News18 Odia Digital
ବ୍ରହ୍ମପୁର: ବିପଜନକ ରାସ୍ତା। କେତେବେଳେ ଯେ ଜୀବନ ଚାଲିଯିବ ଏହି ରାସ୍ତାରେ ତାହା କହିବା ବି ମୁସ୍କିଲ। ତଥାପି ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ମରଣରାସ୍ତାରେ ଚାଲିଛନ୍ତି ପିଲାଙ୍କ ଠାରୁ ନେଇ ବୁଢ଼ା ପର୍ଯ୍ୟନ୍ତ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରରେ।
ଗଞ୍ଜାମ ସହର ଦେଇ ଯାଇଥିବା ଋଷିକୂଲ୍ୟା ନଦୀ ଉପରେ ରହିଛି ଦୁଇଟି ରେଳ ଧାରଣା। ଗୋଟିଏ ରେଳ ଧାରଣାର ଲାଗି ରହିଥିବା ଛୋଟିଆ ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକେ ଯାତାୟତ କରୁଛନ୍ତି। ସ୍କୁଲ, କଲେଜ ଛାତ୍ରଛାତ୍ରୀ ହେଉ ଅଥବା ବ୍ୟବସାୟୀ ସମସ୍ତେ ଏହି ରାସ୍ତାକୁ ହିଁ ନିଜର ମୁଖ୍ୟ ରାସ୍ତା ଭାବେ ଆପଣାଇ ନେଇଛନ୍ତି। ଅନ୍ୟ ଏକ ରାସ୍ତା ଅଛି ସତ କିଛି ଏ ମୁଣ୍ଡରୁ ସେ ମୁଣ୍ଡକୁ ଯିବା ପାଇଁ ହେଲେ ସେମାନଙ୍କୁ ପ୍ରାୟ ୫ କିଲୋମିଟର ବୁଲି ବୁଲି ଯିବାକୁ ପଡ଼ିବ। ତେଣୁ ବିପଦସଙ୍କୁଳ ଭାବେ ରେଳଧାରଣା ତଳେ ତଳେ ଏଭଳି ୨ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଅତିକ୍ରମ କରିଥାନ୍ତି ଲୋକେ। ସବୁଠାରୁ ବଡ଼ ବିପଦ ହେଲେ ଯେତେବେଳେ ରାସ୍ତା ଅତିକ୍ରମ କରିବା ସମୟରେ ଟ୍ରେନ ଆସିଯାଏ ସେହି ସମୟରେ ରେଳଧାରଣା ପାର୍ଶ୍ବରେ ରହିଥିବା ଏକ ଖାଲି ସ୍ଥାନରେ କିଛି ସମୟ ଛିଡ଼ା ହେବା ପରେ ଟ୍ରେନ ଯିବା ପରେ ପୁଣି ଥରେ ରେଳଧାରଣା ପାର୍ଶ୍ବରେ ଚାଲି ଚାଲି ଯାଇଥାନ୍ତି ସମସ୍ତେ।
ସାବଧାନ ରାସ୍ତାରେ ଜଗିଛି ମୃତ୍ୟୁ। ସାମାନ୍ୟ ଅସାବଧାନତା ହେଲେ ମୃତ୍ୟୁ ସୁନିଶ୍ଚିତ। ଏଭଳି ଏକ ବିପଜନକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହରରେ। ଗଞ୍ଜାମ ସହର ଦେଇ ଯାଇଛି ଋଷିକୂଲ୍ୟ ନଦୀ। ଋଷିକୂଲ୍ୟା ନଦୀ ଉପର ଦେଇ ଯାଇଛି ଦୁଇଟି ରେଳଧାରଣା। ଗୋଟିଏ ରେଳଧାରଣାରେ କେବଳ ରେଳ ହିଁ ଯାତାୟତ କରୁଥିବା ବେଳେ ଅନ୍ୟ ଏକ ରେଳଧାରଣାରେ ରେଳ ସହ ଲୋକେ ମଧ୍ୟ ଯାତାୟତ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଜାତୀୟ ରାଜପଥରେ ଦୁଇଥାକିଆ ନୂଆ ପୋଲ ନିର୍ମାଣ ପରେ ପ୍ରାୟ ୨୦ ବର୍ଷ ପୂର୍ବରୁ ଭାଙ୍ଗିଯାଇଥିଲା ପୁରୁଣା ପୋଲ। ପୋଲର ଅବସ୍ଥାକୁ ଦେଖି ଏହା ବିପଦସଙ୍କୁଳ ବୋଲି ମଧ୍ୟ ଘୋଷଣା କରାଯାଇଥିଲା।

ରେଳଧାରଣା ପାର୍ଶ୍ବରେ ବିପଦଜନକ ଭାବେ ଯାତାୟତ କରୁଛନ୍ତି ୧୫ ଖଣ୍ଡ ଗାଁର ଗ୍ରାମବାସୀ
‘‘ପୁରୁଣା ପୋଲ ଦ୍ବାରା ବିଶେଷ କରି ଛତ୍ରପୁର ଓ ଗଞ୍ଜାମ ବ୍ଳକର ପ୍ରାୟ ୧୫ ଖଣ୍ଡ ଗ୍ରାମବାସୀମାନେ ଯାତାୟତ କରୁଥିଲେ। କିନ୍ତୁ ପୋଲ ଭାଙ୍ଗିଯିବା ପରେ ଏବେ ରେଳଧାରଣାକୁ ନିଜର ମୁଖ୍ୟ ରାସ୍ତା ବାଛି ନେଇଛନ୍ତି ଗ୍ରାମବାସୀମାନେ। ନଦୀ ଉପରେ ଦୁଇଟି ରେଳ ଧାରଣା ରହିଥିବା ବେଳେ ଗୋଟିଏ ରେଳ ଧାରଣା ପାର୍ଶ୍ବରେ କିଛି ଖୋଲା ସ୍ଥାନ ରହିଥିବା ଯୋଗୁଁ ଏହି ରାସ୍ତା ଦେଇ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ପ୍ରାୟ ୧୫ ଖଣ୍ଡ ଗାଁର ଗ୍ରାମବାସୀ। ଏହି ରାସ୍ତା ଦେଇ ଯାତାୟତ କରିବା ସମୟରେ ଯଦି ଟ୍ରେନ ଆସିଯାଏ ତେବେ ସେହି ରେଳଧାରଣା ପାର୍ଶ୍ବରେ ରହିଥିବା ଖାଲି ସ୍ଥାନରେ ଠିଆ ହୋଇଯାଆନ୍ତି । ପୁଣି ଟ୍ରେନ ଚାଲିଯିବା ପରେ ସେହି ରାସ୍ତାରେ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇଥାନ୍ତି,’’ କହିଛନ୍ତି ସ୍ଥାନୀୟ ଗ୍ରାମବାସୀ ଚନ୍ଦ୍ରମା ମହାଙ୍କୁଡ଼ ।
‘‘ଏହି ରେଳଧାରଣାକୁ ଛାଡ଼ିଦେଲେ ଅନ୍ୟ ଏକ ରାସ୍ତା ଅଛି କିନ୍ତୁ ତାହା ବହୁତ ଦୂର। ପାଦଚଲା ପାଇଁ ପ୍ରାୟ ୫ କିଲୋମିଟର ବୁଲିବୁଲି ଯିବାକୁ ପଡ଼ୁଛି ନହେଲେ ବସରେ ଯିବାକୁ ପଡ଼ୁଛି। ତେଣୁ ବସରେ ଟଙ୍କା ଖର୍ଚ୍ଚ ନ କରି ଏବଂ ସମୟ ଅଧିକ ନ ସାରି ଏଭଳି ରେଳ ଧାରଣାରେ ବର୍ଷ ବର୍ଷ ଧରି ଯାତାୟତ କରୁଛୁ,’’ ସ୍ଥାନୀୟ ଗ୍ରାମବାସୀ କୃଷ୍ଣଚନ୍ଦ୍ର ବେହେରା।
ଏଭଳି ଦୀର୍ଘ ବର୍ଷ ବର୍ଷ ଧରି ରେଳଧାରଣା ପାର୍ଶ୍ବରେ ଯାତାୟତ ସମୟରେ ଟ୍ରେନ ଦୁର୍ଘଟଣାରେ ଅନେକ ଲୋକେ ଆହତ ହୋଇଥିବା ବେଳେ ଅନେକଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏହାକୁ ନେଇ ପୁଣି ଥରେ ପୁରୁଣା ଭଙ୍ଗ ପୋଲ ସ୍ଥାନରେ ଆଉ ଏକ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ୨୦୦୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲିଖିତ ଭାବେ ଜଣାଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମରେ ପୂର୍ତ୍ତ ବିଭାଗ ଏହାର କାମକୁ ଆଗକୁ ବଢ଼ାଇଥିଲା। ଏହି ପୋଲ ନିର୍ମାଣ ପାଇଁ ବ୍ରହ୍ମପୁର ପୂର୍ତ୍ତ ବିଭାଗ ଡ଼ିଭିଜନ-୨ ଛତ୍ରପୁର ଉପଖଣ୍ଡ ପୂର୍ତ୍ତ ବିଭାଗ ଜରିଆରେ ୨୦୨୦ରେ ପ୍ରସ୍ତାବ ମାଗିଥିଲା। ଛତ୍ରପୁର ପୂର୍ତ୍ତ ବିଭାଗ ପ୍ରସ୍ତାବ ଦେବା ପରେ ଏହାର ସର୍ଭେ ଓ ଅନ୍ୟାନ୍ୟ ବୈଷୟିକ ସ୍ଥିତି ଆପଳନ ପାଇଁ ଭୁବନେଶ୍ବରର ଏକ ସଂସ୍ଥାକୁ କନସଲଟାଣ୍ଟ ଭାବେ ସେହି ବର୍ଷ ନିୟୋଜତ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କାମ ଆଉ ଆଗକୁ ବଢ଼ିପାରିଲା ନାହିଁ ବରଂ ପ୍ରସ୍ତାବ ପ୍ରସ୍ତାବରେ ହିଁ ରହିଗଲା।
ବର୍ତ୍ତମାନ ସୁଦ୍ଧା ନୂଆ ପୋଲ କାମ ଇଞ୍ଚିଟିଏ ମଧ୍ୟ ଆଗଉ ନଥିବା ବେଳେ ଗ୍ରାମବାସୀମାନେ ସେଭଳି ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି। ଏହି ରେଳଧାରଣା ରାସ୍ତା ପାର୍ଶ୍ବ ଦେଇ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ଯିବା ଆସିବା କରୁଛନ୍ତି। ସେହିପରି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ତହସିଲ ସହ ଅନ୍ୟ ବିଭାଗର କାର୍ଯ୍ୟାଳୟ ରେଳଧାରଣାର ଅପରପଟେ ରହିଥିବା ଯୋଗୁଁ ଗ୍ରାମବାସୀ ମାନେ ରେଳଧାରଣାରେ ହିଁ ଯାତାୟତ କରିଥାନ୍ତି। ବହୁ ଲୋକ ରେଳଧାରଣା ପାର୍ଶ୍ବରେ ଯାତାୟତ କରୁଥିବା ବେଳେ ତୁରନ୍ତ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ତୁରନ୍ତ ଏକ ପୋଲ ନିର୍ମାଣ କରନ୍ତୁ ବୋଲି ଦାବି କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ଭାନୁ ଗୌଡ଼।
ଦୀର୍ଘ ବର୍ଷ ହେଲା ପୋଲଟିଏ ନିର୍ମାଣ କରିବା ଦାବି ନେଇ ୧୫ ଖଣ୍ଡ ଗାଁର ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। କେବେ ରାଜ୍ୟ ସରକାରଙ୍କ ଏଭଳି ବିପଦଜନକ ଯାତାୟତ ଉପରେ ନଜର ପଡ଼ୁଛି ଏବଂ କେବେ ପୋଲ ନିର୍ମାଣ ହେଉଛି ଏବେ ତାହାକୁ ହିଁ ଚାହିଁ ବସିଛନ୍ତି ଗ୍ରାମବାସୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।