ପରିବା ଦର ଆକାଶଛୁଆଁ... ୫ଶହ ଟଙ୍କାରେ ପୁରୁନି ବ୍ୟାଗ; ହବିଷ୍ୟାଳି ହନ୍ତସନ୍ତ

ଦରବୃଦ୍ଧି ଯନ୍ତ୍ରଣା ପିଛା ଛାଡ଼ୁନି। ସାଧାରଣ ଲୋକଙ୍କ ପାଇଁ ଏହା ‌ବୋଝ ଉପରେ ନଳିତା ବିଡ଼ା ସାଜିଛି । କାର୍ତ୍ତିକରେ ଅଧିକାଂଶ ପରିବାରର ରୋଷେଇଶାଳକୁ ଆମିଷ ବାରଣ ରହିଛି । ସେପଟେ ୫ଶହ ଟଙ୍କାରେ ପୁରୁନି ବ୍ୟାଗ ।

ପରିବା ଦର ଆକାଶଛୁଆଁ... ୫ଶହ ଟଙ୍କାରେ ପୁରୁନି ବ୍ୟାଗ; ହବିଷ୍ୟାଳି ହନ୍ତସନ୍ତ

ପରିବା ଦର ଆକାଶଛୁଆଁ... ୫ଶହ ଟଙ୍କାରେ ପୁରୁନି ବ୍ୟାଗ; ହବିଷ୍ୟାଳି ହନ୍ତସନ୍ତ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ବାରମ୍ବାର ବର୍ଷା ଓ ବନ୍ୟା କାରଣରୁ ପରିବା ଫସଲ ଧୋଇ ହୋଇଯାଇଥିଲା । ଏବେ କାର୍ତ୍ତିକ ମାସ କାରଣରୁ ପରିବାର ଚାହିଦା ବି ବଢ଼ିଯାଇଛି । ଗୋଟିଏ ପଟେ ଚାହିଦା ରହିଥିବା ବେଳେ ଉତ୍ପାଦନ ହ୍ରାସ ଯୋଗୁଁ ପରିବା ଦର ବୃଦ୍ଧି ପାଇଛି ।

"କାର୍ତ୍ତିକରେ ଅଧିକାଂଶ ଲୋକେ ଆମିଷ ଛାଡି ସାଦା ଖାଇଥାନ୍ତି । ହବିଷ୍ୟାଳି ମାନେ ମଧ୍ୟ ହବିଷ କରିଥାନ୍ତି । ଡାଲମା ହେଉ ଅବା ସାଦା ତରକାରୀ, ସବୁଥିରେ ଲୋଡ଼ା ପଡ଼ୁଥିବା ପ୍ରମୁଖ ପରିବା ଗୁଡ଼ିକର ଦର ନିୟନ୍ତ୍ରଣ ବାହାରେ । ବାଇଗଣ ଦର ୬୦ରୁ ୮୦ ଟଙ୍କା ମଧ୍ୟରେ ରହିଛି । ହବିଷ ଡାଲମାରେ ମୁଖ୍ୟ ପରିବା ଭାବେ ପଡ଼ୁଥିବା ଦେଶୀ ଆଳୁର ଦର ୨୦ଟଙ୍କାରୁ ୩୦ ଟଙ୍କାକୁ ଲମ୍ଫ ଦେଇଛି । ବିନ୍‌ ୧୦୦ ଟଙ୍କା,  କଞ୍ଚା କଦଳୀ ଗୋଟା ୧୦ଟଙ୍କାରେ ବିକ୍ରି ହେଉଛି । ପୋଟଳ ୪୦ରୁ ୫୦ ଟଙ୍କା, କାଙ୍କଣ ୪୦ରୁ ୫୦ ଟଙ୍କା, ଗାଜର ୬୦,ବିମସ ୧୦୦ଟଙ୍କା, ଝୁଡ଼ଙ୍ଗ ୫୦ରୁ ୬୦ ଟଙ୍କା, ଜହ୍ନି ୪୦, ଟମାଟୋ ୬୦ ଟଙ୍କା, କାକୁଡ଼ି ୪୦ ଟଙ୍କାରେ ବିକ୍ରି ହେଉଛି। ୫୦୦ ଟଙ୍କା ଦେଲେ ବି ବ୍ୟାଗ୍‌ ପୂରଣ ହେଉନାହିଁ । ଅଲୋଡ଼ା ଥିବା ଓଉ ଗୋଟା ୧୦ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ଅଦାର ଦର ଗତ ସପ୍ତାହ‌ରେ ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହା ୧୨୦ ଟଙ୍କା ହୋଇଯାଇଛି । ତେବେ ଏସମୟରେ ପରିବାର ପାଇଁ ପରିବା କିଣିବା ଅସମ୍ଭବ ହୋଇପଡୁଛି। ସେପଟେ କେବଳ ସହରବାସୀ ନୁହେଁ ପରିବା ଦର ବୃଦ୍ଧି ଯୋଗୁଁ ପୁରୀ ସହରର ବିଭିନ୍ନ ମଠବାଡିରେ ରହି ହବିଷ କରୁଥିବା ହବିଷ୍ୟାଳିଙ୍କ ପାଇଁ ବେଶ ଯନ୍ତ୍ରଣାଦାୟକ ହୋଇପଡିଛି ।

