News 18 Odia Digital
ଗଞ୍ଜାମ; ଜିଲ୍ଲା ମାନଚିତ୍ରରୁ ଲିଭିବାକୁ ଯାଉଛି ପୋଡମପେଟା ଗାଁ । ସମୁଦ୍ରରେ ମିଶିବାକୁ ଯାଉଛି ପୁରା ଗାଁ । ଦିନକୁ ଦିନ ଗାଁ ଆଡ଼କୁ ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ସମୁଦ୍ର । ଯାହାଫଳରେ ଗୋଟିଏ ପରେ ଗୋଟିଏ ସାହି ସମୁଦ୍ରରେ ମିଶି ଯାଉଛି । ପୂର୍ବରୁ ଗାଁର ପ୍ରାୟ ୩୦ରୁ ଅଧିକ ଘର ସମୁଦ୍ର ଜୁଆରରେ ଭାସିଯାଇଥିଲା । ବର୍ତ୍ତମାନ ଆଉ ୬ଟି ଘର ପୁଣି ସମୁଦ୍ରରେ ଭାସିଯାଇଛି । ଯାହାକୁ ନେଇ ଗ୍ରାମବାସୀ ମାନେ ଏବେ ସମ୍ପୂର୍ଣ୍ଣ ରୂପେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ଗତକାଲି ସମୁଦ୍ରରେ ଆସିଥିବା ଉଚ୍ଚ ଜୁଆରରେ ଆଉ ୬ଟି ଗୃହ ଭୁଷୁଡିପଡିଛି । ଘରେ ରହିଥିବା ବିଭିନ୍ନ ଆସବାବପତ୍ର ସହ ଜାଲ ମଧ୍ୟ ସମୁଦ୍ରରେ ଭାସିଯାଇଛି । ସମୁଦ୍ରର ଏଭଳି ରୂପକୁ ଦେଖି ଭୟ ଲାଗୁଥିବା ବେଳେ କେତେବେଳେ ଯେ ସମ୍ପୂର୍ଣ୍ଣ ଗାଁ ସମୁଦ୍ରରେ ମିଶିଯିବ ତାହା ସ୍ଥାନିୟ ଲୋକେ ଅନୁମାନ କରୁଛନ୍ତି । ସମୁଦ୍ର ଭୟଙ୍କର ଗର୍ଜନ ଯୋଗୁଁ ରାତିରେ ନିଦ ମଧ୍ୟ ହେଉନାହିଁ । କାଳେ ଶୋଇପଡିଲେ ସମୁଦ୍ର ଆସି ଧୋଇ ନେଇଯିବ ଏଭଳି ଭୟ ରହିଥିବା ନେଇ କହିଛନ୍ତି,‘‘ ପୋଡମପେଟା ବାସିନ୍ଦା ।
‘‘ଗତ ଫାଇଲିନ ବାତ୍ୟା ପରଠୁ ସମୁଦ୍ର ଗାଁ ମୁହାଁ ହୋଇଥିବା କହିଛନ୍ତି ସ୍ଥାନିୟଲୋକେ । ସମୁଦ୍ର ନିକଟରେ ରହିଥିବା ଅନେକ ଘର ଭାଙ୍ଗିଯାଇଥିବା ବେଳେ ଗ୍ରାମବାସୀଙ୍କୁ ନିକଟରେ ଓଡିଆରପି ଯୋଜନାରେ ଗୃହ ଯୋଗାଇ ଦିଆଯାଇଛି । କିନ୍ତୁ ସେଠାରେ କୈାଣସି ପ୍ରକାରର ସୁବିଧା ନାହିଁ । ଏହାଛଡା ଅଧିକାଂଶ ଗ୍ରାମବାସୀ ମତ୍ସ୍ୟଜୀବୀ ହୋଇଥିବା ଯୋଗୁଁ ମାଛ ମାରିବା ନିମନ୍ତେ ଓଡିଆରପି ଘରରୁ ସମୁଦ୍ର କୂଳକୁ ଆସିବାରେ ଅସୁବିଧା ହେଉଛି । ଗାଁରେ ଥିବା ଲକ୍ଷ ଲକ୍ଷ ଟଙ୍କାର ଘରକୁ ସମୁଦ୍ର ଧୋଇ ନେଉଥିବାରୁ ସ୍ଥାନିୟ ଲୋକେ ଦୁଖ ପ୍ରକାଶ କରିଛନ୍ତି ।
ଆଜି ଗଞ୍ଜାମ ତହସିଲଦାର ଗାଁରେ ପହଞ୍ଚିଛନ୍ତି । ସ୍ଥିତି ପରଖିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ବର୍ତ୍ତମାନ ଗାଁରେ ଆଉ କିଛି ପରିବାର ବସବାସ କରୁଛନ୍ତି । ସେମାନଙ୍କୁ କିଭଳି ଏହି ଗାଁରୁ ସ୍ଥାନାନ୍ତରିତ କରି ଓଡିଆରପି ଗୃହକୁ ପଠାଯିବ ସେ ନେଇ ପଦକ୍ଷେପ ନିଆଯିବ । ଏହାସହିତ ଗାଁକୁ ସମୁଦ୍ରରେ ସମ୍ପୂର୍ଣ୍ଣ ଲୀନ ନ ହେବା ପାଇଁ ପ୍ରୟାସ କରାଯାଉଥିବା ବେଳେ କିଭଳି ଖୁବଶିଘ୍ର ପଥରବନ୍ଧ ନିର୍ମାଣ ହେବ ସେ ନେଇ ମଧ୍ୟ ପ୍ରୟାସ ଜାରି ରହିଥିବା ସୂଚନା ଦେଇଛନ୍ତି,‘‘ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ।
ଦୀର୍ଘ ବର୍ଷ ହେଲା ସମୁଦ୍ର ଗାଁ ମୁହାଁ ହେଉଥିବା ବେଳେ ଗାଁ ନିକଟରେ ନିର୍ମାଣ ହୋଇପାରୁନାହିଁ ପଥରବନ୍ଧଟିଏ । ଯାହାଫଳରେ ଗ୍ରାମବାସୀ ଭୟଭୀତ ଭାବେ ଦିନ କାଟୁଛନ୍ତି । ଗ୍ରାମବାସୀଙ୍କ ଦୁଖ ଦୂର ହେବ ତାହାକୁ ଅପେକ୍ଷା କରିଛନ୍ତି ସଭିଏଁ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।