ବର୍ଷା-ଅନୁଭବ ମାମଲା: ଶାଶୁ ଘରେ ଅସୁରକ୍ଷିତ ମନେ କରି ପୋଲିସ ସୁରକ୍ଷା ମାଗିଲେ ବର୍ଷା

ମଧ୍ୟାନ୍ନ ସମୟରେ ବର୍ଷା ଶାଶୁ ଘରେ ଖାଉଥିବା ସମୟରେ ଅନୁଭବଙ୍କ ଦୁଇ ଜଣ ସହଯୋଗୀ ବିନା ଅନୁମତିରେ ତାଙ୍କ ରୁମକୁ ପଶିଥିଲେ ଓ ସେ ଖାଉଥିବାର ଭିଡିଓଗ୍ରାଫି କରିଥିଲେ । ଏହା ପରେ ବର୍ଷା ୧୦୦ ନମ୍ବରକୁ ଡାଏଲ କରି ପୋଲିସ ସୁରକ୍ଷା ମାଗିଥିଲେ ।

ବର୍ଷା-ଅନୁଭବ ମାମଲା: ଶାଶୁ ଘରେ ଅସୁରକ୍ଷିତ ମନେ କରି ପୋଲିସ ସୁରକ୍ଷା ମାଗିଲେ ବର୍ଷା
ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି (ଫାଇଲ୍ ଫଟୋ); (ଡାହାଣ) ବର୍ଷାଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଥିବା ଜଣେ ପୋଲିସ କର୍ମୀ
  • News18 Odia
  • Last Updated: September 8, 2020, 12:11 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବର୍ଷା ଓ ଅନୁଭବଙ୍କ ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡ଼କୁ ନେଇ ବିଦ୍ଧିବଦ୍ଧ ଭାବେ ଅଦାଲତି ଲଢ଼େଇ ଆରମ୍ଭ ହୋଇଛି । କଟକ ଏସ.ଡି.ଜେ.ଏମ. କୋର୍ଟରେ ସୋମବାର ଦିନ ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ନିର୍ଯ୍ୟାତନା ଓ ଭରଣ ପୋଷଣ ମାମଲାର ଶୁଣାଣି ହୋଇଥିଲା । ବର୍ଷାଙ୍କ ବୟାନ କୋର୍ଟରେ ଦାଖଲ ହୋଇ ନ ଥିବାରୁ ଏହି ମାମଲାର ଶୁଣାଣି ପାଇଁ ଅକ୍ଟୋବର ମାସ ୧୨ ତାରିଖକୁ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଫ୍ୟାମିଲି କୋର୍ଟରେ ଶାଶୁ ଘର ଲୋକଙ୍କ ସହ ପୁନଃସ୍ଥାପିତ ହୋଇ ରହିବା ପାଇଁ ବର୍ଷା ଦାୟର କରିଥିବା ମାମଲାଟିକୁ କୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହ ଏହାର ପରବର୍ତ୍ତି ଶୁଣାଣି ଅକ୍ଟୋବର ୧୪ ତାରିଖକୁ ଧାର୍ଯ୍ୟ କରିଛନ୍ତି । ତେବେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଅନୁଭବ ଦାୟର କରିଥିବା ଛାଡ଼ପତ୍ର ମାମଲାକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ସୁପ୍ରିମ କୋର୍ଟ ଯିବେ ବୋଲି କହିଛନ୍ତି ତାଙ୍କ ଓକିଲ ।
‘‘ଅକ୍ଟୋବର ୧୨ ତାରିଖକୁ ଏସ.ଡି.ଜେ.ଏମଙ୍କ କୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଡୋମେଷ୍ଟିକ୍‌ ନିସିଡେଣ୍ଟ ରିପୋର୍ଟ କୋର୍ଟରେ ଦାଖଲ ହେବା ପରେ ସେହି ସମୟରେ କୋର୍ଟ ଯେଉଁ ଅନ୍ତରୀଣ ନିର୍ଦ୍ଦେଶ ଦେବେ ସେହି ଅନୁସାରେ ଆମେ ଆଗକୁ ବଢ଼ିବୁ,’’ କହିଛନ୍ତି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ।

