News18 Odia Digital
କଟକ: ବର୍ଷା ଅନୁଭବ ବିବାଦ ମାମଲାରେ ବର୍ଷାଙ୍କୁ ଫୁଣି ଲାଗିଛି ଅଦାଲତି ଝଟକା। ଆସନ୍ତା ମାସ ୨ ତାରିଖ ସୁଦ୍ଧା ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ଶାଶୁଘର ଚାବି ହସ୍ତାନ୍ତର କରିବେ ବର୍ଷା। ଏନେଇ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଏସ.ଡି.ଜେ.ଏମ. କୋର୍ଟ।
କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡ଼ି ସରିଥିଲେ ମଧ୍ୟ ସେହି ଘରର ଚାବି ଅନୁଭବଙ୍କୁ ହସ୍ତାନ୍ତର କରି ନାହାଁନ୍ତି। ଫଳସ୍ବରୂପ ଅନୁଭବ ଏନେଇ କୋର୍ଟରେ ଏକ ପିଟିସନ ଦାଖଲ କରିଲେ। ସେହି ପିଟିସନ ଘରର ଚାବି ତାଙ୍କୁ ହସ୍ତାନ୍ତର କରିବା ସହ ପୋଲିସ ଉପସ୍ଥିତିରେ ଘରକୁ ଯାଞ୍ଚ କରିବାକୁ କୋର୍ଟ ନିର୍ଦ୍ଦେଶଙ୍କ ପ୍ରାର୍ଥନା କରିଥିଲେ ଅନୁଭବ। ତେବେ କୋର୍ଟ ଏହି ମାମଲାରେ ଉଭୟ ପକ୍ଷଙ୍କୁ ଶୁଣିବା ପରେ ବର୍ଷାଙ୍କୁ ଘରର ଚାବି ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ସହିତ ଏସ.ଡି.ଜେ.ଏମ. କୋର୍ଟଙ୍କ କୋର୍ଟ ବର୍ଷା ଦାୟର କରିଥିବା ଅନ୍ୟ ଏକ ମାମଲାରେ ମଧ୍ୟ ବର୍ଷାଙ୍କ ପିଟିସନକୁ କୋର୍ଟ ଖାରଜ କରିଛନ୍ତି। ସୋସିଆଲ ମିଡ଼ିଆରେ ଅନୁଭବ ବର୍ଷାଙ୍କୁ ନିନ୍ଦିତ କରିବା ଉଦ୍ଦେଶ୍ୟରେ ଭିଡ଼ିଓ ସେୟାର କରିଛନ୍ତି ଏବଂ ଏହା ଦ୍ବାରା ତାଙ୍କର ସମ୍ମାନ ହାନୀ ହୋଇଥିବା ଦର୍ଶାଇ ବର୍ଷା ଅନୁଭବଙ୍କ ବିରୁଦ୍ଧରେ ମାନହାନୀ ମକଦମା ରୁଜୁ କରିବା ପାଇଁ ପ୍ରାର୍ଥନା କରିଥିଲେ। କିନ୍ତୁ ସେହି ସମ୍ପର୍କିତ ମୂଳ ମାମଲାଟି ହାଇକୋର୍ଟରେ ବିଚାରାଧିନ ଥିବାରୁ ଏସ.ଡି.ଜେ.ଏମ. କୋର୍ଟ ବର୍ଷାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।
ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ବର୍ଷା ଅନୁଭବଙ୍କ ପୈତୃକ ବାସଭବନରେ ରହି ଆସୁଥିଲେ। ତେବେ ବର୍ଷା ପୂର୍ବରୁ ସେଠାରେ ରହୁନଥିଲେ ଏବଂ କୋର୍ଟରେ ମାମଲା ଦାୟର ହେବ ପରେ ସେ ସେହି ଘରେ ରହୁଛନ୍ତି। ବର୍ଷାଙ୍କ ରହଣୀ ପରେ ଅନୁଭବ ଓ ତାଙ୍କ ପରିବାର ଲୋକ ସେହି ଘର ଛାଡ଼ି ଅନ୍ୟତ୍ର ଭଡ଼ା ନେଇ ରହିଆସୁଥିବା ନେଇ ଅନୁଭବ କୋର୍ଟଙ୍କୁ ଅବଗତ କରାଇଥିଲେ। ଏହା ସହିତ ସେହି ଘରଟି ଅନୁଭବଙ୍କ ପୈତୃକ ଘର ଓ ସେଠାରେ ତାଙ୍କର ବାପା, ମା ବଡ଼ବାପା ଓ ତାଙ୍କ ପରିବାର ରହୁଥିବାରୁ ସେମାନଙ୍କୁ ସେହି ଘରକୁ ଫେରି ଆସିବା ପାଇଁ ଅନୁମତି ସହିତ ବର୍ଷାଙ୍କ ଅନ୍ୟତ୍ର ରହଣୀର ସମସ୍ତ ଖର୍ଚ୍ଚ ସେ ବହନ କରିବେ ବୋଲି ଅନୁଭବ ନିଜ ଆବେଦନରେ ଦର୍ଶାଇଥିଲେ।
ଅନୁଭବଙ୍କ ଆବେଦନକୁ ଗ୍ରହଣ କରି କଟକ ଏସ.ଡି.ଜେ.ଏମ ବର୍ଷାଙ୍କୁ ଅଗଷ୍ଟ ମାସ ଶେଷ ସୁଦ୍ଧା ଅନୁଭବଙ୍କ କଟକ ନନ୍ଦିସାହି ଠାରେ ଥିବା ପୈତୃକ ଘର ଛାଡ଼ିବା ନିର୍ଦ୍ଦେଶ ଦେଇଥିଲେ। ଏହା ସହ ବର୍ଷା ବର୍ଷାଙ୍କୁ ମାସିକ ୩୦ ହଜାର ଟଙ୍କା ପ୍ରଦାନ ପାଇଁ ଅନୁଭବଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରତିମାସ ୧୦ ତାରିଖ ସୁଦ୍ଧା ଏହି ଟଙ୍କା ବର୍ଷାଙ୍କୁ ପ୍ରଦାନ କରିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ପ୍ରଥମ ମାସର ଟଙ୍କା ପାଇବାର ଦୁଇ ମାସ ମଧ୍ୟରେ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡ଼ିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।