ବର୍ଷା ଓ ଅନୁଭବ (ପ୍ରତୀକାତ୍ମକ ଛବି)
News18 Odia Digital
କଟକ: ଅଭିନେତ୍ରୀ ବର୍ଷା ଓ ତାଙ୍କର ସାସଂଦ ପତି ଅନୁଭବଙ୍କ ପାଇଁ ନୁଆ ପ୍ଲାଟଫର୍ମ ପାଲଟିଛି ସାମାଜିକ ଗଣମାଧ୍ୟମ । ଉଭୟଙ୍କ ମଧ୍ୟରେ ଅଦାଲତରେ ଚାଲିଥିବା ଲଢେଇ ଏହାର ପରିଣାମ ବା କୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା ନ କରି ସାମାଜିକ ଗଣମାଧ୍ୟମକୁ ଲଢେଇର କ୍ଷେତ୍ର ଭାବେ ବାଛି ନେଇଛନ୍ତି ଉଭୟ । ନିଜ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବା ସହ ଲୋକଙ୍କ ସମବେଦନା ହାସଲ କରିବା ପାଇଁ ଏବେ ସୋସିଆଲ ମିଡ଼ିଆକୁ ବ୍ୟବହାର କରୁଛନ୍ତି ।
ବିଶେଷ କରି 'ବର୍ଷା ପ୍ରିୟଦର୍ଶନି ଫ୍ୟାନ୍ କ୍ଲବ' ଓ 'ଅନୁଭବ ମହାନ୍ତି ଦି ରିଏଲ ହିରୋ ଅଫ କେନ୍ଦ୍ରପଡ଼ା' ନାମକ ଦୁଇଟି ଫେସବୁକ ପେଜକୁ ଏଥିପାଇଁ ବ୍ୟବହାର କରାଯାଉଛି । ତେବେ ସାମାଜିକ ଗଣମାଧ୍ୟମରେ ତାଙ୍କର ସମ୍ମାନ ହାନୀ କରିବାର ଭଳି ମତା ମତ ଦିଆଯାଉଛି ଓ 'ଅନୁଭବ ମହାନ୍ତି ଦି ରିଏଲ ହିରୋ ଅଫ କେନ୍ଦ୍ରପଡ଼ା' ନାମରେ ଖୋଲାଯାଇଥିବା ଫେସବୁକ ପେଜରେ କେହି ଜଣେ ଅଜଣା ବ୍ୟକ୍ତି ଏହି କାର୍ଯ୍ୟ କରୁଥିବା ନେଇ ବର୍ଷା କଟକ ସାଇବର ଥାନାରେ ଏତାଲା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ । ବର୍ଷା ପ୍ରିୟଦର୍ଶନି ଫ୍ୟାନ୍ କ୍ଲବଟି ବର୍ଷାଙ୍କ ଦ୍ବାରା ପରିଚାଳିତ ଏବଂ ଅନେକ ଫେକ ଆକାଉଣ୍ଟ ଜରିଆରେ ବର୍ଷା ତାଙ୍କୁ ଅପମାନିତ କରିବା ସହ ଗାଳିଗୁଲୋଜ କରୁଥିବା ଅନୁଭବ ଅଭିଯୋଗ କରିଛନ୍ତି ।
ସେପଟେ ଏହି ଦୁଇ ଷ୍ଟାର ସମ୍ପତିଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଚାଲିଥିବା ଲଢେଇ ଏକ ଖରାପ ପରମ୍ପରା ସୃଷ୍ଟି କରିଛି ଓ ସୋସିଆଲ ମିଡ଼ିଆ ୟୁଜରମାନେ ଏହାର ଅଶଂ ବିଶେଷ ନ ହୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସାଇବର ଏକ୍ସପର୍ଟ ।
"ସୋସିଆଲ ମିଡ଼ିଆରେ ଯେତେ ସବୁ ପ୍ରମୋସନାଲ ଓ ନେଗେଟିଭ କାର୍ଯ୍ୟକଳାପ ହୁଏ ସେସବୁ ଫେସବୁକ କିମ୍ବା ଇଷ୍ଟାଗ୍ରାମର ଫେକ ଆକାଉଣ୍ଟ ଦ୍ବାରା ହିଁ କରାଯାଇଥାଏ। ବର୍ଷା ଓ ଅନୁଭବଙ୍କ ଯେଉଁ ମାମଲା ଚାଲିଛି, ଆମେ କିଛି ନ ବୁଝି ନିଜର ନିଜତ୍ବକୁ ନ ହାରାଇ କାହାକୁ ଫ୍ୟାନ ଫଲୋଇଂ ଦେବା, ଲାଇକ୍ସ ଦବା, ପ୍ରମୋଟ କରିବା କିମ୍ବା ନିନ୍ଦା କରିବା ଉଚିତ ନୁହେଁ" କହିଛନ୍ତି ସାଇବର ଏକ୍ସପର୍ଟ ଲିଙ୍ଗରାଜ ସେଠୀ ।
ସେପଟେ ବର୍ଷାଙ୍କ ଏତାଲା ପରେ ଉଭୟ ଫେସବୁକ ଓ ୟୁ-ଟ୍ୟୁବକୁ ଚିଠି ଲେଖିବାକୁ ଯାଉଛି କଟକ କମିଶନରେଟ ପୋଲିସ । କିନ୍ତୁ ଏନେଇ ପୋଲିସକୁ କିଛି ନିର୍ଦ୍ଧିଷ୍ଟ ସୂଚନା ମିଳିବ ନାହିଁ । ଯଦି ମିଳିବ ତାହା ବହୁ ବିଳମ୍ବରେ ମିଳିବ ବୋଲି କୁହାଯାଇଛି । କାରଣ ଉଭୟଙ୍କ କ୍ଷେତ୍ରରେ ତଥା କଥିତ ସାଇବର ଆର୍ମିଙ୍କ ଭୁମିକା ଥିବା କୁହାଯାଉଥିବା ବେଳେ ଏହି ଭଳି ବିବାଦିୟ ମାମଲାରେ ଲୋକମତ ସୃଷ୍ଟି କରିବା ପାଇଁ ବ୍ୟବହାର କରାଯାଉଥିବା ସୋସିଆଲ ମିଡ଼ିଆ ଆକାଉଣ୍ଟ ଗୁଡ଼ିକ ନକଲି ସାବ୍ୟସ୍ଥ ହେବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ଏହି ଭଳି କ୍ଷେତ୍ରରେ ମାମଲାର ମୂଳ ପର୍ଯ୍ୟନ୍ତ ଯାଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୋଲିସକୁ ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରିବାକୁ ପଡ଼ିବ ବୋଲି କୁହାଯାଉଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।