ଅନୁଗୁଳରେ ବାଛୁରୀକୁ ମାରି ତା’ ମାଂସ ରାନ୍ଧି ଖାଇଲେ କିଛି ଲୋକ, ଗାଁ ଦାଣ୍ଡରେ ଆଣ୍ଠେଇଲେ

ଅଭିଯୋଗ ଅନୁସାରେ ରବିବାର ଦିନ ପାଞ୍ଚ ଜଣ ଲୋକ ନିକଟସ୍ଥ ଏକ ଗାଁରୁ ଗୋଟେ ବାଛୁରୀ ୩୦୦ ଟଙ୍କାରେ କିଣି ନେଇଥିଲେ । ସୋମବାର ଦିନ ସେମାନେ ଏକ ପାହାଡ଼ ତଳେ ସେହି ବାଛୁରୀକୁ ମାରି ଭୋଜି କରି ଖାଇଥିଲେ ।

ଅନୁଗୁଳରେ ବାଛୁରୀକୁ ମାରି ତା’ ମାଂସ ରାନ୍ଧି ଖାଇଲେ କିଛି ଲୋକ, ଗାଁ ଦାଣ୍ଡରେ ଆଣ୍ଠେଇଲେ
ଗ୍ରାମ ସଭାରେ ଆଣ୍ଠେଇଛନ୍ତି ପାଞ୍ଚ ଜଣ ଲୋକ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଅନୁଗୁଳ: ଗୋଟିଏ ଗାଁର କିଛି ଲୋକ ନିକଟସ୍ଥ ଏକ ଗାଁରୁ ଗୋଟେ ବାଛୁରୀ କିଣି ନେବା ବେଳେ ବିକିବା ଲୋକ ଭାବିଥିଲା ଯେ ସେମାନେ ତାକୁ ପାଳିବେ । ହେଲେ ପରେ ଜଣା ପଡ଼ିଲା ଯେ ସେମାନେ ବାଛୁରୀଟିକୁ ମାରି ତା’ ମାଂସ ରାନ୍ଧି ଖାଇଛନ୍ତି । ଏହି ଘଟଣା ପରେ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ବାଛୁରୀ ମାଂସ ଖାଇଥିବା ପାଞ୍ଚ ଜଣଙ୍କୁ ଡକାଇ ଗ୍ରାମ ସଭାରେ ଦଣ୍ଡ ଦିଆଯାଇଥିଲା ।

ଏହି ଘଟଣା ଘଟିଛି ଅନଗୁଳ ଜିଲ୍ଲାର ବନ୍ତଳା ଥାନା ଅନ୍ତର୍ଗତ ଚଟିଆଗଜି ଗାଁରେ । ଗୋରୁ ମାଂସ ଖାଇଥିବା ଅଭିଯୋଗରେ ପାଞ୍ଚ ଜଣ ଲୋକକୁ ଗ୍ରାମ ସଭାକୁ ଡକାଯାଇଥିଲା । ଗ୍ରାମ ସଭାରେ ହୋଇଥିବା ଦଣ୍ଡ ବିଧାନର ଏକ ଭିଡିଓ କ୍ଲିପ୍‌ ଏବେ ବାହାରକୁ ଆସିଛି ।

ସୂଚନା ଅନୁସାରେ ଗାଁ ଦାଣ୍ଡରେ ବସିଥିବା ସଭାକେ ପାଞ୍ଚ ଜଣ ଅଭିଯୁକ୍ତ ପ୍ରଥମେ କାନ ଧରି ଆସି ପହଞ୍ଚିଥିଲେ । ସେଠାରେ ସେମାନଙ୍କୁ ଆଣ୍ଠେଇ ବସିବାକୁ କୁହାଯାଇଥିଲା । ସେମାନେ ତାହା ମାନି କାନ ଧରି ଆଣ୍ଠେଇ ବସିଥିଲେ । ତା’ ପରେ ସେମାନଙ୍କୁ ଗାଁ ବୁଲାଇଥିଲେ ଗ୍ରାମ ସଭା ଡାକିଥିବା ଲୋକେ ।

