ସହକାରୀ ଯନ୍ତ୍ରୀଙ୍କର କାରନାମା; ଘରୁ ଜବତ ହେଲା ନଗଦ ୨ କୋଟି ଟଙ୍କା

ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ଘଟଣା। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିବାକୁ ଯାଇଥିଲା ଭିଜିଲାନ୍ସ ଟିମ୍। ଚଢ଼ାଉ ବେଳେ ଏତେ ଟଙ୍କା ମିଳିଥିଲା ଯେ ଯାହାକୁ ଦେଖି ଭିଜିଲାନ୍ସ ଟିମର ଆଖି ଟେରା ହୋଇଯାଇଥିଲା।

ସହକାରୀ ଯନ୍ତ୍ରୀଙ୍କର କାରନାମା

ସହକାରୀ ଯନ୍ତ୍ରୀଙ୍କର କାରନାମା

  • Share this:
News18 Odia Digital

କଟକ: ଦୁର୍ନୀତି ଅର୍ଜିତ ଟଙ୍କା ଖୋଜୁଥିଲା ଭିଜିଲାନ୍ସ। କିନ୍ତୁ ଆଳୁ ଖୋଳୁ ଖୋଳୁ ମହାଦେବଙ୍କ ସନ୍ଧାନ ମିଳିବା ଭଳି ଟଙ୍କା ତ ମିଳିଲା ଏହା ସହିତ ମିଳିଲା ଦ୍ବିତୀୟ ପତ୍ନୀଙ୍କ ଠିକଣା। ଭଞ୍ଜନଗର କ୍ଷୁଦ୍ର ଜଳ ସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ କାରନାମା ଦେଖି ଟେରା ହେଲା ଭିଜିଲାନ୍ସ।

ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳୁ ଭିଜିଲାନ୍ସ ବିଭାଗ କାର୍ତ୍ତିକେଶ୍ବର ରାଉଳଙ୍କ ୬ଟି ଠିକଣା ଉପରେ ଏକକାଳିନ ଚଢ଼ାଉ କରିଥିଲା। ଏହି ସମୟରେ ତାଙ୍କ ପାଖରୁ ୨ ଲକ୍ଷ ୫୦ ହଜାର ଟଙ୍କା ନଗଦ ଅର୍ଥ ମିଳିବା ସହ ୭ଟି ପ୍ଲଟ, ଦୁଇଟି କୋଠା, ଭୁବନେଶ୍ବର ଡୁମଡୁମାର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଥିବୋ ଦୁଇଟି ଫ୍ଲାଟ୍ ଓ ଅଳ୍ପ କିଛି ସୁନା ଜବତ କରିଥିଲା। ଯାହାକି ୨ କୋଟି ୭୬ ଲକ୍ଷ ଟଙ୍କା ବୋଲି ହେବ ବୋଲି ଆକଳନ କରିଥିଲା ଭିଜିଲାନ୍ସ ବିଭାଗ। କିନ୍ତୁ କାର୍ତ୍ତିକେଶ୍ବର ଏହା ଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ଅଧିକାରୀଙ୍କ ସନ୍ଦେହ ହୋଇଥିଲା।

ତେବେ ଭିଜିଲାନ୍ସର ସନ୍ଦେହ ସେତେବେଳେ ଅଧିକ ବଢ଼ିଥିଲା ଯେତେ ବେଳେ ଏହା ଜଣା ପଡ଼ିଥିଲା କି କାର୍ତ୍ତିକେଶ୍ବର ଏକ ଅଜଣା ମୋବାଇଲ ନମ୍ବରରେ ନିୟମିତ କାହା ସହିତ ସମ୍ପର୍କରେ ରହୁଥିଲେ। ସେହି ଅଜଣା ମୋବାଇଲ ନମ୍ବରକୁ ଟ୍ରାକ କରିବାରୁ ତାହା ଭୁବନେଶ୍ବର କଳିଙ୍ଗ ନଗର ସ୍ଥିତ ଟାଟା ଏରିନା ଆପାର୍ଟମେଣ୍ଟର ଏକ ଫ୍ଲାଟରେ ରହୁଥିବା ଜଣେ ମହିଳାଙ୍କର ବୋଲି ଜଣା ପଡ଼ିଥିଲା। ଏ ସମ୍ପର୍କରେ କାର୍ତ୍ତିକେଶ୍ବରଙ୍କ ଗୁଡ଼ାଇତୁଟାଇ ଜେରା କରିବା ପରେ ଶେଷରେ ସତ ମାନି ଯାଇଥିଲା ସେ।

ସେହି ଫ୍ଲାଟରେ ଜଣେ ମହିଳା ରହୁଥିଲେ ଓ ସେ ଥିଲେ କାର୍ତ୍ତିକେଶ୍ବରଙ୍କ ଦ୍ବିତୀୟ ପତ୍ନୀ। ଏହା ଜାଣିବା ପରେ ସେହି ପ୍ଲାଟରୁ କାର୍ତ୍ତିକେଶ୍ବରଙ୍କ କିଛି ସମ୍ପତ୍ତି ଠାବ ହେବା ଅନୁମାନ କରି ଗୁରୁବାର ଅପରାହ୍ନରେ ଭୁବନେଶ୍ବର ଠାରେ ଥିବା ନଗର ସ୍ଥିତ ଟାଟା ଏରିନା ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର 0505ରେ ରେଡ କରିଥିଲା ଭିଜିଲାନ୍ସ ବିଭାଗ। 1 BKH ବିଶିଷ୍ଟ ସେହି ଫ୍ଲାଟରୁ କାର୍ତ୍ତିକେଶ୍ବରଙ୍କ ଦ୍ବିତୀୟ ପତ୍ନୀଙ୍କ ସହ ଟଙ୍କା ଭର୍ତ୍ତି ଏକ ବ୍ୟାଗକୁ ଠାବ କରିଥିଲା ଭିଜିଲାନ୍ସ।