ଏହି ମାମଲାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ମହାନ୍ତି । ‘‘ଏହ ମୋ’ର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମାମଲା । ତଥାପି ଘର ମଧ୍ୟରେ ଏହାର ସମାଧାନ ହୋଇ ପାରିଲା ନାହିଁ । ସେଥିପାଇଁ ମାମଲା କୋର୍ଟକୁ ଗଲା । ମୋ’ର କୋର୍ଟ ଉପରେ ଭରଷା ରହିଛି। ଗୋଟିଏ ଛୋଟ ଭୁଲ ପାଇଁ ମୁଁ ଓ ମୋ’ ପରିବାର ଲୋକେ ପସ୍ତାଇ ହେଉଛୁ,’’ କହିଛନ୍ତି ଅନୁଭବ ।

ଅନୁଭବ ମହାନ୍ତି ନିଜ ପ୍ରତିକ୍ରିୟା ରଖୁଛନ୍ତି


ସୋମବାର ପ୍ରାୟ ସାଢ଼େ ୧୨ଟା ସମୟରେ ବର୍ଷାଙ୍କ ବୟାନ ରେକର୍ଡ କରିବା ପାଇଁ ସେ ରହୁଥିବା ତାଙ୍କ ଶାଶୁ ଘରେ ପହଞ୍ଚିଥିଲେ ଜିଲ୍ଲା ସୁରକ୍ଷା ଅଧିକାରୀ ମଞ୍ଜୁଲତା ନାୟକ । ପ୍ରାୟ ୨୦ ମିନିଟ ଧରି ବର୍ଷା ସୁରକ୍ଷା ଅଧିକାରୀ ମଞ୍ଚୁଲତା ନାୟକ ତାଙ୍କ ବୟାନ ରେକର୍ଡ କରିବା ସହ ଡୋମେଷ୍ଟିକ୍‌ ନିସିଡେଣ୍ଟ ରିପୋର୍ଟ ପାଇଁ କିଛି ଆବଶ୍ୟକୀୟ ପ୍ରଶ୍ନ ମଧ୍ୟ କରିଥିଲେ । ସେ ସଂଗ୍ରହ କରିଥିବା ଏହି ରିପୋର୍ଟକୁ ସେ କୋର୍ଟରେ ଦାଖଲ କରିବେ ବୋଲି ସେ କହିଛନ୍ତି ।

"କୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ମୁଁ ମୋ’ କାମ କରି ଯାଉଛି । ଡିଆଇଆର ଫିଲପ୍‌ କରିବା ପରେ ମୁଁ ଏହାକୁ ଆଜି କୋର୍ଟରେ ଦାଖଲ କରିବି । ମୁଁ ଯାହା ପଚାରିଲି ବର୍ଷା ମୋ’ ପ୍ରଶ୍ନର ଉତ୍ତର ଦେଲେ,’’ କହିଛନ୍ତି ଜିଲ୍ଲା ସୁରକ୍ଷା ଅଧିକାରୀ ମଞ୍ଜୁଲତା ନାୟକ ।

ଏହାରି ଭିତରେ ଅନୁଭବଙ୍କ ବିରୋଧରେ କଟକରେ ବିକ୍ଷୋଭ ଆରମ୍ଭ କରିଛି ବିଜେପି । ଦଳର ମହିଳା ମୋର୍ଚ୍ଚା ପକ୍ଷରୁ ଗୌରୀଶଙ୍କର ପାର୍କ ନିକଟରେ ଅନୁଭବଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ତାଙ୍କୁ ସାଂସଦ ପଦରୁ ବହିଷ୍କାର କରିବାକୁ ଦାବି କରାଯାଇଛି । ବର୍ଷାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ।

‘‘ଆମେ ଦୁଇଟି ଦାବି ରଖିଛୁ । ପ୍ରଥମ ଦାବୀ ଅନୁଭବଙ୍କୁ ସାଂସଦ ପଦରୁ ବହିଷ୍କାର କରାଯାଉ । ଦ୍ୱିତୀୟ ଦାବି ବର୍ଷାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ । ବିଜେଡି ପକ୍ଷରୁ ‘ଗାଁକୁ କାମ ମା'କୁ ସମ୍ମାନ’ କଥା କୁହାଯାଉଛି । ହେଲେ ଏଠି ତାଙ୍କ ଦଳର ସାଂସଦ ତ ନିଜ ସ୍ତ୍ରୀଙ୍କୁ ସମ୍ମାନ ଦେଇ ପାରୁ ନାହାଁନ୍ତି । ତେଣୁ ତେମେ ଅନ୍ୟମାନଙ୍କ ପାଇଁ କି ଉଦାହରଣ ଦେଉଛ?’’ ପଚାରିଛନ୍ତି ବିଜେପି କଟକ ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ କଳ୍ପନା ପଟ୍ଟନାୟକ ।

ଏହି ବି ପଢ଼ନ୍ତୁ | ଏଣିକି ଟ୍ରେନ୍ ଭିତରେ ଭିକ ମାଗିଲେ ଓ ସିଗାରେଟ୍ ଟାଣିଲେ ଜେଲ୍ ଦଣ୍ଡ ହେବ ନାହିଁ; ବଦଳୁଛି ନିୟମ

ଏହି ବି ପଢ଼ନ୍ତୁ | ଭାରତକୁ ମିଳିଲା ଆମେରିକା ସମେତ ୪ଟି ବଡ଼ ଦେଶର ସମର୍ଥନ; ଚୀନରୁ ଭାରତ ଆସିଲା Apple ର ୮ଟି କାରଖାନା

ଅକ୍ଟୋବାର ୧୨ ତାରିଖରେ କଟକ ଏସ.ଡି.ଜେ.ଏମ. କୋର୍ଟ ଓ ୧୪ ତାରିଖରେ ଫାମିଲି କୋର୍ଟରେ ବର୍ଷାଙ୍କ ଦୁଇଟି ଯାକ ମାମଲାର ଶୁଣାଣି ହେବ । କିନ୍ତୁ ଏହା ପୂର୍ବରୁ ସେହି ମାସର ୭ ତାରିଖ ଦିନ ଅନୁଭବ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଦାୟର କରିଥିବା ଛାଡପତ୍ର ମାମଲା ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।



ଶାଶୁ ଘରେ ରହୁଥିବା ବର୍ଷା ଆଜି ପୋଲିସ ସୁରକ୍ଷା ମାଗିଛନ୍ତି । ମଧ୍ୟାନ୍ନ ସମୟରେ ସେ ଖାଉଥିବା ସମୟରେ ଅନୁଭବଙ୍କ ଦୁଇ ଜଣ ସହଯୋଗୀ ବିନା ଅନୁମତିରେ ତାଙ୍କ ରୁମକୁ ପଶିଥିଲେ ଓ ସେ ଖାଉଥିବାର ଭିଡିଓଗ୍ରାଫି ମଧ୍ୟ କରିଥିଲେ । ଏହା ପରେ ବର୍ଷା ୧୦୦ ନମ୍ବରକୁ ଡାଏଲ କରି ପୋଲିସ ସୁରକ୍ଷା ମାଗିଥିଲେ । ଏହାର କିଛି ସମୟରେ ପରେ ପୁରୀଘାଟ ଥାନା ପୋଲିସ ଅନୁଭବଙ୍କ ବାସଭବନରେ ପହଛି ଅନୁସନ୍ଧାନ ଆରମ୍ଭ କରିବା ସହ ବର୍ଷାଙ୍କ ସୁରକ୍ଷା ପାଇଁ ଜଣେ ମହିଳା ପୋଲିସ କର୍ମୀଙ୍କ ମଧ୍ୟ ନିୟୋଜିତ କରିଛି ।
Published by: Anand Shankar Thankur Das
First published: September 8, 2020, 12:11 AM IST
corona virus btn
corona virus btn
Loading