News18 Odia Digital
ବ୍ରହ୍ମପୁର: ବୟସ ମାତ୍ର ସାତ ବର୍ଷ । ହେଲେ ତାଙ୍କର ରଣପା ନୃତ୍ୟକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ, ଆମେ ଏଠାରେ କହୁଛୁ ବ୍ରହ୍ମପୁର ଉପକଣ୍ଠ ବଡ଼କୁଶସ୍ତଳୀ ଗାଁର ବିଭାଶ ସାହୁଙ୍କ କଥା । କୁନି କୁନି ପାଦରେ ବାଡ଼ିକୁ ଧରି ବେଶ ସୁନ୍ଦର ଭାବେ ରଣପା ନୃତ୍ୟ କରୁଛନ୍ତି ସେ । ଗତ ଦୁଇ ବର୍ଷ ହେଲା ରଣପା ନୃତ୍ୟ କରୁଥିବା ବେଳେ ସେ ୧୨ ମିନିଟ୍ ୫୮ ସେକେଣ୍ଡ ବିନା ବିଶ୍ରାମରେ ରଣାପା ନୃତ୍ୟ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସାମିଲ ହୋଇପାରିଛନ୍ତି ।
ବିଭାଶ ନିଜର ବଡ଼ ଭାଇ ଓ ବାପାଙ୍କ ଠାରୁ ରଣପା ନୃତ୍ୟ ଶିକ୍ଷା ଲାଭ କରିଥିଲେ । ବିଭାଶଙ୍କ ଏଭଳି ସଫଳତାକୁ ନେଇ ପରିବାର ଲୋକେ ବେଶ ଖୁସୀ ଥିବା ବେଳେ ଆଗାମୀ ଦିନରେ ଆହୁରି ଏଭଳି ଅନେକ ରେକର୍ଡ଼ରେ ସାମିଲ ହେବ ବୋଲି ସେମାନେ ଆଶାବାଦୀ ।
ବିଭାଶ ବ୍ରହ୍ମପୁରର ଏକ ଘରୋଇ ବିଦ୍ୟାଳୟରେ ଦ୍ବିତୀୟ ଶ୍ରେଣୀରେ ପାଠ ପଢୁଛନ୍ତି । ପିଲାଟି ଦିନରୁ ଘରେ ଘରେ ତାଙ୍କ ବାପା ତାଙ୍କ ବଡ଼ ପୁଅ ବିଭୂଦତ୍ତକୁ ରଣପା ନୃତ୍ୟ ଶିଖାଉଥିଲେ । ବଡ଼ ଭାଇ ଓ ବାପା ଦୁହେଁ ମିଶି ରଣପା ନୃତ୍ୟ କରିଥିବା ଦେଖି ବିଭାଶ ମଧ୍ୟ ରଣପା ନୃତ୍ୟ କରିବାକୁ ମନ ବଳାଇଥିଲେ ।

ରଣପା ନୃତ୍ୟୁ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସାମିଲ ହେଲେ ବହ୍ରପୁରର ପୁଅ ବିଭାଶ
ଗତ ଦୁଇ ବର୍ଷ ହେଲା ତାଙ୍କୁ ତାଙ୍କ ବାପା ଓ ବଡ଼ ଭାଇ ରଣପା ନୃତ୍ୟ ଶିଖାଇ ଆସୁଛନ୍ତି । ଯାହା ଦ୍ବାରା ବର୍ତ୍ତମାନ ସେ ଅତି ସୁନ୍ଦର ଭାବେ ରଣପା ନୃତ୍ୟ କରିପାରୁଛନ୍ତି । ଉଭୟ ଗୋଟିଏ ଗୋଡ଼ରେ ସଙ୍ଗୀତର ତାଳେ ତାଳେ ରଣାପା ନୃତ୍ୟ କରୁଛନ୍ତି ସେ । ବର୍ତ୍ତମାନ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ଏସିଆ ବୁକ୍ ଅଫ୍ ରେକର୍ଡ଼ରେ ସାମିଲ ହେବା କଥା କହିଛନ୍ତି ସେ ।
ସେହିପରି ତାଙ୍କ ବଡ଼ ଭାଇ କହିଛନ୍ତି, ‘‘ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ବିଭାଶଙ୍କୁ ମୁଁ ଓ ବାପା ତାଙ୍କୁ ରଣପା ନୃତ୍ୟ ଶିଖାଉଛୁ । ରଣପା ନୃତ୍ୟରର ନୂଆ ନୂଆ କୌଶଳକୁ ଅତି କମ ସମୟରେ ବିଭାଶ ଶିଖି ଯାଉଥିବା ବେଳେ ତାଙ୍କର ଏଭଳି ସଫଳତାକୁ ନେଇ ବେଶ ମୁଁ ବେଶ୍ ଖୁସି ଅନୁଭବ କରୁଛି ।’’
ବିଭାଶଙ୍କ ମା' ସ୍ନେହଲତା ସାହୁ କହିଛନ୍ତି, ବିଭାଶ ପିଲାଟି ଦିନରୁ ପାଠରେ ଯେମିତି ରଣପା ନୃତ୍ୟରେ ମଧ୍ୟ ସେମିତି ମାହିର । ଗାଁର ଅନ୍ୟ ପିଲାମାନେ ପାଠପଢ଼ା ପରେ ଖେଳାବୁଲା କରୁଥିବା ବେଳେ ବିଭୋଶ ନିଜର ଭାଇ ଓ ବାପା ସହ ରଣପା ନୃତ୍ୟ ଅଭ୍ୟାସ କରିଥାଏ । କେତେବେଳେ ବି କିଛି ସମୟ ଫୁରସତ ପାଇଲେ ଘରେ କେହି ନଥିଲେ ନିଜେ ନିଜେ ରଣପା ନୃତ୍ୟ ଅଭ୍ୟାସ କରିଥାଏ ବିଭାଶ । ଛୋଟ ବୟସରେ ଏଭଳି ରଣପା ନୃତ୍ୟ କରୁଥିବା ଯୋଗୁଁ ଗ୍ରାମବାସୀମାନେ ତାଙ୍କ ନୃତ୍ୟକୁ ବେଶ ପ୍ରଶଂସା କରୁଥିବା ବେଳେ ବର୍ତ୍ତମାନ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ ସାମିଲ ହୋଇଛି ସେ । ଆଗାମୀ ଦିନରେ ଆହୁରି ନୂଆ ନୂଆ ରେକର୍ଡ଼ ହାସଲ କରିବା ନିମନ୍ତେ ସମସ୍ତ ପ୍ରକାରର ସହଯୋଗ କରାଯିବ ।’’
‘‘ରଣପା ନୃତ୍ୟ ହେଉଛି ବଡ଼କୁଶସ୍ଥଳୀ ଗାଁର ପୂର୍ବଜ କଳା । ଗାଁର ଅନେକ ଲୋକେ ରଣପା ନୃତ୍ୟ କରିଥାନ୍ତି । ରଣପା ନୃତ୍ୟ ମୁଁ ମୋ ବାପାଙ୍କ ଠାରୁ ଶିକ୍ଷା ଲାଭ କରିବା ପରେ ମୋ ମୋର ଦୁଇ ପୁଅକୁ ରଣପା ନୃତ୍ୟ ନେଇ ଶିକ୍ଷା ପ୍ରଦାନ କରିଥିଲେ । ବର୍ତ୍ତମାନ ମୋର ବଡ଼ ପୁଅ ମଧ୍ୟ ରଣପା ନୃତ୍ୟ ପ୍ରଦର୍ଶନ ଭଲ କରିଥିବା ଯୋଗୁଁ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ମଧ୍ୟ ସ୍କଲରସିପ୍ ପାଉଛି । ଆଗକୁ ଏଭଳି ଦୁଇ ଭାଇ ନିଜର ଅଭ୍ୟାସ ଜାରି ରଖିବେ । ଦୁହେଁ ଭାଇ ଏସିଆ, ଲିମ୍କା ଓ ୱାଲର୍ଡ଼ ବୁକ୍ ରେକର୍ଡ଼ରେ ସାମିଲ ହେବା ନେଇ ମୁଁ ଆଶାବାଦୀ ଅଛି,‘‘ କହିଛନ୍ତି ବିଭାଶଙ୍କ ବାପା ଭଗବାନ ସାହୁ ।
ବର୍ତ୍ତମାନର ଆଧୁନିକ ଯୁଗରେ ରଣପା ନୃତ୍ୟ ହଜିବାକୁ ବସିଥିବା ବେଳେ ବିଭାଶ ଓ ତାଙ୍କ ବଡ଼ ଭାଇ, ବାପାଙ୍କ ରଣପା ନୃତ୍ୟର ଆହୁରି ପ୍ରଚାର ପ୍ରସାରକୁ ନେଇ ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।