କାନ ଧରି ଗ୍ରାମ ସଭାରେ ପହଞ୍ଚୁଛନ୍ତି ଗୋମାଂସ ଖାଇଥିବା ପାଞ୍ଚ ଜଣ ଲୋକ ।


ଗତ ରବିବାର ଦିନ ଚାଟିଆଗଜି ଗାଁର ପାଞ୍ଚ ଜଣ ଲୋକ ମହିଧରପଡ଼ା ଗାଁରୁ ଏକ ବାଛୁରୀ ୩୦୦ ଟଙ୍କାରେ କିଣି ନେଇଥିଲେ । ସୂଚନା ଅନୁସାରେ ସୋମବାର ଦିନ ବନାବିରା  ଗାଁ ନିକଟସ୍ଥ ଏକ ପାହାଡ଼ ତଳେ ସେହି ବାଛୁରୀକୁ ମାରି ଭୋଜି କରି ଖାଇଥିଲେ ସେମାନେ । ଏ କଥା ଜଣା ପଡିବା ପରେ ଆଖପାଖର ଖିଣ୍ଡା, ଗଡ଼ତରାସ ଓ ବଡକନ୍ତକୁଳ ପଞ୍ଚାୟତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିଥିଲା ।

ଗୋ ମାଂସ ଖାଇଥିବା ସେହି ପାଞ୍ଚ ଜଣଙ୍କୁ ଡକାଇ ଏକ ସଭାର ଆୟୋଜନ କରାଯାଇଥିଲା । ସଭାରେ ସେମାନେ ବାଛୁରୀଟିକୁ ମାରି ଖାଇଥିବା ସ୍ୱୀକାର କରିଥିଲେ । ଗ୍ରାମ ସଭା ଆଗରେ ସେମାନେ ଏହି କାର୍ଯ୍ୟ ପାଇଁ କ୍ଷମା ମାଗିଥିଲେ । ଗ୍ରାମ ସଭାର ନିଷ୍ପତ୍ତି ଅନୁସାରେ ସେମାନଙ୍କୁ ଆଣ୍ଠେଇବାକୁ କୁହାଯାଇଥିଲା । ତା’ପରେ ସେମାନଙ୍କୁ ମନ୍ଦିର ଦର୍ଶନ କରାଯାଇଥିଲା ।

ସେହି ପାଞ୍ଚ ଜଣ ଲୋକଙ୍କୁ ଜରିମାନା ଦେବାକୁ କୁହାଯାଇଥିଲେ ବି ସେମାନେ ଜୋରିମାନା ଦେଇଛନ୍ତି କି ନାହିଁ ଓ ଯଦି ଦେଇଛନ୍ତି କେତେ ଟଙ୍କା ଦେଇଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଏହି ଘଟଣା ବିଷୟରେ ସ୍ଥାନୀୟ ପୋଲିସ ପାଖରେ କୌଣସି ସୂଚନା ନାହିଁ ବୋଲି କହିଛନ୍ତି ପୋଲିସ ଅଧିକାରୀ ।

ଏହା ବି ପଢ଼ନ୍ତୁ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କରୋନାକୁ ହରେଇଲେ, ହସପିଟାଲରୁ ଡିସଚାର୍ଜ ହେଲେ

ଏହା ବି ପଢ଼ନ୍ତୁ: ଗବେଷଣାରୁ ଜଣାପଡ଼ିଲା କାହିଁକି ମହିଳାଙ୍କ ତୁଳନାରେ ପୁରୁଷମାନେ କରୋନାର ଅଧିକ ଶିକାର ହେଉଛନ୍ତି



ଗୋ ମାଂସ ଖାଇଥିବା ଅଭିଯୋଗରେ ସେହି ପାଞ୍ଚ ଜଣଙ୍କ ବିରୋଧରେ ଆଇନ ଅନୁସାରେ ପ୍ରକ୍ରିୟା ନ କରି ସେମାନଙ୍କୁ ଗ୍ରାମ ସଭାରେ ଦଣ୍ଡ ଦେବା ଘଟଣାକୁ ଏକ ଅବାଞ୍ଛନୀୟ କଙ୍ଗାରୁ କୋର୍ଟ ମାମଲା ବୋଲି ବିଭିନ୍ନ ମହଲରେ କୁହାଯାଉଛି ।
Published by: Anand Shankar Thankur Das
First published: July 28, 2020, 4:58 PM IST
corona virus btn
corona virus btn
Loading