ଦରମା ୮୫୦୦ ହେଲେ ଅମାପ ସମ୍ପତ୍ତିର ମାଲିକ; ଆଗାମୀ ୨ ଦିନ ପର୍ଯ୍ୟନ୍ତ ଚାଲିବ ରେଡ଼

ଚାକିରୀ ଗ୍ରାମ ରୋଜଗାର ସେବକ କିନ୍ତୁ ଅମାପ ସମ୍ପତ୍ତି ମାଲିକ। ଆୟବର୍ହଭିୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାବୁଲିଙ୍କ ଠିକଣାରେ ରେଡ୍ କରିଥିବା ଭିଜିଲାନ୍ସ ବି ତାଙ୍କ ସମ୍ପତି ଦେଖି ତାଜୁବ ହୋଇଛି ।

ଆୟବର୍ହଭିୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାବୁଲିଙ୍କ ଘର ଭିଜିଲାନ୍ସ ରେଡ଼ କରିଛି (ପ୍ରତୀକାତ୍ମକ ଛବି)

ଆୟବର୍ହଭିୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାବୁଲିଙ୍କ ଘର ଭିଜିଲାନ୍ସ ରେଡ଼ କରିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ଚାକିରୀ ଗ୍ରାମ ରୋଜଗାର ସେବକ କିନ୍ତୁ ଅମାପ ସମ୍ପତ୍ତି ମାଲିକ। ଆମେ କହୁଛୁ ଭୁବନେଶ୍ବର କଳାରାହାଙ୍ଗ ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ବା ଜିଆରଏସ ବାବୁଲି ପଢିଆରୀଙ୍କ କଥା । ଆୟବର୍ହଭିୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାବୁଲିଙ୍କ ଠିକଣାରେ ରେଡ୍ କରିଥିବା ଭିଜିଲାନ୍ସ ବି ତାଙ୍କ ସମ୍ପତି ଦେଖି ତାଜୁବ ହୋଇଛି ।

ଭୁବନେଶ୍ବର ରଘୁନାଥପୁରରେ ବାବୁଲିଙ୍କର ଏକ ତିନି ମହଲା ବିଶିଷ୍ଟ ଅଟ୍ଟାଳିକା ଠାବ ହୋଇଛି ଯାହାର ମୂଲ୍ୟ ଏକ କୋଟି ୨୪ ଲକ୍ଷ ଟଙ୍କା ବୋଲି ଆକଳନ କରିଛି ଭିଜିଲାନ୍ସ ଟିମ । ସେହିଭଳି ଭୁବନେଶ୍ବର ଦାଢ଼ା ଅଞ୍ଚଳରେ କିଛି ଦିନ ତଳେ ବାବୁଲି ୩୨ ଲକ୍ଷ ଟଙ୍କା ଦେଇ ଏକ ଜମି କିଣିଥିଲେ। ଏହା ବ୍ୟତୀତ କଳାରାହାଙ୍ଗରେ ଥିବା ୧୪ ଲକ୍ଷ ଟଙ୍କାର ଏକ ଫ୍ଲାଟ୍ ଓ ରଘୁନାଥପୁରରେ ୧୪ ଲକ୍ଷ ୧୮ ହଜାର ଟଙ୍କା ବିନିମୟରେ କିଣାଯାଇଥିବା ଏକ ଘର ମଧ୍ୟ ଠାବ ହୋଇଛି ।

ଜିଆରଏସ ବାବୁଲି ପଢ଼ିଆରୀ ମାଲିକାନାରେ ଥିବା ୫୯ ଟି ଜମି ଠାବ ହୋଇଛି । ସେଥିମଧ୍ୟରୁ ୫୮ଟି ଜମି ଭୁବନେଶ୍ବରର ବିଭିନ୍ନ ଦାମି ଅଞ୍ଚଳରେ ଥିବା ବେଳେ ଗୋଟିଏ ବାରଙ୍ଗ ବେଲଗଛିଆରେ ଠାବ ହୋଇଛି । ଏହା ବ୍ୟତିତ ବ୍ୟାଙ୍କ ଜମା, ବିମା, ସୁନା ଅଳଙ୍କାର ଓ ଗାଡ଼ିକୁ ମିଶାଇ ପ୍ରାୟ ୧୪ ଲକ୍ଷ ଟଙ୍କା ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଯାହାକି ଆଗକୁ ଆହୁରି ବଢ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଗ୍ରାମ ରୋଜଗାର ସେବକ ଭାବେ ଚାକରି କରୁଥିବା ବାବୁଲି ପଢ଼ିଆରୀଙ୍କ ମୁଳ ଦରମା ମାତ୍ର ୮ ହଜାର ୯ ଶହ ଟଙ୍କା । ହେଲେ ଏହା ପରେ ମଧ୍ୟ ସେ ଏତେ ଟଙ୍କାର ସମ୍ପତ୍ତିର ମାଲିକ କେମିତି ହେଲେ ତାହା ସମସ୍ତଙ୍କୁ ଚକିତ କରିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବାବୁଲି ଏହି ସବୁ ସମ୍ପତ୍ତିକୁ କେଉଁ ସୂତ୍ରରୁ ରୋଜଗାର କରିଛନ୍ତି ସେନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନାହାଁନ୍ତି ।

ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସେମବାର ଦିନ ବାବୁଲି ପଢିଆରୀଙ୍କର ମୋଟ ୬ଟି ଠିକଣାରେ ରେଡ କରିଥିଲା ଭିଜିଲାନ୍ସ ବିଭାଗ । ଏହି ରେଡରେ ୩ ଜଣ ଡିଏସପି ଓ ୧୦ ଜଣ ଇନିସପେକ୍ଟର ସାମିଲ ଅଛନ୍ତି । ବାବୁଲିଙ୍କ ଠାରୁ ମିଳୁଥିବା ସମ୍ପତ୍ତିକୁ ଦେଖି ଏହି ରେଡ଼ ଆଗାମି ଦୁଇ ଦିନ ପର୍ଯ୍ୟନ୍ତ ଜାରି ରଖାଯିବ ବୋଲି ସୂଚନା ଦେଇଛି ଭିଜିଲାନ୍ସ ବିଭାଗ।
Published by:Soumya Das
First published: