ଲଣ୍ଡା ପାହାଡ଼କୁ ସବୁଜିମା କଲେ ଗ୍ରାମବାସୀ ଅନୁଗୋଳର ଗ୍ରାମବାସୀ; ଲଗାଇଛନ୍ତି ଭଳିକି ଭଳି ମୂଲ୍ୟବାନ ଗଛ

ଜଙ୍ଗଲ ଓ ପରିବେଶ ସୁରକ୍ଷା ସେମାନଙ୍କର ସତେ ଯେମିତି ନିଶା। ଗାଁକୁ ଲାଗି ରହିଥିବା ଲଣ୍ଡା ପାହାଡ଼କୁ ଗ୍ରାମବାସୀ ଯେଉଁଭଳି ଭାବେ ସବୁଜିମା କରିଛନ୍ତି ତାହା ଦେଖିଲେ ଏହା ସ୍ପଷ୍ଟ ଜଣା ପଡୁଛି।

ଲଣ୍ଡା ପାହାଡ଼କୁ ସବୁଜିମା କଲେ ଗ୍ରାମବାସୀ ଅନୁଗୋଳର ଗ୍ରାମବାସୀ

ଲଣ୍ଡା ପାହାଡ଼କୁ ସବୁଜିମା କଲେ ଗ୍ରାମବାସୀ ଅନୁଗୋଳର ଗ୍ରାମବାସୀ

  • Share this:
News18 Odia Digital

ଅନୁଗୋଳ: ଯେଉଁଠି ଦିନେ ଦୁବ କଅଁଳୁ ନଥିଲା ଆଜି ସେଠାରେ ହଜାର ହଜାର ବୃକ୍ଷର ସମ୍ଭାର ଦେଖିବାକୁ ମିଳୁଛି । ଲଣ୍ଡା ପାହାଡ଼କୁ ସବୁଜିମା କରି ଦେଖାଇ ପାରିଛନ୍ତି ଗ୍ରାମବାସୀ। ୨୦ ବର୍ଷ ପୂର୍ବେ ଯିଏ ସେ ପାହାଡ଼କୁ ଦେଖିଥିବ ଆଜି ଦେଖିଲେ ନିଶ୍ଚିତ ଭାବେ ଚକିତ ହୋଇ ପଡ଼ିବ। ଭଳିକି ଭଳି ମୂଲ୍ୟବାନ ଓ ଔଷଧୀୟ ବୃକ୍ଷ ଦେଖିଲେ ପେଟ ପୁରି ଯାଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଜୁକୁବୁ ଗାଁରେ। ଅନୁଗୋଳ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଜୁକୁବୁ ଗାଁ। ଗାଁରେ ପ୍ରାୟ ୩୦୦ରୁ ଅଧିକ ପରିବାର ବସବାସ କରନ୍ତି।

ଅଧିକାଂଶ ଲୋକ ଚାଷ ବାସ କରି ଚଳନ୍ତି। ହେଲେ ଜଙ୍ଗଲ ଓ ପରିବେଶ ସୁରକ୍ଷା ସେମାନଙ୍କର ସତେ ଯେମିତି ନିଶା। ଗାଁକୁ ଲାଗି ରହିଥିବା ଲଣ୍ଡା ପାହାଡ଼କୁ ଗ୍ରାମବାସୀ ଯେଉଁଭଳି ଭାବେ ସବୁଜିମା କରିଛନ୍ତି ତାହା ଦେଖିଲେ ଏହା ସ୍ପଷ୍ଟ ଜଣା ପଡୁଛି। ପ୍ରାୟ ୨୦ ବର୍ଷ ପୂର୍ବେ ଗାଁକୁ ଲାଗି ରହିଥିବା ବିରାଟ ପାହାଡ଼ ସମ୍ପୂର୍ଣ୍ଣ ଲଣ୍ଡା ଥିଲା। କିଛି ମାଫିଆ ଲୁଚି ମାଟି ଖୋଳି ନେଉଥିଲେ। ଅଧିକାଂଶ ଲୋକ ସେଠାରେ ଶୌଚ କରୁଥିଲେ।