ପରିବା ବ୍ୟବସାୟୀ ଦୁଇଥର କୋବି ତଳି ଲଗାଇବା ପରେ ବର୍ଷା ଧୋଇନେଇଛି । ତେଣୁ ଏଥର ବାଙ୍ଗାଲୋର କୋବି ହିଁ ଚାହିଦା ପୂରଣ କରିବ। ମାତ୍ର ଦର ୭୦ରୁ ୧୦୦ ଟଙ୍କା ମଧ୍ୟରେ ରହିବ। ବ୍ୟବସାୟୀଙ୍କ କହିବା ମୁତାବକ, ଏବେ ସ୍ଥାନୀୟ ଅଞ୍ଚଳରୁ ପରିବା ଉତ୍ପାଦନ କମ ରହିଛି। ସ୍ଥାନୀୟ ଫସଲ ଗତ ବନ୍ୟାରେ ଧୋଇ ଯାଇଥିବାରୁ ଏଥର ପରିବା ଦର ଉପରେ ଏହାର ପ୍ରଭାବ ପଡ଼ିଛି। ସବୁ ପରିବା ଜିଲ୍ଲା ଓ ରାଜ୍ୟ ବାହାରୁ ଆସୁଛି। ଏଣେ ଯାହା ଉତ୍ପାଦନ ହେଉଛି, ତାହା ବି ବଜାର ଚାହିଦା ତୁଲାଇବାକୁ ଯଥେଷ୍ଟ ହେଉନାହିଁ। ତେଣୁ ଦର ଉଚ୍ଚା ରହିବା ସ୍ବାଭାବିକ ବୋଲି ସେ କହିଛନ୍ତି।

" ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚଳିତବର୍ଷ ବନ୍ୟା ଜନିତ ଦୁର୍ଦ୍ଦଶା ପୁରୀ ଜିଲ୍ଲାକୁ ବେଶ୍ ପ୍ରଭାବିତ କରିଥିଲା। ପ୍ରାୟ ଆଠଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଫସଲ ହାନି ହୋଇଥିଲା। ଯାହା କାର୍ତ୍ତିକ ମାସରେ ତାହାର ସିଧାସଳଖ ପ୍ରତିଫଳନ ଦେଖିବାକୁ ମିଳୁଛି। ପୁରୀ ବଜାରକୁ ମୁଖ୍ୟତଃ ସାତଶଙ୍ଖ, ବଳଙ୍ଗା, ସାରଙ୍ଗଯୋଡ଼ି, ପିପିଲି, ଗବକୁଣ୍ଡ, ନଳିତାପଣି ଆଦି ଅଞ୍ଚଳରୁ ସାପ୍ତାହିକ ହାଟ ବାରି ଅନୁଯାୟୀ ସ୍ଥାନୀୟ ପରିବା ଆସେ। ଏହା ବ୍ୟତୀତ ଭୁବନେଶ୍ବର ଓ ରାଜ୍ୟ ବାହାରୁ ମଧ୍ୟ କିଛି ପରିବା ଆସେ। ଫଳରେ ପରିବା ଦର ନିୟନ୍ତ୍ରଣରେ ରୁହେ। କିନ୍ତୁ ସ୍ଥାନୀୟ ବଜାରରେ ଏବେ ଯଥେଷ୍ଟ ପରିବା ମିଳୁନାହିଁ। ଫଳରେ ଏଭଳି ସମସ୍ୟା ସୃଷ୍ଟି ହେଉଥିବା କହିଛନ୍ତି ବ୍ୟବସାୟୀ।

ନାସିକ୍‌ରୁ ଟମାଟୋ ଆସୁଥିବା ବେଳେ ବା‌ଙ୍ଗାଲୋରରୁ ବନ୍ଧା କୋବି ଆସୁଛି। ଅନ୍ୟ ପକ୍ଷରେ ବରଗଡ଼ରୁ ଅଧିକାଂଶ କଞ୍ଚା ପରିବା ଆମଦାନି ହେଉଛି। ଏହା କେବଳ ହାଣ୍ଡିଶାଳ ଉପରେ ପ୍ରଭାବ ପକାଇନାହିଁ। ପରିବା ଦର ବୃଦ୍ଧି ପାଇବା ପରେ ହୋଟେଲରେ ବି ଖାଇବା ଥାଳି ମୂଲ୍ୟ ବୃଦ୍ଧି ହୋଇଗଲାଣି ।  ଯେଉଁଠି ୫୦ ଟଙ୍କାରେ ସାଦା ଥାଳି ମିଳୁଥିଲା, ଏବେ ସେଠି ଏକ ସାଧାରଣ ହୋଟେଲରେ ୮୦ ଟଙ୍କା ଦେବାକୁ ପଡ଼ୁଛି ।
Published by:Soubhagya Mishra
First published: