ଖ୍ରୀଷ୍ଟମାସ ପାଇଁ ଭଳିକି ଭଳି ସାନ୍ଥା କ୍ଲଜ୍: ଡ୍ୟାନ୍ସିଂ ସାନ୍ଥା, କ୍ଲାଇମ୍ବିଙ୍ଗ୍ ସାନ୍ଥା, ସିଙ୍ଗିଙ୍ଗ୍ ସାନ୍ଥା, ଦାମ୍ ₹୫୦ ରୁ ₹୨୫,000
ରାଜଧାନୀର ଉଭୟ କ୍ୟାଥଲିକ୍ ଓ ବାପଟିଷ୍ଟ୍ ଚର୍ଚ୍ଚରେ ଖ୍ରୀଷ୍ଟମାସ ପାଳନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେଲିବ୍ରେସନ୍ ସାଙ୍ଗକୁ ଆଧ୍ୟାତ୍ମିକ ପରିବେଶରେ ପ୍ରଭୁ ଯୀଶୁଙ୍କୁ ସ୍ବାଗତ କରିବାକୁ ସମସ୍ତେ ପ୍ରସ୍ତୁତ ହେଉଛନ୍ତି । ଭୁବନେଶ୍ୱରର ବଜାରଗୁଡ଼ିକ ବି ଚ଼ଳଚଞ୍ଚଳ ହୋଇଉଠିଛି ।

ଏକ ନମ୍ବର ମାର୍କେଟର ଗୋଟେ ଦୋକାନରେ ସାନ୍ଥା କ୍ଲଜ
- News18 Odia
- Last Updated: December 23, 2019, 7:19 PM IST
ଭଳିକି ଭଳି ଖ୍ରୀଷ୍ଟମାସ ଟ୍ରି, ସାନ୍ଥା କ୍ଲଜ୍, ବେଲ୍, ଝୁମର ଓ ଆକର୍ଷଣୀୟ ଲାଇଟରେ ପୂରିଛି ଦୋକାନ । ଗୋଟିଏ କି ଦୁଇଟି ନୁହେଁ, ଅନେକ ପ୍ରକାର ଜିନିଷର ସମ୍ଭାର । ଦେଖିଲେ ଆଖି ଖୋଷି ହୋଇଯିବ । ଡ୍ୟାନ୍ସିଂ ସାନ୍ଥା, କ୍ଲାଇମ୍ବିଙ୍ଗ୍ ସାନ୍ଥା, ସିଙ୍ଗିଙ୍ଗ୍ ସାନ୍ଥା ସାଙ୍ଗକୁ ଅନେକ ପ୍ରକାର ଛୋଟ ବଡ଼ ସାନ୍ଥା ରହିଛି ଦୋକାନମାନଙ୍କରେ । ଦାମ୍ ୫୦ ଟଙ୍କାରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ।
ସେହିପରି ଭଳିକି ଭଳି ଖ୍ରୀଷ୍ଟମାସ୍ ଟ୍ରୀ ପୁଣି ତୁଷାରରେ ହୋଇଛି ସଜା । ୧୦୦ ଟଙ୍କାରୁ ଆରମ୍ଭ କରି ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ଦାମ୍ ।

ଦୋକାନଗୁଡ଼ିକରେ ନାନା ଭେରାଇଟିର ଜିନିଷ ରହିଛି ।
‘‘ଖାସ୍ ବଡ଼ଦିନ ଓ ନୂଆ ବର୍ଷ ଦିନ ପାଇଁ ବାହାରୁ ଆସିଛି ସାଜସଜ୍ଜା ସାମଗ୍ରୀ । ଭୁବନେଶ୍ବରରେ ଲୋକେ ବେଶ୍ ଆଗ୍ରହ ସହକାରେ କିଣୁଥିବା ବେଳେ ଖ୍ରୀଷ୍ଟମାସ ଟ୍ରୀ ସବୁଠୁ ଅଧିକ ବିକ୍ରୀ ହେଉଛି,’’ କହିଛନ୍ତି ଦୋକାନୀ ଅଶୋକ ମହାରଣା ।
ରାଜଧାନୀର ଉଭୟ କ୍ୟାଥଲିକ୍ ଓ ବାପଟିଷ୍ଟ୍ ଚର୍ଚ୍ଚରେ ଖ୍ରୀଷ୍ଟମାସ ପାଳନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେଲିବ୍ରେସନ୍ ସାଙ୍ଗକୁ ଆଧ୍ୟାତ୍ମିକ ପରିବେଶରେ ପ୍ରଭୁ ଯୀଶୁଙ୍କୁ ସ୍ବାଗତ କରିବାକୁ ସମସ୍ତେ ପ୍ରସ୍ତୁତ ହେଉଛନ୍ତି ।
‘’୨୪ ତାରିଖ ରାତି ୧୨ଟାରେ ପ୍ରଭୁଙ୍କ ଆଗମନ ସହ ଆରମ୍ଭ ହୋଇଯିବ ସେଲିବ୍ରେସନ୍ । ଏଥି ପାଇଁ ସବୁଠି ଆନନ୍ଦ ଓ ଉତ୍ସାହ ଭରି ରହିଛି । ୨୫ ତାରିଖ ସକାଳ ୮ଟାରେ ସମୂହ ପ୍ରାର୍ଥନା ସହ ହୋମଯଜ୍ଞ ହେବ । ଦିନ ତମାମ୍ ଭାଇବନ୍ଧୁଙ୍କ ସହ ବଡ଼ଦିନ ପାଳନ କରିବେ ଖ୍ରୀଷ୍ଟ ସମ୍ପଦାୟର ଲୋକେ,’’ କହିଛନ୍ତି ବିସପ୍ ଜନ୍ ବରୁଆ ।
ବଡ଼ଦିନ ପରେ ଅପେକ୍ଷା ରହିବ ନୂଆ ବର୍ଷକୁ । ତା’ ସ୍ବାଗତ ପାଇଁ ବି ଏବେ ଠାରୁ ଆରମ୍ଭ ହୋଇଛି ପ୍ରସ୍ତୁତି ।