ଏହା ଦେଖି ଗ୍ରାମବାସୀ ସେହି ପାହାଡ଼ରେ ବୃକ୍ଷ ରୋପଣ କରିବାକୁ ନିଷ୍ପତ୍ତି ନେଲେ। ସେତେବେଳେ ଏକ ବେସରକାରୀ ଅନୁଷ୍ଠାନର ସହାୟତାରେ ଗାଁରେ ଗଠନ ହେଲା ବୃକ୍ଷ ଉତ୍ପାଦକ ସମବାୟ ସମିତି। ସମବାୟ ନିୟମ ଅନୁସାରେ ସମିତିକୁ ପଞ୍ଜିକୃତ କରା ଗଲା। ସେହି ବେସରକାରୀ ଅନୁଷ୍ଠାନ ତରଫରୁ ମାଗଣାରେ ଚାରା ଯୋଗାଇ ଦିଆଗଲା। ଗ୍ରାମବାସୀ ଶ୍ରମ ଦାନ କରି ନିଜ ପାଇଁ ନିଜେ ଚାରା ରୋପଣ କଲେ। ଚାରାରେ ପାଣି ଦେଲେ।

ଅନୁଗୋଳ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଜୁକୁବୁ ଗାଁ


ପାହାଡ଼ ଚାରିପଟେ ଟ୍ରେଞ୍ଚ ଖୋଲି ପଶୁମାନଙ୍କ ଦାଉରୁ ଗଛ ଗୁଡ଼ିକୁ ରକ୍ଷା କଲେ। ପ୍ରତ୍ୟକ ଦିନ ଗ୍ରାମବାସୀ ପାଳି କରି ଏହି ସ୍ଥାନକୁ ଜଗିଲେ। ସେମାନଙ୍କ ଉଦ୍ୟମ ଯୋଗୁ ଲଣ୍ଡା ପାହାଡ଼ ଘଞ୍ଚ ଜଙ୍ଗଲରେ ପରିଣତ ହୋଇ ପାରିଛି।

ଆଜି ସେହି ପାହାଡ଼ ତାର ଏକ ନିଜସ୍ୱ ପରିଚୟ ସୃଷ୍ଟି କରି ପାରିଛି। ସେଦିନରୁ ଆଜି ପର୍ଯ୍ୟନ୍ତ ଗ୍ରାମବାସୀ ଜଙ୍ଗଲର ତଦାରଖ କରି ଆସିଛନ୍ତି। ଆଜି ସେହି ପାହାଡ଼ରେ ନିମ୍ବ, କରଞ୍ଜ, ବେଲ, ଗମ୍ଭାରୀ, ଶିଶୁ, ବାଉଁଶ, ଫେସି, ଅସନ ସମେତ ୨୦ରୁ ଅଧିକ ପ୍ରଜାତିର ବିଭିନ୍ନ ମୂଲ୍ୟବାନ ଓ ଔଷଧୀୟ ବୃକ୍ଷ ଦେଖିବାକୁ ମିଳୁଛି। ଲୋକେ ଆଜି ମଧ୍ୟ ପାଳି କରି ଜଙ୍ଗଲକୁ ଜଗୁଛନ୍ତି। ଚୋର ଦାଉରୁ ରକ୍ଷା କରୁଛନ୍ତି। ଜଙ୍ଗଲରୁ ଯାହାକୁ କାଠ ଚୋରି କରୁଥିବା ଦେଖିଲେ ତାକୁ ଧରି ଆଣି ଗାଁ ନିୟମ ଅନୁସାରେ ଦଣ୍ଡ ବିଧାନ କରୁଛନ୍ତି। ଜୋରିମନା ଆଦାୟ ମଧ୍ୟ କରୁଛନ୍ତି।

ଫଳ ସ୍ୱରୂପ ନିଜ ଜଙ୍ଗଲ ସୁରକ୍ଷିତ ରହି ପାରିଛି। ପ୍ରତ୍ୟକ ବର୍ଷ ଜଙ୍ଗଲରୁ ପ୍ରାୟ ୧୫,୦୦୦ରୁ ୨୦,୦୦୦ ଟଙ୍କାର ଜାଳ କାଠ, ବାଉଁଶ ଓ ଅନ୍ୟାନ୍ୟ ଜିନିଷ ବିକ୍ରି କରୁଛନ୍ତି। ଏଥିସହ ନିଜ ପାଇଁ ଆବଶ୍ୟକ କାଠ ବାଉଁଶ ପାଇ ପାରିଛନ୍ତି। ଆଜି ସୁଧା ସମିତିର ବ୍ୟାଙ୍କ ଖାତାରେ ଲକ୍ଷାଧିକ ଟଙ୍କା ଜମା ରଖି ପାରିଛନ୍ତି। ଯାହାକି ଗାଁରେ ଯାନୀଯାତ୍ରା ଓ ମେଳା ମହୋତ୍ସବ ତଥା ଗାଁର ଉନ୍ନୟନ ମୂଳକ କାର୍ଯ୍ୟରେ ବେଳେ ଖର୍ଚ୍ଚ କରନ୍ତି। ବର୍ତ୍ତମାନ ସମୟରେ ଜଳ ବାୟୁର ଘୋର ପରିବର୍ତନ ଦେଖା ଦେଇଛି। ବ୍ୟାପକ ପ୍ରାକୃତିକ ଜଙ୍ଗଲ ଅବକ୍ଷୟ ଯୋଗୁ ମଣିଷ ଜୀବଜନ୍ତୁ ସମସ୍ତେ ପ୍ରଭାବିତ ହେଉଛନ୍ତି। ଜଙ୍ଗଲ ସମ୍ପଦର ସୁରକ୍ଷା ହିଁ ଜଳବାୟୁ ପରିବର୍ତ୍ତନକୁ ରୋକି ପାରିବ। ଏ କଥାକୁ ଜୁକୁବୁ ଗ୍ରାମବାସୀ ହୃଦବୋଧ କରି ପାରିଛନ୍ତି।

ଗାଁର ଗିରିଶ ଚନ୍ଦ୍ର ସାହୁ କହିଛନ୍ତି, “ପାହାଡରେ ଗଛଟିଏ ନଥିଲା। ଯୁଆଡେ ଚାହିଁଲେ ଖାଲି ଟାଙ୍ଗରା। କିଛି ଲୋକ ସେହି ପାହାଡ଼ରୁ ମାଟି ଖୋଳି ନେଉଥିଲେ। ଆଖ ପାଖ ଗାଁ ଲୋକେ ସେଠାରେ ଶୌଚ କରୁଥିଲେ। ଆମେ ସମସ୍ତେ ଗ୍ରାମବାସୀ ମିଶି ସେହି ପାହାଡ଼କୁ ସବୁଜିମା କରିବାକୁ ନିଷ୍ପତ୍ତି ନେଲୁ । ଯାହା ଆଜି କରି ଦେଖାଇଛୁ ।’’

ଆମେ ନିଜେ ଗାତ ଖୋଳିଛୁ। ଚାରା ଲଗାଇ ପାଣି ଦେଇଛୁ। ଦିନ ରାତି ଜଗି ଗଛ ବଡ଼ କରିଛୁ। ଏବେ ମଧ୍ୟ ପାଳି କରି ଜଙ୍ଗଲକୁ ଜଗୁଛୁ। ଦୀର୍ଘ ୨୦ ବର୍ଷ ହେଲା ଏମିତି କରି ଆସୁଛୁ। ଏହା ଦ୍ବାରା ଆମେ ସଫଳ ପାଇଛୁ। ଆଜି ସେହି ଲଣ୍ଡା ପାହାଡ଼ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି ବୋଲି କହିଛନ୍ତି ଗାଁର ପ୍ରଫୁଲ ସାହୁ ।

ତପି ସାହୁ କହିଛନ୍ତି, “ଆମେ ଜଙ୍ଗଲରୁ ବର୍ଷକୁ ପ୍ରାୟ ୨୦,୦୦୦ ରୁ ୩୦,୦୦୦ ଟଙ୍କାର କାଠ ବାଉଁଶ ବିକ୍ରି କରୁଛୁ। ସେହି ଟଙ୍କା ଗାଁର ଉନ୍ନତିମୂଳକ କାମରେ ଲଗାଉଛୁ। ଏହାଛଡା ଗାଁର ଯାହାକୁ ଯେତେବେଳେ କାଠ ବାଉଁଶ ଆବଶ୍ୟକ ସେହି ଜଙ୍ଗଲରୁ ନେଉଛନ୍ତି।’’
Published by:Lipina Das
First published: