News18 Odia Digital
କଟକ: ଦୁର୍ନୀତିଖୋର ସରକାରୀ ଅଧିକାରୀଙ୍କ ଉପରେ ଭିଜିଲାନ୍ସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏହି କ୍ରମରେ ଗୁରୁବାର ଦିନ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ବାଲେଶ୍ବର ଜିଲ୍ଲା ସୋରରେ ଥିବା ଆର.ଡବ୍ଲ ଡିଭିଜନର ସହକାରୀ ଯନ୍ତ୍ରୀ ପ୍ରମୋଦ ବେହୁରିଆ । ରେଡ଼ ସମୟରେ ପ୍ରମୋଦ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଥିବା ଦୁଇ କୋଟି ୬୧ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।
ଏହା ସହିତ ପ୍ରମୋଦ ଓ ତାଙ୍କର ପରିବାର ଲୋକଙ୍କ ନାଁରେ ୧୬ଟି ବହୁ ମୂଲ୍ୟ ଜମି ମଧ୍ୟ ଠାବ କରିଛି ଭିଜିଲାନ୍ସ ବିଭାଗ । ସେହି ଜମି ମଧ୍ୟରୁ ତିନିଟି ଜମି ଭୁବନେଶ୍ବରରେ ଥିବା ବେଳେ ବାକି ୧୩ଟି ଭଦ୍ରକର ବିଭିନ୍ନ ଅଞ୍ଚଳରେ ରହିଛି । ଏହି ଜମି ଗୁଡ଼ିକର ସେଲ୍ ଡିଡକୁ ଯାଞ୍ଚ କରିବା ପରେ ଏଗୁଡ଼ିକୁ ଏକ କୋଟି ୪ ଲକ୍ଷ ଟଙ୍କାରେ କିଣାଯାଇଥିବା ଜଣା ପଡ଼ିଛି । କିନ୍ତୁ ଏହି ଜମିଗୁଡ଼ିକୁ ବହୁ ଟଙ୍କା ଦେଇ କିଣାଯାଇଛି କିନ୍ତୁ କାଗଜ ପତ୍ରରେ ଏହି ଜମିଗୁଡ଼ିକର ମୂଲ୍ୟକୁ ବହୁତ କମ ଦର୍ଶାଇ କିଣାଯାଇଥିବା ଭିଜିଲାନ୍ସ ବିଭାଗ ସନ୍ଦେହ କରୁଛି । ଫଳ ସ୍ବରୂପ ଭିଜିଲାନ୍ସ ବିଭାଗର ବୈଷୟିକ ଟିମ୍ ଜମି କିଣା ସମୟରେ ଅଧିକ ଜାଞ୍ଚ ଆରମ୍ଭ କରିଛି ।

ବାଲେଶ୍ବର ଆର.ଡବ୍ଲ ଡିଭିଜନର ସହକାରୀ ଯନ୍ତ୍ରୀ ପ୍ରମୋଦ ବେହୁରିଆଙ୍କ ଭଦ୍ରକ ଠାରେ ଥିବା ଘର
ସେପଟେ ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିବା କଟକ ଗଣ୍ଡରପୁରସ୍ଥିତ ଡ୍ରେନେଜ ଡିଭିଜନର ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କୁ ବିଭାଗ ଗୁରୁବାର ଦିନ ଗରିଫ କରି କୋର୍ଟ ଚାଲାଣ କରିଛି । ରେଡ ପରେ କରାଯାଇଥିବା ତଦନ୍ତରୁ ମନୋଜ ୪ କେଟି ୨୬ ଲକ୍ଷ ୪୫ ହଜାର ଟଙ୍କାର ଆୟବର୍ହିଭୁତ ସମ୍ପତି ଠୁଳ କରିଥିବା ନେଇ ପ୍ରମାଣ ପାଇବା ପରେ ତାଙ୍କ ବିରୋଧରେ ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ରେଡ ସମୟରେ ମନୋଜଙ୍କ ପାଖରୁ ନଗଦ ୬ ଲକ୍ଷ ୧୭ ହଜାର ଟଙ୍କା ଜବତ ହୋଇଥିଲା । ସେଥିମଧ୍ୟରୁ ଅଧାରୁ ଅଧିକ ଟଙ୍କାକୁ କଟକ ଓ ଭୁବନେଶ୍ବରର ଦୁଇଟି ବ୍ୟାଙ୍କରେ ଥିବା ମନୋଜଙ୍କ ନାଁରେ ଥିବା ଦୁଇଟି ଲକରରୁ ଜବତ ହୋଇଥିବା ବେଳେ ତାଙ୍କ ଘରେ ଥିବା ଫ୍ରିଜ୍ ଭିତରୁ ୭୫ ହଜାର ୫୦୦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହା ବ୍ୟତୀତ ତାଙ୍କ ପାଖରୁ ଦେଢ଼ କେଜି ଓଜନର ସୁନା ଅଳଙ୍କାର ମଧ୍ୟ ଜବତ କରିଛି ଭିଜିଲାନ୍ସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।