News18 Odia Digital
Vande Bharat Express Train: ପୁରୀରୁ ହାୱଡା ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express Train)। ଆଜି ଭର୍ଚୁଆଲ୍ ମୋଡ୍ରେ ଦିନ ୧୨ଟା ୨୫ରେ ପୁରୀରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi)।
ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik), ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ବର ଟୁଡୁ ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହିବେ।
ସପ୍ତାହକୁ ୬ ଦିନ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ। କାର୍ଯ୍ୟସୂଚୀ ଅନୁଯାୟୀ, ସକାଳ ୯ଟା ୫୫ରେ ଅତିଥିମାନେ ପୁରୀ ରେଳ ଷ୍ଟେସନରେ ପହଞ୍ଚି ପ୍ରର୍ଶନୀ ପରିଦର୍ଶନ କରିବେ।
ସକାଳ ୧୦ଟା ୫ରୁ ୧୦ଟା ୨୦ ଭିତରେ ବନ୍ଦେ ଭାରତ ଏକ୍ସପ୍ରେସରେ ଥିବା ପିଲାମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିବେ। ପରେ ଗଣମାଧ୍ୟମ ସହ ଆଲୋଚନାର କାର୍ଯ୍ୟକ୍ରମ ରହିଛି। ଦିନ ୧୧ଟାରେ ସଭାକାର୍ଯ୍ୟ ଆରମ୍ଭ ହେବ। ସାଢ଼େ ୧୨ଟାରେ ପ୍ରଧାନମନ୍ତ୍ରୀ ଅନ୍ଲାଇନ୍ ଜରିଆରେ ସଭା ସହ ଯୋଡ଼ିହେବେ। ୧୨ଟା ୩୫ରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଅଭିଭାଷଣ ରଖିବେ। ପରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଏକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶିତ ହେବ। ଏସବୁ ପରେ ପ୍ରଧାନମନ୍ତ୍ରୀ ପ୍ରଥମେ ପୁରୀ ଓ କଟକ ରେଳ ଷ୍ଟେସନ୍ ଉନ୍ନୟନ କାର୍ଯ୍ୟର ଭିତ୍ତିପ୍ରସ୍ତର ପକାଇବେ।
ବିଛୁପାଲି-ଝର୍ତ୍ତଭା ନୂଆ ଲାଇନ୍ର ଶୁଭାରମ୍ଭ କରିବେ। ସମ୍ବଲପୁର-ଟିଟଲାଗଡ଼ ଡବଲ ଲାଇନ୍, ଅନୁଗୁଳ-ସୁକିନ୍ଦାର ନୂଆ ଲାଇନ୍, ମନୋହରପୁର-ରାଉରକେଲା-ଝାରସୁଗୁଡ଼ା-ଜାମଗା ତୃତୀୟ ଲାଇନର ବିଦ୍ୟୁତକରଣ ପ୍ରକଳ୍ପର ଶୁଭାରମ୍ଭ କରିବେ। ମଧ୍ୟାହ୍ନ ପ୍ରାୟ ୧୨ଟା ୫୩ରେ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ରଖିବା ସହ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ।
ବନ୍ଦେ ଭାରତ ଏକ୍ସପ୍ରେସ ସକାଳ ୬ଟା ୧୦ରେ ହାଓଡ଼ା ଷ୍ଟେସନରୁ ବାହାରି ୧୨ଟା ୨୫ରେ ପୁରୀରେ ପହଞ୍ଚିବ। ସେହିପରି ଅପରାହ୍ନ ୧ଟା ୫୦ ମିନିଟରେ ପୁରୀ ଷ୍ଟେସନ ଛାଡ଼ିବ ଓ ସନ୍ଧ୍ୟା ସାଢ଼େ ୮ଟାରେ ହାଓଡ଼ା ପହଞ୍ଚିବ।
ଖୋର୍ଦ୍ଧା ରୋଡ୍, ଭୁବନେଶ୍ବର, କଟକ, ଯାଜପୁର ରୋଡ୍, ଭଦ୍ରକ, ବାଲେଶ୍ବର, ଖଡଗପୁର ଷ୍ଟେସନରେ ୨ ମିନିଟ ଲେଖାଏଁ ଏହି ଟ୍ରେନ୍ ରହିବ। ଗତ ଏପ୍ରିଲ ୨୮ ଓ ମେ’ ୭ ତାରିଖରେ ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଦୁଇ ଦୁଇ ଥର ସଫଳ ଟ୍ରାଏଲ ରନ୍ ହୋଇସାରିଛି । ୨୪ ତାରିଖ ପରଠାରୁ ସମୟ ସାରଣୀ ଅନୁସାରେ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରୀଙ୍କ ପାଇଁ ଚାଲିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।