ସେହି ବ୍ୟାଗଟି ଖୋଲିବା ପରେ ସେଥିରେ ଥିବା ବିପୁଳ ପରିମାଣ ଟଙ୍କାକୁ ଦେଖି ଭିଜିଲାନ୍ସ ବିଭାଗର ଅଧିକାରୀମାନେ ତାଜୁବ ହୋଇଯାଇଥିଲା। ସେହି ଟଙ୍କାକୁ ଗଣିବା ପାଇଁ ୬ ଜଣ ଭିଜିଲାନ୍ସ ଅଧିକାରୀଙ୍କ ସହ ଗୋଟିଏ ଟଙ୍କା ଗଣା ମେସିନ ନିୟୋଜିତ ହୋଇଥିଲେ। ଶେଷ ଠାବ ହୋଇଥିବା ଟଙ୍କାର ପରିମାଣ ଦୁଇ କୋଟି ବୋଲି ଜାଣିବାକ ପାଇଥିଲା ଭିଜିଲାନ୍ସ। କେବଳ ଟଙ୍କା ନୁହେଁ ସେହି ଫ୍ଲାଟରୁ ୫୮୦ ଗ୍ରାମ ଓଜନର ୨୦ଟି ସୁନା ବିସ୍କୁଟ ମଧ୍ୟ ଜବତ କରିଥିଲା ଭିଜିଲାନ୍ସ।

ବଡ଼ କଥା ହେଉଛି କି ତିନି ବର୍ଷ ପରେ ଅବସର ନେବାକୁ ଥିବା କ୍ଷୁଦ୍ର ଜଳ ସେଚନ ବିଭାଗର ୫୭ ବର୍ଷ ବୟସ୍କ ଏହି ସହକାରୀ ଯନ୍ତ୍ରୀ ୪ ବର୍ଷ ତଳେ ଦ୍ବିତୀୟ ବିବାହ କରିଥିଲେ। ମନ୍ଦିରରେ ହୋଇଥିବା ଏହି ବିବାହ ବାବଦରେ ପ୍ରଥମ ପତ୍ନୀ ଜାଣିଥିଲେ ମଧ୍ୟ ସଉତୁଣୀ ପାଖରେ ନଗଦ ଦୁଇ କୋଟି ଟଙ୍କା ଓ ଅଧକେଜିରୁ ଉର୍ଦ୍ଧ୍ବ ଓଜନର ସୁନା ଗଚ୍ଛିତ ଥିବା ବାବଦରେ ତାଙ୍କ ପାଖରେ ମଧ୍ୟ ଖବର ନଥିଲା।

ସେପଟେ ଭିଜିଲାନ୍ସ ବିଭାଗ କ୍ଷୁଦ୍ର ଜଳ ସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଆଉ କିଛି ପୋତା ଧନର ସନ୍ଧାନ ପାଇଛି। ସେହି ସବୁ ସ୍ଥାନରେ ଶୁକ୍ରବାର ଦିନ ଚଢ଼ାଉ ହେବ। ଫଳସ୍ବରୂପ କାର୍ତ୍ତିକେଶ୍ବରଙ୍କ ଆୟବର୍ହିଭୁତ ସମ୍ପତିର ପରିମାଣ ଆହୁରି ବଢ଼ିବ ବୋଲି ଅନୁମାନ କରୁଛି ଭିଜିଳାନ୍ସ ବିଭାଗ।

ଏହାରି ଭିତରେ ଭିଜିଲାନ୍ସ ଜାଲରେ ଧରା ପଡୁଥିବା ଦୁର୍ନୀତିଖୋର ଅଧିକାରୀମାନଙ୍କ ବେନାମୀ ସମ୍ପତ୍ତି ଠାବ ଉପରେ ଅଧିକ ଗୁରୁତ୍ବ ଦେଇଛି ଭିଜିଲାନ୍ସ। "ଦୁର୍ନୀତିଖୋର ଅଧିକାରୀଙ୍କ ବେନାମୀ ସମ୍ପତ୍ତି ଠାବ ଉପରେ ଏବେ ଅଧିକ ଫୋକସ କରୁଛି ଭିଜିଲାନ୍ସ ବିଭାଗ। ସେହି ଅଧିକାରୀଙ୍କ ନିକଟ ସମ୍ପର୍କୀୟ ଓ ସହଯୋଗୀଙ୍କ ବ୍ୟାଙ୍କ ଆକାଉଣ୍ଟ ଉପରେ ବି ନଜର ରହିଛି। ଦୁର୍ନୀତିଖୋର ଅଧିକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନ୍ସ ବିଭାଗ ବଦ୍ଧପରିକର," କହିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଯେଠୱା।
Published by:Lipina Das
First published: