News18 Odia Digital
ଭୁବନେଶ୍ବର: ଓଡ଼ିଶା ପୋଲିସର କମ୍ୟୁନିକେସନ୍ ବିଭାଗରେ କାର୍ଯ୍ୟରତ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ମଙ୍ଗଳବାର ୧୧ଟି ସ୍ଥାନରେ ଏକକାଳିନ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପୋଲିସ ବାବୁଙ୍କ ସମ୍ପତ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଭିଜିଲାନ୍ସ ଅଧିକାରୀ। ଘରୁ ଠାବ ହୋଇଛି ପୁଳା ପୁଳା ଟଙ୍କା ସାଙ୍ଗକୁ ନାମୀ ଦାମୀ କାର ଓ ବାଇକ। ଯାହାର ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରିଛି ଭିଜିଲାନ୍ସ ବିଭାଗ।
ତିନି ଜଣ ଅତିରିକ୍ତ ଏସପି, ୧୦ ଜଣ ଡି.ଏସ.ପି, ୧୩ ଜଣ ଇନସପେକ୍ଟରଙ୍କ ତତ୍ୱବଧାନରେ ତ୍ରୀନାଥଙ୍କ ଘର ସମେତ ୧୧ଟି ସ୍ଥାନରେ ଏକକାଳିନ ଚଢ଼ାଉ କରାଯାଇଥିଲା। କଟକ, ଭୁବନେଶ୍ୱର, ନବରଙ୍ଗପୁର ଯାଜପୁର, ଜଗତସିଂହପୁରରେ ଚଢ଼ାଉ କରିଥିଲା ଭିଜିଲାନ୍ସ।
ଚଢ଼ାଉ ବେଳେ ରସୁଲଗଡ ମନୋରମା ଆପାର୍ଟମେଣ୍ଟରେ ରହିଛି ଏକ ୩ ମହାଲା ଘର। ଯାଜପୁରରେ ରହିଛି ଏକ ଫାର୍ମହାଉସ। ଯାଜପୁର ଓ ଭୁବନେଶ୍ୱରରେ ୩ଟି ପ୍ଲଟ। ଘରୁ ଜବତ ହେଲା ସାଢ଼େ ୩ ଲକ୍ଷ ଟଙ୍କା। ସେହିପରି ଘରୁ ଠାବ ହୋଇଛି ଏକ କୋଟି ୧୧ ଲକ୍ଷର ବିଏମ୍ଡବ୍ଲ୍ୟୁ କାର । ପତ୍ନୀଙ୍କ ନାମରେ ୧୭ ଲକ୍ଷ ଟଙ୍କାର କ୍ରେଏଟା କାର୍। ଏହାସହ ମାରୁତି ବାଲେନୋ ଓ ଚେଭ୍ରୋଳେଟ୍ କାର୍ ମଧ୍ୟ ଜବତ ହୋଇଛି। ୨୦ ଲକ୍ଷ ଟଙ୍କାର ତ୍ରିଅମ୍ଫ ରକେଟ ବାଇକ୍ ସହ ରୟାଲ ଏନଫିଲ୍ଡ ଓ ସାଢ଼େ ୫ ଲକ୍ଷ ଟଙ୍କାର ଜି.ଟି.ଆର ୟୋସୁଙ୍ଗ ବାଇକ୍ ମଧ୍ୟ ଜବତ କରିଛି ଭିଜିଲାନ୍ସ।
କୋର୍ଟଙ୍କ ଅନୁମତି ପରେ ଆମେ ଚଢ଼ାଉ ଆରମ୍ଭ କରିଛୁ। ଏବେ ସମ୍ପୂର୍ଣ୍ଣ ଭାବେ ଚଢ଼ାଉ ସରି ନଥିବା ବେଳେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିନି। ଏବେ ସୁଦ୍ଧା ଚଢ଼ାଉ ବେଳେ ଯାଜପୁର ଚଣ୍ଡିଖୋଲରେ ପୋଲିସ ବାବୁଙ୍କ ଶାନ୍ତିଲତା ନର୍ସିଂହୋମ ଓ ଡ୍ରଗ୍ସ ହାଉସ ଥିବା ଜଣା ପଡ଼ିଛି। ସେହିଭଳି ଯାଜପୁର, ଧାନମଣ୍ଡଳ ଓ ଚଣ୍ଡିଖୋଲରେ ଶାନ୍ତିଲତା ଟ୍ରାନ୍ସପୋର୍ଟ ନାମରେ ଟ୍ରାନ୍ସପୋର୍ଟ ବ୍ୟବସାୟ। କଟକ ମହାନଦୀ ବିହାରରେ ଡ୍ରଗ ମାନ୍ୟୁଫ୍ୟକଚରିଂ ବ୍ୟବସାୟ ରହିଛି । ଆମେ ଫାଇନସିଆଲ, ଟେକ୍ନିକାଲ ଉଇଙ୍ଗ ଜରିଆରେ ତଦନ୍ତ କରୁଛୁ ବୋଲି ମଙ୍ଗଳବାର ଚଢ଼ାଉ ସମୟରେ କହିଥିଲେ ଭିଜିଲାନ୍ସ ଏସ.ପି ଅକ୍ଷୟ ମିଶ୍ର।
ଚଢ଼ାଉ ବେଳେ ସାମ୍ନାକୁ ଆସିଲା କୋଟିପତି ପୋଲିସ ବାବୁ କଳା ସାମ୍ରାଜ୍ୟ। ଘରୁ ଠାବ ହେଲା ପୁଳା ପୁଳା ଟଙ୍କା। ଘର ଆଗରେ ଛିଡ଼ା ହୋଇଛି ନାମୀଦାମୀ କାର ଓ ବାଇକ। ବାପା ଚଢୁଥିଲେ ୨୦ ଲକ୍ଷ ଟଙ୍କାର ବାଇକ, ପୁଅ ଚଢୁଥିଲା କୋଟିଏ ଟଙ୍କାର କାର। ଘର ଜଗିଛନ୍ତି ମାଳ ମାଳ ଫରେନ୍ କୁକୁର।
ଭିଜିଲାନ୍ସ ଚଢ଼ାଉ ଜାରି ରଖିଥିବା ବେଳେ ଅତରିକ୍ତ ଏସପି ତ୍ରିନାଥ ମିଶ୍ର କହିଥିଲେ, “ମୁଁ କୌଣସି ଦୁର୍ନୀତି କରିନି। ମୋ ବିରୁଦ୍ଧରେ ଚକ୍ରାନ୍ତ କରାଯାଇଛି। ସଠିକ୍ ସମୟରେ ସମସ୍ତ ତଥ୍ୟ ଭିଜିଲାନ୍ସ ସମ୍ମୁଖରେ ଉପସ୍ଥାପନ କରିବି।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।