତମାନ ଗାଁ ସମ୍ପୂର୍ଣ୍ଣ ରୂପେ ଶୂନଶାନ୍‌ । ଗାଁରେ ଅନେକ ଘର ଅଛି ସତ କିନ୍ତୁ ଘରେ ଜଣେ ହେଲେ ସଦସ୍ୟ ନାହାନ୍ତି । ସମୁଦ୍ରର ଭୟରେ ନିଜ ଘରକୁ ଛାଡ଼ିବାକୁ ବାଧ୍ୟ ହୋଇ ଅନ୍ୟ ଗାଁରେ ଯାଇ ରହିବାକୁ ପଡ଼ୁଥିବା କହିଛନ୍ତି ପୋଡ଼ମପେଟା ଗ୍ରାମବାସୀ ।

ସମୁଦ୍ର ନିକଟରେ ରହିଛି ପାଳିବନ୍ଧ ପଞ୍ଚାୟତ । ପାଳିବନ୍ଧର ୮ଟି ଗାଁ ମଧ୍ୟରୁ ପୋଡ଼ମପେଟା, କଣ୍ଟିଆଗଡ଼, ପୁରୁଣାବନ୍ଧ ଓ ଗୋଖରକୁଦା ସମୁଦ୍ରକୁ ଲାଗି ରହିଛି ।

ବର୍ତ୍ତମାନ ଧିରେ ଧିରେ ପୋଡ଼ମପେଟା ସମୁଦ୍ରରେ ମିଶିବାକୁ ଯାଉଥିବା ବେଳେ ତୁରନ୍ତ ସିମେଣ୍ଟବନ୍ଧ ବନ୍ଧା ନଗଲେ ପାଳିବନ୍ଧର ଏଭଳି ଅନେକ ଗାଁ ସମୁଦ୍ରରେ ଲୀନ ହୋଇଯିବ ଏଥିରେ ତିଳେ ମାତ୍ରେ ସନ୍ଦେହ ନାହିଁ ।
Published by:Soubhagya Mishra
First published: